ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ

 

 

 

 

 

 

 

 

 

 

 

ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ

ଶ୍ରୀମତୀ ବୀଣା ମହାପାତ୍ର

 

 

 

 

 

 

ଉତ୍ସର୍ଗ

 

……………ମୋର ପ୍ରୟାସ ପଥରେ ସାଥୀ, ଦାର୍ଶନିକ,

ଦିଗଦ୍ରଷ୍ଟା ଶ୍ରୀ ରମାକାନ୍ତ ମହାପାତ୍ରଙ୍କୁ……………

 

ଲେଖିକା–

 

ମହାମାୟା ବୋର୍ଡ଼ିଂ ହାଉସ ।

 

ବାହାରେ ଝମ୍‌ ଝମ୍‌ ବର୍ଷା ହେଉଚି । କଳା କଳା ବଉଦରେ ଢାଙ୍କି ହୋଇ ରହିଛି ଆକାଶ । ଆହୁରି କେତେବେଳଯାଏ ଏ ବର୍ଷା ଲାଗି ରହିବ କେଜାଣି ? କର ଲେଉଟାଇଲା ବନ୍ଦନା । ଅଫିସରୁ ଆସି ଚାହା କପେ ଖାଇ ଶୋଇ ଯାଇଚି ନିଜ ବେଡ଼୍‌ରେ । ଇମିତି ବର୍ଷଣ ମୁଖର ସନ୍ଧ୍ୟା ସବୁଦିନେ ଭଲଲାଗେ ତାକୁ । କେତେ ସନ୍ଧ୍ୟା, ରାତି ଏମିତି ଖଟରେ ଚୁପ୍‌ଚାପ୍‌ ପଡ଼ି ରହିଥାଏ ସେ । ବାହାରେ ବର୍ଷା । ରହି ରହି ବର୍ଷାର ଛାଟ ଆସି ମୁହଁ ଦେହରେ ସବୁଆଡ଼େ ଶୀତଳ ସ୍ପର୍ଶ ଦେଇଯାଏ । ଖୁବ୍‌ ଆରାମ ଲାଗେ ବନ୍ଦନାକୁ । ଆଜି ବି ତା’ର ବ୍ୟତିକ୍ରମ ହୋଇନି ।

 

ଅଫିସ ଫରନ୍ତା ବନ୍ଦନା ଲୁଗା ନ ବଦଳେଇ ନ ଖାଇ ଶୋଇ ରହିଚି । ମନ ତଳେ ଭାବନାର ସୁଅ ଛୁଟିଚି । ତକିଆ ତଳୁ ଚିଠିଟିଏ ବାହାର କଲା ସେ । ହାତ ବଢ଼େଇ ଟେବୁଲ ଲ୍ୟାମ୍ପ ଜଳାଇ ଦେଲା । ପୁଣି ଥରେ ପଢ଼ି ବସିଲା ଚିଠିଟା-ଚନ୍ଦନା ଲେଖିଚି, ତା’ରି ସାନ ଭଉଣୀ, ଗାଁରେ ଥାଏ । ଅଳସ ଆଖିରେ ଚିଠିଟା ପଢ଼ିଲା ସେ ।

 

ଅପା,

 

ତୁ କାହିଁକି ପନ୍ଦର ଦିନ ହେବ ଚିଠି ଦେଇନୁ । ତୋ ଦେହ ଭଲ ଅଛି ତ ? ବୋଉ ଭାରୀ ବ୍ୟସ୍ତ ହୋଇ କହୁଚି, ଶୀଘ୍ର ଏ ଚିଠି ପାଇ ତୋ କଥା ଲେଖିବୁ ।

 

ହଁ ବୋଉର ୟା ଭିତରେ ପୁଣି ସେଇ ଆଣ୍ଠୁ ଦରଜଟା ବାହାରିଥିଲା । ତୈଳ ଅଣେଇ ମାଲିସ କଲି, ଏବେ ପୁରା ଭଲ ହେଲାଣି । ମାଳତୀଠୁ ଟ୨.୦୦ ଧାର କରିଛି । ତୋଠୁଁତ ଟଙ୍କା ଆସିନି । ବୋଉ କହୁଚି, ଆଉ ଟଙ୍କା ତା ପାଖରେ ନାହିଁ । ଜୀତୁର ସ୍କୁଲ ପରୀକ୍ଷା ଫିସ୍‌ ଟ୨.୦୦ ଦିଆହେବ । ତା ଛଡ଼ା ତା’ର ଚଟିହଳକ ଏକେବାରେ ଛିଣ୍ଡିଗଲା । ସେ ଖାଲି ଗୋଡ଼ରେ କେମିତି ସ୍କୁଲ ଯିବ ? ତା’ର ଏ ମାସ ଚଟି କିଣିବା ଦରକାର । ହଁ ମ ଅପା, ତୁ ଯୋଉ ଛତାଟା ଦେଇ ଯାଇ ନଥିଲୁ, ସେଇଟା ମୀତୁ ସ୍କୁଲରେ ହଜେଇ ଦେଇଚି । ବର୍ଷାଦିନ ହେଲାଣି, ବର୍ଷାରେ ଆମେ ସମସ୍ତେ ବଡ଼ ହଇରାଣ ହେଉଛୁ, ଖଣ୍ଡେ ଛତା ବି କିଣା ହେବ ବୋଲି ବୋଉ କହୁଚି ।

 

ହେଡ଼୍‌ମାଷ୍ଟରଙ୍କ ଝିଅ ଗୀତା ମତେ ସିଲେଇ ଶିଖଉଚି । ଆସନ ବୁଣିବା ଆରମ୍ଭ କରିଚି-। ୟାପରେ ମତେ ଫୁଲ ପକେଇବା ଶିଖାଇଦବ । ମୋ ସୁନା ଅପାଟା, ତୁ ଯଦି ସୂତା, ଛୁଞ୍ଚି, କନାପାଇଁ ପଇସା ନ ପଠଉ ନା, ମୁଁ କେମିତି ଆଉ ଶିଖିବି କହିଲୁ ? ମୋର ଭାରୀ ମନ ସିଲେଇ ଶିଖିବାକୁ । ତୋ ଇଚ୍ଛା । ତୋ ଛଡ଼ା ଆମର ଆଉ କିଏ ଅଛି ? ଏ ସବୁକୁ ବିଚାର କରି ଏ ମାସ

ଟ ୨୦.୦୦ ଅଧିକା ଦେବୁ ।

 

ଏଠି ଆଉ ସବୁ ଭଲ । ସୁଖେ, ଦୁଃଖେ ଚଳିଯାଉଛୁ । ଚିଠି ଦେବୁ । ପ୍ରଣାମ ଜାଣିବୁ ।

 

ତୋର

ଚନ୍ଦନା

 

ବନ୍ଦନା ଚିଠିଟା ପୁଣି ତକିଆ ତଳେ ରଖିଦେଲା । ସବୁଆଡ଼େ ଖାଲି ଅଭାବ, ଅଭାବ, ଅଭାବ । ଟ୧୩୦.୦୦ର କିରାନୀ ସେ । ବୋର୍ଡ଼ିଂ ଖର୍ଚ୍ଚ ଟ୪୦.୦୦ ଛାଡ଼ି ଦେଲେ, ଟ୬୫.୦୦ ଘରକୁ ପଠାଏ । ବଳକା ଟ୨୫.୦୦ରୁ ଯିବା ଆସିବା ବସ୍‌ ଖର୍ଚ୍ଚ ଟ୧୦.୦୦ ଗଲେ ଆଉ ଟ୧୫.୦୦ ହାତ ଖର୍ଚ୍ଚ ପାଇଁ ରହେ । ସାମାନ୍ୟ ଟ୧୫.୦୦କୁ ନାନାଦି ନିତ୍ୟ ବ୍ୟବହାର୍ଯ୍ୟ ଦରକାରୀ ଜିନିଷ ସତେ ଯେପରି ହାତ ବଢ଼ାଇ ରହିଚନ୍ତି । ସେଇ କେତେଟା ଟଙ୍କା ଶୋଷଣ କରି ନ ନବା ଯାଏ ଯେପରି ତାଙ୍କର ଶାନ୍ତି ନାହିଁ । ତାର ଏଇ ଅଭାବ ଅନାଟନକୁ ତା ଭାଇ ଭଉଣୀମାନେ କେବେ ଅନେଇ ନାହାନ୍ତି । ତାଙ୍କର ଆଖିରେ ବନ୍ଦନା ରୋଜଗାରୀ । ବି. ଏ. ପାସ କରିଚି । ଅନ୍ୟମାନେ ମୂର୍ଖ । ବନ୍ଦନା ଓଠରେ କ୍ଷୀଣ ହସର ରେଖା । ବି. ଏ. ପାସ କରି ବୋଧେ ବଡ଼ ଭୁଲ କରିଚି । ପାଠ ନ ପଢ଼ି ଥିଲେ ହୁଏତ ଚନ୍ଦନା, ଲତା ଭଳି ସେ ବି ଘରେ ବସି ବସି ସମୟ କଟାଉଥାଆନ୍ତା । ଏମିତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଫିସରେ ଫାଇଲ ଧରି ହିସାବ କିତାବ ଠିକ୍‌ କରୁ କରୁ ଦିନ ଯାଉ ନ ଥାଆନ୍ତା । କେତେ ଦିନ ଦି’ପ୍ରହରେ ମନେ ହେଉଚି, ଉଃ ଭୀଷଣ ନିଦ ଲାଗୁଚି, ଟିକେ ବିଶ୍ରାମ ନେଲେ ଭଲ ହୁଅନ୍ତା । କିନ୍ତୁ ସେ ସୁଖ କୋଉଠି ବନ୍ଦନା ଜୀବନରେ ! ସାମାନ୍ୟ ଟିକେ ମୁଣ୍ଡଟା ଟେବୁଲ ଉପରେ ରଖି ଆଖି ବୁଜି ଦେଲାମାତ୍ରେ ଚପରାଶି ମଦନ ଆସି ଟେବୁଲ ଖଟ ଖଟ କରି ଚାଲିଯିବ । ମାନେ ଓ୍ୟାରନିଂ ବେଲ୍‌-ଏଥରକ କ୍ଷମା କରାଗଲା । ଉଠ, କାମ କର । ଆଉ ଥରେ ଏପରି କଲେ ବଡ଼ ସାହେବଙ୍କ ପାଖରେ ରିପୋର୍ଟ କରାଯିବ । ବଡ଼ ସାହେବ ! ଉଃ ଭୟରେ ଥରି ଉଠେ ସେ ।

 

ବଡ଼ ସାହେବ ମିଃ ଜୟନ୍ତ ରାୟ-

 

ବନ୍ଦନା ଜୀବନରେ ସବୁଠାରୁ ଭୟ କରେ ମିଃ ରାୟଙ୍କୁ । ଠିକ୍‌ ୧୦.୩୦ ମିନିଟରେ ତାଙ୍କର ଜୋତାର ଠକ୍‌ ଠକ୍‌ ଆବାଜ ଶିଢ଼ିରେ ଶୁଣାଯାଏ । ତାପରେ ସବୁ କିରାନୀମାନଙ୍କର ଟେବୁଲର ମଝି ଦେଇ ଯୋଉ ରାସ୍ତାଟା, ସେଇ ବାଟ ଦେଇ ସିଧା ମଚ୍‌ ମଚ୍‌ ଶବ୍ଦ କରି ଚାଲି ଯାଆନ୍ତି ତାଙ୍କ ରୁମ୍‌କୁ । ସେଇ ଆବାଜଟା ସତେ ଯେପରି ତାତିଲା ହାତୁଡ଼ି ପରି ପିଟି ହୋଇଯାଏ ବନ୍ଦନା ଛାତିରେ । ମୁହଁ ତଳକୁ କରି ଚୁପ୍‌ଚାପ୍‌ ନିର୍ଜୀବ ପରି ଠିଆ ହୋଇ ରହେ ସେ । ସ୍ୱିଙ୍ଗ୍‌ ଡୋରର କେଁ କେଁ ଶବ୍ଦଟା କାନରେ ବାଜିଲେ ପ୍ରାଣ ପଶେ ବନ୍ଦନାର । ବାବା, କି ଭୟଙ୍କର ଲୋକ-! କେତେଥର ସାଙ୍ଗ କିରାନୀମାନେ ପରିହାସ କରନ୍ତି । ଧୀରା, ଜ୍ୟୋତ୍ସ୍ନା, ମୋହନ, ରମେଶ, ଥଟ୍ଟା କରି କହନ୍ତି, ମିସ୍‌ ଦାସ୍‌ ହେଉଛନ୍ତି ଭୟକ୍ରସ୍ତା ହରିଣୀ । କଅଣ ଯେ ଏତେ ଭୟ କରିବାର ଅଛି ? ଯେତେହେଲେ ସେ ଆମରି ମାଲିକ । ଆମରି ସୁଖ ଦୁଃଖ, ସୁବିଧା ଅସୁବିଧା ସବୁ ତାଙ୍କୁ କହିବା ଦରକାର । କିନ୍ତୁ ମିସ୍‌ ଦାସ୍‌ ତ କେବେହେଲେ ତାଙ୍କୁ ମୁହଁଟେକି ଚାହିଁ ବି ନାହାନ୍ତି, ଆଉ ଅନ୍ୟ ସବୁ କଥା କହିବେ କଅଣ ? ଏମିତି କଲେ, ଯିଏ ଯୋଉଠି, ସିଏ ସେଇଠି, ଉନ୍ନତି ଅସମ୍ଭବ ।

 

ଠିକ୍‌ କଥା, ବନ୍ଦନା ମାନେ । ଏଇତ ତା’ରି ଆଗରେ ଧୀରା ଜ୍ୟୋତ୍ସ୍ନାଙ୍କର ଦରମା ଟ୩୦.୦୦ କରି ବଢ଼ି ଗଲାଣି । କାରଣ, ସେମାନେ ହସିକରି ସାହେବ୍‌ଙ୍କର ସାଙ୍ଗରେ କଥାବାର୍ତ୍ତା କରନ୍ତି, ପୁଣି ସାହେବ୍‌ ଡକାଇଲା ମାତ୍ରେ ଦଉଡ଼ନ୍ତି । କେତେଥର ଦେଖିଚି ବନ୍ଦନା, ସ୍ୱିଙ୍ଗ୍‌ ଡୋର୍‌ ଏ ପାଖରେ ଥାଇ, ଅତି ଘନିଷ୍ଠ ଭାବରେ ଠିଆ ହୋଇଚି ଜ୍ୟୋତ୍ସ୍ନା ବଡ଼ ସାହେବ୍‌ଙ୍କ ପାଖରେ, କିମ୍ବା ଧୀରା ସାହେବ୍‌ଙ୍କର ସିଗାରେଟ୍‌ରେ ଡିଆସିଲି ଲଗେଇ ଦଉଚି । ଫେରିଆସେ ବନ୍ଦନା ନିଜ ଟେବୁଲ୍‌କୁ । ଦେହ ଶୀତେଇ ଉଠେ, ଉଃ କି ଅଦ୍‌ଭୁତ ରୁଚି । ନାରୀମାନଙ୍କର ତେବେ ଏଇୟା ହେଉଚି ଉନ୍ନତିର ପଥ ।

 

କିନ୍ତୁ ସମସ୍ତେ ଯାହା ପାରନ୍ତି, ବନ୍ଦନା ତାହା ପାରେନି । ବଡ଼ ସାହେବ୍‌ଙ୍କ ପାଖରେ ତାକୁ କିମିତି ମାଡ଼ି ମାଡ଼ି ପଡ଼େ ।

 

ସେ ଦିନ ମିଃ ରାୟଙ୍କର ଜୋତାର ଆବାଜ ଧୀରେ ଧୀରେ ପାଖକୁ ଆସିଲା । ବନ୍ଦନା ମୁହଁ ଟେକି ଅନେଇଲା । କାରଣ, ସହକର୍ମୀମାନେ କହିଛନ୍ତି, ଏଇଟା କୁଆଡ଼େ ସାଧାରଣ ଭଦ୍ରାମୀ-। ତଳକୁ ମୁହଁ କରି ରହିବା ହେଉଚି ବେଖାତିର ଢଙ୍ଗ । ଛାତିର ତପ୍ତ ହାତୁଡ଼ିର ତୀବ୍ର ଝଙ୍କାର, ହାତ ଗୋଡ଼ର ସମସ୍ତ ଅବଶତା ସବୁକୁ ଦମନକରି କାଗଜ ଭଳି ସାଦା ମୁହଁଟା ଟେକି ସାହେବଙ୍କ ଆଡ଼େ ଚାହିଁ ରହିଲା ବନ୍ଦନା । ଭାବିଥିଲା, ମୁହୂର୍ତ୍ତକ ପାଇଁ ଚାହିଁ ରହିବ, ସାହେବ ତାକୁ ପାରି ହୋଇ ଚାଲିଯିବା ମାତ୍ରେ ତଳକୁ ମୁହଁ ପୋତି ଦେବ, ଏତିକି କଅଣ ପାରିବନି ବନ୍ଦନା ! ନିଶ୍ଚୟ ପାରିବ ।

 

କିନ୍ତୁ ସବୁ ପ୍ଳାନ୍‌ ଗୋଳମାଳ ହୋଇଗଲା । ସବୁଦିନ ତଳକୁ ମୁହଁ କରି ରହୁଥିବା ବନ୍ଦନାକୁ ବହୁଦିନୁ ଲକ୍ଷ୍ୟ କରିଛନ୍ତି ଜୟନ୍ତ ରାୟ । ଆଜି ସେଇ ବନ୍ଦନାକୁ ମୁହଁଟେକି ଚାହିଁ ରହିବା ଦେଖି , ଆପେ ଆପେ ତାଙ୍କ ଗୋଡ଼ ଦିଟା ଅଟକି ଗଲା । ପାଟିରୁ ଅଜାଣତରେ ବାହାରି ଗଲା ‘‘ଷ୍ଟ୍ରେଞ୍ଜ୍‌’’ ।

 

ଧୀରେ ଧୀରେ ଚାଲି ଆସିଲେ ସେ ବନ୍ଦନାର ଟେବୁଲ୍‌ ପାଖକୁ ।

 

‘‘ଗୁଡ଼୍‌ ମର୍ଣ୍ଣିଂ ମିସ୍‌ ଦାସ୍‌ ।’’

 

ବିଚଳିତ ହୋଇଗଲା ବନ୍ଦନା । ବଡ଼ ସାହେବ୍‌ ତା ଟେବୁଲ୍‌ ଆଗରେ ! ବାଘ ହରିଣୀ ଆଗରେ ! କଅଣ କରିବ ହରିଣୀ । ବାଘ ମୁହଁରୁ ରକ୍ଷା ପାଇବା ପାଇଁ କି ଉପାୟ ସେ ଅବଲମ୍ବନ କରିବ !

 

ଥର ଥର ଗଳାରେ କହିଥିଲା ସେ ‘‘ଗୁଡ଼୍‌ ମର୍ଣ୍ଣିଂ ।’’

 

ତଥାପି ଚାଲିଗଲେନି ବଡ଼ ସାହେବ୍‌, ପୁଣି ପଚାରିଲେ, ‘‘କାମ ଆରମ୍ଭ କଲଣି ।’’

 

ଚମକି ଚାହିଁଲା ବନ୍ଦନା, ଆଗରେ ବଡ଼ ସାହେବ୍‌ଙ୍କର ଆଖି ଦିଟା ସତେକି ଦୁଇଟା ନିଆଁହୁଳା । ଉଃ, କି ଯନ୍ତ୍ରଣାଦାୟକ । ଶତ ଚେଷ୍ଟା କରି ବି ଉତ୍ତର ପଦେ ପାଟିରୁ ବାହାରିଲାନି, କେବଳ ମୁଣ୍ଡ ହଲେଇ ସମ୍ମତି ଜଣାଇଲା । ଜୟନ୍ତ ବାବୁ କହିଥିଲେ ହସି ହସି, ‘‘କେରି ଅନ୍‌, କେରି ଅନ୍‌ ।’’ ଜୋତାର ଠକ୍‌ ଠକ୍‌ ଶବ୍ଦଟା ମିଳେଇ ଯାଇଥିଲା ଧୀରେ ଧୀରେ । ତା ପରେ ପରେ ସ୍ୱିଙ୍ଗ୍‌ ଡୋର୍‌ର କେଁ କେଁ ଶବ୍ଦଟା ଶୁଣି ବନ୍ଦନା ଚାହିଁଲା । ଉଃ, ତାହାହେଲେ ବଡ଼ ସାହେବ ସତକୁ ସତ ଚାଲି ଯାଇଛନ୍ତି । କପାଳ, ବେକ, ସବୁଆଡ଼ୁ ଝାଳ ନିଗିଡ଼ି ଆସୁଛି । ବାଘ କବଳରୁ ମୁକ୍ତି ପାଇ ହରିଣୀ କ୍ଳାନ୍ତ ।

 

ରୁମାଲ୍‌ଟା କାଢି ଝାଳ ପୋଛିବା ଆରମ୍ଭ କଲା । କିନ୍ତୁ ଏ କ’ଣ, ଚାରିପଟୁ ଚାପାହସ, ଫିସ୍‌ ଫିସ୍‌ କଥାର ଆବାଜ । ଚମକି ପଡ଼ି ଅନ୍ୟମାନଙ୍କୁ ଚାହିଁଲା ସେ । ସମସ୍ତଙ୍କର ଦୃଷ୍ଟି ତା ଉପରେ । ପାଖରୁ ମୋହନ ମନ୍ତବ୍ୟ କଲା, ‘‘ବିଲକୁଲ ମିସ୍‌ ଫିଟ୍‌ ।’’

 

ଧୀରା କହିଲା, ‘‘କେତେ ବଡ଼ ଚାନ୍‌ସ ତୁ ଆଜି ହରେଇଲୁ ଲୋ ବନ୍ଦନା, ଟିକେ ହସିକରି କଥା ପଦେବି କହି ପାରିଲୁନି ! ତୋର ଆଉ କେମିତି ଦରମା ବଢ଼ିବ ?

 

ରମେଶ କହିଲା, ‘‘ଇଚ୍ଛା କରି ଆପଣ ଉନ୍ନତିର ପଥକୁ ବନ୍ଦ କରି ଦଉଛନ୍ତି ।’’

 

ଢକ୍‌ ଢକ୍‌ କରି ପାଣି ଗ୍ଳାସେ ପିଇଲା ବନ୍ଦନା, ମୁହଁ ଧୋଇଲା । ବେଗ୍‌ରୁ ଛୋଟ ରୁମାଲ୍‌ କାଢ଼ି ମୁହଁ ପୋଛିଲା । ପୁଣି ଆସି ଟେବୁଲରେ ବସି ଫାଇଲ୍‌ ଟାଣି ଆଣି କାମ ଆରମ୍ଭ କରିଥିଲା ।

 

ଚନ୍ଦନାର ଚିଠିଟି ପାଇ ଅନ୍ଧାରରେ ପଡ଼ିରହି ପୁଣି ଥରେ ସେ ଭାବୁଥିଲା ଅଫିସ୍‌ରେ ଘଟିଥିବା ଘଟଣାଗୁଡ଼ିକ । ଚନ୍ଦନା ଲେଖିଚି, ଟ୨୦.୦୦ ଅଧିକା ପଠାଇବାକୁ । ଭାଇ ଭଉଣୀମାନେ ବଡ଼ ହେଲେଣି । ଦିନକୁ ଦିନ ଆହୁରି ବଡ଼ ହେବେ, ଆହୁରି ଟଙ୍କା ଦରକାର କରିବେ-। ସବୁ ଟଙ୍କା ତାକୁ ତ ଯୋଗାଇବାକୁ ପଡ଼ିବ । ନିଜର ବ୍ୟବହାରର ସାମାନ୍ୟ ପରିବର୍ତ୍ତନରେ ଯଦି ଏହା ସମ୍ଭବ ହୋଇପାରେ, ତେବେ ଉଚିତ୍‌ ନୁହେଁ କି ତାର ସେଇ ପଥଟା ବାଛିନେବା ! ଗରିବର ପୁଣି ମାନ, ଅପମାନ । ତେବେ ସାମାନ୍ୟ ଟିକେ ହସିକରି ପଦେ ଦୁଇପଦ କଥାବାର୍ତ୍ତା କଲେ, ଟିକେ ପ୍ରଗଳ୍‌ଭା ହେଲେ, କଅଣ ବା ଏମିତି ସମ୍ମାନହାନୀ !

 

ତା’ରି ଆଗରେ ସେ ଦେଖିଛି କେତେଥର ସୁସଜ୍ଜିତା ତରୁଣୀମାନେ ଆସିଛନ୍ତି ମିଃ ରାୟଙ୍କ ପାଖକୁ । ମିଃ ରାୟ ଚପରାଶୀ ହାତରେ ଚାହା ଜଳଖିଆ ମଗେଇ ସେମାନଙ୍କୁ ଖୁଆଇଛନ୍ତି-। ହସି ହସି ତାଙ୍କ ସାଙ୍ଗରେ ଚାଲି ଯାଇଚନ୍ତି ବାହାରକୁ । କେତେଥର ନିଜେ ଗାଡ଼ିରେ ଲିଫ୍‌ଟ ଦେଇଛନ୍ତି କେତେ ତରୁଣୀଙ୍କୁ । କେଉଁ ତରୁଣୀଙ୍କର ହାତଧରି ନେଇ ଯାଇଛନ୍ତି ତାଙ୍କ ରୁମ୍‌କୁ । ସ୍ୱିଙ୍ଗ୍‌ ଡୋରର କେଁ କେଁ ଶବ୍ଦକୁ ଭେଦକରି ଖିଲି ଖିଲି ହସର ଲହରୀ ଭାସି ଆସିଚି । ଅଫିସର ସମସ୍ତେ ଉପଭୋଗ କରିଛନ୍ତି, ମନ୍ତବ୍ୟ କରିଛନ୍ତି ନାନା ଧରଣର । କେବଳ ବନ୍ଦନାର ସେଇଠି ବ୍ୟତିକ୍ରମ । ତା’ର କାନରେ ଖିଲିଖିଲି ହସର ଲହରୀ ଚଳନ୍ତା ରେଳ ଚକର ଆବାଜ ଭଳି ଗଳିଯାଇ, ହୃଦୟରେ ଶତ ବୃଶ୍ଚିକର ଦଂଶନ ଅନୁଭବ କରାଇଛି । କିନ୍ତୁ କାହିଁକି ? ତା’ରି ଆଖି ଆଗରେ ଶତ ଶତ ତରୁଣୀ ଯାହା ଅବଲୀଳାକ୍ରମେ କରି ପାରୁଚନ୍ତି, ବନ୍ଦନା ଶତଚେଷ୍ଟା ସତ୍ତ୍ୱେ ତାହା କରି ପାରୁନି କାହିଁକି ? ଏ ‘କାହିଁକି’ର ଉତ୍ତର ବନ୍ଦନା ଜାଣେନା ।

 

ଭାବନାର ଖିଅ ଏଇଠି କଟିଗଲା । ପାଖ ବେଡ଼୍‌ରେ କେହି ଜଣେ କାନ୍ଦୁଚି । ଆରେ ଏ ଯେ ସୁଜାତା ! ସୁଜାତା କାନ୍ଦୁଚି ! ନିରୀହ ଝିଅଗୁଡ଼ିକ କାନ୍ଦିବାର ଦେଖିଲେ ସହିପାରେନା ବନ୍ଦନା । କାରଣ, ତାକୁ ଜଣାଯାଏ, ସତେ ଯେପରି ସେ ନିଜେ କାନ୍ଦୁଚି । ଉଠି ଆସିଲା ସେ, ସୁଜାତାର ବେଡ଼୍‌କୁ । ତା ମୁଣ୍ଡକୁ ଆଉଁସି ପଚାରିଲା, ‘‘ସୁଜାତା, ତୁ କାନ୍ଦୁଚୁ ? ଫେରିଲୁ କେତେବେଳେ ?’’ ଉତ୍ତର ଦେଲାନି ସେ । ବନ୍ଦନା ନିଃଶବ୍ଦରେ ମୁଣ୍ଡ ଆଉଁସି ଦେଉଥାଏ । ଭାବିଲା, କାନ୍ଦୁ ସୁଜାତା, ଗରିବ ଝିଅମାନଙ୍କର ଏଇତ ଏକମାତ୍ର ସାନ୍ତ୍ୱନା । ନିରୋଳାରେ କିଛି ସମୟ କାନ୍ଦିଲେ, ମନର ଦୁଃଖ ଆପଣାଛାଏଁ କମିଯିବ, ମନ ହୋଇଯାଏ ହାଲ୍‌କା-

 

ଗରିବ ଝିଅଟିଏ ସୁଜାତା । ପିଲାଦିନୁ ବାପ, ମା ନାହାନ୍ତି । ବନ୍ଧନ ତା’ର ସବୁଆଡ଼ୁ ଛିନ୍ନ; କେବଳ ସାନ ଭାଇଟିକୁ ହଷ୍ଟେଲ୍‌ରେ ରଖେଇ ସ୍କୁଲରେ ପାଠ ପଢ଼ଉଚି । ମ୍ୟାଟ୍ରିକ୍‌ ପାସ୍‌କରି ଶିକ୍ଷୟିତ୍ରୀ ହୋଇଚି ସୁଜାତା । ସମସ୍ତେ କହନ୍ତି, ସୁଜାତା ସୁନ୍ଦରୀ । ପ୍ରସାଧନବିହୀନ ଉଦାସ ମୁହଁଟି ଉପରେ ସମସ୍ତଙ୍କର ଆଖି ଲାଖି ରହେ । ସେଇ ସୁଜାତାର ଦୈନନ୍ଦିନ ନିୟମିତ ଜୀବନ ଉପରେ ଆଜିର ଘଟଣା ଗୋଟିଏ ସୁଦୀର୍ଘ କଳା ଗାର ଟାଣି ଦେଇଚି ।

 

ଅଳକା ଲୁଗା ଦୋକାନ–

 

ଲୋକ ଗହଳିରେ ଭରିଯାଇଚି ଦୋକାନଟି । ଅଜସ୍ର ଅଜସ୍ର ନାଇଲନ୍‌, ସିଲ୍‌କ, ଜର୍ଜେଟ୍‌ ଇତ୍ୟାଦି ଶଢ଼ୀରେ ବୋଝାଇ ହୋଇଥିବା ଆଲ୍‌ମାରୀରୁ ଖଣ୍ଡ ଖଣ୍ଡ କରି ଦୋକାନର କର୍ମଚାରୀମାନେ ଦେଖାଇବାକୁ ଲାଗି ଯାଇଚନ୍ତି । ସହରର ଗୋଟିଏ ବଡ଼ ଦୋକାନ । କେହି ଏଠିକି ଆସିଚି ହୀରାର ନେକ୍‌ଲେସ୍‌ ପିନ୍ଧି, କିଏ ଆସିଚି ବିରାଟ ଚକ୍‌ଚକ୍‌ ଡଜ୍‌ ଗାଡ଼ିରେ ବସି । ମୋଟ ଉପରେ ଅଭିଜାତ ପରିବାରର ଲୋକମାନଙ୍କର ଉପସ୍ଥିତିରେ ସରଗରମ ହୋଇ ଉଠିଚି ଦୋକାନଟି । ସେଇ ଲୋକମାନଙ୍କ ଭିତରେ ଚୁପ୍‌ ହୋଇ ଠିଆ ହେଇଚି ସୁଜାତା ।

 

ଅତି ସାଧାରଣ ମିଲ୍‌ ଶଢ଼ୀ ପିନ୍ଧି, ଏପରି ପରିବେଶ ମଧ୍ୟରେ ସେ ନିତାନ୍ତ ଖାପ୍‌ଛଡ଼ା ମନେ ହେଉଚି । ସଂଙ୍କୁଚିତ ହୋଇ ସୁଜାତା ନିର୍ବିକାର ଭାବରେ ଠିଆ ହେଇଚି । ମଝିରେ ମଝିରେ କର୍ମଚାରୀମାନଙ୍କର ପାଟିରୁ ସେ ଶୁଣିପାରୁଚି ଶଢ଼ୀର ଦାମ୍‌ ଟ୧୦୦.୦୦, ଟ୧୫୦.୦୦, ଅତି କମ୍‌ରେ ଟ୪୮.୦୦ । ଏପରି ଅବସ୍ଥାରେ ସେ କିପରି କହିବ ଟ୧୫.୦୦ ଭିତରେ କିଛି ଶଢ଼ୀ ନେଇ ଯିବାକୁ !

 

ପାଖରେ ଆସି ଠିଆ ହେଲେ ଜଣେ ଭଦ୍ରଲୋକ-ଅର୍ଡ଼ର୍‌ କଲେ ନାଇଲନ୍‌ ଲୁଗା ଦେଖାଇବାକୁ । ଚାହୁଁ ଚାହୁଁ ସୁଜାତା ସାମନାରେ ଗଦା ହୋଇଗଲା ନାଇଲନ୍‌ର ସ୍ତୂପ । ମୁଗ୍‌ଧ ଦୃଷ୍ଟିରେ ଚାହିଁ ରହିଲା ସେ । ଯଦି ସ୍ପର୍ଶ ବି କରିପାରନ୍ତା କୋମଳ ନାଇଲନ୍‌ର ଶଢ଼ୀଗୁଡ଼ା ! ଏପରି ସମୟରେ ଭଦ୍ରଲୋକ ଜଣକ ଅତି ଆଶ୍ଚର୍ଯ୍ୟଜନକ ପ୍ରସ୍ତାବ ଆଣିଲେ ସୁଜାତା ପାଖରେ ।

 

‘‘ଦେଖନ୍ତୁ, ଆପଣଙ୍କୁ ମୁଁ ଅନୁରୋଧ କରିପାରେ କି, ଏଥିରୁ ଖଣ୍ଡିଏ ଶଢ଼ୀ ପସନ୍ଦ କରିଦେବାକୁ ? ମୋର ଭଉଣୀର ଦେହ ଖରାପ । ସେ ଆସିପାରିନି । ଆଉ ମୁଁ ଏ ସବୁଥିରେ ସମ୍ପୂର୍ଣ୍ଣ ଅନଭ୍ୟସ୍ତ ।’’

 

ସୁଜାତା ଚାହିଁଲା ଭଦ୍ରଲୋକଙ୍କୁ । କ୍ରିମ୍‌ କଲର୍‌ର ସାର୍ଜସ୍କିନ୍‌ ସୁଟ୍‌ ସାଙ୍ଗରେ ଆମେରିକାନ୍‌ ଟାଇଟି ବେଶ୍‌ ମେଚ୍‌ କରି ପିନ୍ଧିଚନ୍ତି । ସୁନ୍ଦର ଗୋରା ତକତକ ମୁହଁ । ବ୍ରିଲ୍‌କ୍ରିମ୍‌ ଦେଇ ବାଳଗୁଡ଼ିକ ସୁନ୍ଦର ଭାବରେ ବ୍ୟାକ୍‌ବ୍ରଶ୍‌ କରିଚନ୍ତି, ମୁହଁରେ କଳା ଫ୍ରେମ୍‌ର ଚଷମା । ସୌଖୀନ୍‌ ଭଦ୍ରଲୋକ !

 

ନିଜର ଅଜାଣତରେ ସୁଜାତା ଘୁଞ୍ଚିଆସିଲା ଟିକେ ଦୂରକୁ । ବହୁତ ବେଳପରେ ପାଟିରୁ ବାହାରିଲା, ‘‘ଆଚ୍ଛା’’ । ‘‘ଧନ୍ୟବାଦ୍‌’’ କହି ଭଦ୍ରଲୋକ ସିଗାରେଟ୍‌ ଧରାଇବାରେ ବ୍ୟସ୍ତ ରହିଲେ । ଆଉ ଦୋକାନୀ ନାଇଲନ୍‌ ଶଢ଼ୀଗୁଡ଼ିକୁ ଗୋଟିକ ପରେ ଗୋଟିଏ ମେଲେଇ କରି ଦେଖାଇଗଲା । ଅତି ଆନନ୍ଦରେ ସୁଜାତା ଗୋଟି ଗୋଟି କରି ଦେଖିଗଲା । କ୍ଷଣକ ପାଇଁ ସେ ଭୁଲିଗଲା ଯେ, ଶଢ଼ୀ ସେ ଜଣକ ପାଇଁ ପସନ୍ଦ କରିଦେବ କେବଳ ଏବଂ ଏ ଶଢ଼ୀରେ ତା’ର କିଛି ଅଧିକାର ନାହିଁ । କିଛି ସମୟ ପରେ ଭଦ୍ରଲୋକ କହିଲେ; ‘‘ପସନ୍ଦ ହେଲା କିଛି ?’’ ସୁଜାତାର ହସ ବନ୍ଦ ହୋଇଗଲା ମୁହୂର୍ତ୍ତକରେ । ଟିକିଏ ରହି ସୁଜାତା ପଚାରିଲା, ‘‘ଆପଣଙ୍କର ଭଉଣୀଙ୍କର ରଙ୍ଗ କିପରି ?’’

 

‘‘ତାକୁ ଗୋରା ଇ କହିବାକୁ ହେବ, ମାନେ ଧରନ୍ତୁ-’’ ତାଙ୍କର ଆଖି ଦୋକାନକୁ ଆସିଥିବା ଅନ୍ୟ ତରୁଣୀମାନଙ୍କ ଉପର ଦେଇ ଥରେ ବୁଲି ଆସିଲା, ତାପରେ ସୁଜାତା ଉପରେ ସ୍ଥିର ହୋଇଗଲା, କହିଲେ-

 

‘‘ଧରନ୍ତୁ ଆପଣଙ୍କ ପରି’’

 

ସୁଜାତାର ଗୋରା ତକତକ ମୁହଁଟା ଇଷତ୍‌ ଆରକ୍ତ ହୋଇଗଲା ।

 

ଭଦ୍ରଲୋକ ଅପ୍ରସ୍ତୁତ ହୋଇଗଲେ । ଲଜ୍ଜିତସ୍ୱରରେ କହିଲେ, ‘‘କ୍ଷମା କରିବେ ।’’

 

କ୍ଷିପ୍ର ହସ୍ତରେ ଶଢ଼ୀଗୁଡ଼ିକ ଏପଟ ସେପଟ କରୁ କରୁ ଗାଢ଼ ସବୁଜ ରଙ୍ଗର ଶଢ଼ୀଟିଏ ଟାଣି ଆଣିଲା ସେ, କହିଲା, ‘‘ଏଇ ଶଢ଼ୀଟା ଖୁବ୍‌ ଡିସେଣ୍ଟ ହୋଇଚି ।’’

 

ଚଉଡ଼ା ଜରିର କାମ କରା ହୋଇଥିବା ଧଡ଼ିରେ ଆଲୁଅ ପଡ଼ି ଆଖି ଦିଟା ତାର ଝଲସି ଉଠିଲା ।

 

ଦୋକାନୀ ସେଇ ଶଢ଼ୀଟା ସଯତ୍ନରେ ଚଉତି ପ୍ୟାକେଟ୍‌ରେ ଭର୍ତ୍ତିକରି ଆଣିଦେଲା, ତା ସାଙ୍ଗରେ କ୍ୟାସ୍‌ମେମୋ ଆଣି କହିଲା, ‘‘ଆଜ୍ଞା ଟ ୧୧୦.୦୦ ।’’ ଚମକି ପଡ଼ିଲା ସୁଜାତା, ଟ୧୧୦.୦୦ ? ଗୋଟିଏ ଶଢ଼ୀ ? ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ସେ, ଭଦ୍ରଲୋକ ଦୁଇଟା ଟ୧୦୦.୦୦ ନୋଟ୍‌ ଫୋପାଡ଼ି ଦେଲେ ଦୋକାନୀ ପାଖକୁ ।

 

ଏଇ ସମୟରେ କେତେଜଣ ପଞ୍ଜାବୀ ଭଦ୍ରମହିଳା ଦୋକାନ ଭିତରକୁ ଆସି ସେ ଦୁହିଁଙ୍କର ମଝିରେ ଥିବା ସଂକୀର୍ଣ୍ଣ ସ୍ଥାନରେ ଠିଆ ହେବାକୁ ଚେଷ୍ଟାକଲେ । ଆଉ ସୁଜାତା ଠେଲି ହୋଇ ବହୁ ଦୂରକୁ ଚାଲିଗଲା ଏବଂ ସେପଟୁ ଜଣେ ବୃଦ୍ଧା ପାଟିକରି ଉଠିଲେ-

 

‘‘ଅଯଥାରେ ଭିଡ଼ କରନି, ତୁମର ଯଦି କିଛି କିଣିବାକୁ ନାହିଁ ଅନ୍ୟମାନଙ୍କୁ କିଣିବାକୁ ଦିଅ ।’’ ଆଉ ଶୁଣିପାରିଲାନି ସେ । ଫେରି ଆସିଲା ବାହାରକୁ । ଆଖିରେ ତାର ଲୁହ । ସବୁ ରାଗ ଯାଇ ପଡ଼ିଲା ତାର ବନ୍ଧୁ ଶୀଲା ଉପରେ । ସେ ତାକୁ କହି ଦେଇଥିଲା, ଏଇ ଦୋକାନର ଠିକଣା । ଉଃ ! କି ଭୁଲ ଯେ ହେଇଯାଇଚି !

 

ଭଦ୍ରଲୋକ ଜଣକ ତାଙ୍କ ଗାଡ଼ି ପାଖରେ ଠିଆ ହୋଇ ତୀକ୍ଷ୍‌ଣ ଦୃଷ୍ଟିରେ ସବୁ ଦେଖିଚନ୍ତି-। ଆଘାତ ମଧ୍ୟ ପାଇଚନ୍ତି ସେ ସୁଜାତାର ଶୁଷ୍କ ମୁହଁ ଦେଖି ।

 

ରାସ୍ତାରେ ଚାଲିଯାଉଥିଲା ସୁଜାତା । କାର୍‌ଟା ଅଟକିଗଲା ତା ପାଖରେ । କାର୍‌ ଭିତରୁ ଭଦ୍ରଲୋକ କହିଲେ–

 

‘‘ଆସନ୍ତୁ ଆପଣଙ୍କୁ ଛାଡ଼ିଦେଇ ଆସିବି ।’’

 

‘‘ଧନ୍ୟବାଦ, ମୁଁ ନିଜେ ଚାଲିଯିବି ।’’

 

‘‘Please come in’’ କାର୍‌ର ଦୁଆର ଖୋଲି ଧରିଲେ । ସୁଜାତା ଆଉ ମନା କରିପାରିଲାନି । ଭିତରେ ଭଦ୍ରଲୋକଙ୍କ ପାଖରେ ବସିପଡ଼ିଲା ।

 

କଥା ଆରମ୍ଭ କଲେ ଭଦ୍ରଲୋକ ।

 

‘‘ଆପଣଙ୍କ ନାଁଟା ଏ ପର୍ଯ୍ୟନ୍ତ ପଚାରି ପାରିନି, ଆପଣଙ୍କ ନାଁ କଣ କହିବେକି ?’’

 

‘‘ମୋ ନାଁ ସୁଜାତା ।’’

 

‘‘ସୁଜାତା ! ବାଃ, ବେଶ୍‌ ଭଲ ନାଁ ତ ! ଆଉ ମୋ ନାଁ ହେଲା ବିକାଶ । ଚାଲନ୍ତୁ ନା, ଆମ ଘରବାଟେ, ମା ଆପଣଙ୍କୁ ଦେଖିଲେ ଖୁବ୍‌ ଖୁସୀ ହେବେ, କାରଣ ମା ଠିକ୍‌ ଆପଣଙ୍କ ପରି ଝିଅମାନଙ୍କୁ ଖୁବ୍‌ ପସନ୍ଦ କରନ୍ତି । ଆଉ ମୋ ଭଉଣୀ ମୀନା ହେଉଚି ଆପଣଙ୍କର ଠିକ୍‌ ଓଲଟା । ମାନେ ଏକେବାରେ ଅଲ୍‌ଟ୍ରା-ମଡ଼ର୍ଣ୍ଣ । ସେଇଥିପାଇଁ ମା ବେଳେବେଳେ ଦୁଃଖିତା ହୁଅନ୍ତି । ମୁଁ ବି ଆଦୌ ପସନ୍ଦ କରେନି ଏଇ ଆଜିକାଲିର ଅତି ଆଧୁନିକା ଝିଅମାନଙ୍କୁ ।’’

 

ଝରକା ଦେଇ ବାହାରକୁ ଚାହିଁ ରହିଥିଲା ସୁଜାତା । ଏସବୁ କଥା ସେ ଶୁଣୁଥିଲା କି ଅନ୍ୟ କିଛି ଭାବୁଥିଲା, ବୁଝିବା କଷ୍ଟ ।

 

ବିକାଶ ଦ୍ୱିତୀୟ ଥର ପାଇଁ ଅନୁରୋଧ କଲା–

 

‘‘ତା ହେଲେ ଚାଲନ୍ତୁ ଆମ ଘରକୁ ।’’

 

ଚମକି ଉଠିଲା ସୁଜାତା-

 

‘‘ନା ନା ମୁଁ କେଉଁଠିକି ଯାଇପାରିବିନି, ମତେ ଦୟାକରି ଆଉ ବଳାନ୍ତୁନି ।’’

 

ଆଖିରୁ ତାର ଝରିପଡ଼ିଲା ଦୁଇ ବୁନ୍ଦା ଲୁହ । ହୁଏତ ବିକାଶର ଆଭିଜାତ୍ୟ ସେ ଆଗରୁ ଅନୁମାନ କରିସାରିଥିଲା ଏବଂ ଏପରି ବେଶରେ ସେଠାକୁ ଯାଇ ଦ୍ୱିତୀୟ ଥର ପାଇଁ ଅପମାନ ପାଇବାକୁ ସେ ରୀତିମତ ଭୟ ପାଇ ଯାଇଥିଲା-ବିକାଶ ଗାଡ଼ିର ଗତି କମାଇ ଦେଲା ।

 

‘‘ଏ କ’ଣ ସୁଜାତା ଦେବୀ, ଆପଣଙ୍କ ଆଖିରେ ଲୁହ ! ମୁଁ ତ ଆପଣଙ୍କୁ ଦୁଃଖ ଦେଲା ଭଳି କିଛି କହିନି, ତେବେ-’’

 

‘‘ନା ବିକାଶ ବାବୁ, ମତେ ଭୁଲ୍‌ ବୁଝିବେ ନି । ମୁଁ ଜାଣେ ମୋ ପରି ଗରିବ ଅନ୍ତତଃ ଆପଣଙ୍କ ଘରେ ଶୋଭା ପାଇବ ନି । ଦୟାକରି ମତେ ବୋର୍ଡିଂରେ ଛାଡ଼ିଦେଇ ଆସନ୍ତୁ ।’’

 

ଦୀର୍ଘନିଶ୍ୱାସ ଛାଡ଼ି ବିକାଶ କହିଲା, ‘‘ଓଃ, ଆଚ୍ଛା, ଆପଣ ତା ହେଲେ ବୋର୍ଡିଂରେ ରହନ୍ତି-। କୋଉ ବୋର୍ଡିଂ ?’’

 

‘‘ମହାମାୟା ବୋର୍ଡିଂ, କଲେଜଛକ । ମୁଁ ମିସନ୍‌ ଗାର୍ଲସ୍କୁଲରେ ଟିଚର୍‌ ।’’

‘‘ଆଉ ଆପଣଙ୍କ ବାପା ମା ?’’

ଶୁଷ୍କ ହସ ହସି କହିଲା ସେ–

 

‘‘ସମସ୍ତେ ମତେ ଛାଡ଼ି ସ୍ୱର୍ଗକୁ ଚାଲି ଯାଇଛନ୍ତି, ଅନେକ ଦିନରୁ । କେବଳ ସାନ ଭାଇଟିଏ ହଷ୍ଟେଲ୍‌ରେ ରହି ପଢ଼େ । ଆଜିଯାଏ ମାମୁଁଙ୍କ ପାଖରେ ମୁଁ ଥିଲି । ଏବେ ବର୍ଷେ ହେଲା ଚାକିରୀ କରି ଏଠାକୁ ଆସିବା ଦିନରୁ ତାଙ୍କଠୁ ବି ସବୁ ସମ୍ପର୍କ ଛିନ୍ନ ହୋଇଯାଇଚି ।’’

 

କଣେଇ କରି ଚାହିଁଲା ବିକାଶ ସୁଜାତାକୁ । ସୁନ୍ଦର ମୁହଁଟି, ରେଶମ ପରି ନରମ ବାଳ । ଭସା ଭସା ଆଖି ଦୁଇଟିରେ ସରୁ କଜ୍ଜଳଗାର ସେଇଥିରେଇ ଅପରୂପ ଦେଖାଯାଉଚି ସୁଜାତା । ମୁଗ୍‌ଧ ହୋଇଗଲା ବିକାଶ । ଗୋରା ତକତକ ମୁହଁରେ କରୁଣତାର ଛାପ ! ପିଲାଦିନୁ କାହାରିଠୁଁ ଆଦରରେ ଥରେ କଥା ପଦେବି ବୋଧେ ଶୁଣି ନି । ବିକାଶର ଆଖି ସଜଳ ହୋଇ ଆସିଥିଲା ସୁଜାତାର କଥା ଭାବି ଭାବି । ହଷ୍ଟେଲ୍‌ରେ ତାକୁ ପହଞ୍ଚାଇ ଦେଇ ଦୁଃଖଭରା ମନରେ ଫେରି ଯାଇଥିଲା ସେ ।

 

ଆଉ ସୁଜାତା ହଷ୍ଟେଲ୍‌କୁ ଫେରି ନିଜ ଶେଯରେ ତକିଆରେ ମୁହଁ ମାଡ଼ି ଫୁଲି ଫୁଲି କାନ୍ଦୁଥିଲା । କୁମାରୀ ଜୀବନରେ ପ୍ରଥମ ପୁରୁଷର ପଦକ୍ଷେପ । ଅନଭ୍ୟସ୍ତ ମନ ଭିତରେ ତାର ଝଡ଼ ଉଠିଥିଲା । ବିକାଶ ବଡ଼ଲୋକ, ତଥାପି କାହିଁ ସେ ତ ସୁଜାତାକୁ ଘୃଣା କରିନି ! ବିକାଶ ତେବେ ଅନ୍ୟ ଉପାଦାନରେ ଗଢ଼ା । ସବୁ ବୁଝି ବି ମନ ତାହାର ବିଚଳିତ ହୋଇଥିଲା । ଅଶାନ୍ତ ଝଡ଼କୁ ଶାନ୍ତ କରିବାକୁ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିଲା ସେଦିନ । ପାଖରେ ବନ୍ଦନା ତାର ଜୀବନର ପ୍ରକୃତ ବନ୍ଧୁ ।

 

ରାତି କେତେ ହେଲାଣି କେଜାଣି । ବନ୍ଦନା ଡାକିଲା, ‘‘ଆ, ସୁଜାତା ଖାଇବୁ ।’’

 

‘‘ଚାଲ୍‌’’ କହି ମୁହଁ ପୋଛି ବନ୍ଦନାର ପଛେ ପଛେ ତଳକୁ ଓହ୍ଲାଇଗଲା ସୁଜାତା ।

 

ମହାମାୟା ବୋର୍ଡ଼ିଂ ହାଉସ୍‌ । ଏଠି ପ୍ରାୟ ୧୫।୨୦ ଜଣ ଝିଅ ରହନ୍ତି । ସମସ୍ତେ ଚାକିରୀ କରନ୍ତି । ସମସ୍ତଙ୍କର ପ୍ରାୟ ଏକା ଅବସ୍ଥା । ଅଭାବ, ଅନାଟନ କାହାରିକୁ ଛାଡ଼ି ଯାଇନି । କିନ୍ତୁ ଏଠିକାର ଏଇ ଦୁଃଖସୁଖର ଦିନ ଭିତରେ ବି ଦିନେ ଦିନେ ହସଖୁସିର ଜୁଆର ଉଠେ । କାହାର ଜନ୍ମଦିନରେ କିମ୍ବା କାହାର ଆସନ୍ନ ବିବାହର ସୂଚନାରେ, ଏମିତି କେତେଥର ଏଠିକାର ଝିଅମାନେ ବି ଆନନ୍ଦ ଉପଭୋଗ କରିଚନ୍ତି ।

 

ସେ ଦିନ ଖାଇବା ଘରେ ସେମିତି ଉଚ୍ଚସ୍ୱରରେ ହସୁଥିଲେ ସମସ୍ତେ । କାରଣଟା ହେଉଚି ଆଜି ରାତିରେ ଶୀଲା ଦେବୀ ଖାଇବାକୁ ନିମନ୍ତ୍ରଣ କରିଚନ୍ତି ସମସ୍ତଙ୍କୁ ପାଖରେ ଥିବା ‘‘ଅମର ହୋଟେଲ’’କୁ ।

 

ଅମର ହୋଟେଲ ବେଶୀ ଦେମିକା ହୋଟେଲ ନ ହେଲେ ବି ସେଠି ବେଶ୍‌ ମର୍ଯ୍ୟାଦା ସହକାରେ ଖାଇହୁଏ । ଏଇ ଝିଅମାନଙ୍କ ଭିତରେ ଯେତେବେଳେ ନିମନ୍ତ୍ରଣ କରିବାର ପ୍ରଶ୍ନ ଉଠେ, ବେଶୀ ଖର୍ଚ୍ଚ କରିପାରିବା ଭଳି କ୍ଷମତା ଥିଲେ ଏଇ ଅମର ହୋଟେଲକୁ ହିଁ ସମସ୍ତେ ଆସନ୍ତି । ନ ହେଲେ ସାଧାରଣତଃ ମାଡ୍ରାସୀ, ରାଜଶ୍ରୀ କିମ୍ବା ଅନ୍ୟ କୋଉଠିକି ଯାଆନ୍ତି ।

 

ଅମର ହୋଟେଲକୁ ଯିବାଟା ରୀତିମତ ବିଳାସିତା ଏମାନଙ୍କ ମଧ୍ୟରେ । ସମସ୍ତେ ମାତି ଉଠିଲେ । ଶୀଲାକୁ ଘେରିଗଲେ ସମସ୍ତେ । ଏଥର କୋଉଠୁ ଟଙ୍କା ପାଇଚୁ ଶୀଲା କହ ତ ? କାରଣ ଶୀଲାକୁ ଜାଣନ୍ତି ସମସ୍ତେ । ଗୋଟିଏ କୋ-ଅପରେଟିଭ ଷ୍ଟୋରରେ ସାଧାରଣ ଲେଡ଼ି ସେଲ୍‌ସମେନ ସେ । କିନ୍ତୁ ସେ ଏମାନଙ୍କ ମଧ୍ୟରେ ସବୁଠାରୁ ସ୍ୱଚ୍ଛଳ ଅବସ୍ଥାରେ ଚଳେ । ଶଢ଼ୀ, ବ୍ଲାଉଜ୍‌, ଜୋତା, ରିବନ୍‌ ସବୁ ମ୍ୟାଚ୍‌ କରି ପିନ୍ଧେ । ପ୍ରାୟ ଦେଖାଯାଏ, ଡେକ୍ରନ୍‌ କ୍ରେପ୍‌ ସିଲ୍‌କର ଶଢ଼ୀ ବ୍ଲାଉଜ୍‌ ପିନ୍ଧି ବାହାରକୁ ଯାଉଚି । କୌଣସି ରବିବାର ପ୍ରାୟ ସେ ରହେ ନି ବୋର୍ଡ଼ିଂରେ । ଦିନେ ଦିନେ ଫେରେ ରାତି ଏଗାରଟାରେ । ସେଥିପାଇଁ ବୋର୍ଡ଼ିଂର ପରିଚାଳିକା ବାସନ୍ତୀଦିଙ୍କଠୁ ପ୍ରାୟ ଗାଳି ଖାଏ । ତଥାପି ଭ୍ରୂକ୍ଷେପ କରେନା ।

 

ସେଇ ଶୀଲା–

 

ଏଥର ତିନି ଜଣ ପ୍ରେମିକଙ୍କୁ ଏକାଠି ବାଛି ନେଇଚି । ସବୁଥର ଠିକ୍‌ ବନ୍‌ଶୀରେ ମାଛ ଧରିଲା ପରି, ଗୋଟିକ ପରେ ଗୋଟିଏ ତା ପାଖରେ ଧରା ଦିଅନ୍ତି । ଏଥର କିନ୍ତୁ ତାର ବ୍ୟତିକ୍ରମ, ବନ୍‌ଶୀ ବଦଳରେ ଶୀଲା ଜାଲ ବିଛେଇଚି-ମାୟାର ଜାଲ । କୌଣସିଟା ତାର ଠିକ୍‌ ନୁହେଁ । ସବୁ ମିଛ, ସବୁ ଅଭିନୟ ।

 

ଜାଲରେ ଧରା ଦେଇଚନ୍ତି ତିନି ଜଣ । ଆଉ ଶୀଲାର ବ୍ୟାଗ୍‌ ଭାରୀ ହେଇ ଉଠିଚି ଟଙ୍କାର ପ୍ୟାକେଟ୍‌ରେ । କେତେଥର ବନ୍ଦନା ତାକୁ କହିଚି, ‘‘ତୁ ଏ ସବୁ ଆଉ କରନା ଶୀଲା, ମତେ ବଡ଼ ଭୟ ଲାଗୁଚି ।’’

 

‘‘ଭୟ ? କାହାକୁ ? ଏଇ ପୁରୁଷଗୁଡ଼ାଙ୍କୁ ? ତୁ ବୋକା, ନିହାତି ବୋକା । ଏ ଦୁନିଆରେ ଚଳିବାକୁ ହେଲେ, ଟିକେ ବେଶୀ ଚାଲାକ୍‌ ହେବାକୁ ପଡ଼ିବ । ତୋପରି ବୋକା ହୋଇ ଏଠି ଚଳିଲେ ଦିନକୁ ଦିନ ଶୁଖି ମଉଳିଯିବ, କେହି ପଚାରିବେ ନି, କେହି ଫେରି ଚାହିଁବେ ନି । ମଣିଷର ଜୀବନ କ୍ଷଣସ୍ଥାୟୀ । ପୁଣି ଏ ଯୌବନ, ଦେଖୁ ଦେଖୁ ଚାଲି ଯାଇଥିବ । ଜୀବନଟାକୁ ଉପଭୋଗ କରିବାକୁ ହେଲେ, ଏଇ ଯୌବନଟା ହେଲା ବଡ଼ ସମ୍ପଦ ।’’

 

‘‘ଛି ଛି, ଏମିତି କହନା ଶୀଲା, ତୁ ବଡ଼ ଭୁଲ୍‌ ବାଟରେ ଯାଉଚୁ ।’’ ‘‘ନାଇ ଲୋ ବନ୍ଦନା, କଣ ଅଛି ମୋ ଜୀବନରେ କହିଲୁ ? ମ୍ୟାଟ୍ରିକ୍‌ ତିନି ଥର ପରୀକ୍ଷା ଦେଇ ତ ଫେଲ୍‌ ହେଲି । ପୁଣି ବାପ ମା’ଙ୍କର ବି ପଇସା ନାହିଁ ଯେ ପଇସା ଖର୍ଚ୍ଚକରି ଭଲ ପାତ୍ର ହାତରେ ଦେବେ । ବଡ଼ ଜୋର ଚେଷ୍ଟାକଲେ, କେତେକ ସନ୍ତାନର ପିତା ଦ୍ୱିତୀୟ ଥର ବିବାହ ପାଇଁ ମନ ବଳାଇଥିବା ପାତ୍ର, ନ ହେଲେ ବା ସେଇ କିରାନୀ ବା ମାଷ୍ଟର, ଯେଉଁମାନଙ୍କର କି ଛିଣ୍ଡା ଜୋତା ମରାମତି କରିବାକୁ ପଇସା ଅଣ୍ଟେନି-ସେଇପରି ପାତ୍ର ମିଳିଥାନ୍ତେ । କହିଲୁ ଦେଖି ଏମାନଙ୍କୁ ବାହା ହେଲେ ମୁଁ କଣ କେବେ ସୁଖୀ ହୋଇପାରିବି ? ତୋ ଭଳି ରୂପର ଗର୍ବ ମୋର ନାହଁ । ସେଥିପାଇଁ ତ ପୁରୁଷଙ୍କୁ ଆକର୍ଷଣ କରିବାପାଇଁ ମୋର ଏ ଆପ୍ରାଣ ଚେଷ୍ଟା ! ମୋରି ଟୟଲେଟ୍‌ ସୁଟ୍‌କେଶରେ ସଜେଇ ରଖିଚି, କ୍ଳିପ୍‌, କର୍‌ଲର୍‌, ରୋଲ୍‌, ଡୋନେଟ୍‌, ପେଣ୍ଟିଙ୍ଗକ୍ରିମ୍‌, whitening milk ସବୁ କିଛି । ଶସ୍ତା ଶସ୍ତା ରୋଲ୍‌ଡ଼ ଗୋଲ୍‌ଡ଼ ଗହଣା, ସବୁ ଡିଜାଇନ୍‌ର । ବାଳ କାଟି ବବ୍‌ କରିଚି ଆଧୁନିକ ଷ୍ଟାଇଲ୍‌ରେ କୋଉଦିନ ସଜେଇଚି ନିଜକୁ ମାଲାସିହ୍ନା ପରି, ପୁଣି କୋଉଦିନ ଫଲ୍‌ସ ସୁନେଲୀ ବାଳ ଲଗାଇ ମୁଁ ହୋଇଚି ପ୍ରଗଳ୍‌ଭା ହେଲେନ୍‌ । ଆଉ ପୁରୁଷମାନେ ଆପେ ଆପେ ଧରା ଦେଇଚନ୍ତି ମୋ ବନ୍‌ଶୀରେ । ଆଜିର ଯୁବକ ନିଜର ମାନସୀକୁ ଦେଖିବାକୁ ଚାହେଁ ବିଭିନ୍ନ ରୂପରେ । ସେଥିପାଇଁ ଭାବିଚିନ୍ତି ଏଇ ବାଟଟା ଧରି ନେଇଚି ମୁଁ । ଆଉ ତୁ କହୁଚୁ ଭୁଲ୍‌ ବାଟରେ ମୁଁ ଯାଉଚି-।’’

 

‘‘ତଥାପି ଶୀଲା, ଜୀବନଟା ନେଇ ଏପରି ଖେଳିବା ଭଲ ନୁହଁ । ସବୁକୁ ଛାଡ଼ିଦେଲେ, ତୁ ଭାବି ଦେଖ୍‌, ତୁ ହେଉଚୁ ନାରୀ, ନାରୀର ସମ୍ମାନକୁ ତୁ କ୍ଷୂର୍ଣ୍ଣ କରୁଚୁ ଶୀଲା ?’’

 

‘‘ନାରୀର ସମ୍ମାନ ? ବଞ୍ଚି ରହିବାକୁ ହେଲେ, ପୁଣି ସମ୍ମାନ ଜଗି ଚଳିବାକୁ ହୁଏ ନା କଣ-? ଏଇ ତ ଗତ ଚାରି ପାଞ୍ଚ ମାସ ତଳେ ଭୟଙ୍କର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହୋଇ ପଡ଼ି ରହିଲି ଦେଢ଼ମାସ କାଳ ଡାକ୍ତରଖାନାରେ । ତୁମେ ସବୁ ପ୍ରଥମ କେଇଦିନ ଯାହା ଫଳ, ବିସ୍କୁଟ କିଛି ଦେଇ ଆସିଥିଲ । ମୋର ଦୋକାନରୁ ଏଡ୍‌ଭାନ୍‌ସ ପଚାଶ ଟଙ୍କାରେ ଆଉ ପାଞ୍ଚ ସାତ ଦିନ ଚଳିଥିଲି । କିନ୍ତୁ ତାପରେ ? କିଛି ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କେହି ଆଉ ମତେ ଦେଖିବାକୁ ବି ଗଲେନି । ତାପରେ ଦୀର୍ଘ ତିନି ସପ୍ତାହ ମୁଁ ଚଳିଲି କିପରି ? କିଏ ମୋର ସୁବିଧା ଅସୁବିଧା ବୁଝିଥିଲା ? କିଏ ହର୍‌ଲିକ୍‌ସ, ନାସ୍‌ପାତି, କମଳା, ଓଭେଲ୍‌ଟିନ୍‌ ଏ ସବୁ ଯୋଗେଇ ମୋତେ ମାସକ ଭିତରେ ଭଲ କରିଥିଲା ? ହଷ୍ଟେଲକୁ ଫେରି ବି ଇଞ୍ଜେକ୍‌ସନ୍‌, ଓଷଦ ପାଇଁ କୋଉଠୁ ଶହ ଶହ ଟଙ୍କା ଆସିଲା ? ସେଇ ବିଜୟ, ସୁଦେଶ, ନରେନ୍‌ ଏଇମାନେ ମତେ ସାହାଯ୍ୟ କରିଥିଲେ । ଏଇମାନଙ୍କ ଯୋଗୁଁ ମୁଁ ବଞ୍ଚି ଉଠିଥିଲି । ପୁଣି ଫେରି ପାଇଲି ନୂଆ ପ୍ରାଣ, ନୂଆ ଜୀବନ, ନୂଆ ଉନ୍ମାଦନା । ଏଇଥିପାଇଁ ମୁଁ ସବୁବେଳେ ସେମାନଙ୍କୁ ହାତରେ ରଖିଥାଏ । ସିନେମା, ପାର୍ଟି, ପିକ୍‌ନିକ୍‌, ସବୁଠିକି ମୁଁ ହସି ହସି ଯାଇଚି, ଯୋଉଠିକି ଯିଏ ଡାକିଚି । ମତେ ସେମାନେ ଖେଳନା କଣ୍ଢେଇ ପରି ନଚାଇଚନ୍ତି । ସବୁ ମୁଁ ହସି ହସି ସହି ନେଇଚି । ପୁଣି ଯେତେବେଳେ ହାତରେ ବଡ଼ ବଡ଼ ଉପହାର ପ୍ୟାକେଟ୍‌, ଦୈନନ୍ଦିନ ବ୍ୟବହାରର ନାନାଦି ସୌଖିନ୍‌ ଜିନିଷ, ଆଉ ବେଗ୍‌ରେ ବଡ଼ ବଡ଼ ନୋଟ୍‌ ବିଡ଼ା ଧରି ଫେରି ଆସିଚି, ମନେ ହୋଇଚି, ଅଭିନୟ ମୋର ବ୍ୟର୍ଥ ହୋଇଯାଇନି । ନାରୀର ସମ୍ମାନକୁ ବଳିଦେଇ ମୁଁ ପାଇଚି ନାରୀ ଜୀବନର ସାର୍ଥକତା । ଦୋକାନର ସୋ କେଶ୍‌ରେ ଭଲ ଭଲ ଶଢ଼ୀ ଦେଖିଲେ ତୁମମାନଙ୍କ ପରି ମନର ଲୋଭକୁ ଦବେଇ ମନ ଦୁଃଖରେ କେବେ ଫେରି ଆସିନି । ମତେ ଯାହା ଭଲ ଲାଗିଚି, ମୁଁ ସେହି ମୁହୂର୍ତ୍ତରେ କିଣିପାରିଚି, ମନର ଲୋଭକୁ ବେଶୀ ସମୟ ସ୍ଥାୟୀ ହେବାକୁ ଦେଇନି, ହସି ହସି ଦୋକାନରୁ ଫେରି ଆସିଚି । ଏ ସବୁ ପାଇଁ ମୋ ପାଖରେ ଅପର୍ଯ୍ୟାପ୍ତ ଟଙ୍କା । ମୁଁ ତ ବେଶ୍‌ ମଉଜରେ ଅଛି ବନ୍ଦନା, ଆଉ ତେବେ କଣ ପାଇଁ କେଉଁ ଆଶାରେ ମୁଁ ଜୀବନର ମୋଡ଼ ଘୂରାଇ ଦେବି, କହିଲୁ ?’’

 

ମୁହଁ ପୋତି ବନ୍ଦନା ଭାବୁଥିଲା, ଶୀଲା ବି ନାରୀ । ଶୀଲା ନାରୀର ଗୋଟିଏ ରୂପ । ଅତି ଭୟଙ୍କର ସାଂଘାତିକ ଏ ଜୀବନ ହେଲେ ବି ଶୀଲା ସେଇଥିରେ ସୁଖୀ ହୋଇଚି । ବିଚାରୀ ଶୀଲା, ଅନିଶ୍ଚିତ ଭବିଷ୍ୟତର ଅନ୍ଧାରି ପଥରେ ରାସ୍ତା ବାରି ଚିରଦିନ ଚାଲିପାରିବ ତ ?

 

ସେଦିନ ବନ୍ଦନା ଅଫିସରେ କେତେଗୁଡ଼ିଏ ଫାଇଲ୍‌ ନେଇ ବଡ଼ ସାହେବଙ୍କର ରୁମ୍‌କୁ ଗଲା ସାଇନ୍‌ କରିବାକୁ । ସେଇଠି ସେ ଭିନ୍ନ ବନ୍ଦନା । ଏକେବାରେ ମୂଳ, ପାଷାଣ । କେତୋଟି କାଗଜ ସାଇନ୍‌ କରିବା ପରେ ମିଃ ରାୟ କହିଲେ, ‘‘ବନ୍ଦନା, ଭାରୀ ଶୋଷ ହେଲାଣି, ପାଣି ଗ୍ଳାସେ ଦିଅ ତ ?’’

 

ବନ୍ଦନା ଚାହିଁଲା, ତଳକୁ ମୁହଁ ପୋତି ନିହାତି ଅନ୍ୟମନସ୍କ ପରି କଥାଗୁଡ଼ାକ କହିଚନ୍ତି ସାହେବ । ସେ ଚାଲିଗଲା ସେ ପାଖରେ ଥିବା ରେଫ୍ରିଜିରେଟର୍‌ ପାଖକୁ । ତାକୁ ଫିଟେଇ, ବୋତଲରୁ ଥଣ୍ଡା ପାଣି ଗ୍ଳାସ୍‌ରେ ଢାଳି ଫ୍ରିଜ୍‌ ବନ୍ଦକରି ବଡ଼ ସାହେବଙ୍କୁ ଚାହିଁଲା । ସାହେବ ତାକୁ ଏକ ଦୃଷ୍ଟିରେ ଚାହିଁ ରହିଚନ୍ତି । ବିଚଳିତ ହେଲା ବନ୍ଦନା । ପ୍ରତି ଅଙ୍ଗରେ ଖେଳିଗଲା ଶିହରଣ । କମ୍ପିତ ପଦରେ ଆଗେଇ ଗଲା ସେ । ହାତ ଥରୁଚି । ପାଣି ଗ୍ଳାସ୍‌ଟା ଧରି ରଖିବାର ଶକ୍ତି ଆଉ ତାର ନାହିଁ । ବେପଥୁ ଅଙ୍ଗଲତା ବାଧ୍ୟ ହୋଇ ଆଗକୁ ମାଡ଼ି ଚାଲିଲା ।

 

ପାଖକୁ ଆସି ପାଣି ଗ୍ଳାସଟା ବଢ଼ାଇ ଦେଉ ଦେଉ, କିଛି ପାଣି ଚହଲି ଯାଇ ସାହେବଙ୍କର ଦାମୀ କୋଟ୍‌ରେ ପଡ଼ିଗଲା । ଲଜ୍ଜା ଓ ଭୟରେ ମୁଣ୍ଡ ପୋତିଲା ସେ ।

 

ମିଃ ରାୟ କହିଲେ, ‘‘ପାଣି ପକେଇ ଦେଲ, ପୋଛି ଦେବନି ?’’

 

ଆରେ ସତେ ତ ? ଉଃ, ରୁମାଲ୍‌ଟା ରହିଗଲା ବେଗ୍‌ ଭିତରେ ? କଅଣ କରିବ, ଅଗତ୍ୟା ନଇଁ ପଡ଼ି ନିଜ କାନିରେ ପାଣିତକ ପୋଛି ଝାଡ଼ିବାକୁ ଲାଗିଲା । ଆଉ ନିଜ କପାଳରେ ବଡ଼ ସାହେବଙ୍କର ଗରମ ନିଶ୍ୱାସ ଅନୁଭବ କଲା । ସେଇ ଟିକକ ଉଷ୍ଣତା ତାର ସାରା ଦେହରେ ଖେଳିଗଲା । ବଡ଼ ସାହେବ ତାର କାନ ପାଖରେ ମୁହଁ ଆଣି ଧୀର କଣ୍ଠରେ କହିଲେ ‘‘ଥାଙ୍କ୍‌ ୟୁ ।’’

 

ଗାଲ, କାନ, ସବୁ ନାଲ ହୋଇଗଲା ସେଇ କଥା ପଦକରେ । କିଛି ଉତ୍ତର ନ ଦେଇ ତରତର କରି ଫାଇଲଟା ଉଠାଇ ନେଇ ‘‘ସାର୍‌ ଯାଉଚି’’ କହି ସୁଇଙ୍ଗ୍‌ ଡୋର୍‌ ଠେଲି ବାହାରକୁ ଆସିଲା । ଆଜି ସେଇ କେଁ କେଁ ଶବ୍ଦଟା ଆହୁରି ଜୋରରେ ଶୁଭିଲା । ଫାଇଲ ଟେବୁଲ୍‌ରେ ରଖି ସେ ଗଲା ବାଥ୍‌ରୁମ୍‌କୁ । ସେଠି ଦୁଆର ବନ୍ଦକରି କାନ୍ଥକୁ ଆଉଜି ଠିଆ ହୋଇ ରହିଲା । ମୁହଁ ଦେହର ଏ ଅବସ୍ଥା, କାଳେ କେହି ଲକ୍ଷ୍ୟ କରିବ ଏଇ ଭୟରେ । ସିଙ୍କ୍‌ ଉପରେ ଥିବା ଆଇନାରେ ତା ମୁହଁର ପ୍ରତିବିମ୍ବ ଦେଖି ପାଖକୁ ଆଗେଇଗଲା ସେ । ଆରେ, ସାରା ମୁହଁଟା ଲାଲ୍‌ ଦିଶୁଚି । ସତେ କି କିଏ ସିନ୍ଦୂର ଢାଳି ଦେଇଚି । କପାଳରେ ବିନ୍ଦୁ ବିନ୍ଦୁ ଝାଳ ।

 

ବଡ଼ ସାହେବ ଆଜି କାହିଁକି ତା ସାଙ୍ଗରେ ଏପରି ବ୍ୟବହାର କଲେ ? ଭାବିପାରିଲାନି ବନ୍ଦନା, କି ଦୁର୍ଯୋଗରେ ଆଜି ଫାଇଲ ନେଇ ଯାଇଥିଲା ସେ ! ବଡ଼ ସାହେବ କଣ ଆଜିଯାଏ ତାକୁ ଲକ୍ଷ୍ୟ କରି ପାରିନାହାନ୍ତି ? ସେ ଯାହା ଚାହାନ୍ତି ସେ ସବୁ ଯେ ବନ୍ଦନା ପାଖରେ ଅସମ୍ଭବ । ସେ ଜ୍ୟୋତ୍ସ୍ନା ନୁହେଁ, ସେ ଧୀରା ନୁହେଁ, ସେ ଶୀଲା ନୁହେଁ, ସେ ନାରୀ ନୁହେଁ, ସେ ନାରୀର କଙ୍କାଳ-। ତା ଦେହରେ ଏତେ ଟିକିଏ ବି ମୋହ ନାହିଁ, ମନରେ ନାହିଁ ସାମାନ୍ୟ ଟିକେ ମାଦକତା, ସେ ପୁରୁଷର ସାନ୍ନିଧ୍ୟରେ ପୁଲକିତ ହୋଇ ଉଠେନା, ବରଂ ଅସ୍ୱସ୍ତି ବୋଧକରେ ବେଶୀ ।

 

ବଡ଼ ସାହେବ କଣ ଟିକେ ହେଲେ ଏକଥା ବୁଝିପାରିନାହାନ୍ତି । କିପରି ବା ମୁହଁ ଫିଟାଇ ତାଙ୍କୁ କହିବ, ତାଙ୍କର ମନକୁ ଖୁସୀ କରାଇବାକୁ ବନ୍ଦନା ଧାଇଁଯାଇ ପାରିବ ନି, ତାଙ୍କରି ତପ୍ତ ନିଶ୍ୱାସ ସହ୍ୟ କରିପାରିବାର ଶକ୍ତି ତାର ନାହିଁ, ସେ ଏ ସବୁର ବହୁ ଦୂରରେ ।

 

ଆରେ, ଦେଖୁ ଦେଖୁ ପନ୍ଦର ମିନିଟ୍‌ ହୋଇଗଲାଣି । ମୁହଁ ଧୋଇ ଫେରି ଆସିଲା ସେ ନିଜର ସିଟ୍‌କୁ । ଆଜି ଯା ହେଉ କେହି ତାକୁ ଲକ୍ଷ୍ୟ କରିନାହାନ୍ତି । ଯେ ଯାହାର କାମ ନେଇ ବ୍ୟସ୍ତ-। ଆଶ୍ୱସ୍ତ ହେଲା ସେ, ପୁଣି ଗୋଟାଏ ଖାତାକୁ ଟାଣିଆଣି କାମ ଆରମ୍ଭ କଲା ।

 

ସାଢ଼େ ଚାରିଟାରେ ଛୁଟି ଘଣ୍ଟା ପଡ଼ିଲା । ପୁଣି ବଡ଼ ସାହେବଙ୍କର ଘରୁ ଡାକରା ଆସିଲା ତା ପାଖକୁ । ଉଃ କଅଣ କରିବ ବନ୍ଦନା ! ଚପରାଶୀକୁ ନାହିଁ କଲା । ଜ୍ୟୋତ୍ସ୍ନା, ଧୀରା ଆଗେଇ ଆସିଲେ । ବିରକ୍ତ ହେଲେ ତାର ନିର୍ବୋଧତା ପାଇଁ । ତାକୁ ଏକ ରକମ ଟାଣି ଟାଣି ନେଇ ଡୋର ପାଖରେ ଛାଡ଼ି ଆସିଲେ । ବାଧ୍ୟ ହୋଇ ଦୁଆର ଫିଟାଇ ଭିତରକୁ ଗଲା । ମିଃ ରାୟ ଇଜିଚେୟାରରେ ଆରାମରେ ବସି ସିଗାରେଟ୍‌ ଖାଉଥିଲେ ଉପରକୁ ଅନେଇ । ଆଉ ମଝିରେ ମଝିରେ ଧୂଆଁ ଛାଡ଼ୁଥିଲେ । ଘରଟା ଯାକ ସିଗାରେଟ୍‌ ଗନ୍ଧ । ଇସ୍‌ କେତେ ସିଗାରେଟ୍‌ ଖାଆନ୍ତି ସାର୍‌ ? କିଛି ସମୟ ଠିଆ ହେଲା ପରେ ବନ୍ଦନା କହିଲା-

 

‘‘ମତେ ଡାକିଥିଲେ ସାର୍‌ ?’’

 

ମୁହଁ ଫେରେଇ ଚାହିଁଲେ ମିଃ ରାୟ ।

 

‘‘ହଁ ବନ୍ଦନା, ମୁଁ ଭାବୁଚି, ମୋ ଅଫିସରେ ଆହୁରି ଟାଇପିଷ୍ଟ ଦରକାର । ବାହାରୁ ଅଣାଇବାଠୁଁ ତୁମେମାନେ କେତେ ଜଣ ଯଦି ଟାଇପିଂ ଆଉ ସର୍ଟହ୍ୟାଣ୍ଡ ଶିଖିଯାଅ, ତେବେ ବେଶୀ ସୁବିଧା ହେବ । ମୁଁ ତମର କୋଚିଂ ପାଇଁ ବି ବ୍ୟବସ୍ଥା କରିଚି । ଠିକ୍‌ ୪ଟାରୁ ୬ଟା ପର୍ଯ୍ୟନ୍ତ ଜଣେ ଲୋକ ଆସିବେ ଏଇଠିକି ଶିଖେଇବାକୁ । ଜ୍ୟୋତ୍ସ୍ନା, ଧୀରା ତ ରାଜି ହେଇଚନ୍ତି, ତୁମେ ବି ତାଙ୍କ ସାଙ୍ଗରେ ଯଦି ଶିଖିବାକୁ ରାଜିହୁଅ, ତା ହେଲେ, ତୁମକୁ ବି ଟ୍ରେନିଂ ଦିଆଯିବ । ଅବଶ୍ୟ ତୁମକୁ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବନି । ତୁମେ ଭାବି ଦେଖ ।’’

 

ବନ୍ଦନାର ଆଖି ଉଚ୍ଛ୍ୱଳ ହୋଇଗଲା । କେତେଦିନୁ ସେ ମନେ ମନେ ଇଚ୍ଛା କରି ଆସିଥିଲା, ସର୍ଟହ୍ୟାଣ୍ଡ, ଟାଇପ୍‌ ରାଇଟିଙ୍ଗ୍‌ ଶିଖିବ; କିନ୍ତୁ ଆଦୌ ସୁବିଧା ପାଇପାରୁ ନ ଥିଲା । ଆଜି ସୁବର୍ଣ୍ଣ ସୁଯୋଗ ହାତରେ ଆସି ଧରା ଦେଇଚି । ଆଉ ସେଇ ସୁଯୋଗ ଦେଇଚନ୍ତି ବଡ଼ ସାହେବ । ବଡ଼ ସାହେବ କେତେ ମହତ୍‌, କେତେ ଉଦାର ।

 

‘‘ମୁଁ ରାଜିଅଛି ସାର୍‌, କେବେଠୁଁ ଶିଖା ହେବ ?’’

 

‘‘ଆସନ୍ତା ପହିଲାଠୁ ଶିଖା ହେବ, ଭଲକରି ଶିଖି ସାରିଲେ, ସମସ୍ତଙ୍କର ଦରମା ଚାଳିଶଟଙ୍କା କରି ବଢ଼େଇ ଦେବି ।’’ ବଡ଼ ବଡ଼ ଆଖି କରି ଚାହିଁ ରହିଲା ବନ୍ଦନା ବଡ଼ ସାହେବଙ୍କୁ । ଯେପରିକି ଆଜି ନୂଆ କରି ଦେଖୁଚି ତାଙ୍କୁ । ସୁନ୍ଦର ଗୋରା ମୁହଁ । ଚଉଡ଼ା ଭ୍ରୂତଳେ ବଡ଼ ବଡ଼ ଆଖି ଦିଟା । କୁଞ୍ଚକୁଞ୍ଚିଆ ବାଳକୁ ସଯତ୍ନରେ ବ୍ୟାକ୍‌ବ୍ରସ୍‌ କରାଯାଇଚି । ସବୁଆଡ଼େ ସୌଖିନତାର ଛାପ ।

 

‘‘କଅଣ ବିଶ୍ୱାସ ହେଉନି,’’ ହସି ହସି କହିଲେ ଜୟନ୍ତ ରାୟ । ହୋସ୍‌ ଆସିଲା ବନ୍ଦନାର-। ଆରେ, ଏତେବେଳଯାଏଁ ହରିଣୀର ଛନଛନ ଆଖିଦିଟା ବାଘର ଜ୍ୱଳନ୍ତ ଆଖିଦିଟା ଆଡ଼େ ନିର୍ଭୟରେ ଚାହିଁ ରହିଚି !

 

ଛି, ଛି କି ଲଜ୍ଜା, କଣ ଭାବିଥିବେ ସେ । ଅଳ୍ପ ହସି ନମସ୍କାର କରି ଫେରି ଆସିଲା ସେ-

 

ଆଜି ସିଧା ହଷ୍ଟେଲକୁ ନ ଆସି ଗୋଟିଏ ପାର୍କ ଭିତରକୁ ଗଲା । ସେଇଠି ଏ ପାଖ ସେ ପାଖ ଯାଉଁ ଯାଉଁ ଗୋଟେ ବେଞ୍ଚରେ ନଜର ପଡ଼ିଲା-ଆରେ, ମୀରା ବସିଚି ନା କଅଣ ?

 

‘‘ମୀରା, ଏଠି ବସି ପାରେ କି ?’’

 

‘‘କିଏ, ଓ ବନ୍ଦନା, ବସ୍‌ ବସ୍‌, ଏତେବେଳେଯାଏଁ ଏକୁଟିଆ ବସି ବସି ଠିକ୍‌ ଉଠିବାକୁ ଯାଉଥିଲି । ଯା ହେଉ ତୁ ଆସିଗଲୁ ।’’

 

‘‘କାହିଁକି, ଆଉ କେଉଁ ପୁରୁଷ ବନ୍ଧୁଙ୍କର ଆଗମନକୁ ଅପେକ୍ଷା କରୁଥିଲୁ କି ?’’

‘‘ଧେତ୍‌, କଅଣ ଯେ କହୁ, ମତେ କଅଣ ଚିହ୍ନିନୁ ? ମୋର ପୁଣି ପୁରୁଷ ବନ୍ଧୁ । ଭୁଲିଯାଉଚୁ ବନ୍ଦନା, ତୁ ମୁଁ ଯେ ଏକା ତାରରେ ଗୁନ୍ଥା ।’’

 

ହସି ଉଠିଥିଲେ ଦି’ଜଣ ।

 

‘‘ଆଉ ମୀରା, କଅଣ ତୋର ସବୁ ଖବର କହିଲୁ । କେତେ ଦିନୁ ତୋ ସାଙ୍ଗରେ ବସି ଗପସପ କରିନି । ଏକା ବୋର୍ଡିଂରେ ରହିଲେ ବି ଏକାଠି ବସି କଥାବାର୍ତ୍ତା ହେବାର ସୁଯୋଗ ମିଳେ ଖୁବ୍‌ କମ୍‌, ନୁହେଁ ଲୋ । କେତେଥର ମନେ ହେଉଚି, ଏଇ କର୍ମବ୍ୟସ୍ତ ଜୀବନକୁ ଛାଡ଼ିଦେଇ ଗାଁକୁ ଚାଲିଯିବି, ସକାଳେ ଓ ସନ୍ଧ୍ୟାରେ ଟିଉସନ୍‌ କରି ଚଳି ହେବନି ? ଆଉ ଏଠି ଯେ ମୁହୂର୍ତ୍ତେ ବି ସମୟ ନାହିଁ, ସବୁବେଳେ ମନେ ହେଉଚି କାମର ପାହାଡ଼ ମୁଣ୍ଡ ଉପରେ ଲଦା ହେଇଚି ।’’

 

ଅନ୍ୟମନସ୍କ ଭାବରେ କ’ଣ ଭାବୁଥିଲା ମୀରା ।

 

କଥାର ମୋଡ଼ ଘୂରେଇଲା ବନ୍ଦନା ।

 

‘‘ଆଚ୍ଛା ତୋର ଅଭିନେତ୍ରୀ ବନ୍ଧୁ ଆରତିର ଖବର ବର୍ତ୍ତମାନ ଆଉ କ’ଣ ? ଚାକିରୀରେ ଜଏନ୍‌ କଲା କି ନାହିଁ ଶେଷପର୍ଯ୍ୟନ୍ତ !

 

‘‘ସେଇ କଥା ତ ବସି ଭାବୁଥିଲି । ତୁ ଠିକ୍‌ କହିଥିଲୁ । ଆରତି, ଅଭିନେତ୍ରୀ ସେ, ତାର ସବୁ କଳ୍ପନା ଗୋଟାଏ ଗୋଟାଏ ଖିଆଲ । ତୋ କଥା ନ ଶୁଣି ବଡ଼ ଭୁଲ କଲି କିନ୍ତୁ ।’’

 

‘‘କାହିଁକି ? କଅଣ ହେଲା ?’’

 

ମୀରା ଟିକିଏ ରହି ଆରତିର କଥା ଆରମ୍ଭ କଲା । ପିଲାଦିନୁ ପ୍ରିପ୍ରଫେସନାଲ୍‌ ପାସ୍‌ କରିବା ପର୍ଯ୍ୟନ୍ତ ସାଙ୍ଗ ସେମାନେ । କିନ୍ତୁ ତାପରେ ଆରତି ଅଲଗା ହୋଇଯାଇଚି-ମାନେ ଜୀବନର ଗତି ବଦଳେଇଚି । ମାନେ ଜୀବନର ଗତି ବଦଳେଇଚି । ଦେଖା ଦେଇଚି ଅଭିନେତ୍ରୀ ରୂପରେ । ବର୍ତ୍ତମାନ ସେ ଜଣେ ସୁପ୍ରତିଷ୍ଠିତା ଅଭିନେତ୍ରୀ । କେତେ ଥର ତାକୁ ସେ ଦିଗରେ ନ ଯିବାକୁ ପ୍ରବର୍ତ୍ତେଇଚି ମୀରା; କିନ୍ତୁ କିଛି ଫଳ ହେଇନି । ଆଗେ ଯେଉଁ ଆରତି ସାଙ୍ଗରେ ମୀରାର ରୋଜ ଦେଖା ହେଉଥିଲା, ଏବେ ସେ ଆରତିର ଆଦୌ ଦେଖା ନାହିଁ । ଆଉଟଡୋର୍‌ ସୁଟିଂ, ରିହାରସେଲ୍‌, ପାର୍ଟି, ଏଇ ସବୁଥିରେ ସେ ବ୍ୟସ୍ତ । ତଥାପି କେବେ କେମିତି ଧୂମକେତୁ ପରି ଆସି ପହଞ୍ଚିଯାଏ ସେ ମୀରା ପାଖରେ । କିଛି ସମୟ ମନ ଖୋଲି କଥାବାର୍ତ୍ତା ହୁଏ, ପୁଣି ସେମିତି ଧୂମକେତୁ ପରି ପ୍ରସ୍ଥାନ କରେ ।

 

ଠିକ୍‌ ସେମିତି ଦିନେ ହଠାତ୍‌ ଆସି ପହଞ୍ଚି ଡାକିଲା, ‘‘ମୀରା ।’’

 

ଅଫିସକୁ ତରତର ହୋଇ ବାହାରି ଯାଉଥିଲା ମୀରା । ପଛରୁ ଡାକ ଶୁଣି ଫେରି ଚାହିଁଲା ।

 

‘‘ହେଲୋ, ଆରତି କଅଣ ମନେ କରି...?’’

 

‘‘ଏତିକିବେଳୁ ବାହାରିଲୁଣି ଅଫିସକୁ, ମୋଟେ ନଅଟା ବାଜିଚି ।’’

 

‘‘ହଁ ଆମର ତ ତୋ ପରି କ୍ରାଏସ୍‌ଲର୍‌ କାର୍‌ ନାହିଁ ଯେ ଦଶଟା ପରେ ଘରୁ ବାହାରିଲେ ବି ଚଳିବ, ମତେ ବର୍ତ୍ତମାନ ବସ୍‌ଷ୍ଟାଣ୍ଡକୁ ଯାଇ ବସ୍‌ ପାଇଁ ଅପେକ୍ଷା କରିବାକୁ ପଡ଼ିବ । ତାପରେ ବସ୍‌ ପ୍ରତ୍ୟେକ ଦୁଇମିନିଟ୍‌ରେ ଥରେ ଲେଖାଏଁ ରହି ରହି ଅଫିସରେ ପହଞ୍ଚିଲାବେଳକୁ ସାଢ଼େ ଦଶଟାକୁ ଆଉ ପାଞ୍ଚ ମିନିଟ୍‌ରୁ ବେଶୀ ନ ଥିବ ।’’

 

‘‘ଥାଉ ଥାଉ, ବହୁତ କହିଲୁଣି । ମୁଁ କିନ୍ତୁ ଖୁବ୍‌ ଜରୁରୀ କାମରେ ଆସିଥିଲି ତୋ ପାଖକୁ-। ଆଉ ଅଧଘଣ୍ଟାକ ପରେ ତତେ ମୁଁ ଛାଡ଼ିଦେଇ ଗଲେ ହେବ ତ ?’’

 

‘‘ନିଶ୍ଚୟ, ନିଶ୍ଚୟ, ଆଜି ଯଦି ସଙ୍ଗୀନୀଙ୍କର ଦୟାରୁ କାର୍‌ରେ ହାଓ୍ୟା ଖାଇ ଖାଇ ଅଫିସରେ ପହଞ୍ଚିଯାଇ ହେବ, ତେବେ ୟାଠାରୁ ସୌଭାଗ୍ୟ ଆଉ କ’ଣ ହୋଇପାରେ !’’

 

ହସି ହସି ଦୁଇଜଣ ଯାକ ଡ୍ରଇଂ ରୁମ୍‌ରେ ବସିଲେ । ଆରତି କିନ୍ତୁ ଖୁବ୍‌ ଶୀଘ୍ର ଗମ୍ଭୀର ହୋଇଗଲା । ଅଭିନେତ୍ରୀ ସେ । ତା ପକ୍ଷରେ ଏହା ଅସମ୍ଭବ ନୁହେଁ ।

 

‘‘କଅଣ ଏପରି ଜରୁରୀ କାମ ?’’

 

‘‘ଆଚ୍ଛା ମୀରା, ମୋ ପାଇଁ ଗୋଟିଏ ଚାକିରୀ ଯୋଗାଡ଼ କରିପାରିବୁ ?’’

 

‘‘କଅଣ କହିଲୁ ? ଚାକିରୀ, ପୁଣି ତୁ ? କଅଣ ଥଟ୍ଟାରେ କହୁଚୁ ?’’

 

‘‘ଥଟ୍ଟା ନୁହେଁ ମୀରା, ମୁଁ ଏଇକଥା ତତେ କହିବାକୁ ଆସିଚି ।’’

 

‘‘ତୁ ପାଗଳ ହେଲୁନା କଅଣ । ଗୋଟାଏ ଗୋଟାଏ ଫିଲ୍ମରେ ତୁ ହଜାର ହଜାର ଟଙ୍କା ପାଉଚୁ, କୋଉ ଦୁଃଖରେ ତୁ ଚାକିରୀ କରିବୁ ।’’

 

‘‘ତୁ ବୁଝିପାରିବୁନି । ମୋର ଅବସ୍ଥା ତୁ କଳ୍ପନା ବି କରିପାରିବୁନି । ଅଭିନେତ୍ରୀ ହୋଇ ମୋର ଅଭିଜ୍ଞତାରୁ ମୁଁ କହୁଚି, ଟଙ୍କାର ଜାହଜରେ ବସି ବି ମଣିଷ ସୁଖୀ ହୋଇପାରେନା । ସେ ସବୁ ଅନେକ କଥା । ସେଇଥିପାଇଁ ମୁଁ ଫେରି ଆସିବାକୁ ଚାହେଁ । ଏଇ ସରଳ ନିରାଡ଼ମ୍ବର ଜୀବନକୁ । ମୁଁ ଶାନ୍ତି ଚାହେଁ ମୀରା । ମୁଁ ଆଜି କ୍ଳାନ୍ତ, ଅବସନ୍ନ’’ ପଛ ଆଡ଼କୁ ସ୍ୱର ତାର ଭାରୀ ହୋଇ ଆସିଲା । ଆଖିରୁ ଝରି ଆସିଲା ଲୁହ । ପରିଷ୍କାର ଲକ୍ଷ୍ୟ କଲା ମୀରା, ଏହା ଖାଣ୍ଟି ଲୁହ । ଅଭିନେତ୍ରୀର ଆଖିରେ ଗ୍ଳିସରୀନ୍‌ଘସା ଲୁହ ଏ ନୁହେଁ । ଆରତିକୁ ସେ ସନ୍ଦେହ କରେ, ତାର ଚାଲିଚଳନ, କଥାବାର୍ତ୍ତା, ହସକାନ୍ଦ କାହାକୁ ବିଶ୍ୱାସ କରିପାରେନା । ଭାବିପାରେନା ସେ ଆରତି ତାରିପରି ଗୋଟିଏ ସାଧାରଣ ଝିଅ, ତାରି ପିଲାଦିନର ସାଥି । ତଥାପି ଆଜି ବିଶ୍ୱାସ କଲା । କିନ୍ତୁ ବୁଝିପାରିଲାନି କଅଣ ତାର ଦୁଃଖ ।

 

କ୍ଷଣକପରେ ଆରତି ଉଠିଲା । ଗାଡ଼ିକୁ ଫେରି ଆସୁ ଆସୁ ଆରତି କହିଲା-

 

‘‘ମୀରା, ଆଜି ଚାରିଟାବେଳେ ମୋର ମିନର୍ଭା ଷ୍ଟୁଡ଼ିଓରେ ସୁଟିଂ, ଆସିବୁ ସେଇଠିକୁ ଅଫିସରୁ ଫେରି । ଏଇ କାଗଜଟା ଦେଖେଇଲେ ଷ୍ଟୁଡ଼ିଓ ଭିତରକୁ ନେଇଯିବେ ତତେ, ତୋର କିଛି ଅସୁବିଧା ହେବନି ।’’ ଷ୍ଟୁଡ଼ିଓକୁ କେବେ ଯାଇନି ସେ । ଟିକେ ଭୟ ଲାଗିଲେ ବି ଆରତି ହାତରୁ କାଗଜଟା ଆଣିଲା ମୀରା । ତଳେ ଆରତି ଦସ୍ତଖତଟା ଆଉ ଉପରେ ଷ୍ଟୁଡ଼ିଓର ଠିକଣାଟା ଦେଖି ନେଇ ବେଗ୍‌ରେ ରଖିଲା ।

 

ଯଥା ସମୟରେ ମିନର୍ଭା ଷ୍ଟୁଡ଼ିଓ ଖୋଜି ଖୋଜି ଯାଇ ମୀରା ଠିଆ ହେଲା ଗୋଟିଏ ଚୂନଖସା, ପୁରୁଣା ଦୋତାଲା ଘର ଆଗରେ । ରାସ୍ତାର ନଳାରୁ ଦୁର୍ଗନ୍ଧ ଆସୁଥାଏ । ନାକରେ ରୁମାଲ୍‌ ଦେଇ ଏ ପାଖରୁ ସେ ପାଖକୁ ଚାହୁଁ ଚାହୁଁ ଆଖିରେ ପଡ଼ିଲା ଖଣ୍ଡେ ସାଇନ୍‌ବୋର୍ଡ଼ ।

 

ଆଶ୍ଚର୍ଯ୍ୟ ହେଲା ସେ, ଏଇ ହେଉଚି ଷ୍ଟୁଡ଼ିଓ । ୟାରି ଭିତରେ ଆରତି କାମ କରେ ! କି ବିଷାକ୍ତ ଆବ୍‌ହାଓ୍ୟା ! ଭିତରକୁ ଗୋଡ଼ ଦେବା ସାଙ୍ଗେସାଙ୍ଗେ ଶିଖ୍‌ ଦର୍‌ଓ୍ୟାନ୍‌ ପ୍ରବେଶପତ୍ର ପାଇଁ ହାତ ବଢ଼େଇଲା । ବେଗ୍‌ରୁ କାର୍ଡ଼ଟି କାଢ଼ି ଦେଖାଇଲା ମୀରା । ଦର୍‌ଓ୍ୟାନ୍‌ କାର୍ଡ଼ ନେଇ ଭିତରକୁ ଗଲା । ବାହାରେ ଖଣ୍ଡେ ଲମ୍ବା ହୋଇ ଘର । ବୋଧହୁଏ ଅଫିସ୍‌ ରୁମ୍‌ । ବାରଣ୍ଡାରେ, ଘର ଭିତରେ ଯେତେ ଦୂର ଦେଖାଯାଏ, କେବଳ ଅଳିଆ, ଆବର୍ଜନା । ଲମ୍ବା ଲମ୍ବା ମୋଟା କାର୍ଡ଼ବୋର୍ଡ଼ର ବିଭିନ୍ନ ସାଇଜ୍‌ର ପଟା । ବୋଧହୁଏ ସେଟ୍‌ରେ ଦରକାର ହୁଏ । ଗୋଟିଏ କୋଣରେ ଗଦା ହୋଇଥାଏ କାଗଜର ନାନା ରକମର ଫୁଲ । ଜଣେ ଲୋକ ବସି ସେଥିରୁ କେତେଗୁଡ଼ିଏ ଫୁଲ ବାଛି ବାସ୍କେଟ୍‌ରେ ପୁରାଉଚି ।

 

ବୋଧହୁଏ ଷ୍ଟୁଡ଼ିଓ ମେଡ଼୍‌ ଉଦ୍ୟାନ ପାଇଁ ଲୋକଟି ଉପରେ ଭାର ଦିଆ ହୋଇଚି । ଠିଆ ହୋଇ ରହିଲା ମୀରା, ଏଇ ବିଚିତ୍ର ପରିବେଶ ମଧ୍ୟରେ । କିଛି ସମୟ ପରେ ଜଣେ ମଧ୍ୟବୟସ୍କ ଭଦ୍ରଲୋକ ବାହାରି ଆସିଲେ ଅଫିସ୍‌ ରୁମ୍‌ରୁ । ହସି ହସି କହିଲେ, ‘‘ଆସନ୍ତୁ ମିସ୍‌ ମୀରା ଦେବୀ, ମୁଁ ହେଉଚି ମେକ୍‌-ଅପ୍‌ ସ୍ପେସିଆଲିଷ୍ଟି ବିଜନ୍‌ ଦାସ । ଚାଲନ୍ତୁ, ଆପଣଙ୍କୁ ଆରତି ଦେବୀଙ୍କ ପାଖକୁ ନେଇଯିବି । ବର୍ତ୍ତମାନ ସୁଟିଂ ଚାଲିଚି, ଚାଲନ୍ତୁ କିଛି ସମୟ ସୁଟିଂ ଦେଖିବେ ।’’

 

ଧନ୍ୟବାଦ୍‌ ଜଣାଇ ଲୋକଟିର ପଛେ ପଛେ ଚାଲିଲା ମୀରା ଡାହାଣ ପାଖରେ ଥିବା ଗୋଟିଏ ଘର ଭିତରକୁ । ରେଲ୍‌ଷ୍ଟେସନ୍‌ର ଗୋଦାମ୍‌ଘର ଭଳି ଗୋଟିଏ ଘର । ଗୋଟା ଗୋଟା କେତେଟା ରବର୍‌ର କେବଳ ରହିଚି ତା’ରି ଭିତରେ । ନାନାପ୍ରକାରର ଜିନିଷରେ ଠେସା ହୋଇଯାଇଚି ଘରଟି । ଅସ୍ପଷ୍ଟ ଅନ୍ଧକାର ଘରଟି ପାରିହେବା ପରେ ଗୋଟିଏ ଫାଙ୍କା ଜାଗା । ସେଇଠି ସୁଟିଂ ହେଉଚି । ଚାରିଆଡ଼େ ଲୋକମାନଙ୍କର ଯିବାଆସିବା । ସାମ୍ନାରେ ଗୋଟିଏ ମଟର ଭ୍ୟାନ୍‌ । ଦୁଇଟି ଲୋକ ରେଡ଼ିଓସେଟ୍‌ ଭଳି ଯନ୍ତ୍ର କେତେଗୁଡ଼ିଏ ନେଇ କଅଣ କରୁଥିଲେ । ବିଜନ୍‌ ବାବୁ କହିଲେ, ‘‘ସାଉଣ୍ଡଟ୍ରାକ୍‌ । ଏଥିରେ ସାଉଣ୍ଡ ରେକର୍ଡ଼ିଂ ହୁଏ ।’’

 

ଗୋଡ଼ତଳେ ଅସଂଖ୍ୟ ସରୁ ମୋଟା ତାର । ଉପରେ ତଳେ, ଏ ପାଖେ ସେ ପାଖେ ସର୍ଚ୍ଚଲାଇଟ୍‌ ଭଳି କେତେଗୁଡ଼ିଏ ଲାଇଟ୍‌ । ତାହାରି ଗୋଟାକ ଭିତରୁ ଉଜ୍ଜ୍ୱଳ ଆଲୁଅ ଯାଇ ପଡ଼ିଚି ସେଟ୍‌ ଉପରେ ।

 

ସେଟ୍‌ର ସାଜ୍ଜସଜ୍ଜା ସାଧାରଣ । ଘରୋଇ ଗୃହସ୍ଥ ଘର । ଆରତି ହିରୋଇନ୍‌ । ଗୋଟିଏ ଅଧାବୁଣା ସ୍ୱେଟର୍‌କୁ ସେ ବୁଣି ଯାଉଚି ବେତଚୌକି ଉପରେ ବସି । ବେତର ସୋଫା ସେଟ୍‌ । ମଝିରେ ଟେବୁଲ୍‌ ଉପରେ ସୁନ୍ଦର ଫୁଲ ତୋଡ଼ା । ପଛ ପାଖରେ ସୁନ୍ଦର ସୁନ୍ଦର ସିନେରୀ ଫଟ । ବିଜନ୍‌ ବାବୁ ଡିରେକ୍ଟରଙ୍କୁ ଦେଖାଇ ଦେଇ କହିଲେ, ‘‘ଏଇ ହେଉଚନ୍ତି ଡିରେକ୍ଟର ମଣିମୟ ବାବୁ ।’’ ସମସ୍ତଙ୍କର ପଛରେ ଯାଇ ବସିଲା ମୀରା । ଆରତିର ଗୋଡ଼ ପାଖରେ ବସିପଡ଼ି ଗୋଟିଏ ଲୋକ ଗୋଟିଏ ବଡ଼ ଖାତାରୁ କଅଣ ପଢ଼ି ଶୁଣଉଚି । ଆରତି ମୁଣ୍ଡ ଉପରେ ମାଇକ୍ରୋଫୋନ୍‌ । ସାମ୍ନାରେ କ୍ୟାମେରା । ଚାରିପଟେ ଲୋକମାନଙ୍କର ଯିବାଆସିବା । ଡିରେକ୍ଟର ତୀକ୍ଷ୍‌ଣ ଚକ୍ଷୁରେ କ୍ୟାମେରା, ଲାଇଟ୍‌ ଆଉ ସାଉଣ୍ଡ ଭ୍ୟାନ୍‌ର ପୋଜିସନ୍‌ ଲକ୍ଷ୍ୟ କରୁଚନ୍ତି । ଗୋଟିଏ ପାଖରେ ବିରାଟ ପ୍ରପେଲର୍‌ ଘୂରୁଚି । ସେଥିରୁ ଝଡ଼ପରି ହାଓ୍ୟା ଆସୁଚି ।

 

‘‘ମେକ୍‌ ଅପ୍‌ ପ୍ଳିଜ୍‌’’ ଡିରେକ୍ଟର ପାଟି କଲେ । ବିଜନ୍‌ ବାବୁ ଗୋଟିଏ ପାଖରୁ ଧାଇଁଗଲେ ଆରତି ପାଖକୁ । ହାତରେ ମେକ୍‌ଅପ୍‌ ପ୍ଳେଟ୍‌ରେ ରଙ୍ଗତୁଳୀ । ଆରତିର ମୁହଁରେ ପୁଣି ଥରେ ପାଉଡ଼ର୍‌ର ପପ୍‌ଟା ଘୂରାଇ ନେଇ, ତୁଳୀରେ ଭ୍ରୂଆଙ୍କି, ବାଳ ଠିକ୍‌ ଜାଗାରେ ସଜାଡ଼ି ରଖିଲେ । ପୁଣି, ଡାହାଣ ହାତରେ ଆରତିର ଗାଲ ଧରି ଚାରିଆଡ଼କୁ ଘୂରେଇ ମେକ୍‌ଅପ୍‌ ପରୀକ୍ଷା କଲେ । ପୁଣି ଲାଷ୍ଟ ଟଚ୍‌ କେତେଟା ଦେଇ ଫେରି ଆସିଲେ ବିଜନ୍‌ । ଶୀତେଇ ଗଲା ମୀରାର ଦେହ । ଏମାନେ କେତେ ସହଜରେ ଜଣେ ଝିଅ ଦେହରେ ହାତ ଦେଇପାରନ୍ତି । ଏଥର ମଣିମୟ ବାବୁ ପାଖକୁ ଗଲେ । ଆରତିର କାନ୍ଧ ଉପରର ଶଢ଼ୀଟାକୁ ଟାଣି ତଳେ ଲୋଟାଇ ଦେଲେ । ତାପରେ ତା ଦୁଇ କାନ୍ଧରେ ହାତ ଦେଇ ଆରତିର କାନ ପାଖରେ ମୁହଁ ଦେଇ ଗୁଣୁ ଗୁଣୁ ହୋଇ କଅଣ ସବୁ କହିଲେ । ଆଉ ଆଶ୍ଚର୍ଯ୍ୟ ହେଲା ମୀରା । ଆରତି ମୁର୍‌କି ମୁର୍‌କି ହସିଦେଲା । ଫେରି ଆସିଲେ ଡିରେକ୍ଟର । ପୁଣି ଏଥର ଗଲେ ଫଟୋଗ୍ରାଫ୍‌ର ଭଦ୍ରଲୋକ । ଆରତିର ଆଣ୍ଠୁଦିଟା ଧରି ଟିକେ ଡାହାଣକୁ କରେଇ ଦେଲେ । ପୁଣି ଚିବୁକରେ ହାତ ଦେଇ ଟିକେ ଉପରକୁ ମୁହଁ ଉଠାଇ ଦେଲେ । ଫେରି ଆସିଲେ ଫଟୋଗ୍ରାଫର୍‌ । ମୀରାର ମନ ବିଷେଇ ଉଠିଲା । ଉଃ, ଏ ଯେ ନର୍କକୁଣ୍ଡ ! ଏତେଗୁଡ଼ିଏ ପୁରୁଷଙ୍କର ଆରତି ହୋଇଛି ଖେଳଣା । କି ଭୟଙ୍କର ଏ ଜୀବନ !

 

‘‘ଅଲ୍‌ ଲାଇଟ୍‌ସ’’ ଡିରେକ୍ଟରଙ୍କର ତୀକ୍ଷ୍‌ଣ ଚିତ୍କାର । ସଙ୍ଗେ ସଙ୍ଗେ ଖଟ୍‌ ଖଟ୍‌ କରି ସୁଇଚ୍‌ ବୋର୍ଡ଼ର ଆଓ୍ୟାଜ । ଉପରେ, ବାମରେ, ଦକ୍ଷିଣରେ ଯୁଆଡ଼େ ଯେତେ ଆଲୁଅ ଥିଲା ସବୁ ଏକା ସଙ୍ଗରେ ଜଳି ଉଠିଲା ।

 

‘‘ଫ୍ୟାନ୍‌ସ ଅଫ୍‌’’ ପୁଣି ସୁଇଚ୍‌ର ଆଓ୍ୟାଜ । ଦୁଇଟି ପ୍ରପେଲର୍‌ ବନ୍ଦ ହୋଇଗଲା ଆସ୍ତେ ଆସ୍ତେ ।

 

‘‘ଷ୍ଟାର୍ଟ କ୍ୟାମେରା’’ ପୁଣି ଡିରେକ୍ଟରଙ୍କର ଚିତ୍କାର । କିର୍‌ କିର୍‌ ଶବ୍ଦ କରି ଆଓ୍ୟାଜ ଆରମ୍ଭ ହେଲା କ୍ୟାମେରାରୁ । ‘‘Start Sound.’’

 

‘‘Yes’’ ବହୁ ଦୂରରୁ ଭାସି ଆସିଲା ପ୍ରତ୍ୟୁତ୍ତର । ଆରତି ପାଖରେ ବସିଥିବା ଲୋକଟି ଠିଆ ହୋଇପଡ଼ିଲା । ହାତରେ ତାର କଳାକାଠର ବହିଟିଏ । ବହିଟାର ଦେହରେ ଖଡ଼ିଦେଇ ଯେପରି କଣ ସବୁ ଲେଖା ହୋଇଚି । ସେଇଟାରେ ଖଟ୍‌ କରି ଶବ୍ଦ କରି ଲୋକଟି କୋର୍ଡ଼ ଭାଷାରେ କଣ ସବୁ କହିଗଲା ।

 

‘‘ସିନ ଥାର୍ଟି, ସର୍ଟଟୁ, ଟେକ୍‌ ଉଆନ୍‌ ।’’ ତାପରେ ସେ ଗୋଟାଏ ପାଖକୁ ଚାଲି ଆସିଲା । ସୁଟିଂ ଚାଲିଲା ।

 

ଆରତି ବୁଣୁ ବୁଣୁ କାହାର ପଦଶବ୍ଦ ଶୁଣିପାରି ପଛକୁ ଥରେ ଅନାଇ ପୁଣି ବୁଣିବାକୁ ଲାଗିଲା । ପଛ ଦୁଆର ଖୋଲି ଭିତରକୁ ଆସିଲା ଜଣେ ଯୁବକ । ପୋଷାକ ପରିଚ୍ଛଦରୁ ତା’ର ଆଭିଜାତ୍ୟର ପରିଚୟ ମିଳେ । ଯବକଟି ହସି ହସି ଆଗେଇ ଆସିଲା ।

 

କ୍ୟାମେରା ଟ୍ରଲି ଟିକିଏ ଟିକିଏ କରି ପଛକୁ ଘୁଞ୍ଚିଲା କେତେଗୁଡ଼ିଏ ଖଡ଼ି ଦାଗକୁ ଅନୁସରଣ କରି ।

 

ଆରତି ପାଖରେ ଠିଆ ହୋଇ ଯୁବକଟି କହିଲା ।

 

‘‘କଅଣ ଠିକ୍‌ କଲ ମିନାକ୍ଷୀ, ଆଜି ମୁଁ ତୁମର ଶେଷ ଉତ୍ତର ଶୁଣିବାକୁ ଆସିଚି ।’’

 

‘‘ତମେ, ପୁଣି ଆସିଚ ପ୍ରଶାନ୍ତ’’ ଆରତିର ମୁହଁରେ କଠୋରତାର ଆଭାସ ।

 

‘‘ତୁମେ ଚାହିଁଲେ ଜୀବନର ଶେଷଦିନ ପର୍ଯ୍ୟନ୍ତ ମୁଁ ତୁମ ପାଖକୁ ଆସିବି ମିନାକ୍ଷୀ’’, ହସି ହସି କହିଲା ପ୍ରଶାନ୍ତ ।

 

‘‘କିନ୍ତୁ ମୁଁ ତ ତୁମକୁ ଶେଷ ଜବାବ୍‌ ଦେଇ ସାରିଚି ।’’

 

‘‘ତୁମର ଜବାବ୍ ବଦଳାଇବା ପାଇଁ ମୁଁ ସମୟ ଦେବାକୁ ପ୍ରସ୍ତୁତ । ସେଇ ହତଭାଗା ଅଜିତ୍‌ ପାଇଁ ନିଜର ସୁଖର ପଥରେ କଣ୍ଟକ ବିଛାଅ ନାହିଁ । ମତେ ବିଶ୍ୱାସ କର, ମୁଁ ତୁମକୁ ଦିନେ ଉନ୍ନତିର ଶୀର୍ଷ ସ୍ଥାନକୁ ନେଇଯିବି । ମୋ କଥାରେ ତୁମେ ରାଜିହୁଅ ।’’

 

‘‘ବନ୍ଦକର ତୁମର ବକ୍ତୃତା । ତୁମପରି ମଦ୍ୟପ, ଦୁଶ୍ଚରିତ୍ର ଲୋକକୁ ପୁଣି ବିଶ୍ୱାସ !’’ ଉତ୍ତେଜିତ ଭାବରେ ଠିଆହୋଇ ପଡ଼ି ପୁଣି କହିଲା ଆରତି-

‘‘ମୋର ଶେଷ ଉତ୍ତର ମୁଁ ଦେଇ ସାରିଚି, ଆଉ କୌଣସି ଉତ୍ତର ଶୁଣିବାକୁ ହେବନି ତୁମକୁ ।’’

‘‘ଶେଷ ଉତ୍ତର ।’’ ଚିତ୍କାର କରି ଉଠିଲା ଯୁବକଟି ।

‘‘ମୁଁ ଜାଣେ ମିନାକ୍ଷୀ, କାହାପାଇଁ ଆଜି ତୁମର ଏ ଗର୍ବ । କିନ୍ତୁ ଜାଣିରଖ, ମୋ ହାତରୁ ତୁମର ବା କବି ଅଜିତ୍‌ର ରକ୍ଷା ନାହିଁ । ତୁମେ ମୋ ହାତ ମୁଠାରେ ରହିବ, ରହିବ, ରହିବ ।’’

ଆରତିକୁ ଠେଲିଦେଇ ଚାଲିଗଲା ପ୍ରଶାନ୍ତ । ଆରତି ଆଖିରୁ ଝରି ଆସିଥିଲା ଲୁହ । କଇଁ କଇଁ ହୋଇ କାନ୍ଦି ଉଠିଲା ସେ । ଆଶ୍ଚର୍ଯ୍ୟ ହେଲା ମୀରା, କିପରି ଏତେ ସହଜରେ କାନ୍ଦି ପକାଇଲା ସେ ।

‘‘O. K. Cut.’’ ଡିରେକ୍ଟର ଆଦେଶ ଦେଲେ ।

‘‘Sound how is it ?’’

‘‘All right’’ ଦୂରରୁ ଉତ୍ତର ଆସିଲା ।

ଆରତି ସେଟ୍‌ରୁ ଚାଲିଆସି ଡିରେକ୍ଟରଙ୍କ ସହିତ କରମର୍ଦ୍ଦନ କଲା ।

‘‘Well done heroine’’ ଡିରେକ୍ଟର କ୍ୟାମେରା ପାଖକୁ ଗଲେ । ହସ ହସ ହୋଇ ଆରତି ଚାଲି ଯାଉଥିଲା, ମତେ ଦେଖି ଅଟକିଲା ।

‘‘ମୀରା, ଆସିଚୁ ।’’

ପାଖରେ ଥିବା ଡ୍ରଇଂ ରୁମ୍‌କୁ ଆସି ସୋଫାରେ ବସିଲୁ ଦୁହେଁ । କଥା ଆରମ୍ଭ କଲା ଆରତି ।

‘‘ଦେଖିଲୁ ତ ସୁଟିଂ, ବଡ଼ ବେଶୀ dry ନୁହେଁ କି ! ଏଇ ଯେ ପାଞ୍ଚ ମିନିଟ ସୁଟିଂ ହେଲା, ସେଥିପାଇଁ ଘଣ୍ଟାଏ ହେଲା ରିହାର୍ସେଲ୍‌ କରୁଚି ।’’

‘‘ହଁ, ତୁ ଯେ କେମିତି ଏଠି ଦିନ ପରେ ଦିନ କାମ କରିଯାଉଚୁ, ଆଶ୍ଚର୍ଯ୍ୟ !’’

‘‘ସେଇଥିପାଇଁ ତ ତୋ ପାଖକୁ ଯାଇଥିଲି । ମୁଁ ଏଠୁ ଅବ୍ୟାହତି ଚାହେଁ । ତୁମ କମ୍ପାନୀର ରାଞ୍ଚିରେ ଥିବା ବ୍ରାଞ୍ଚରେ କେତେଗୁଡ଼ିଏ ଚାକିରୀ ପାଇଁ ବିଜ୍ଞାପନ ଦିଆଯାଇଥିଲା । ମୁଁ ସେଠାରେ ଦରଖାସ୍ତ କରିଚି । ତୁମ ଅଫିସ୍‌ ମେନେଜରଙ୍କ ସଙ୍ଗରେ ଦିନେ ଯାଇ ଦେଖା କରିବି । ତତେ କିନ୍ତୁ ମୋ ସାଙ୍ଗରେ ଯିବାକୁ ପଡ଼ିବ ।’’

ବୟ ଆସି ଚା, କେକ୍‌, ଅଣ୍ଡା ଦେଇଗଲା । ଖାଇବାକୁ ଆରମ୍ଭ କଲୁ, ଚାକିରୀ ବିଷୟରେ ଆଲୋଚନା ଚାଲିଲା ।

‘‘ବୁଝିଲୁ ବନ୍ଦନା, ଆଶ୍ଚର୍ଯ୍ୟ ଲାଗେ ଏଇ ଆରତିକୁ । ସେଇ ଯେ ଚାକିରୀ କରିବା କଥା ନେଇ ମତେ ବ୍ୟସ୍ତ କରିଦେଲା, ତାପରେ ଆଉ ତା’ର ଖବର ଅନ୍ତର ନାହିଁ । ମୁଁ ମେନେଜରଙ୍କ ସାଙ୍ଗରେ ଦେଖାକରି, ରାଞ୍ଚି ଚାକିରୀ ବିଷୟରେ ସଠିକ୍‌ ଅନୁସନ୍ଧାନ ନେଇ, ଆରତିର apply କରିବା କଥା ମଧ୍ୟ ଆଭାସ୍‌ ଦେଇଥିଲି ତାଙ୍କୁ । ସେ ବି ଆରତିକୁ ଚାକିରୀ ଦେବାକୁ ଏକରକମ୍‌ ସ୍ଥିର କରିଚନ୍ତି । ସେ ଅବଶ୍ୟ ଆରତିକୁ ଅଭିନେତ୍ରୀ ବୋଲି ଜାଣି ନାହାନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଆରତି ସାଙ୍ଗରେ ଜରୁରୀ ଭାବରେ ପରାମର୍ଶ କରିବା ଉଚିତ । ଏଣେ ଆରତିର ଦେଖା ନାହିଁ । କୌଣସି ଷ୍ଟୁଡ଼ିଓରୁ ବି ତା ବିଷୟରେ ସଠିକ୍‌ ଖବର ମିଳୁନି ।’’

ହସିଲା ବନ୍ଦନା, କହିଲା–

‘‘ଦେଖ୍‌ ମୀରା, ତୁ ଯେତେ ଦୂର ବ୍ୟସ୍ତ ହୋଇ ଉଠିଚୁ ତା ପାଇଁ ସେତେଦୂର ବ୍ୟସ୍ତତା ଦେଖାଇବା ମୁଁ ଆଦୌ ପସନ୍ଦ କରୁନି । ହୁଏତ ଦେଖିବୁ, ତୋର ଏ ପରିଶ୍ରମ, ଦୁଶ୍ଚିନ୍ତା ସବୁ ବୃଥା ହୋଇଯାଇଚି ।’’

‘‘ତୁ କଅଣ ଭାବୁଚୁ ଆରତି ଚାକିରୀରେ ଯୋଗଦେବନି ବୋଲି ! ନା, ନା, ତୁ ତାକୁ ଆଦୌ ଜାଣିନୁ । ସେ ଭାରୀ ଜିଦ୍‌ଖୋର୍‌ ଝିଅ । ଯାହା ଜିଦ୍‌ ଧରିବ, ସେଇୟା କରିବ ନିଶ୍ଚୟ । ତା ଛଡ଼ା ସେଦିନ ତାର ସୁଟିଂ ଦେଖିବାକୁ ଯାଇଥିଲି । ସେଠିକାର ଯୋଉ ବିଷାକ୍ତ ଆବ୍‌ହାଓ୍ୟା ସେଠୁ ତାର ବାହାରି ଆସିବା ଦରକାର ।’’

‘‘କିନ୍ତୁ ଜାଣିରଖ, ଥରେ ଯେ ଅଭିନେତ୍ରୀ ଜୀବନର ସ୍ୱାଦ ପାଇଚି, ସେଠୁ ସେ ଆଉ କେବେ ଫେରି ଆସିପାରେ ନା । ପାଦରେ ତାର ଶିକୁଳୀ ଲଗା ହୋଇଚି । ଇସ୍ପାତର ଟାଣ ଶିକୁଳୀ-। ସେ ଶିକୁଳୀ ଛିଣ୍ଡେଇ ଚାଲି ଆସିବାର ଶକ୍ତି ଆରତିର ନାହିଁ ।’’

ଗମ୍ଭୀର ହୋଇ ଭାବିବାକୁ ଲାଗିଲା ମୀରା । ତେବେ କ’ଣ ବନ୍ଦନା କଥା ସତ ।

ବନ୍ଦନା ମୀରାର ହାତ ଧରି ଠିଆ ହେଲା ।

‘‘ଚାଲ୍‌ ମୀରା ଡେରି ହେଲାଣି, ଛ’ଟା ବାଜିଲାଣି ।’’

‘‘ହଁ, ହଁ ଚାଲ୍‌’’ ଅନ୍ୟମନସ୍କ ଭାବରେ ଉତ୍ତର ଦେଇ ବନ୍ଦନା ସାଙ୍ଗେ ସାଙ୍ଗେ ଚାଲିଲା ମୀରା ।

ବୋର୍ଡ଼ିଂରେ ପହଞ୍ଚି ନିଜ ରୁମ୍‌କୁ ଯାଇ ଖଟ ଉପରେ କ୍ଳାନ୍ତ ହୋଇ ବସି ପଡ଼ିଲା ବନ୍ଦନା-

ବୋର୍ଡ଼ିଂ ସାମ୍ନାରେ ବିରାଟ ଷ୍ଟୁଡ଼ିବେକର୍‌ କାର୍‌ଟା ଅଟକିଗଲା । ଗାଡ଼ିର ହର୍ଣ୍ଣରେ ସନ୍ତ୍ରସ୍ତ ହୋଇ ତରୁଣୀମାନେ ଏ ପାଖରୁ ସେ ପାଖକୁ ଦୌଡ଼ି ଆସି ଚାହିଁ ରହିଲେ । ବନ୍ଦନା ସୁଜାତା ବି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ପ୍ରଥମରେ ଠିକ୍‌ ବୁଝିପାରିଲେନି ସେହି ଭଦ୍ରଲୋକ ଜଣକ କିଏ-? ଭଦ୍ରଲୋକ ଜଣକ ଗାଡ଼ିରୁ ମୁହଁ ବାହାର କରି କହିଲେ ।

 

‘‘ସୁଜାତା ଦେବୀ ଅଛନ୍ତି ।’’ ସମସ୍ତଙ୍କର ସନ୍ଦେହୀ ଚକ୍ଷୁ ସୁଜାତା ଉପରେ ପଡ଼ିଲା । ଆଶ୍ଚର୍ଯ୍ୟ ହୋଇ ଚିହ୍ନିବାକୁ ଚେଷ୍ଟା କଲା ସୁଜାତା । କିଏ, ବିକାଶବାବୁ ନା ? ସେଇ ଲୁଗା ଦୋକାନରେ ଯେ ନିଜ ଭଉଣୀ ପାଇଁ ଶଢ଼ୀ କିଣିବାକୁ ଆସିଥିଲେ ?

 

ଆଉ ବିକାଶ–

 

ସେଦିନ ଲୁଗା ଦୋକାନରୁ ଫେରିବା ପରେ କେତେ ଦିନ ବିତିଯାଇଚି । ବିକାଶ ଅନେକ ଥର ଗାଡ଼ି ନେଇ ଗାର୍ଲସ୍କୁଲ ପାଖରେ ଓ ମହାମାୟା ବୋର୍ଡ଼ିଂ ପାଖରେ ଅପେକ୍ଷା କରିଚି, ସୁଜାତା ପାଇଁ । ଦୂରରୁ ତାକୁ ଦେଖି ସବୁବେଳେ ଫେରିଯାଇଚି । ପାଖକୁ ଯିବାକୁ ସାହାସ କରିନି । ହୁଏତ ସେ ଅବିଶ୍ୱାସ କରିବ, କିଛି ଖରାପ ଭାବିବ ।

 

ମୀନାର ଜନ୍ମଦିନ । ଏକମାତ୍ର ଭଉଣୀର ଜନ୍ମଦିନ ବେଶ୍‌ ବଡ଼ ଧରଣରେ ହୁଏ । ଆଜି ଅବଶ୍ୟ ବାପା ନାହାନ୍ତି । ତଥାପି, ତିନୋଟି ଲୁଗାକଳର ଓ ଲକ୍ଷ ଲକ୍ଷ ଟଙ୍କାର ମାଲିକ ସେମାନେ । ଭଉଣୀର ଜନ୍ମଦିନ ଭଲଭାବରେ କରିବାକୁଇ ହୁଏ । ମୀନା ସପ୍ତାହକ ଆଗରୁ ଲିଷ୍ଟ କରି ରଖିଚି ।

 

‘‘ଭାଇ ଦେଖ ମୋର ଲିଷ୍ଟ । ଆଉ ତୁମର ବନ୍ଧୁମାନଙ୍କର ନାଁ ବି ୟାରି ସାଙ୍ଗରେ ଲେଖି ରଖ, ଯେଉଁମାନଙ୍କୁ ତୁମେ ଡାକିବାକୁ ଚାହଁ ।’’

 

‘‘ଯେଉଁମାନଙ୍କୁ ଡାକିବାକୁ ଚାହେଁ !’’

 

ବିକାଶ ଅନ୍ୟମନସ୍କ ହୋଇଗଲା ।

 

‘‘ହଁ, ହଁ, ଯେଉଁମାନଙ୍କର ଉପସ୍ଥିତିରେ ତୁମେ ଆନନ୍ଦିତ ହେବ, ସେମାନଙ୍କୁ ତ ନିଶ୍ଚିତ ଭାବରେ ଡାକିବାକୁ ହେବ ।’’

 

ବିକାଶର ମନରେ ଅସ୍ପଷ୍ଟ ଭାବରେ ଭାସି ଉଠିଲା ଗୋଟିଏ ସୁନ୍ଦର ସରଳ ମୁହଁ । କେତେଥର ଏମିତିକା ପରିପ୍ରେକ୍ଷୀରେ ସେଇ ସରଳ ମୁହଁଟି ଭାସି ଉଠିଛି...ଆଉ ଆଜି ବି...

 

‘‘ଆଚ୍ଛା, ମୁଁ ମା’ଙ୍କ ସାଙ୍ଗରେ ପରାମର୍ଶ କରିବି !’’ ଅନ୍ୟମନସ୍କ ଭାବରେ ଉତ୍ତର ଦେଲା-

 

‘‘ଏଁ, ମା’ଙ୍କ ସାଙ୍ଗରେ ପୁଣି କି ପରାମର୍ଶ ! ତୁମେ କ’ଣ ଭାବୁଚ, ଏ ସବୁ ବିଷୟରେ ମା’ କିଛି ଅମାତ କରିପାରନ୍ତି !’’

 

‘‘ନା, ନା, ତୁ ବୁଝିବୁନି ସେ ସବୁ । ଆଚ୍ଛା ତୁ ଯା ।’’

 

ମା’ଙ୍କୁ ବି ବିକାଶ କହି ରଖିଥିଲା କଥାଟା । ମାନେ, ସୁଜାତାକୁ ସେ ନେଇ ଆସିବ ଏଇ ସୁଯୋଗରେ । ମା’ ଖୁବ ଖୁସି ହେଲେ, ବିକାଶଠୁଁ ସୁଜାତାର ପରିପାଟୀହୀନତା ଓ ସରଳତା କଥା ଶୁଣି । ଅପେକ୍ଷା କରି ରହିଲେ ସେ ସୁଜାତାକୁ ନିଜ ପାଖରେ ପାଇବା ପାଇଁ ।

 

ଆଉ ବିକାଶ ମନେ ମନେ ଠିକ୍‌ କରିନେଲା, ମୀନାର ଅତି ଆଧୁନିକ ବନ୍ଧୁମାନଙ୍କୁ, ଯେଉଁମାନେ କି ମୁଖ୍ୟତଃ ବିକାଶକୁ ପ୍ରଲୁବ୍‌ଧ କରିବାକୁ ନିଜ ନିଜ ଭିତରେ ଆରମ୍ଭ କରି ଦେଇଥାନ୍ତି ରୀତିମତ ପ୍ରତିଯୋଗୀତା-ସେଇମାନଙ୍କୁଇ ସେ ଦେଖାଇ ଦେବ ସୁଜାତାକୁ । ଯାହାଠୁ ସେମାନେ ଅନ୍ତତଃ ଅନେକ କିଛି ଶିକ୍ଷା ପାଇ ପାରିବେ । କିନ୍ତୁ ସୁଜାତା ? ସେ କ’ଣ ରାଜି ହେବ ? ହତାଶାରେ ଭରି ଉଠୁଥିଲା ବିକାଶର ମନ...।

 

ସୁଜାତା ସଙ୍କୁଚିତ ଭାବରେ ଗାଡ଼ି ପାଖକୁ ଆସିଲା ।

 

‘‘ବିକାଶ ବାବୁ, ନମସ୍କାର । ଆପଣ-’’

 

ହଁ ନମସ୍କାର । ମାନେ ଏଇ ଦେଖନ୍ତୁ ମୋ ସାଙ୍ଗରେ ଟିକେ ଯିବାକୁ ପଡ଼ିବ ଆପଣଙ୍କୁ-!’’

 

‘‘ଏଁ, କୁଆଡ଼େ ?’’

 

‘‘ଆଜି ଆଦୌ ମନା କରିବେନି । ମା’ ବହୁତ କରି କହିଛନ୍ତି ଆପଣଙ୍କୁ ଥରେ ତାଙ୍କ ପାଖକୁ ଯିବାକୁଇ ପଡ଼ିବ । ଆପଣଙ୍କୁ ନେଇକରି ଯିବି ବୋଲି ଶୁଣି ମା ଅତି ଆଗ୍ରହରେ ବସି ରହିଛନ୍ତି, ନ ଗଲେ କିନ୍ତୁ ସେ ବଡ଼ ଦୁଃଖିତ ହେବେ ।’’

 

‘‘ଆପଣଙ୍କ ମା’ କହିଛନ୍ତି’’ କହି ଟିକେ ଭାବି ପୁଣି କହିଲା ସୁଜାତା, ‘‘ଟିକେ ଅପେକ୍ଷା କରନ୍ତୁ, ମୁଁ ଆସୁଛି ।’’

 

ଭିତରକୁ ଚାଲିଗଲା ସେ । ତା ପଛେ ପଛେ ଅନ୍ୟମାନେ ବି ତା ରୁମ୍‌କୁ ପଶିଆସିଲେ ।

 

ମୀରା କହିଲା, ‘‘କିଏରେ ବାବା, ବିରାଟ ଷ୍ଟୁଡ଼ିବେକର୍‌ କାର୍‌ରେ ଆସିଛନ୍ତି ! ମନେ ହେଉଛି ଯେମିତି ତୋର ରାଜକୁମାର ।’’

 

‘‘ଛି, ସେମିତି କିଛି ନୁହେଁ ।’’

 

ଶୀଲା ସୁଜାତାର ମୁହଁ ଟେକି ଧରିଲା ।

 

‘‘ଏଥିରେ ଲୁଚାଇବାର କ’ଣ ଅଛି ? ତୋ ଆଖି ତ ଧରା ପକାଇ ଦେଉଚି ।’’ ଗୁଣୁ ଗୁଣୁ କରି ଗୀତ ଗାଇ ଉଠିଲା ସେ –

 

‘‘ସେ କେଉଁ ସପନ ପୁରେ ?

 

ଥିଲ ଗୋ ସାଥୀ ତୁମେ-’’

 

‘‘ଆଚ୍ଛା ଏ ସବୁ କି ଅଭଦ୍ରାମୀ । ଏସବୁ ମତେ ଭଲ ଲାଗେନି ତ ଜାଣ, ତଥାପି –’’

 

‘‘ଥାଉ ଥାଉ, ଆଉ ବେଶୀ କହିବା ଦରକାର ନାହିଁ । ରାଜପୁତ୍ରଙ୍କ ସାଙ୍ଗରେ ଚୁପ୍‌ଚାପ୍‌ କ’ଣ କଥାବାର୍ତ୍ତା ହେଇ ପୁଣି ଚଟ୍‌ପଟ୍‌ କୁଆଡ଼େ ଯିବାର ହଉଚି ରାଜକୁମାରୀଙ୍କର ? କ’ଣ ରାଜନଅର-’’

 

‘‘ଧେତ୍‌, କ’ଣ ସବୁ ଯେ କହିଯାଉଚ, ନିହାତି ଅବସ୍ଥା ଚକ୍ରରେ ପଡ଼ି ମତେ ଯିବାକୁ ହେଉଚି । ଆଉ କିଛି ନୁହେଁ ।’’

 

ସାମାନ୍ୟ ଟିକେ ବେଶଭୂଷା କରିବାର ଇଚ୍ଛା ଥିଲା ସୁଜାତାର । କିନ୍ତୁ ଏପରି ଥଟ୍ଟା ପରିହାସ ଭିତରେ ସେ ଆଉ ସାହାସ କରି ପାରିଲାନି । ଫିକା ସବୁଜ ରଙ୍ଗର ଭଏଲ୍‌ ଶଢ଼ୀଟି ପିନ୍ଧି ପାନିଆରେ ସାମନା ବାଳତକ ଠିକ୍‌ କରି ନେଇ ଗଣ୍ଠି କରି ନେଲା । ପାଉଡ଼ର ଟିକେ ବି ମୁହଁରେ ଲଗେଇ ପାରିଲାନି । ସ୍ଲିପର ଦିପଟ ଗୋଡ଼ରେ ଗଳେଇ ବାହାରକୁ ଚାଲି ଆସିଲା ।

 

ବିକାଶ ପ୍ରଶଂସମାନ ଦୃଷ୍ଟିରେ ଚାହିଁ ରହିଲା, ଠିକ୍‌ ଏପରି ବେଶରେଇ ସେ ଚାହେଁ ସୁଜାତାକୁ ।

 

ଗାଡ଼ି ଚାଲିଲା ।

 

ଥରେ ଆଡ଼ଚକ୍ଷୁରେ ସୁଜାତାକୁ ଚାହିଁ ବିକାଶ କହିଲା, ‘‘ଆଜି ରାତିରେ ଆପଣଙ୍କୁ ଆମ ଘରୁ ଖାଇକରି ଆସିବାକୁ ହେବ ।’’

 

‘‘କିନ୍ତୁ ମୁଁ ତ ଏତେ ସମୟ ଆଦୌ ରହି ପାରିବିନି; ଆଉ ଅଳ୍ପ ସମୟ ଭିତରେ ଯେପରି ହେଉ ଫେରି ଆସିବି ।’’

 

‘‘ଆଜି ମୀନାର ଜନ୍ମଦିନ । ସେଥିପାଇଁ ଗୋଟିଏ ପାର୍ଟିର ବ୍ୟବସ୍ଥା ହେଉଚି । ଅତଏବ ଆପଣ ନ ଖାଇ କିପରି ଆସି ପାରିବେ ?’’

 

‘‘ପାର୍ଟି ? ଆରେ ବାବ୍‌ବା !’’ ଭୟରେ ମୁହଁ ତାର ଶୁଖିଗଲା । ବିକାଶ ମସ୍ତ ବଡ଼ଲୋକ-। ସେଥିରେ ପୁଣି ପାର୍ଟି-ନିଶ୍ଚୟ ବହୁତ ବଡ଼ ଲୋକଙ୍କର ଝିଅମାନେ ଆସିଥିବେ । ଆଉ ସେଠି ସୁଜାତା !

 

‘‘ମତେ କ୍ଷମା କରନ୍ତୁ ବିକାଶ ବାବୁ, ଆଜି ଆଦୌ ଯାଇ ପାରିବିନି । ମତେ ହଷ୍ଟେଲକୁ ଫେରେଇ ନିଅନ୍ତୁ ।’’

 

କଥା ଶେଷଆଡ଼କୁ ଓଠ ତାର ଥରି ଉଠିଥିଲା । ମନର ସରସତା ମରି ଯାଇଥିଲା । ବିକାଶ ସୁଜାତାର ଏ ଭାବାନ୍ତରରେ ଆଶ୍ଚର୍ଯ୍ୟ ହେଲା । ନିଜର ଅଜାଣତରେ ହଠାତ୍‌ ବିକାଶ ସୁଜାତାର ଗୋଟିଏ ହାତକୁ ମୁଠାଇ ଧରି କହିଲା, ‘‘ଆପଣ ଏତେ ଭୟ କରୁଛନ୍ତି କାହିଁକି ? ଆପଣ ଚାଲନ୍ତୁ, ମୁଁ ଆପଣଙ୍କ ପାଖେ ପାଖେ ରହିବି । ଭୟ କରିବାର କିଛି ନାହିଁ ।’’

 

ଶିହରି ଉଠିଲା ସୁଜାତା । ପୁରୁଷର ସ୍ପର୍ଶ ଯେ ନିଜକୁ ଏତେଦୂର ନିର୍ଜୀବ କରିଦିଏ, ଭାବି ନ ଥିଲା । ମୁହୂର୍ତ୍ତକ ପାଇଁ ହାତଟି ବିକାଶର ବଳିଷ୍ଠ ହାତମୁଠା ଭିତରେ ରହିଗଲା । କାଢ଼ି ଆଣିବାକୁ ବି ସାହସ ହେଲାନି ତାର ।

 

ବିକାଶ ଲଜ୍ଜିତ ଭାବରେ ସୁଜାତାର ଆରକ୍ତ ମୁହଁ ଉପରେ ଥରେ ଆଖି ବୁଲାଇ ଆଣି ହାତ ଟାଣି ଆଣିଲା ଷ୍ଟିଅରିଂ ହୁଇଲ୍ ଉପରକୁ । ଦୁଇ ଜଣ ନିଃଶବ୍ଦରେ ବସି ରହିଲେ ।

 

ଉତ୍ସବ ମୁଖରିତ ହୋଇ ଉଠିଥାଏ ନଈକୂଳ ଉପରେ ଥିବା ଦୋତାଲା କୋଠାଟି । ଫୁଲ ଓ ଲତା ପତ୍ର ଦିଆ ହୋଇ ଦୁଆର, ଝରକା ସବୁ ସଜା ହୋଇଥାଏ । ଭିତରୁ ଫ୍ଳରେସନ୍‌ ଟିଉବ୍‌ର କୋମଳ ଆଲୋକ ବାହାରଯାକ ବିଛାଡ଼ି ହୋଇ ପଡ଼ିଥାଏ । ଭିତରୁ ଭାସି ଆସୁଥାଏ ତୀବ୍ର ହସର ଲହରୀ ।

 

ମୀନାର ଜନ୍ମଦିନ । ଆଧୁନିକା ତରୁଣୀ ମୀନା ଖୁବ୍‌ ନିଖୁଣ ଭାବରେଇ ସାଜିଚି । ଡେକ୍ରନ୍‌ ଶଢ଼ୀର ଚଉଡ଼ା ଜରୀର ଧଡ଼ି ଲତା ଭଳି ଦେହରେ ଜଡ଼ିଯାଇଚି । ବାନ୍ଧବୀମାନଙ୍କ ମେଳରେ ବସି ହସଖୁସିରେ ମାତି ରହିଚନ୍ତି ସମସ୍ତେ ।

 

ମୀନା କହିଲା, ‘‘ଜାଣିଚୁ ନା ରଶ୍ମୀ, ଆଜି ଗୋଟିଏ ସୁଖ ଖବର ଅଛି । ଭାଇ ଯାଇଚନ୍ତି ତାଙ୍କ would-be-bride ମାନେ ଭାବି ପତ୍ନୀଙ୍କୁ ନେଇ ଆସିବାକୁ ।’’

 

‘‘ୟା ଭିତରେ କେବେ ଏନ୍‌ଗେଜ୍‌ମେଣ୍ଟ ହେଇ ଗଲାଣି ନା କଅଣ ?’’ ମୁହଁରେ ଈର୍ଷାର ଚିହ୍ନ । ମୀନାର ବାନ୍ଧବୀମାନେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

 

ଏ କ’ଣ କହୁଚି ମୀନା । ସେମାନେ ଭାବିଥିଲେ, ଆଶା କରିଥିଲେ, ସେମାନଙ୍କ ଭିତରୁଇ ବିକାଶ କାହାକୁ ହେଲେ ଜଣକୁ ସିଲେକ୍‌ଟ କରିବ । କିନ୍ତୁ......

 

‘‘ନା, ସେପରି କିଛି ହେଇନି, କେବଳ ଭାଇଙ୍କ କଥାରୁ ମୁଁ ଯେତିକି ଅନୁମାନ କଲି । ଆଉ ଜାଣିଚୁ ନା ଲିଲି, ଭାଇ କହିଲେ, ସେ କୁଆଡ଼େ ଆମର ଏକଦମ ବିପରୀତ । ମାନେ ଅତି ସିମ୍ପଲ । ଦେଖାଯାଉ ଭାଇଙ୍କର ସିଲେକ୍‌ସନ୍‌ଟା କେମିତି ? ମୋର କିନ୍ତୁ ଭାଇଙ୍କ ସାଙ୍ଗରେ ଝଗଡ଼ା ହୋଇଯାଇଚି ଏ ବିଷୟରେ ।’’

 

ବାହାରେ ଗାଡ଼ି ଅଟକି ଗଲା ପୋର୍ଟିକୋରେ । ବିକାଶ ପଶି ଆସିଲା ଡ୍ରଇଁ ରୁମକୁ । ପଛେ ପଛେ ଆସିଚି ସୁଜାତା । କ୍ଷଣକପାଇଁ ଚାରିଆଡ଼ ନିଃଶବ୍ଦ ।

 

‘‘ମୀନା, ମୋର ଟିକେ ଡେରି ହୋଇଗଲା ନା ! ତୋର ସାଙ୍ଗମାନେ ସବୁ ଆସି ଯାଇଚନ୍ତି ଦେଖୁଚି । ନମସ୍କାର । ଆପଣମାନଙ୍କ ସଙ୍ଗରେ ସୁଜାତା ଦେବୀଙ୍କୁ ପରିଚିତ କରାଇ ଦେଉଚି । ଆପଣ ଆସନ୍ତୁ ମିସ୍‌ ମହାନ୍ତି , ଇଏ ହେଉଚି ମୋର ଭଉଣୀ ମୀନା, ଆଉ ଏମାନେ ହେଉଚନ୍ତି ତା’ର ବାନ୍ଧବୀ । ମୀନା, ତୁ ଏମାନଙ୍କୁ ପରିଚୟ କରାଇ ଦେ । ମୁଁ ଯାଏ, ଅଜିତ୍‌, ସମୀର ଅନେକ ବେଳୁ ବସି ରହିଚନ୍ତି । ଆଚ୍ଛା, ମିସ୍‌ ମହାନ୍ତି, ମୁଁ ତା ହେଲେ ଆସୁଚି ।’’ ପାଖ ଘରକୁ ଚାଲିଗଲା ବିକାଶ ।

 

‘‘ଆସନ୍ତୁ ମିସ୍‌ ମହାନ୍ତି, ବସନ୍ତୁ ।’’ ଆହ୍ୱାନ କଲା ମୀନା । ମୃଦୁ ହସି ସଙ୍କୁଚିତ ହୋଇ ସୋଫାର ଗୋଟିଏ କଡ଼ରେ ବସି ପଡ଼ିଲା ସେ । ସୁଜାତାର ବେଶଭୂଷା ପ୍ରତି ନଜର ଦେଇ ଅନ୍ୟମାନଙ୍କ ଓଠରେ ଚାପା ହସ ଖେଳିଗଲା । ତା ସାଙ୍ଗେ ସାଙ୍ଗେ ମୀନା ବି ବଡ଼ ନିରାଶ ହୋଇଗଲା । ଏପରି ଗୋଟିଏ ଝିଅ ସାଙ୍ଗରେ କଅଣ ବା କଥାବାର୍ତ୍ତା ହେବ ! ହୀରାର ହାର କେଉଁ ଦୋକାନରେ ସବୁଠୁ ଭଲ ଡିଜାଇନ୍‌ର ଅଛି, ଆଉ ବବ୍‌ ହେୟାରରେ କୋଉ ସେମ୍ପୁ ବ୍ୟବହାର କଲେ ବାଳ ଭଲ ସେଟ୍‌ ହୋଇ ରହିବ, ଏ ସବୁ ବିଷୟରେ ସୁଜାତା କ’ଣ ଆଲୋଚନା କରିପାରେ-?

 

ଗୋଟି ଗୋଟି କରି ସମସ୍ତଙ୍କ ସାଙ୍ଗରେ ତାଙ୍କୁ ପରିଚିତ କରାଇ ଦେଲା ସେ ।

 

‘‘ଆପଣ କୋଉଠି ରୁହନ୍ତି ।’’

 

‘‘ମୁଁ ଥାଏ ମହାମାୟା ବୋର୍ଡ଼ିଂ ହାଉସ, କଲେଜ ଛକରେ । ମୁଁ ମିଶନ ସ୍କୁଲରେ ଟିଚର-।’’

 

ଘରେ ଗୋଟିଏ ବିସ୍ଫୋରଣ ହୋଇଥିଲେ ବି ଏତେ ଦୂର ବିସ୍ମିତ ହୋଇ ନ ଥାନ୍ତେ କେହି । ସାମାନ୍ୟ ଜଣେ ଗାର୍ଲସ୍କୁଲର ଶିକ୍ଷୟିତ୍ରୀ । ସେ ପୁଣି ହେଇପାରେ ବିକାଶର ପ୍ରେମିକା !

 

ବିକାଶର ମା ଆସିଲେ । ମୀନା ପରିଚୟ କରାଇଦେଲା । ସୁଜାତା ଗୋଡ଼ ଛୁଇଁ ପ୍ରଣାମ କଲା । ବିକାଶର ମା’ ତାକୁ ଉଠାଇ ନେଲେ ପାଖକୁ । ପିଠି ଆଉଁସି କହିଲେ, ‘‘ବାଃ, ବେଶ୍‌ ଝିଅଟି ତ । ବିକାଶଠୁଁ ମୁଁ ତମ ବିଷୟରେ ଅନେକ ଶୁଣିଚି । ଏତେ ଲାଜ କରୁଚ କାହିଁକି ? ଏ ବୟସରେ ତୁମେ ହସିବ, ଖେଳିବ, ମନ ଖୁସି ରଖିବ ସିନା ! ଆଚ୍ଛା, ଆଚ୍ଛା ବସ, ପଛେ ତମ ସାଙ୍ଗରେ ସବୁ କଥାବାର୍ତ୍ତା ।’’ ମୁଗ୍‌ଧ ଦୃଷ୍ଟିରେ ସୁଜାତାକୁ ଚାହିଁ ରହି ଫେରି ଯାଇଥିଲେ ସେ ।

 

ଆଉ ଅବାକ୍‌ ହୋଇ ଚାହିଁ ରହିଥିଲେ ମୀନାର ବାନ୍ଧବୀମାନେ-ରଶ୍ମୀ, ରେଖା, ରୋଜି, ଲିଲି, ଡେଜି ଇତ୍ୟାଦି । ମୀନାର ମା’ଙ୍କୁ ଗୋଡ଼ ଛୁଇଁ ପ୍ରଣାମ କରିବା କଥା ସେମାନଙ୍କର ଭାବନାର ବାହାରେ । ସବୁବେଳେ ନମସ୍କାର କରିବା ବା ଅନ୍ୟାନ୍ୟ ସାହେବି କାଇଦା ଛଡ଼ା କେବେ ହେଲେ କାହାକୁ ସେମାନେ ଅନ୍ୟ କୌଣସି ଭାବରେ ସମ୍ମାନ ଦେଖାଇ ନାହାନ୍ତି । ସୁଜାତାକୁ ଦେଖି ମୀନାର ମା’ଙ୍କ ମୁହଁ ଯେ ଖୁସିରେ ସଚେତନ ହୋଇ ଉଠିଥିଲା, ତାହା କାହାରି ଆଖିକୁ ଏଡ଼େଇଦେଇନି । ହିଂସା, ଈର୍ଷାରେ ଜଳି ଉଠିଥିଲେ ସେମାନେ । ଆଉ ମୀନା ବି କମ୍‌ ଆଶ୍ଚର୍ଯ୍ୟ ହେଇନି । ମାଙ୍କ ପ୍ରତି ଅଭିମାନରେ ତାର ମନ ଭରି ଯାଇଥିଲା । ତାର ଏତେ ସୁନ୍ଦରୀ ଆଧୁନିକା ବାନ୍ଧବୀମାନେ, ଯେଉଁମାନଙ୍କ ଭିତରୁ ଯେ କୌଣସି ଜଣକୁ ଭାଉଜ ଭାବରେ ପାଇ ଆନନ୍ଦରେ ଦିନ କଟାଇ ଦେବ ଭାବିଥିଲା, ସେମାନଙ୍କ ସହିତ ମା’ କେବେ ଭଲରେ କଥାବାର୍ତ୍ତା କରିଥିଲା ଭଳି ବି ମନେ ପଡ଼େନି ।

 

ଅଥଚ ସୁଜାତା ! ଯାହାକୁ ଦେଖିଲେଇ ଘୃଣାରେ ମୁହଁ ଫେରିଯାଏ, ତାକୁ ଦେଖି ମା’ ମୁଗ୍‌ଧ ହୋଇଚନ୍ତି ଆଉ ଭାଇଙ୍କର ମୁହଁ ସତେଜ ପ୍ରଫୁଲ୍ଲ ହୋଇ ଉଠିଚି ! ମୀନା ଉଠି ଭିତରକୁ ଚାଲିଗଲା ।

ରେଖା ଟିପ୍‌ପଣୀ କଲା, ‘‘ଓଃ, ମା’ଙ୍କର ସମର୍ଥନ ତ ମିଳିଗଲା । ଇଆଡ଼େ ପୁଣି ବିକାଶବାକୁ ନିଜେ ସିଲେକ୍ଟ କରିଚନ୍ତି ଆଉ ତେବେ ବାକି ରହିଲା କ’ଣ !’’

ସୁଜାତା ଚମକି ଉଠିଲା ।

ରଶ୍ମୀ କହିଲା, ‘‘କଂଗ୍ରାଚୁଲେସନ ସୁଜାତା ଦେବୀ, ଆପଣଙ୍କୁ ଭାଗ୍ୟବାନ ନ କହି ରହିପାରୁନି । ତେବେ ଆପଣ ଯେ ବିକାଶ ବାବୁଙ୍କ ସହିତ କିପରି ଭାବରେ ମ୍ୟାଚ୍‌ କରିବେ, ସେଇ କଥାଟାଇ ବୁଝିପାରୁନି ।’’

ଡେଜି କହିଲା, ‘‘ଏଥିରେ ଭାବିବାର କ’ଣ ଅଛି ? ଦିନେ ହୁଏତ ଦେଖିବୁ, ବିକାଶବାବୁ ନିଜ ଶ୍ରୀମତୀଙ୍କ ସହିତ ଯାଇ ମଫସଲରେ ବାସ କରୁଚନ୍ତି ।’’

ସୁଜାତା ଥରି ଉଠିଲା । ଚାରିଆଡ଼ୁ ବିଦ୍ରୂପର ବାଣ ଆସି ତାକୁ ବିଦ୍ଧ କଲା । କହି ଉଠିଲା ସେ, ‘‘ଏ ସବୁ କ’ଣ କହୁଚନ୍ତି ଆପଣମାନେ, କ’ଣ ପାଇଁ ବା କହୁଚନ୍ତି ?’’

‘‘ଆଉ କିଛିଦିନ ପରେ ତ ବିକାଶବାବୁଙ୍କ ସାଙ୍ଗରେ ଆପଣଙ୍କର ବିବାହ ହେବ, ଆଉ ତାର କିଛିଦିନ ପୂର୍ବରୁ ଆମେ ଯଦି ଆପଣଙ୍କୁ ଟିକେ ପରିହାସ କରୁ...’’ ରେଖା କହିଲା ।

ବିବାହ ? ନା, ନା, ସେପରି ତ କିଛି କଥା ନାହିଁ । ଆପଣମାନେ ଭୁଲ ବୁଝିଚନ୍ତି, ଆଉ ମତେ ଅସହାୟା ଦେଖି ଏପରି ଭାବରେ ଅପମାନ କରିବା ଆପଣମାନଙ୍କର ଅତ୍ୟନ୍ତ ଅଭଦ୍ରାମୀ-।’’

ହାଃ, ହାଃ, ହାଃ, ହାଃ, ହସି ଉଠିଲେ ସମସ୍ତେ ।

ରୋଜି କହିଲା, ‘‘ବିବାହ ନୁହେଁ କିନ୍ତୁ ବନ୍ଧୁତ୍ୱ ନା ! ହଁ ଆମମାନଙ୍କ ସାଙ୍ଗରେ ବି ଦିନେ ବିକାଶବାବୁଙ୍କର ବନ୍ଧୁତ୍ୱ ଥିଲା, ଜଣକ ପରେ ଜଣେ ଆମେ ସମସ୍ତେ ହୋଇ ଉଠିଥିଲୁ ତାଙ୍କର ବିଶେଷ ଆପଣାର । ଆଉ ଅତିଶୀଘ୍ର ତାହା ବିବାହରେ ପରିଣତ ହେବ ବୋଲି ଆମେମାନେ ବି ବେଶ ନିର୍ଭୟରେ ବିକାଶବାବୁଙ୍କ ହାତରେ ଧରା ଦେଇଥିଲୁ । ଆମରିମାନଙ୍କ ଭିତରୁ କାହାରିକୁ ଅନ୍ତତଃ ବିବାହ କରିବେ, ଏଇ ଆଶାରେ । କିନ୍ତୁ ସେ ସବୁ କିଛି ହେଲାନି । ଏବେ ଦେଖାଯାଉଚି, ବିକାଶବାକୁଙ୍କର ନୂଆ ଶୀକାର ହିସାବରେ ଆପଣଙ୍କୁ । ଯାହାର ସରଳତାର ସୁଯୋଗ ନେଇ ସେ ସବୁ କିଛି କରିଯାଇ ପାରିବେ, କେବଳ ବିବାହ ଛଡ଼ା ! Poor girl.”

 

ସୁଜାତା କାନ୍ଦି ଉଠିଲା । ମୁଣ୍ଡ ଘୂରିଗଲା । ଯାହା ସବୁ ସେ ଶୁଣିଲା, ଏହା କ’ଣ ସତ ? ଆଖି ଆଗରେ ଅନ୍ଧାର ଘୋଟିଗଲା । ମନେପଡ଼ିଲା, କ୍ଷଣକପୂର୍ବେ ଗାଡ଼ି ଭିତରେ ନିର୍ଭୟରେ ନିଜର ହାତକୁ ବିକାଶର ବଳିଷ୍ଠ ହାତ ମୁଠା ଭିତରେ ଛାଡ଼ି ଦେଇଥିଲା । ସେଇ ବଳିଷ୍ଠ ହାତମୁଠାଟା ତେବେ ଏତେ ଦୁର୍ବଳ ! ସେଇ ହାତରେ ଯେତୋଟି ହାତ ଧରା ଦେଇଛନ୍ତି ଆଜି ପର୍ଯ୍ୟନ୍ତ, କାହାରିକୁ ହେଲେ ଧରି ରଖିପାରିନି !

 

...ଆଉ ସରଳ ମନରେ ତାକୁଇ ବିଶ୍ୱାସ କରି ଆସିଚି ସୁଜାତା ! ଏମାନେ ବଡ଼ ଲୋକ, ଆଧୁନିକ, ଖିଆଲୀ । ଏମାନଙ୍କର ଚଞ୍ଚଳ ମନର ଗୋଟିଏ ଖିଆଲ ହୋଇ ସୁଜାତା ରହିପାରିବନି । ରହି ପାରିବେ ଏଇ ରେଖା, ରୋଜି, ଲିଲି, ଡେଜି ଇତ୍ୟାଦି । ଚଞ୍ଚଳ ପାଦରେ ପାର ହୋଇ ଗେଟ୍‌ ଆଡ଼େ ଆଗେଇ ଗଲା ସୁଜାତା ।

 

ଦୂରରୁ ଆସୁଚି ଟାଉନ୍‌ବସ୍‌ । ବସ୍‌ ଅଟକାଇ ଗୋଟିଏ କୋଣରେ ବସି ରହିଲା ତଳକୁ ମୁହଁ ପୋତି । ଏ ମୁହଁ ଆଉ କାହାକୁ ଦେଖାଇବ !

 

...ଆଉ ଝଡ଼ ବହି ଯାଇଥିଲା ବିକାଶର ଘରେ । ସୁଜାତା ଯିବା ପରେ ପରେ ଅଜିତ୍‌, ସମୀରକୁ ନେଇ ସୁଜାତା ସାଙ୍ଗରେ ପରିଚୟ କରାଇଦେବ ବୋଲି ଏ ଘରକୁ ଆସି ସୁଜାତାକୁ ଚାଲି ଯାଇଥିବା କଥା ଜାଣି ପାରିଲା ବିକାଶ । ଆରଘରୁ ସେ କିଛି କିଛି କଥା କଟାକଟି, ଥଟ୍ଟା ପରିହାସ ସବୁ ଶୁଣି ପାରିଥିଲା । ପ୍ରଥମେ ପ୍ରଥମେ ଖୁସି ହୋଇଥିଲା ଯେ ମୀନାର ବାନ୍ଧବୀମାନେ ଅନ୍ତତଃ ବିକାଶର ପସନ୍ଦ କେମିତି ଜାଣି ପାରିଚନ୍ତି ! କିନ୍ତୁ କଥାରେ କଥାରେ ଯେ ଏହା ଏତେଦୂର ଆଗେଇଯିବ, ଆଶା କରିପାରି ନ ଥିଲା ।

 

ଭୟରେ ମୁହଁ ତଳକୁ ପୋତିଥିଲେ ସମସ୍ତେ ।

 

ବିକାଶ କହିଲା, ‘‘କିଏ ସୁଜାତାକୁ ଅପମାନ କରିଚି, ମୁଁ ଏତିକି କେବଳ ଜାଣିବାକୁ ଚାହେଁ ।’’

 

‘‘ଏଇ ରୋଜି ।’’ ଭୟରେ କହିଲା ରେଖା ।

 

‘‘ଆଉ ତୁ ବି ଅନେକ କଥା କହିଚୁ ।’’ ଝଙ୍କାରୀ ଉଠିଲା ରୋଜି ।

 

‘‘ବିଶ୍ୱାସ କରନ୍ତୁ ବିକାଶବାବୁ, ଏକା ମୁଁ ନୁହେଁ, ଲିଲି, ରଶ୍ମୀ, ରୋଜି, ଡେଜି ସମସ୍ତେ ତା ସାଙ୍ଗରେ ଲାଗିଚନ୍ତି । କେବଳ ମୋ ଯୋଗୁଁ ସେ ଚାଲି ଯାଇନି ।’’

 

ବ୍ୟଥାଭରା କଣ୍ଠରେ କହିଲା ବିକାଶ, ‘‘ଥାଉ ଥାଉ, ଆଉ କିଛି ମୁଁ ଶୁଣିବାକୁ ଚାହେଁ ନା । ତୁମେମାନେ ମୋର କେତେ ବଡ଼ କ୍ଷତି କଲ, ଆଦୌ ବୁଝି ପାରିବନି ।’’

 

ଟଳି ଟଳି ତା’ ରୁମ୍‌କୁ ଯାଇ ଦୁଆର ଭିତରୁ ବନ୍ଦକଲା ବିକାଶ ।

 

ସୁଜାତା ଚାଲିଯିବା ପରେ ବିଶେଷ ଆଘାତ ପାଇଥିଲେ ବିକାଶର ମା । ଶାନ୍ତ, ସରଳ ଝିଅଟିକୁ ସେ ମନେ ମନେ ଖୁବ୍‌ ସ୍ନେହ କରିଥିଲେ ପ୍ରଥମ ଦେଖାରୁଇ । ନିରାଶ ହୋଇ ସେ ଶୋଇ ରହିଲେ ଶେଯରେ ।

 

ଜନ୍ମଦିନର ହସଖୁସି ସବୁ ବନ୍ଦ ହୋଇଗଲା କ୍ଷଣକରେ ।

ଡାଇନିଂ ହଲର ବିରାଟ ଡାଇନିଂ ଟେବୁଲରେ ସୁନ୍ଦର ଭାବରେ ଅତି ଆଧୁନିକ ଡିଜାଇନ୍‌ରେ ସଜାହୋଇ ରହିଚି ପ୍ଲେଟ, କଣ୍ଟାଚାମୁଚ, ଚାମୁଚ, ଗ୍ଲାସ, ଜଗ୍‌, ଫୁଲଦାନୀ, ନେପ୍‌କିନ୍‌ ସବୁକିଛି । ବେହେରା, ବବୁର୍ଚ୍ଚି ଅପେକ୍ଷା କରି ରହିଚନ୍ତି ନିମନ୍ତ୍ରିତମାନଙ୍କ ପାଇଁ । ପାଖ କିଚେନ୍‌ରୁ ଭାସିଆସୁଚି କୁର୍ମା, ରୋଷ୍ଟ, ବିରିଆନୀର ଗନ୍ଧ ।

 

ମୀନା ତା’ର ବାନ୍ଧବୀମାନଙ୍କୁ ଡାକିଆଣିଲା ଡାଇନିଂ ରୁମ୍‌କୁ । ଅଜିତ୍‌, ସମୀର, ବିକାଶକୁ ଏକ ରକମ ବାଧ୍ୟକରି ଡାକି ଆଣିଲେ । ବିକାଶ ଓ ତା’ର ବନ୍ଧୁମାନେ ବାଧ୍ୟ ହୋଇ ଆସି ବସିଲେ ଡାଇନିଂ ହଲର ଚେୟାରରେ । ସନ୍ତ୍ରସ୍ତ ହେଲେ ବେହେରା, ବବୁର୍ଚ୍ଚିମାନେ । କୌଣସିମତେ ଖାଇବାକୁ ଆରମ୍ଭ କଲେ ସମସ୍ତେ । ସମସ୍ତେ ଯେପରି ଗୋଟିଏ ଗୋଟିଏ ଦମ୍‌ଦିଆ କୁଣ୍ଢେଇ । ପ୍ଲେଟରେ ସବୁ ସେମିତି ପଡ଼ି ରହିଲା ।

 

ସେ ଆନନ୍ଦ ଆଉ ନାହିଁ । ଡ୍ରଇଂ ରୁମ୍‌ରେ ଅଟୋମେଟିକ ରେକର୍ଡ଼ ପ୍ଲେଆରଟା ବନ୍ଦ ହୋଇଯାଇଚି । ମୀନାର ବାନ୍ଧବୀମାନେ ଗୋଟି ଗୋଟି ବିଦାୟ ନେଲେ ଶୁଷ୍କ ମୁହଁରେ । ମୀନା ଆଶ୍ଚର୍ଯ୍ୟ ହୋଇ ଭାବିଲା, ଜନ୍ମଦିନର ଖୁସି, ଆନନ୍ଦ ସବୁକିଛି ଧୋଇଯାଇ ଶୁଷ୍କତା, ମଳିନତାର ସୁଅ ବହିଗଲା କେବଳ ସୁଜାତା ପାଇଁ ! ତା’ର ଅନୁପସ୍ଥିତିରେ ଏ ଘରେ କେହି ସୁଖୀ ନୁହଁନ୍ତି, ତା ବିନା ଏଠି ମଉଜ ମଜଲିସ୍‌ ଜମି ଉଠେନା । ତା’ ହେଲେ ମୀନା କଅଣ ଭୁଲ୍‌ କରୁଚି ? ମୀନା, ବିକାଶ ସୁଜାତାକୁ ନେଇ ସୁଖୀ ହେବା ଦରକାର ? ଗୋଟିଏ ବିରାଟ ପ୍ରଶ୍ନବାଚୀ ଆଗରେ ଠିଆହୋଇ ରହିଲା ମୀନା ।

 

ବନ୍ଦନା ଅଫିସରେ ଅଫିସ ଛୁଟି ପରେ ଟାଇପ ରାଇଟିଂ ଓ ସର୍ଟହ୍ୟାଣ୍ଡ ଶିକ୍ଷା ଚାଲିଚି । ଖୁବ୍‍ ଉତ୍ସାହରେ କାମ ଶିଖୁଚି ବନ୍ଦନା । ୧୫ ଦିନ ଭିତରେ ବହୁତ କିଛି ଶିଖିଗଲାଣି ସେ । ଧୀରା, ଜ୍ୟୋତ୍ସ୍ନା ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି, ‘‘ଏତେ ଶୀଘ୍ର ଏତେ ବେଶୀ ସ୍ପିଡ଼ କେମିତି ନେଇ ପାରୁଚୁ କହ ତ ?’’

 

ଉତ୍ତର ନ ଦେଇ ଟାଇପ ରାଇଟର ଉପରେ ଆଙ୍ଗୁଳି ଚଳାଇଯାଏ ବନ୍ଦନା । ମଦନବାବୁ ଶିକ୍ଷା ଦିଅନ୍ତି । ବୃଦ୍ଧ ହେଲେଣି, ତଥାପି ବେଶ୍‌ ଆଗ୍ରହ ସହକାରେ ସବୁକିଛି ଶିଖାଇ ଯାଆନ୍ତି । କେତେ ରାତି ଅନିଦ୍ରା ରହି ସେ ସର୍ଟହ୍ୟାଣ୍ଡର ଗୂଢ଼ସୂତ୍ର ସବୁ ମୁଖସ୍ଥ କରିଥିଲେ । ବନ୍ଦନାର ନିଶା ଲାଗିଚି କେଉଁଦିନ ସେ ପ୍ରକୃତ ଷ୍ଟେନୋଗ୍ରାଫର ହୋଇ ପାରିବ !

 

ସକାଳୁ ଉଠି ମୁଣ୍ଡ କୁଣ୍ଡଉ କୁଣ୍ଡଉ ବାରଣ୍ଡାରେ ମୀରା ଆସି ପହଞ୍ଚିଲା ।

 

‘‘କୁଆଡ଼େ ତୁ ଥାଉ ଆଜିକାଲି ବନ୍ଦନା କହିଲୁ, କାଲିଠୁଁ ତତେ ମୁଁ କମ୍‌ ଖୋଜିଲିଣି ନା !’’

 

‘‘କାହିଁକି ଏତେ ଖୋଜି ହଉଚୁ କହ ତ, କଅଣ ଖବର ?’’

 

‘‘ଏଇ ଆରତି କଥା ! ଖଣ୍ଡେ ଚିଠି ଦେଇଚି ।’’

 

‘‘କେଉଁଠୁ ରାଞ୍ଚିରୁ ? ତା’ର କେତେ ଟଙ୍କା ଦରମା ଠିକ୍‌ ହେଇଚି ?’’

 

‘‘ମତେ ଥଟ୍ଟା କରୁଚୁ ! ହେଇ ଦେଖ ଚିଠି !’’

 

ଚିଠି ଖଣ୍ଡକ କାଢ଼ି ଦେଖାଇଲା ମୀରା । ବନ୍ଦନା ପଢ଼ିଲା ।

 

ସ୍ନେହର ମୀରା,

ତୋ ସାଙ୍ଗରେ ସେଦିନ ଷ୍ଟୁଡ଼ିଓରେ ଦେଖା ହେବା ପରେ ଆଉ ଦେଖା ହେଇନି । ସେଦିନ ଚାକିରୀ ବିଷୟରେ କହିବାକୁ ଯାଇଥିଲି; ଆଜି ବିବାହର ନିମନ୍ତ୍ରଣ ପତ୍ର ପଠାଉଚି ବୋଲି ଆଶ୍ଚର୍ଯ୍ୟ ହେଉଚୁ କି ? କିନ୍ତୁ ମତେ କ୍ଷମାକର ମୀରା, ସେଦିନ ମୁଁ ଅଭିମାନରେ ତୋ ପାଖକୁ ଚାଲିଯାଇଥିଲି । ମଣିମୟ ବାବୁଙ୍କ ସାଙ୍ଗରେ ମୋର ବିବାହ ଏକରକମ ଠିକ୍‌ଥିଲା ବହୁଦିନରୁ । କିନ୍ତୁ ଏବେ କିଛି ଦିନ ତଳେ ତାଙ୍କୁ ଆଉ ଜଣେ ସୁଶ୍ରୀ ତରୁଣୀଙ୍କ ସହ ଅନେକ ସମୟରେ ତାଙ୍କର ଟୁସିଟର୍‌ରେ ବୁଲିବାର ଲକ୍ଷ୍ୟ କରିଥିଲି । ଏ ବିଷୟରେ ତାଙ୍କୁ ପଚାରିଥିଲି ମଧ୍ୟ । ସେ କିନ୍ତୁ ଭୀଷଣ ରାଗି ଉଠିଥିଲେ । ତେଣୁ ମୋର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ରାଗରେ, ଦୁଃଖରେ ସେଦିନ ତୋ ପାଖକୁ ଯାଇଥିଲି ଅଭିନେତ୍ରୀ ଜୀବନରୁ ଅବ୍ୟାହତି ନେବି ବୋଲି । କିନ୍ତୁ ପରେ ବୁଝିପାରିଥିଲି, ସେଇ ତରୁଣୀ ଜଣକ ହେଉଛନ୍ତି ମଣିମୟ ବାବୁଙ୍କର ମାମୁଁଝିଅ ଭଉଣୀ, ବମ୍ୱେରେ ଥାଆନ୍ତି । କିଛିଦିନ ପାଇଁ ଭାଇଙ୍କ ପାଖକୁ ଆସିଥିଲେ ବୁଲିବାକୁ । ତାଙ୍କୁଇ ସହର ବୁଲେଇ ଦେଖାଉଥିଲେ ମଣିମୟ ବାବୁ । ସବୁ ବୁଝିପାରି ନିଜର ଭୁଲ ପାଇଁ କ୍ଷମା ମାଗିଥିଲି, ଯାହାର ପରିଣାମ ଆଜି ତୁ ନିମନ୍ତ୍ରଣ ପତ୍ରରେ ଦେଖି ପାରିବୁ । ଘଟଣାଟା ବେଶ୍‌ ରୋମାଣ୍ଟିକ୍‌, ନା ?

ତୁ ମୋର ପିଲାଦିନର ସାଥୀ, ତତେ ସବୁକଥା ଜଣେଇଲି । ଆଶା କରେ ମୋର ଏ ସୌଭାଗ୍ୟରେ ସୁଖୀ ହେବୁ ।

ମୁଁ କାଲି ଯାଇପାରେ ତତେ ନିମନ୍ତ୍ରଣ କରିବାକୁ ବିଶେଷ ଭାବରେ । ଦେଖାହେଲେ ଆଉ ସବୁକଥା କହିବି । ରହିଲି ।

। ଇତି ।

ତୋର ‘ଆରତି’

 

ଚିଠିଟି ପଢ଼ି ବନ୍ଦନା କହିଲା,

 

‘‘ତୁ ଖୁସି ହେଉଚୁ ତ ? ତୋର ବନ୍ଧୁର ବିବାହ !’’

 

‘‘ହଁ, ଖୁସି ହେବି । ବିବାହ, ପୁଣି ଅଭିନେତ୍ରୀର ! ଆଜି ଯାହାକୁ ଆରତି ବାହା ହେଉଚି ପ୍ରେମ କରି କାଲି ହୁଏତ ଦେଖିବୁ, କୋର୍ଟରେ ଠିଆ ହୋଇ ସେଇ ସ୍ୱାମୀକୁ ଛାଡ଼ପତ୍ର ଦେବା ପାଇଁ, ବନେଇ ଚୁନେଇ ମିଛ ଅଭିଯୋଗ ଆଣୁଥିବ । ଷ୍ଟୁଡ଼ିଓ ଭିତରର ଯୋଉ ବିଷାକ୍ତ ଆବହାୱା ।’’

 

‘‘ଆଚ୍ଛା ମୁଁ ଯାଏ ମୀରା, କେତେ କାମ ଅଛି । ଦେଖୁ ଦେଖୁ ବେଳ ହୋଇଯିବ ।’’

 

‘‘ଶୀଲା ଦେବୀ କେଉଁଠି ଥାଆନ୍ତି ?’’ ପଛରୁ ଜଣେ ତରୁଣୀ କହିଲେ । ଫେରି ଚାହିଁଲେ ମୀରା, ବନ୍ଦନା । ଜଣେ ବିବାହିତା ତରୁଣୀ । ମୁଣ୍ଡରେ ସିନ୍ଦୂର ଗାର, କପାଳରେ ବଡ଼ ସିନ୍ଦୂର ଟୋପା, ହାତରେ ଲାଲ୍‌ କାଚର ଚୁଡ଼ି, କାନରେ ସୁନାର ଛୋଟ ଛୋଟ କାନଫୁଲ । ମୁଣ୍ଡରେ ଅବଗୁଣ୍ଠନ ।

 

ବନ୍ଦନା କହିଲା,

 

‘‘କଅଣ ଦରକାର କୁହନ୍ତୁ ତ ?’’

 

‘‘ଦରକାରଟା ମୁଁ ତାଙ୍କୁଇ କହିବି । ଦୟାକରି ତାଙ୍କ ରୁମ୍‌ଟା ଦେଖାଇ ଦେବେ କି ?’’

 

ପାଖ ରୁମ୍‌ଟିକୁ ହାତ ଦେଖାଇଲା ବନ୍ଦନା ।

 

ଭଦ୍ରମହିଳା ପଶିଗଲେ ସେ ରୁମ୍‌କୁ । ପଛେ ପଛେ ମୀରା, ବନ୍ଦନା ଯାଇ ଝରକା ଆଢ଼ୁଆଳରେ ରହି କୌତୂହଳରେ କଥାବାର୍ତ୍ତା ଶୁଣିଲେ ।

 

‘‘ଆପଣ ଶୀଲା ଦେବୀ !’’

 

‘‘ହଁ, ମୁଁ ତ ଆପଣଙ୍କୁ ଚିହ୍ନେନି । ଆପଣ ମତେ ଚିହ୍ନିଲେ କିପରି କୁହନ୍ତୁ ତ !’’

 

‘‘ଆମଭଳି ସ୍ତ୍ରୀଲୋକଙ୍କୁ ଖୁବ୍‌ କମ୍‌ ଲୋକ ଚିହ୍ନନ୍ତି, କିନ୍ତୁ ଆପଣଙ୍କ ଭଳି ନାମଜାଦା ଝିଅଙ୍କୁ ଅଧିକାଂଶ ଚିହ୍ନନ୍ତି । ଏଇଟା ହେଲା ଆପଣଙ୍କଠୁ ଆମର ତଫାତ୍‌ ।’’

 

‘‘ହୁଁ, ଭୂମିକାଟା ବେଶ୍‌ ଉଗ୍ର ହୋଇଯାଉଚି । କ’ଣ ଦରକାର ମୋ ପାଖରେ ଶୀଘ୍ର କହି ବିଦାୟ ନେଲେ ଭଲ ହୁଅନ୍ତା । ମୋର ଅନ୍ୟାନ୍ୟ କାମ ଅଛି ।’’

 

‘‘ଆପଣଙ୍କ ପାଖରେ ସାରାଦିନ ବସି ରହିବା ପାଇଁ ମୁଁ ଆସିନି । ଆପଣ ରମେଶ ବାବୁଙ୍କୁ ଚିହ୍ନନ୍ତି ?’’

 

‘‘କେଉଁ ରମେଶ ବାବୁଙ୍କ କଥା ଆପଣ ଜାଣିବାକୁ ଚାହାନ୍ତି ମୁଁ ଜାଣେନି । ତେବେ, ମୋର ଜଣେ ରମେଶ ବାବୁଙ୍କ ସହିତ ପରିଚୟ ଅଛି । ମୁଁ ତାଙ୍କ ସାଙ୍ଗରେ ପାର୍କରେ ଗୋଟିଏ ବେଞ୍ଚରେ ବସି ଚେନାଚୁର୍‌ ଖାଏ, ନଈରେ ଡଙ୍ଗାରେ ବୁଲେ, ପୁଣି ସିନେମା ଦେଖେ, କେବେ କେବେ ହୋଟେଲ୍‌ରେ ଡବଲ୍‌ ସିଟେଡ଼୍‌ କେବିନ୍‌ରେ ଚପ୍‌, କଟ୍‌ଲେଟ୍‌ ସାଙ୍ଗରେ ଟିକେ ଟିକେ ବିଅର୍‌ ବି ପିଏ ।’’

 

ଉଃ, ବନ୍ଦ କରନ୍ତୁ, କି ଜଘନ୍ୟ ସ୍ତ୍ରୀ ଲୋକ ଆପଣ କୁହନ୍ତୁ ତ ? ମୋ ସ୍ୱାମୀଙ୍କୁ ଆପଣ ଏତେ ତଳକୁ ଟାଣି ନେଇଛନ୍ତି, ଏତେ ନୀଚ୍ଚ, ଏତେ କଦର୍ଯ୍ୟ ପରିବେଶକୁ ।’’

 

‘‘ଓଃ, ସେ ତେବେ ଆପଣଙ୍କ ସ୍ୱାମୀ ! ଆଚ୍ଛା ପାରନ୍ତିନି ଆପଣ ଆପଣଙ୍କ ସ୍ୱାମୀଙ୍କୁ ଗୋଟେ ଲୁହା ଶିକୁଳିରେ ବାନ୍ଧି ଗୋଟେ ଘରେ ବନ୍ଦ କରି ରଖିବାକୁ ? ଲୋକଟା ବଡ଼ ବିରକ୍ତ କରେ ମତେ ।’’

 

‘‘ଲୁହା ଶିକୁଳିରେ ବାନ୍ଧିବାର ଶକ୍ତି ମୋର ନାହିଁ ଶୀଲା ଦେବୀ ! ହିନ୍ଦୁ ସ୍ତ୍ରୀ ମୁଁ, ସ୍ୱାମୀଙ୍କୁ ଦେବତାଙ୍କ ଭଳି ପୂଜା କରିଆସିଚି । ସବୁବେଳେ ତାଙ୍କ ଉପରେ ହୁକୁମ୍‌ ଚଳାଇବାକୁ ଯାଇନି, କାନ୍ଦିକାନ୍ଦି ସବୁ ସହି ନେଇଚି, କିନ୍ତୁ ସହିବାର ବି ସୀମା ଅଛି । ଆପଣଙ୍କୁ ସେ ବିରକ୍ତ କରନ୍ତି ବୋଲି କହିଲେ, କିନ୍ତୁ ତିନି ମାସ ହେଲାଣି, ପ୍ରତ୍ୟେକ ମାସର ଦରମା ଟଙ୍କାତକ ସେ ଆପଣଙ୍କୁ ଯେତେବେଳେ ଦେଇ ଦିଅନ୍ତି, ସେତେବେଳେ କାହିଁ ବିରକ୍ତ ହୁଅନ୍ତି ନି ? କାହିଁକି ବିରକ୍ତ ହୋଇ ଫେରେଇ ଦିଅନ୍ତି ନି ?’’

 

ହସି ହସି କହିଲା ଶୀଲା-

 

‘‘ଟଙ୍କା ? ଟଙ୍କା ଦବ ରମେଶ୍‌ ? ଛୁ, ସେ ଗୋଟେ କ’ଣ ଟଙ୍କା ? ମୋଠୁ ଯାହା କିଛି ସେ ଆଦାୟ କରେ ନା, ଟଙ୍କା ଦିଏ ସେ ତୁଳନାରେ କମ୍‌ । ଟଙ୍କା ଦିଅନ୍ତି କରନ୍‌ ସିଂ, ମିଃ ଅଜିତ୍‌, ଏମାନେ ।

 

ଓଃ, ସେମାନଙ୍କ ସାଙ୍ଗରେ ବୁଲିଲେ ପ୍ଲେଜର୍‌ ଅଛି । ଶହେ ଟଙ୍କା ନୋଟ୍‌ ଛଡ଼ା ତାଙ୍କ ମନି ବ୍ୟାଗରେ ଆଉ ଅନ୍ୟ ପ୍ରକାରର ନୋଟ୍‌ ଦେଖିବନି । ମନ ଇଚ୍ଛା ମନି ବ୍ୟାଗ୍‌ରୁ ଯେତେ ଖଣ୍ଡ ନେଇଗଲେ ଥରେ ବି ଆପତ୍ତି କରିବେନି । ବରଂ କହିବେ ଆହୁରି ନିଅ । ମୁଁ ଦୟାକରି ଖଣ୍ଡେ ଦିଖଣ୍ଡ ନୋଟ୍‌ ମନିବ୍ୟାଗ୍‌ରେ ରଖିଦିଏ । ଆଉ ରମେଶ୍‌ ! ବଡ଼ ଜୋର୍‌ କେମିତି ଖଣ୍ଡେ ଖଣ୍ଡେ ଶଢ଼ୀ ବା କିଛି ଟୟଲେଟ୍‌ ଜିନିଷ ଅବା ଫାଉଣ୍ଟେନ୍‌ ପେନ୍‌ ଦିଏ । ଚାରି ଛ’ ଥର କୋଲ୍‌ଡ଼ ଡ୍ରିଙ୍କ ଷ୍ଟଲ୍‌ରେ ଆଇସ୍‌କ୍ରିମ୍‌ ବା ଅନ୍ୟ କୋଉଠି ଡିନର୍‌, ଆଉ ମାସକରେ ସାତ ଆଠଟା ପିକ୍‌ଚର ଦେଖଉ ଦେଖଉ ସେ ଫତୁର୍‌ । ଆଉ ସେ ଦବ ଟଙ୍କା ! କୁହନ୍ତୁ ତ, ରୀତିମତ ବିରକ୍ତିକର ନୁହେଁ କି ?’’

 

ଭଦ୍ର ମହିଳା ରାଗରେ ଲାଲ ହୋଇଗଲେ ।

 

‘‘ମୋ ସ୍ୱାମୀଙ୍କ ବିଷୟରେ ମୁଁ ବିଶେଷ କିଛି ଶୁଣାଇବାକୁ ଚାହେନା । ସେଇ କେତେଟା ଟଙ୍କା, ଯାହା ଆପଣଙ୍କ ପାଖରେ ଖୁବ୍‌ ସାମାନ୍ୟ, ସେଇ ଟଙ୍କାକୁ ଆଗ୍ରହରେ ମାସ ସାରା ଚାହିଁ ରହିଥାଉ ମୁଁ ଓ ମୋର ତିନୋଟି ପିଲା । ତିନି ମାସ ହେଲାଣି । ଧାର୍‌ କରି, ଉପାସ ରହି ରହି ଆମେ ସମସ୍ତେ ଶେଷ ହେବାକୁ ବସିଲୁଣି । ଏଥର ଆପଣ ମୋ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତୁ ।’’

 

‘‘ମୁଁ ସିନା ଛାଡ଼ିଦେବି, କିନ୍ତୁ ସେ ମତେ ଛାଡ଼ିପାରିଲେ ତ ?’’ ଭଦ୍ରମହିଳା ସ୍ଥାଣୁ ପାଲଟି ଗଲେ । ସତେ ତ, ରମେଶ କଅଣ ଏ ରାକ୍ଷସୀର ମୋହ ଏତେ ଶୀଘ୍ର ଛାଡ଼ି ପାରିବ ?

 

କିଛି ସମୟ ରହି କହିଲେ ସେ,

 

‘‘ଆଚ୍ଛା ଶୀଲା ଦେବୀ, ଆପଣଙ୍କୁ ସେ ଏବେ ଗୋଟେ ସୁନାହାର ଦେଇଛନ୍ତି କି ?’’

 

‘‘ହ, ହଁ, କାଲି ତ ଦେଇଚି । କ’ଣ ହେଲା କୁହନ୍ତୁ ତ ? କ’ଣ କାହାଠୁ ଚୋରୀ କରି ଆଣିଚି ରମେଶ ? ସ୍କାଉଣ୍ଡ୍ରେଲ୍‌ ।’’

 

‘‘ନା, ନା, ଚୋରୀ ନୁହେଁ । ଛି, ଛି, ସେଇଟା ମୋର ହାର । ଦୁଇ ବର୍ଷ କାଳ ଟଙ୍କା ସଞ୍ଚି ସଞ୍ଚି ଏବେ ଛ’ମାସ ହେବ ସେ ହାରଟା ମୋ ପାଇଁ କରାଇଥିଲେ । ଅଭାବର ତାଡ଼ନାରେ ମୋର ସବୁ ଗହଣା ଯାଇଚି । ସମ୍ୱଳ ଭିତରେ ମୋର ସେଇ ହାରଟି । ଦୟାକରି ମତେ ସେଇଟା ଫେରେଇ ଦିଅନ୍ତୁ ।’’

 

‘‘ କିନ୍ତୁ ରମେଶ ତ ମତେ ସେ ହାରଟା ପ୍ରେଜେଣ୍ଟ କରିଚି । ସେଇଟା ତ ବର୍ତ୍ତମାନ ମୋର । ଆପଣଙ୍କୁ ଦେବି କାହିଁକି କୁହନ୍ତୁ ତ ?’’

 

‘‘ନା, ନା, ସେ ହାରଟା ଆପଣଙ୍କର ହୋଇପାରେ ନା । ସେ ହାରଟା ମୋର । ଦୟା କରନ୍ତୁ ମତେ, ମୁଁ ଭାରି ଗରିବ । ମୋର ଆଉ କିଛି ନାହିଁ, ଆପଣଙ୍କ ଗୋଡ଼ ଧରୁଚି; ଦୟାକରି ସେ ହାରଟା ମୋତେ ଦିଅନ୍ତୁ ।’’

 

ଝରକାବାଟେ ଦେଖିଲେ ବନ୍ଦନା ଓ ମୀରା, କାନ୍ଦି କାନ୍ଦି ଲୋଟି ଯାଉଛନ୍ତି ଭଦ୍ରମହିଳା ଶୀଲାର ଗୋଡ଼ ଧରି । ଆଉ ବିଦ୍ରୂପର ହସ ହସି ଚାହିଁ ରହିଚି ଶୀଲା । ମୀରା ଦୁମ୍‌ ଦୁମ୍‌ କରି ଘର ଭିତରକୁ ପଶିଗଲା । ଭଦ୍ରମହିଳାଙ୍କୁ ତଳୁ ଉଠେଇ ଖଟରେ ବସାଇଲା । ଆଉ କଠୋର କଣ୍ଠରେ କହିଲା ମୀରା,

 

‘‘ଶୀଲା ! ହାର କୋଉଠି ରଖିଚୁ, ଶୀଘ୍ର କହ ।’’

 

‘‘କାହିଁକି ?’’

 

‘‘ଯାହାର ଜିନିଷ ତାକୁ ଦେଇଦବା ଦରକାର୍‌ ।’’

 

‘‘ତମେମାନେ କାହିଁକି ମୋ affair ରେ ମୁଣ୍ଡ ଗଳଉଚ, ମୁଁ ତ ଆଦୌ ବୁଝି ପାରୁନି ।’’

 

‘‘ତୁ ନାରୀ ନୋହୁଁ ଶୀଲା, ତୋ ହୃଦୟରେ ନାରୀର କୋମଳତା ନାହିଁ । ଦୟା, ମାୟା ତୋର କିଛି ନାହିଁ । ଅଛି କେବଳ ବିଭତ୍ସତା, ଯାହାକି ତତେ ଧୀରେ ଧୀରେ ଟାଣି ନବ ନର୍କକୁଣ୍ଡକୁ । ନାରୀର ଦୁଃଖ ତୁ କୋଉଠୁ ବୁଝିବୁ । ରମେଶକୁ ତୁ ଛାଡ଼ି ଦେ ଶୀଲା । ରମେଶକୁ ଚାହିଁ ରହିଛନ୍ତି ଚାରୋଟି ଉଦାସ ମୁହଁ । ତାଙ୍କର ଶୁଖିଲା ମୁହଁରେ ହସ ଫୁଟାଇବାର ଶକ୍ତି କେବଳ ତୋର ଅଛି ଶୀଲା କେବଳ ତୋର ଅଛି । ପାରୁନା କି ତୁ ନିଜେ ଦୃଢ଼ ହୋଇ ରମେଶକୁ ମୁକ୍ତି ଦେବାକୁ ? ଜଣେ ଅସହାୟା ନାରୀ ତୋ ସାମନାରେ ମଥାପିଟି କାନ୍ଦି କାନ୍ଦି ତଳେ ଲୋଟି ଯାଉଚି, ତଥାପି ତୁ ନିର୍ବିକାର । ଧନ୍ୟ ତୋ ନାରୀ ଜୀବନ । ଧନ୍ୟ ତୋ ସର୍ବଗ୍ରାସୀ ନିଶା । ଏଥର କହ ତ ହାରଟା କୋଉଠି ରଖିଚୁ ?’’

 

ଡରି ଡରି ଶେଷ ଚେଷ୍ଟା କଲା ଶୀଲା ।

 

‘‘କହିବିନି, ଦେବିନି, ତୁ ଏଠୁ ଗଲୁ ।’’

 

ବନ୍ଦନା ମୁହଁରେ କ୍ରୋଧ ଓ ବିସ୍ମୟର ସ୍ପଷ୍ଟ ଆଭାସ । ମୀରା ବନ୍ଦନାର ହାତ ଧରି କହିଲା-

 

‘‘ବେଶ୍‌ ଚାଲ୍‌ ବନ୍ଦନା, ବାସନ୍ତୀଦିଙ୍କ ପାଖକୁ । ଶୀଲାର ସବୁକଥା ଆଜି କହିବା ବାସନ୍ତୀଦିଙ୍କୁ । ତୁ ଆଗରେ ଚାଲ୍‌ ବନ୍ଦନା, ରମେଶ୍‌ବାବୁଙ୍କ ସ୍ତ୍ରୀଙ୍କୁ ନେଇ ଶିଢି ପାଖରେ ଅପେକ୍ଷା କରିବୁ । ମୁଁ ଟିକେ ଶୀଲା ସାଙ୍ଗରେ କଥାବାର୍ତ୍ତା କରିନିଏଁ ।’’

 

ଚାଲିଗଲେ ବନ୍ଦନା ଓ ଭଦ୍ରମହିଳା ।

 

ଶୀଲା ଆଉ ମୀରା ମୁହାଁମୁହିଁ ଠିଆହେଲେ ।

 

‘‘ଦେଖ୍‌ ଶୀଲା, ଶେଷଥର ପାଇଁ କହୁଚି, ସେ ହାରଟା ଦବୁ କି ନାହିଁ ?’’

 

ଉତ୍ତର ଦେଲାନି ଶୀଲା, ସେମିତି ଠିଆ ହୋଇ ରହିଲା । ‘‘ବେଶ୍‌ ଠିକ୍‌ ଅଛି, ଯାଉଚି ମୁଁ ବାସନ୍ତୀଦିଙ୍କ ପାଖକୁ । ଅଫିମ ଚୋରା କାରବାରରେ ତୁ ଯେମିତି ହାତ ଖେଳଉଚୁ ନା ତାହା ସବୁ ମୁଁ ଜାଣେ, ଆଜି ସେ ସବୁ ବି ପ୍ରକାଶ କରିଦେବି । ଦୌଲତ୍‌ରାମ୍‌ର ଦୋକାନ୍‌କୁ ତୋର ଯାତାୟାତ, ସବୁ ମୁଁ ଜାଣେ ।’’

 

‘‘ଚମକି ଉଠିଲା ଶୀଲା । ମୀରା ଶୀଲାର ରୁମ୍‌ମେଟ୍‌ । ଶୀଲାର ସବୁକିଛି ମୀରାର ତୀକ୍ଷ୍‌ଣ ଚକ୍ଷୁରେ ପଡ଼େ । କିନ୍ତୁ ଏହା ଯେ ଅତି ଗୋପନୀୟ, ଅତି ମାରାତ୍ମକ । ଏ କଥା ମୀରା ଜାଣିଲା କିପରି ? ମୁହୂର୍ତ୍ତକରେ ଭାସି ଉଠିଲା ଆଖି ଆଗରେ ଜେଲ୍‌ଖାନାର ଉଚ୍ଚ ପ୍ରାଚୀର । ଥରି ଉଠିଲା ସେ । ଦଉଡ଼ିଯାଇ ବାଟ ଓଗାଳିଲା ସେ ମୀରାର ।

 

‘‘ମୀରା ! ଶୁଣ, ଶୁଣ । ମୋ ପ୍ରତି ଟିକେ ଦୟାକର । ମୁଁ ସେ ହାରଟା ଦେଇ ଦଉଚି, ନେଇଯା ।’’

 

ଅଟକି ରହିଲା ମୀରା, ଆଗରେ ଭୀତତ୍ରସ୍ତା ଶୀଲା । ଆଖିରେ ଅସହାୟ ଚାହାଣୀ । ଭାବିପାରିଲାନି ମୀରା ଏ କଅଣ ସେଇ ଶୀଲା ! ଯାହାର ଆଖିରେ ସବୁ ମୁହୂର୍ତ୍ତରେ ଭରି ରହିଥାଏ ବିଦ୍ରୂପ, ବେପରୁଆ ଗର୍ବିତ ଚାହାଣୀ ! ମନେ ମନେ ହସି ଡାକିଲା ବନ୍ଦନାକୁ । ବନ୍ଦନା ଓ ଭଦ୍ରମହିଳା ପାଖକୁ ଆସିଲେ । ଶୀଲା କଳା ଭ୍ୟାନିଟି ବେଗ୍‌ରୁ ହାରଟା ବାହାର କରି ଭଦ୍ରମହିଳାଙ୍କୁ ଦେଲା ।

 

‘‘ଧନ୍ୟବାଦ, କିନ୍ତୁ ମୋ ସ୍ୱାମୀଙ୍କୁ ଆପଣ-’’

 

‘‘ହଁ, ହଁ, ମୁକ୍ତି ଦେଲେ । କଅଣ କହୁଚୁ ଶୀଲା ?’’

 

 

ମୁହଁ ପୋତିଲା ଶୀଲା ।

 

‘‘ଦେଖ୍‌ ଶୀଲା, ଆଉ ଯଦି କେବେ ଭଦ୍ରମହିଳାଙ୍କଠୁ ଶୁଣେ ଯେ ପୁଣି କଳେ ବଳେ କୌଶଳେ ଦରମା ଟଙ୍କାତକ ଯଦି ଆଦାୟ କରି ନେଇଚୁ, ତେବେ ମୁଁ ଆଉ କ୍ଷମା କରି ପାରିବି ନି-।’’

 

‘‘ନା ମୀରା, ଆଉ କେବେ ମୁଁ ରମେଶ୍‌ବାବୁଙ୍କ ସାଥୀରେ ସମ୍ପର୍କ ରଖିବି ନି । ମୋ କଥା ତୁ ବିଶ୍ୱାସ କର ।’’

 

‘‘ବିଶ୍ୱାସ କଲି ।’’

 

ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇ ଭଦ୍ରମହିଳା ଚାଲିଗଲେ । ଶୀଲା ରୁମ୍‌ ଭିତରକୁ ପଶିଯାଇ ଭିତରୁ ଦୁଆର ବନ୍ଦ କଲା । ଆଉ ବାହାରେ ମୀରା, ବନ୍ଦନା ଠିଆ ହୋଇ ରହିଲେ ।

 

ସୁଜାତା ଛତା ଧରି ସ୍କୁଲକୁ ବାହାରୁଚି । ବସ୍‌ ଷ୍ଟପେଜ୍‌ ପର୍ଯ୍ୟନ୍ତ ଚାଲି ଯାଉଁ ଯାଉଁ ଅନୁଭବ କଲା, ପଛରେ ଜଣେ କେହି ତାକୁ ଅନୁସରଣ କରୁଚି । ପଛକୁ ଦୁଇଥର ଚାହିଁ ଦେଖିଲା, ଜଣେ ସ୍କର୍ଟ, ବ୍ଲାଉଜ୍‌ ପିନ୍ଧା ଅତି ଆଧୁନିକା ତରୁଣୀ । ସୁଜାତା ଚାହିଁଲେ, ତାକୁ ଯେପରି କଅଣ କହିବାକୁ ଚାହେଁ । ଆଶ୍ଚର୍ଯ୍ୟ ହେଲା ସେ, କାହିଁ ଏ ତରୁଣୀଙ୍କୁ ତ ସେ କୋଉଠି ଦେଖିଥିଲାପରି ମନେ ହୁଏ ନି ! ଧୀରେ ଧୀରେ ତରୁଣୀ ପାଖେଇ ଆସିଲେ ।

 

‘‘ସୁଜାତା ଦେବୀ ।’’ ଠିଆ ହୋଇଗଲା ସୁଜାତା । ‘‘ମତେ ଆପଣ ଚିହ୍ନନ୍ତି ? କାହିଁ, ମୁଁ ତ ଆପଣଙ୍କୁ କୋଉଠି ଦେଖିଥିଲା ପରି ମନେ ହେଉନି ?’’

 

‘‘ହଁ, ନିଶ୍ଚୟ ଦେଖିଛନ୍ତି; କିନ୍ତୁ ମନେ ରଖିନାହାନ୍ତି । ବିକାଶ ବାବୁଙ୍କ ଘରେ ମୀନାର ଜନ୍ମଦିନ ଆପଣଙ୍କ ସାଙ୍ଗରେ ଦେଖା ହୋଇଥିଲା । ମୁଁ ମୀନାର ବାନ୍ଧବୀ ଡେଜି !’’ ବିକାଶବାବୁଙ୍କ ଘର ! ସେ କେତେ ଦିନର କଥା ହେଲାଣି । ବିକାଶବାବୁ, ମୀନା କେମିତି ଅଛନ୍ତି କେଜାଣେ ? ସେ ଦିନ ସେ ଚାଲି ଆସିବା ପରେ ବୋଧହୁଏ ବିକାଶ, ମୀନା ଓ ତାର ବାନ୍ଧବୀମାନେ ତାକୁ ନେଇ ବେଶ୍‌ ବିଦ୍ରୂପ କରିଥିବେ । ଦେହଟା ଶୀତେଇ ଉଠିଲା । ‘‘ ଆପଣ ସେଦିନ ଚାଲି ଆସିବା ପରେ, ନା, ନା ସବୁ କିଛି ଏକେବାରେ dull ହୋଇଗଲା । ବିକାଶବାବୁଙ୍କଠୁଁ ଗାଳି ଖାଇ ଆମେମାନେ ଏକେବାରେ ଚୁପ୍‌ କରିଗଲୁ । ବିକାଶବାବୁ ସିଧା ଉପରକୁ ଯାଇ ଦୁଆର ବନ୍ଦକରି ଶୋଇ ରହିଲେ-। ଶୁଣିଲି, ସାରା ରାତି ସେମିତି ନ ଖାଇ ନ ପିଇ ଆରାମ୍‌ ଚୌକିରେ ଶୋଇ ସିଗାରେଟ୍‌ ଖାଇ ଖାଇ ରୀତିମତ ଅନିଦ୍ରା ରହି ରାତିଟା କଟେଇଲେ । ଆଉ ତାଙ୍କ ମା’ତ ସାଙ୍ଗେ ସାଙ୍ଗେ ବିଛଣାରେ ଶୋଇ ରହିଲେ । ସେ ବି ଖିଆପିଆ କରି ନାହାନ୍ତି । ସେ ଦିନଠୁ ଖୁବ୍‌ ଚୁପ୍‌ଚାପ୍‌ ହୋଇ ଯାଇଚନ୍ତି । ମୀନା ଏ ସବୁ ଦେଖି କାନ୍ଦ କାନ୍ଦ ହୋଇ ଯାଇଥିଲା । ତାର ସେ ଫୁର୍ତ୍ତି ଆଉ ନାହିଁ । ତା’ପରେ ଆମେମାନେ ଭୟରେ ଚାଲି ଆସିଥିଲୁ । ଆଉ ଯାଇନୁ । କାଲି ଫୋନ୍‌ କରିଥିଲି ମୀନାକୁ । ସେ କହିଲା, ‘‘ଭାଇଙ୍କ ମନ ଭଲ ନାହିଁ, ମା’ ବିଛଣାରେ ଶୋଇ ରହିଛନ୍ତି, ସେଥିପାଇଁ ମୋ ମନ ବି ଭଲ ଲାଗୁନି । ମୁଁ କୁଆଡ଼େ ଯିବିନି ।’’ ସୁଜାତା ଅନ୍ୟମନସ୍କ ହେଲା । ସୁଜାତା ସେଦିନ ଆସିବା ପରେ ତେବେ ଏତେ ଘଟଣା ଘଟି ଯାଇଚି । ଆଶ୍ଚର୍ଯ୍ୟ !

 

‘‘ରୋଜି ସେଦିନ ବଡ଼ ଭୁଲ୍‌କଥା ସବୁ କହିଗଲା । ସୁଜାତା ଦେବୀ ! ଆପଣ ତାହାରି କଥାକୁ ବିଶ୍ୱାସ କରି ଚାଲିଗଲେ ? ଆପଣ ତ ବିକାଶବାବୁଙ୍କୁ ଦେଖିଚନ୍ତି । କୁହନ୍ତୁ ତ, ସେ କଅଣ ସେମିତି ଲୋକ, ଯେ କି ଝିଅମାନଙ୍କୁ ନେଇ ଏଠିକି ସେଠିକି ଯାଆନ୍ତି ? ଏଇ ମୀନାର ଜନ୍ମଦିନରେ ଯାହା ସେ ଆମମାନଙ୍କ ସାଙ୍ଗରେ ମିଶନ୍ତି, ହସନ୍ତି, ତାସ ଖେଳନ୍ତି, ଏକାଠି ଖାଆନ୍ତି ଏତିକି ! ନହେଲେ ଅନ୍ୟଦିନ କେବେ ଥରେ ବି ଫେରି କରି ଚାହାଁନ୍ତି ନି । କେତେଥର ରୋଜି, ରଶ୍ମୀ, ଜବର୍‌ଦସ୍ତି ନଈକୂଳ, ସିନେମାକୁ ଯାଆନ୍ତି ତାଙ୍କ ସାଙ୍ଗରେ, ସେ କିନ୍ତୁ ନାନାଦି କୌଶଳ କରି ଖସି ଚାଲିଯାଆନ୍ତି । ସେଦିନ ସମସ୍ତେ ଈର୍ଷାରେ ଜଳି ଉଠିଥିଲେ ଆପଣଙ୍କୁ ଦେଖି । ସେଥିପାଇଁ ବନେଇ ଚୁନେଇ ମିଛ ସତ କହି ଆପଣଙ୍କ ମନକୁ ବିଷେଇ ଦେଇଥିଲେ । କିନ୍ତୁ ଆପଣ ବିକାଶବାବୁଙ୍କୁ ଭୁଲ୍‌ ବୁଝିବେନି । ଆରେ ଏଇ ଯେ, ବସ୍‌ ଆସିଗଲା ଉଠନ୍ତୁ ।’’

 

ତାହାପରେ ବସ୍‌ର ଆଗରେ ଲେଡ଼ିଜ୍‌ ସିଟ୍‌ରେ ବସିଲା ସୁଜାତା, ଆଉ ପଛରେ ଗୋଟେ ସିଟ୍‌ରେ ବସି ପଡ଼ିଲା ଡେଜି । ସୁଜାତାର କାନରେ ବସ୍‌ର ଘୁ ଘୁ ଶବ୍ଦଟା ଜୋରରେ ଶୁଣାଗଲା । କାନ ଚାରିପାଖରେ ଯେପରି ଅନେକଗୁଡ଼େ ମଟରଚକ ଏକାସାଙ୍ଗରେ ଘର୍‌ର୍‌ ଘର୍‌ର୍‌ ହୋଇ ଘୂରୁଚି ।

 

ଆଜି ବନ୍ଦନା ଅଫିସ୍‌ରେ ସିଲେକ୍‌ସନ୍‌ । ତିନି ଜଣ ଯାକ ଟ୍ରେନିଂ ପାଇ ସାରିଚନ୍ତି । ବନ୍ଦନା ଆଗ୍ରହରେ ଚାହିଁବସିଚି, କିଏ କେଉଁ ଡିପାର୍ଟମେଣ୍ଟରେ ରହିବ ! ଟିକକ ପରେ ପିଅନ୍‌ ଆସି ନୋଟିସ୍‌ ବୋର୍ଡ଼ରେ ନୋଟିସ୍‌ ଲଗେଇ ଦେଇଗଲା । ଆଗ୍ରହରେ ଧାଇଁଗଲେ ତିନିଜଣ ।

 

ଧୀରା ଆପଏଣ୍ଟମେଣ୍ଟ ପାଇଚି ଏକାଉଣ୍ଟସ୍‌ ସେକ୍‌ସନରେ । ଜ୍ୟୋତ୍ସା ଏଡ଼ଭର୍‌ଟାଇଜିଂ ସେକ୍‌ସନରେ ।

 

ଆଉ ବନ୍ଦନା !

 

ସେ ନିଯୁକ୍ତ ହୋଇଚି ବଡ଼ ସାହେବଙ୍କର ପ୍ରାଇଭେଟ୍‌ ଷ୍ଟେନୋଗ୍ରାଫର୍‌ ପଦରେ । ଚମକି ଉଠିଲା ବନ୍ଦନା, ଏ କଅଣ କଲେ ବଡ଼ ସାହେବ ! ନା, ନା, ସେ ଆଦୌ ପାରିବନି ଏ କାମ । ବଡ଼ ସାହେବଙ୍କର ପ୍ରାଇଭେଟ୍‌ ଷ୍ଟେନୋ ହୋଇ, ତାଙ୍କରି ରୁମ୍‌ ଭିତରେ ଦିନପରେ ଦିନ ବସିରହି ସେହି ଜ୍ୱଳନ୍ତ ଆଖି ଦିଟା ସାମ୍ନାରେ କାମ କରି ପାରିବନି । ମୁହଁ ଶୁଖେଇ ଚାଲିଗଲା ସେ ନିଜ ଚୌକିକୁ ।

 

‘‘କଂଗ୍ରାଚୁଲେଶନ୍‌ ବନ୍ଦନା, ଉଃ, କି ଲକ୍‌କି ତୁ ! କି ମଜା ତୋର ! ଫ୍ୟାନ୍‌ ତଳେ ବସି ରେଫ୍ରିଜରେଟର୍‌ରୁ ପାଣି ପିଇ ଥଣ୍ଡା ମନରେ କାମ କରି ପାରିବୁ । ଆଉ ଆମେ ? ଧେତ୍‌ ।’’

 

ଭାବିଲା ବନ୍ଦନା, ରେଫ୍ରିଜରେଟର୍‌ରୁ ପାଣି ପିଇ ମନ ଥଣ୍ଡା କରିବ ! ଆଖି ଆଗରେ ଯେଉଁ ଜ୍ୱଳନ୍ତ ଅଗ୍ନିକୁଣ୍ଡ, ତା’ରି ଆଗରେ ବସିରହି ମନକୁ ଥଣ୍ଡା କରି ପାରିବ ତ ?

 

ଚପରାଶୀ ଆସି ଡାକିଲା, ଆପଣ ତିନି ଜଣଙ୍କୁ ସାହେବ୍‌ ଡାକୁଛନ୍ତି ।

 

ଜ୍ୟୋତ୍ସ୍ନା, ଧୀରା ଚଞ୍ଚଳ ହୋଇ ଉଠିଲେ । ବନ୍ଦନାକୁ ଡାକି ସାହେବଙ୍କ ରୁମ୍‌କୁ ଗଲେ । ମିଃ ରାୟ ଉଠିଯିବାକୁ ବାହାରୁଥିଲେ । କହିଲେ–

 

‘‘ତୁମେମାନେ ତୁମର ନୂଆ କାମ ପାଇ ଖୁସି ହୋଇଚ ତ ?’’

 

‘‘ହଁ ସାର୍‌ ।’’ କେବଳ ଉତ୍ତର ଦେଇ ନ ଥିଲା ବନ୍ଦନା । ତଳକୁ ମୁହଁ ପୋତି ରହିଥିଲା । ତାକୁ ଆଡ଼ ଚକ୍ଷୁରେ ଟିକେ ଦେଖି ନେଇ କହିଲେ ମିଃ ରାୟ-

 

‘‘ବନ୍ଦନା, ତୁମେ କ’ଣ ଭାବୁଚ ? ଖୁସି ହେଇନ ତୁମ ନୂଆ ଚାକିରୀରେ !’’

 

ସେମିତି ତଳକୁ ମୁହଁ ପୋତି ଉତ୍ତର ଦେଲା ବନ୍ଦନା-

 

‘‘ମୁଁ ପାରିବିନି ସାର୍‌, ଏ କାମ ମୋ ଦ୍ୱାରା ଆଦୌ ହେଇ ପାରିବନି !’’

 

‘‘ଆରେ, ପ୍ରଥମରୁ ଏତେ ଭୟ ପାଇଲେ ଚଳିବ ନା ! ମାସେ ଖଣ୍ଡେ ଦେଖ, ଯଦି ନ ପାରିବ, ପଛେ ଦେଖାଯିବ । କାଲିଠୁ ସମସ୍ତେ ନୂଆ କାମରେ ଜଏନ୍‌ କରିବ । ଜ୍ୟୋତ୍ସ୍ନା ! ତୁମେ ସୁଦର୍ଶନ ବାବୁଙ୍କଠୁ କାମ ବୁଝିନେବ, ଆଉ ଧୀରା ତୁମେ ଦେବବ୍ରତଠୁ ବୁଝିବ । ଆଉ ବନ୍ଦନା ! ତୁମର ଟେବୁଲ୍‌, ଚୌକି ମୁଁ କାଲି ଏଇଠିକି ଅଣେଇ ନେବି । ଆଚ୍ଛା, ଏଥର ମୁଁ ଯାଏ । ଆଜି ପୁଣି ଗୋଟିଏ ପାର୍ଟି ଅଛି ।’’

 

ସମସ୍ତେ କହି ଉଠିଲେ, ‘‘ଗୁଡ଼୍‌ ଇଭିନିଂ ସାର୍‌ ।’’

 

ମାତ୍ର ବନ୍ଦନା ଚୁପ୍‌ ରହିଲା ।

 

‘‘ଗୁଡ଼୍‌ ଇଭିନିଂ’’ କହି ମିଃ ରାୟ ଚାଲିଗଲେ ।

 

ହଷ୍ଟେଲ୍‌କୁ ନୂଆ ହୋଇ ଆସିଚି ଗୋଟିଏ ଝିଅ । ରୁମ୍‌ ନଂ ୪ ରେ ରୁହେ । ମୀରାର ରୁମ୍‌ମେଟ୍‌ । ନାଁ ତାର ଇନ୍ଦୁ । ଅଳ୍ପ କେତେଟା ଦିନରେ ମୀରା ସାଙ୍ଗରେ ବେଶ୍‌ ଆଳାପ ହୋଇଯାଇଚି । ଗୋଟିଏ ପ୍ରାଇଭେଟ୍‌ ଡାଏରୀ ଫାର୍ମରେ କିରାନୀ । ସେଦିନ କଥାବାର୍ତ୍ତା କରୁଥିଲେ ସେମାନେ ।

 

‘‘ଇନ୍ଦୁ ! ତୁମେ ତ ଚାକିରୀ କରିବାକୁ ଆସିଲ, କେମିତି ଲାଗୁଚି ସବୁ କୁହ ତ ?’’

 

‘‘ସତେ ମୀରା, ମତେ ବେଶ୍‌ ଭଲ ଲାଗୁଚି । ମୋ ଭାଗ୍ୟକୁ ବଡ଼ ସାହେବ ହେଉଚନ୍ତି ଅତି ଭଲ ଲୋକ । ହିନ୍ଦୁସ୍ଥାନୀ ଲୋକ ହେଲେ କଅଣ ହେବ ମିଃ ଶର୍ମା କିନ୍ତୁ ଭଲ ଲୋକ । ତାଙ୍କର ଝିଅ ଉଷା ସାଙ୍ଗରେ ମୋର ବେଶ୍‌ ବନ୍ଧୁତ୍ୱ ହୋଇଯାଇଚି । ଅଫିସ୍‌ ଛୁଟି ପରେ ତାଙ୍କ ଘରକୁ ଯାଇ ଚା, ଜଳଖିଆ ନ ଖାଇ ଦିନେ ଚାଲି ଆସି ହେବନି । ମତେ ତ ବେଶ୍‌ ଲାଗୁଚି । ଏମିତି ଶାନ୍ତିରେ ସାରା ଜୀବନଟା କଟିଗଲେ ନା, ଆଉ ଭାବନା କଅଣ ?’’

 

‘‘ସାରା ଜୀବନଟା ଏମିତି କାଟିବ ? କାହିଁକି ତୁମେ କଅଣ ଆଦୌ ବିବାହ କରିବ ନି ନା କଅଣ ?’’

 

‘‘ବିବାହ, କାହିଁକି, କଅଣ ଭାରୀ ଦରକାରୀ ସେଟା ଜୀବନ ବିତାଇବା ପାଇଁ ?’’

 

‘‘ନାଁ ଦରକାରୀ ନୁହେଁ, ତେବେ ବିବାହ ତ ପୁଣି ପ୍ରାୟ ସମସ୍ତେ କରନ୍ତି !’’

 

‘‘ବିବାହ ଜିନିଷଟା ଉପରୁ ମୋହ ମୋର ଚାଲିଯାଇଚି ।’’

 

‘‘କଅଣ କହୁଚ ତୁମେ ?’’

 

‘‘ହଁ ମୀରା, ଦିନ ଥିଲା ଯେତେବେଳେ ମୁଁ ନିଜକୁ ବିବାହ ପାଇଁ ପ୍ରସ୍ତୁତ କରୁଥିଲି, କିନ୍ତୁ ଆଜି ଆଉ ସେ ଦିନ ନାହିଁ-’’

 

ଅତୀତର ଦିନଗୁଡ଼ା ଆଖି ଆଗରେ ସ୍ପଷ୍ଟ ହୋଇ ଉଠିଲା ।

 

ଗାଁରେ ରହୁଥାଏ ସେ । ସୁବର୍ଣ୍ଣପୁର ଗାଁଟି ନାଁ । କ୍ଲାସ୍‌ ଟେନ୍‌ରେ ପଢ଼ୁଥାଏ ସେ ସେଇ ଗାଁ ସ୍କୁଲରେ । ସେଦିନ ସ୍କୁଲରୁ ଫେରି ସଜବାଜ ହୋଇ ଅପେକ୍ଷା କରିବାକୁ ହେଲା । କୁମାରୀ ଜୀବନରେ ତା’ର ଏହା କିଛି ନୂଆ ନୁହେଁ । ତଥାପି ମନଟା ବିଷେଇ ଉଠିଲା । ଝିଅ ଜନ୍ମ କଅଣ ଏଇଥିପାଇଁ ? ଥରକୁ ଥର ବେଶ ହେବାକୁ ପଡ଼ିବ, ଭଲକରି ମୁଣ୍ଡ ବାନ୍ଧି ସାଇପଡ଼ିଶାରୁ ଧାରକରି ଆଣିଥିବା ପ୍ରସାଧନ ସାମଗ୍ରୀରେ ଯଥାସାଧ୍ୟ ନିଜର ସୌନ୍ଦର୍ଯ୍ୟ ବର୍ଦ୍ଧିତ କରି ଅଜଣା ଲୋକମାନଙ୍କ ଆଗରେ ନିଜର ଯୋଗ୍ୟତା ବୁଝାଇଦେବା, ନାନା ରକମର ପ୍ରଶ୍ନବାଣରେ ବିଦ୍ଧ ହେବା, ପୁଣି କିଛି ଦିନପରେ ‘ନିଷେଧ ଆଜ୍ଞା’ ଆସିବା-ଏ ତ ଦେହସୁହା ହୋଇ ଗଲାଣି । ମଣିଷ ଗରିବ ହୋଇପାରେ, କୁତ୍ସିତ ହୋଇପାରେ ତଥାପି ଥରକୁ ଥର ଅଚିହ୍ନା, ଅଜଣା ଲୋକମାନଙ୍କଠାରୁ ଅପମାନିତ ହେବା ପାଇଁ ଆଗ୍ରହରେ ପ୍ରସ୍ତୁତ ହେବା ଯେ କେତେଦୂର ଉଚିତ, ଇନ୍ଦୁର କଅଁଳ ମନ ଠିକ୍‌ କରିପାରେନା ।

 

ଏଥରକର କଥା କିନ୍ତୁ ଅଲଗା । ସବୁଥର ଆସନ୍ତି, ପାତ୍ରର ପିତା, ମାମୁଁ, ଗୁରୁଜନ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ । ଏଥର କିନ୍ତୁ ଆସିବେ ପାତ୍ର ନିଜେ, କେତେକ ବନ୍ଧୁଙ୍କ ସହ । ସେଇଥିପାଇଁ କମ୍ପିତ ହୃଦୟରେ ବସି ମନେ ମନେ ପ୍ରଶ୍ନ ଉତ୍ତର ସବୁ ସଜାଡ଼ି ରଖୁଥାଏ ଇନ୍ଦୁ ।

 

କିନ୍ତୁ ମଫସଲର ଝିଅ ସେ । ଆଜିକାଲିର ଆଧୁନିକ ଯୁବକମାନଙ୍କର ମନର ଆକାଂକ୍ଷା ସେ ବା ଜାଣିବ କିପରି ? ତେବେ ଇନ୍ଦୁ ବି ପାଠ ପଢ଼ିଚି । ଆସନ୍ତା ବର୍ଷକୁ ମ୍ୟାଟ୍ରିକ ଦେବ । ଦେଖିବାକୁ ବର୍ଣ୍ଣ ଶ୍ୟାମଳ । ହେଲେ କ’ଣ ହେବ, ନାକ, ଆଖି ତାର ସୁନ୍ଦର କହିବାକୁ ହେବ । ତଥାପି ବିବାହ ବଜାରରେ ତା ପାଇଁ ପାତ୍ର ମିଳିବା ଦୂରୁହ । ସମସ୍ତଙ୍କର ଏକ ଜବାବ୍‌ । ଇନ୍ଦୁର ରଙ୍ଗ କଳା ।

 

ସନ୍ଧ୍ୟାବେଳକୁ ସମସ୍ତେ ଆସିଗଲେ । ପାତ୍ରଟି ବି. ଏ ଫେଲ । ସେକ୍ରେଟେରୀଏଟ୍‌ରେ କିରାନୀ । ଦରମା ମାସକୁ ଟ ୧୫୦.୦୦ । ସମ୍ପତ୍ତି ମଧ୍ୟରେ କେବଳ ଗାଁରେ ଅଛି ପୁରୁଣା ଘରଟିଏ । ସବୁ ଶୁଣି ଇନ୍ଦୁ କେବଳ ହସିଚି । ଏପରି ଗୋଟିଏ ପାତ୍ର ଯେ ତା ପାଇଁ ଠିକ୍‌ ହୋଇପାରେ, ଏହା ସେ କଳ୍ପନାରେ ବି ଭାବିନି । କିନ୍ତୁ ବର୍ଣ୍ଣ ତାର କଳା । ସବୁ ଅତ୍ୟାଚାର ତାକୁ ସହିବାକୁ ହିଁ ହେବ ।

 

ବଡ଼ ଭାଇଙ୍କର ସାଙ୍ଗରେ ସେ ଆସିଲା ଦାଣ୍ଡ ଘରକୁ । ନାନାଦି ପ୍ରଶ୍ନ ଉତ୍ତର ମଧ୍ୟଦେଇ ଇନ୍ଦୁ ଭଦ୍ରଲୋକଙ୍କୁ ଭଲଭାବରେ ଥରେ ଦେଖିନେଲା । ଅତି ଦୁର୍ବଳ, ବର୍ଣ୍ଣ ଶ୍ୟାମଳ, ମୁହଁଯାକ ବ୍ରଣ ଭର୍ତ୍ତି । ଆଖି ଦୁଇଟା ତଳେ କଳା କଳା ଦାଗ । ରୀତିମତ କଦର୍ଯ୍ୟ । ଶିହରୀ ଉଠିଲା ଇନ୍ଦୁ ।

 

ସେମାନେ ବିଦାୟ ନେଇ ଯିବାର ଦୁଇଦିନ ପରେ ଆସିଲା ଚିଠି ପାତ୍ରଙ୍କ ବାପାଙ୍କଠାରୁ-। ଝିଅର ବର୍ଣ୍ଣ କଳା ହୋଇଥିବାରୁ, ଟ୩୦୦୦.୦୦ ନଗଦ ଓ ତା ସାଙ୍ଗରେ ଘଣ୍ଟା, ସାଇକେଲ୍‌, ଗହଣା ଇତ୍ୟାଦି ସର୍ବମୋଟ ଟ ୮୦୦୦.୦୦ ନ ଦେଲେ ବିବାହ ଅସମ୍ଭବ ।

 

ଆଠ ହଜାର !

 

ଝିଅପାଇଁ ଟଙ୍କା ସଞ୍ଚୟ କରୁଥିଲେ ବି’ ଅତି ବେଶୀରେ ସେ ଟ୨୫୦୦.୦୦ ରଖିଥିବେ । ଜମି, ବାଡ଼ି, ଗହଣା ବିକି କୌଣସି ମତେ ଟ୫୦୦୦.୦୦ ପର୍ଯ୍ୟନ୍ତ ଯାଇ ପାରନ୍ତି, ପୁଣି ବାହାଘର ଭୋଜି ଇତ୍ୟାଦି ଅଛି । କିନ୍ତୁ ତାହାଠାରୁ ଅଧିକ ଆଦୌ ଦେଇ ପାରିବେନି । ସେଇ ବିଷୟ ଲେଖିଥିଲେ ସେ ବହୁତ ଅନୁନୟ ବିନୟ କରି, ଟ୫୦୦୦.୦୦ ମଧ୍ୟରେ ରାଜି ହୋଇଯିବାକୁ । ଉତ୍ତର ଆସିଲା, ବିବାହ ସେମାନେ ଅନ୍ୟ ଜାଗାରେ ଠିକ୍‌ କରି ସାରିଚନ୍ତି, ନଗଦ୍‌ ସେମାନେ ପାଉଚନ୍ତି ଟ୪୦୦୦.୦୦ ।

 

ଚିଠି ଖଣ୍ଡିକ ହାତରେ ଧରି ବସିପଡ଼ିଲେ ଇନ୍ଦୁର ବାବା ବୃଦ୍ଧ ଜାନକୀ ବାବୁ । ଆଖିରୁ ବହି ଯାଉଥାଏ ଲୁହର ଧାର । ତେବେ କ’ଣ ଇନ୍ଦୁର ବିବାହ ହୋଇ ପାରିବ ନି ?

 

ଦିନେ କିନ୍ତୁ କାହାପାଇଁ ଅପେକ୍ଷା କରେନି । ଇନ୍ଦୁ ମ୍ୟାଟ୍ରିକ୍‌ ପାଶକରି କଟକରେ ହଷ୍ଟେଲ୍‌ରେ ରହି ଆଇ. ଏ. ପଢ଼ିଲା । ମା ବିବାହ ପାଇଁ ବ୍ୟସ୍ତ ହେଲେ ଇନ୍ଦୁ କହେ-

 

‘‘ଏତେ ଟଙ୍କା ଖର୍ଚ୍ଚ କରି ଝିଅକୁ ଦୁଃଖ ଦାରିଦ୍ର୍ୟର ମଝିକୁ ଠେଲି ଦେବା କ’ଣ ଦରକାର-। ପାଠ ପଢ଼ି ଚାକିରୀ କଲେ ମୁଁ ଆହୁରି ଖୁସିରେ ରହିବି ।’’ ଦୀର୍ଘଶ୍ୱାସ ପକାଇ ମା ଚୁପ୍‌ ରହନ୍ତି ।

 

ବି. ଏ. ପାଶ୍‌ କଲା ପରେ ତା ବଡ଼ ଭାଇଙ୍କର ଜଣେ ବନ୍ଧୁ ଇନ୍ଦୁ ପାଇଁ ମିଃ ଶର୍ମାଙ୍କର ପ୍ରାଇଭେଟ୍‌ ଡାଏରୀ ଫାର୍ମରେ ଚାକିରୀଟା ବୁଝି କରାଇ ଦେଇଥିଲେ । ଦୁଇ ମାସ ଟାଇପିଂ ଆଉ ସର୍ଟହେଣ୍ଡ ଟ୍ରେନିଂ ନେବା ପରେ ଟାଇପିଷ୍ଟ ହୋଇ ଚାକିରୀରେ ଜଏନ୍‌ କରିଚି । ମିଃ ଶର୍ମା ଖୁବ୍‌ ସ୍ନେହ କରନ୍ତି ତାକୁ, ବେଶ୍‌ ଆନନ୍ଦରେ ଅଛି ଇନ୍ଦୁ ।

 

ସବୁ ଶୁଣି ମୀରା ଲକ୍ଷ୍ୟ କଲା ଇନ୍ଦୁକୁ । ସତେ ତ, ମୁହଁଟା ତା’ର ବେଶ୍‌ ପ୍ରଫୁଲ୍ଲ ଦିଶୁଚି । କଳା କଳା ଆଖି ଦୁଇଟିରେ ଭରି ରହିଛି ତୃପ୍ତି ଓ ଆନନ୍ଦ । ଦେହ, ମନ ସବୁ ସତେଜ ହୋଇ ଉଠିଚି-। ଆଉ ଏଇ ଇନ୍ଦୁ ଯଦି ବିବାହ କରିଥାନ୍ତା ସେଇ କିରାନୀକୁ, ତେବେ ? ସେ କ’ଣ ଏଇକ୍ଷଣି ଏମିତି ସୁଖୀ ହୋଇ ପାରିଥାନ୍ତା । ହୁଏତ ଏଇନେ ତାକୁ ଦୁଇ ତିନୋଟି ରୁଗ୍‌ଣ, ଦୁର୍ବଳ ପିଲାଙ୍କୁ ନେଇ, ଚିରା ଲୁଗା ସିଲେଇ କରି ପିନ୍ଧି ହାତରେ ରୋଷେଇ କରି, ବାସନମାଜି, ଅଭାବ ଅନାଟନ ଭିତରେ ଦିନ କଟେଇ ଦେବାକୁ ହେଇଥାନ୍ତା ।

 

କେତେ ରାତି ହେଲାଣି କେଜାଣି ? ସମସ୍ତେ ଶୋଇ ପଡ଼ିଲେଣି । ସବୁଆଡ଼ ନିଃଶବ୍ଦ । ବନ୍ଦନା ରୁମ୍‌ରେ କିନ୍ତୁ ଆଲୁଅ ଜଳୁଚି । ପାଖରେ ସୁଜାତା ଶୋଇ ପଡ଼ିଚି । ଏକାକୀ ବସି ରହି ବନ୍ଦନା ଖଣ୍ଡେ ଚିଠି ପଢ଼ୁଛି । ଚିଠି ଦେଇଚି ସ୍ମିତା । ସ୍ମିତା ତାର ବନ୍ଧୁ । ବେଶ୍‌ ଅନ୍ତରଙ୍ଗ । ବନ୍ଦନାର ସ୍ମିତା ସାଥିରେ ବନ୍ଧୁତ୍ୱ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ସ୍ମିତା ଖୁବ୍‌ ବଡ଼ ଲୋକର ଝିଅ । ଖୁବ୍‌ ଷ୍ଟାଇଲରେ ଥାଏ । ଆଉ ବନ୍ଦନା ଗରିବ, ଅତି ସାଧାରଣ । କିନ୍ତୁ ବନ୍ଧୁତ୍ୱ ବେଶୀ । କେତେ ଦିନ ହେଲାଣି ଦେଖା ହେଉନି ତା ସାଙ୍ଗରେ । ଶୁଣିଥିଲା ସ୍ମିତା ଦାର୍ଜିଲିଂ ଯାଇଚି ବୁଲିବାକୁ । ସବୁ ହିଲ୍‌ ଷ୍ଟେସନ ବୁଲି ବୁଲି ଦେଖିବା ସ୍ମିତାର ବଡ଼ ସଉକ । ତାଙ୍କର ଅଭାବ ତ ନାହିଁ । ଖାଲି ବାହାରି ପଡ଼ିଲେଇ ହେଲା । ବେଶ୍‌ ଆରାମରେ ଥାଏ ସ୍ମିତା ।

 

ସେଇ ସ୍ମିତା ଚିଠି ଲେଖିଚି ଦାର୍ଜିଲିଂରୁ । ଦାର୍ଜିଲିଂର ସବୁ କଥା ଲେଖିଚି । ସେଇଠି ତା’ରି ଜୀବନରେ ଆସିଚି ସଞ୍ଜୟ । ସେଇ ସବୁ କଥା ଲେଖି ଲେଖିଛି ଗୋଟାଏ ବିରାଟ ଚିଠି । ବନ୍ଦନା ପଢ଼ୁଚି ଆଉ ଭାବୁଚି ସ୍ମିତାର କଥା-

 

ଦାର୍ଜିଲିଂର ଚୌରାସ୍ତା-ସନ୍ଧ୍ୟାର ଧୂସର ଛାୟା ଧୀରେ ଧୀରେ ନଇଁ ଆସିବା ସଙ୍ଗେ ସଙ୍ଗେ ଲୋକ ଗହଳିରେ ପୂର୍ଣ୍ଣ ହେଇ ଉଠିଲା ଚୌରାସ୍ତା । ଚାରିଟି ରାସ୍ତାର ମିଳନ ସ୍ଥଳ, କିନ୍ତୁ ଏଟା ଠିକ୍‌ ଛକ ଭଳି ନୁହେଁ, ବରଂ ଗୋଟିଏ ପାର୍କ ପରି ଜାଗା । ରାସ୍ତା କଡ଼ରେ ଧାଡ଼ି ଧାଡ଼ି ହେଇ ବେଞ୍ଚ ପଡ଼ିଛି । ସନ୍ଧ୍ୟା ହେବା ମାତ୍ରେ ଏଇଠି ଭିଡ଼ ଜମିଉଠେ । ହିନ୍ଦୁ, ବୌଦ୍ଧ, ମୁସଲମାନ, ଖ୍ରୀଷ୍ଟିଆନ ସବୁ ଧର୍ମାବଲମ୍ୱୀ ଲୋକଙ୍କର ସତେ କି ଏହା ଏକ ମିଳନ ସ୍ଥଳ । ଆନନ୍ଦ ମୁଖରିତ ଏଇ ସ୍ଥାନଟି ପ୍ରକୃତରେ ଉପଭୋଗ୍ୟ । ଏଇ ଜାଗାଟିକୁ ମଲ୍‌ବି’ କୁହନ୍ତି । ଏଇଠୁ ଅସ୍ତଗାମୀ ସୂର୍ଯ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରି ହୁଏ ।

 

ସେଦିନ ମଲର ଦି’ ପଟରେ ପଡ଼ିଥିବା ଲୁହାର ବେଞ୍ଚଗୁଡ଼ିକ ଭରିଯାଇଚି । ବସିବାକୁ କେଉଁଠି ହେଲେ ଜାଗା ନାହିଁ । ବ୍ୟସ୍ତ ହେଇ ଉଠିଲା ସ୍ମିତା । ଆଜି ବି ଡେରି ହେଇ ଯାଇଚି । ପାହାଡ଼ିଆ ରାସ୍ତାରେ ଏଭରେଷ୍ଟ ହୋଟେଲରୁ ମଲ ପର୍ଯ୍ୟନ୍ତ ଆସି ଗୋଡ଼ ଦିଟା କଟ୍‌ କଟ୍ ହେଉଚି-। ସବୁ ରାଗ ଯାଇ ପଡ଼ିଲା ବାପାଙ୍କ ଉପରେ । ତାଙ୍କରି ପାଇଁ ସିନା ତା’ରି ସବୁଦିନ ଏତେ ଡେରି !

 

‘‘କ’ଣ ସ୍ମିତା, ଜାଗା ନାହିଁ ?’’ ନରେନ୍ଦ୍ରବାବୁ ପଚାରିଲେ ।

 

‘‘ନା’’ ବିରକ୍ତିଭରା କଣ୍ଠରେ ଜବାବ ଦେଲା ସ୍ମିତା ।

 

‘‘ନରେନ୍ଦ୍ରବାବୁ’’ ଦୂରରୁ କେହି ଜଣେ ଡାକୁଚି ।

 

ଚମକି ପଡ଼ି ଦୁଇଜଣଯାକ ଚାହିଁଲେ ।

 

‘‘ଆରେ, ମାନସବାବୁ ଯେ’’ ନରେନ୍ଦ୍ରବାବୁ ସ୍ମିତାର ହାତ ଧରି ଭିଡ଼ିବାକୁ ଆରମ୍ଭ କଲେ ।

 

ନିସ୍ତେଜ ହେଇଗଲା ସ୍ମିତା । ସତେ ଯେମିତି ଦେହରୁ ତାର ଜୀବନୀଶକ୍ତି ଧୀରେ ଧୀରେ ଚାଲି ଯାଉଚି । ସୁଦୂର ଦାର୍ଜିଲିଂ ପର୍ଯ୍ୟନ୍ତ ତେବେ ଏମାନେ ଚାଲି ଆସିଚନ୍ତି ସ୍ମିତାକୁ ଅନୁସରଣ କରି-! କିନ୍ତୁ ଭାବିବାର ସମୟ ନାହିଁ । ନରେନ୍ଦ୍ରବାବୁ ଟାଣି ଟାଣି ତାକୁ ଗୋଟିଏ ବେଞ୍ଚ ପାଖକୁ ନେଇ ଆସିଲେଣି ।

 

ଆଗରେ ମିଃ ଓ ମିସେସ୍‌ ପଟ୍ଟନାୟକ !

 

ଅଳ୍ପ ହସି ନମସ୍କାର କଲା ସ୍ମିତା । ଆନନ୍ଦରେ ଜାନକୀ ଦେବୀ ତା ପିଠିରେ ହାତ ବୁଲାଇଲେ । ମାନସବାବୁ, ନରେନ୍ଦ୍ରବାବୁ ଗପ କରି କରି ଦୂରକୁ ଚାଲିଗଲେ ।

 

‘‘ବସ ସ୍ମିତା, ଏଇଠି ବେଶ୍‌ ଜାଗା ହେବ ।’’ ଅସହାୟ ଭାବରେ ସେ ବସିପଡ଼ିଲା ଜାନକୀ ଦେବୀଙ୍କ ପାଖରେ ।

 

‘‘ଆପଣ କେବେ ଆସିଲେ ମାଉସୀ ?’’

 

‘‘କାଲି ରାତିରେ ଆସିଲୁ । ସଞ୍ଜୟ ପୁନାରୁ ଆସି ପହଞ୍ଚିଲା ବେଳକୁ ଆମେ ଶୁଣିଲୁ ଯେ ତୁମେମାନେ ଦାର୍ଜିଲିଂ ଆସିଚ । ସେଇଠୁ ଆମେ ବି ଠିକ୍‌ କଲୁ ଏଠିକି ଆସିବାକୁ । କଟକରେ ଯୋଉ ଗରମ ! ସଞ୍ଜୟ ଏଥର ଭାରୀ ଗମ୍ଭୀର ହେଇଯାଇଚି । ସବୁଥିରେ କିପରି ଗୋଟିଏ ମନମରା ଭାବ । ଏଠିକି ଆସି ବି ସବୁବେଳେ ବହିପତ୍ର ନେଇ ଏମିତି ବ୍ୟସ୍ତ ରହୁଚି ଯେ, ତା ମୁହଁରୁ କଥାପଦେ ବି ଶୁଣାଯାଉନି !’’ ବ୍ୟଥାରେ ଭରି ଉଠିଲା ମୁହଁ । ସ୍ମିତା ମୁହଁ ଟେକି ଚାହିଁଲା । ଜାନକୀ ଦେବୀ ଉଲ୍‌ ବୁଣି ଯାଉଚନ୍ତି, ପ୍ଲାଷ୍ଟିକ୍‌ ବାସ୍କେଟ୍‌ ଭିତରେ ଉଲ୍‌ ବଣ୍ଡିଲ୍‌ଟା ଧୀରେ ଧୀରେ ଖୋଲି ଯାଉଚି । ସ୍ମିତା ଚୁପ୍‌ ହେଇଗଲା ।

 

ଦୂରରୁ ଆସୁଚି ସଞ୍ଜୟ । ଦେହରେ ଦାମୀ ଟେରିଲିନ୍‌ ସାର୍ଟ, ଟ୍ରପିକାଲ୍‌ ଟ୍ରାଉଜର୍‌, ଉଲେନ୍‌ ପୁଲଓଭର୍‌ ବମ୍ୱେ ଷ୍ଟାଇଲ୍‌ରେ ପିଠିରେ ପକେଇ ଆଗପଟେ ବନ୍ଧା ହେଇଚି । ସୁନ୍ଦର ଚେହେରା । ବିଚଳିତ ହେଲା ସ୍ମିତା । ଏଇ ସଞ୍ଚୟ ! ଏତେ ସୁନ୍ଦର ! ଏତେ ଲୋଭନୀୟ ।

 

ରାସ୍ତା ପାଖ ଷ୍ଟେସନାରୀ ଦୋକାନମାନଙ୍କରେ ଆଲୁଅ ଜଳି ଉଠିଲାଣି । ମନମତାଣିଆ ନିଅନ୍‌ ଲାଇଟର ସ୍ୱଚ୍ଛ ଆଲୋକ ! ଧୀରେ ଧୀରେ କୁହୁଡ଼ି ମାଡ଼ି ଆସୁଚି । ଚାରିଆଡ଼ ଅସ୍ପଷ୍ଟ ହେଇ ଉଠିଲାଣି । ସ୍ମିତା ଉଠି ଠିଆ ହେଲା ।

 

ସଞ୍ଜୟକୁ ଦେଖି ଜାନକୀ ଦେବୀ ଖୁସି ହେଇ କହିଲେ-

 

‘‘ସଞ୍ଜୟ ! ତୋର ଏତେ ଡେରି । ଏଇ ଯେ ସ୍ମିତା, ନରେନ୍ଦ୍ରବାବୁଙ୍କ ଝିଅ ।’’

 

‘‘ଓଃ’’ କହି ନମସ୍କାର କଲା । ପ୍ରତି ନମସ୍କାର କରି ସ୍ମିତା କହିଲା-

 

‘‘ମୁଁ ଏଥର ଯାଏ ମାଉସୀ, ଅଗର୍‌ଓ୍ୟାଲା ଫଟ ଦୋକାନରେ ଟିକେ କାମ ଅଛି । ସେଠୁ ମୁଁ ହୋଟେଲକୁ ଫେରିଯିବି । ଆପଣ ବାପା ଆସିଲେ କହିଦେବେ ହୋଟେଲକୁ ଯିବାକୁ । ଆଚ୍ଛା ଯାଉଚି, ନମସ୍କାର ।’’

 

‘‘ସ୍ମିତା ! ରହ, ଆମ ସାଙ୍ଗରେ ହୋଟେଲକୁ ଯିବୁ, ଆଉ ଟିକିଏ ରହ ।’’

 

‘‘ନାଇଁ ମାଉସୀ, ମୋର ଡେରି ହେଇଯାଉଚି । ମୁଁ ଯାଉଚି ।’’

ନୀଳ ପଞ୍ଜାବୀ ଉପରେ ହଳଦିଆ ଜର୍ଜେଟ୍‌ର ଓଢ଼ଣୀଟା ଠିକ୍‌ କରିନେଇ ଜୋରରେ ପାଦ ପକାଇ ଚାଲିଗଲା ସ୍ମିତା ।

 

ଆହତ ହେଲେ ଜାନକୀ ଦେବୀ, କହିଲେ-

 

‘‘ପିଲାଟି ଲାଜ କରୁଚି ।’’

 

‘‘ନା ମା, ଲାଜ ନୁହେଁ ଗର୍ବ । ସୁନ୍ଦରୀ ବୋଲି ଗର୍ବ ଆଉ ଅହଙ୍କାର ।’’

 

‘‘ଏ କ’ଣ କହୁଛୁ ତୁ ସଞ୍ଜୟ, ତୋ ମୁହଁରୁ ଏକଥା ଶୁଣିବି ବୋଲି ମୁଁ ଆଶା କରି ନ ଥିଲି-।’’

 

‘‘ଆଉ କ’ଣ ଶୁଣିବାକୁ ଆଶା କରିଥିଲୁ କହିଥାନ୍ତି, ସ୍ମିତା ଖୁବ୍‌ ଭଲଝିଅ, ନା ମା ? ଆଚ୍ଛା ମୁଁ ଚାଲିଲି ।’’

 

ସଞ୍ଜୟ ମଲ୍‌ର ପଶ୍ଚିମ ପଟ ରାସ୍ତା ଦେଇ ଦୂରକୁ ଚାଲିଗଲା । ଦୁଇଟି ବିପରୀତମୁଖୀ ତରୁଣ ତରୁଣୀଙ୍କର ଗତିପଥକୁ ଚାହିଁ ଥକାମାରି ବସି ରହିଥିଲେ ଜାନକୀ ଦେବୀ, ଦୂରରୁ ଏହା ଲକ୍ଷ୍ୟ କରିଥିଲା ସ୍ମିତା ।

 

ପଛଆଡ଼କୁ ଚିଠିରେ ଲେଖିଚି ସ୍ମିତା-

 

‘‘ମୁଁ ଲକ୍ଷ୍ୟକଲି, ସଞ୍ଜୟ ମତେ ଦେଖି ବେଶ୍‌ ମୁଗ୍‌ଧ ହେଇଚି; ଭୟ ହେଉଚି, ପୁଣି ସେ ଯଦି ମତେ ଭଲ ପାଇ ବସିବ । ଦାର୍ଜିଲିଂ ଗୋଟିଏ ଛୋଟ ଜାଗା । ଏଠି ଆମେ ପ୍ରାୟ ଆହୁରି ପନ୍ଦର ଦିନ ରହିବୁ । ପ୍ରତ୍ୟେକ ମୁହୂର୍ତ୍ତରେ ମତେ ସଞ୍ଜୟକୁ ଭେଟିବାକୁ ହେବ । ମତେ କିନ୍ତୁ ବେଶ୍‌ ଆଶ୍ୱସ୍ତି ଲାଗିବ । ମୋ ବାପା, ଜାନକୀ ମାଉସୀ ସମସ୍ତେ ଏ ବିଷୟରେ ଖୁବ୍‌ ବେଶୀ ତତ୍ପରତା ଦେଖାଇବେ । କଅଣ ମୁଁ କରିବି କହିଲୁ । ଭାବିଚି, ସଞ୍ଜୟକୁ ଅମୃତ ବିଷୟରେ ସବୁ କଥା କହିଦେବି । ଆମ ଦି’ ଜଣଙ୍କର ବାହାଘର ଯେ ଠିକ୍‌ ହେଇଯାଇଚି ଏ ବିଷୟଟା କହି ରଖିବା ଦରକାର । ତା ହେଲେ ସେ ଆଉ ଅନ୍ୟକିଛି ଭାବିବନି । ସାଧାରଣ ବନ୍ଧୁଭାବରେ ମୋ ସାଙ୍ଗରେ ଚଳିବ । ଆଉ ଏ ବିଦେଶ ଜାଗାରେ ଜଣେ ବନ୍ଧୁ ବା ପୁରୁଷ ବନ୍ଧୁ ଅର୍ଥାତ୍‌ ବୟ ଫ୍ରେଣ୍ଡ ଥିଲେ ବେଶ୍‌ ମଉଜ କରିହେବ ନା ? ମୋର ଅନେକ ବୟ ଫ୍ରେଣ୍ଡଙ୍କ ଭିତରେ ସଞ୍ଜୟ ବି ଜଣେ । ସଞ୍ଜୟକୁ ଜଣେ ବୟ ଫ୍ରେଣ୍ଡ ହିସାବରେ ବେଶ୍‌ ମାନିବ । ନୁହେଁ ବନ୍ଦନା ? ତୁ କଅଣ ଭାବୁଚୁ ସବୁ ଲେଖିବୁ । ମୁଁ ପୁଣି ତତେ ଦୁଇ ଚାରିଦିନ ପରେ ଚିଠି ଦେବି, ଲେଖିବି ସବୁ । ଏଠି ଚିଠି ଲେଖିବାକୁ ଖୁବ୍‌ ଭଲ ଲାଗୁଚି । ଏତେ ସୁନ୍ଦର ଜାଗା । ହଉ ଚିଠି ନିଶ୍ଚୟ ଦବୁ ।

 

ତୋର

ସ୍ମିତା

 

ଆଶ୍ଚର୍ଯ୍ୟ ହେଲା ବନ୍ଦନା । କେତେ ସହଜରେ ସ୍ମିତା ବୟ ଫ୍ରେଣ୍ଡ କରିନେଇ ପାରିଲା । ଅବଶ୍ୟ ସ୍ମିତା ଏ ସବୁରେ ଅଭ୍ୟସ୍ତ । ରଣଜିତ୍‌, ସମୀର, ପ୍ରୀତମ୍‌, ଆହୁରି କେତେ, ଏମାନେ ହେଲେ ତାର ବୟ ଫ୍ରେଣ୍ଡ । ଠିକ୍‌ ଭାବି ପାରେନି ବନ୍ଦନା, କଅଣ ଦରକାର ଏପରି ବନ୍ଧୁତ୍ୱରେ ! ନାରୀ ହେଇ ପୁରୁଷମାନଙ୍କ ସାଙ୍ଗରେ ବନ୍ଧୁତା କରି ଅନ୍ତରଙ୍ଗତା ବଢ଼ାଇବାକୁ ମନଯାଏ କେମିତି ! ଏମାନେ କିନ୍ତୁ ପ୍ରେମିକ ନୁହନ୍ତି, ଏମାନେ ହେଲେ କେବଳ ବନ୍ଧୁ । କଥାଟା କେମିତି ଗୋଳମାଳିଆ-। ସ୍ମିତା ବଡ଼ଲୋକର ଝିଅ । ବଡ଼ଲୋକ କାଇଦା ମାନି ଚଳେ ସେ । ବ୍ରିଚେସ୍‌ ପିନ୍ଧି ଘୋଡ଼ା ଚଢ଼େ । ଜିନ୍‌, ହାଫ୍‌ସାର୍ଟ ପିନ୍ଧି ଶିକାର କରିଯାଏ । ସନ୍ଧ୍ୟାହେଲେ ଟେନିସ ରେକେଟ୍‌ ଧରି କ୍ଲବକୁ ଯାଏ ଖେଳିବା ପାଇଁ । ଏ ସବୁଥିରେ ପୁରୁଷମାନଙ୍କୁ ସାଥୀ ନ କଲେ ତାର ବା ଚଳିବ କେମିତି ? ତାକୁ ଦୋଷ ଦେଇ ପାରେନା ବନ୍ଦନା । ମନେ ମନେ ଭାବେ ସଞ୍ଜୟ ବାବୁଙ୍କର ଅବସ୍ଥା-। ସ୍ମିତାକୁ ସାଧାରଣ ବନ୍ଧୁ ହିସାବରେ ମାନିନେଇ ପାରିବେ ତ ? ଯଦି ମନେମନେ ଦୁଃଖ ପାଆନ୍ତି-? ସ୍ମିତାର ପ୍ରସ୍ତାବ ଶୁଣି ହୁଏତ ମନ ଦୁଃଖରେ ଫେରି ଆସିବେ ହଠାତ୍ ଦାର୍ଜିଲିଂର ସବୁ ଫୂର୍ତ୍ତିକୁ ଛାଡ଼ିଦେଇ ।

 

ସଞ୍ଜୟ, ସ୍ମିତାଙ୍କର କଥା ଭାବୁ ଭାବୁ ବନ୍ଦନା ଆଖି ବୁଜିଲା । କାଲିଠାରୁ ତାର ନୂଆ ଜୀବନ ଆରମ୍ଭ ।

 

ବଡ଼ ସାହେବଙ୍କର ପ୍ରାଇଭେଟ୍‌ ଷ୍ଟେନୋ ସେ !

 

ତା’ପରଦିନ ଅଫିସରେ ପହଞ୍ଚିବାକ୍ଷଣି ଚପରାଶି କହିଲା, ‘‘ଦିଦି, ଆପଣଙ୍କ ଚୌକି ଟେବୁଲ୍‌ ସେଲ୍‌ଫ ସବୁ ଠିକ୍‌ କରି ରଖିଚି ବଡ଼ ସାହେବଙ୍କର ରୁମ୍‌ରେ, ଦେଖିବେ ଚାଲନ୍ତୁ ।’’

 

‘‘ଚାଲ ।’’

 

ରୁମ୍‌ ଭିତରକୁ ପଶି ଆସି ଆଶ୍ଚର୍ଯ୍ୟ ହେଲା ବନ୍ଦନା । ମିଃ ରାୟ ଆସି ନାହାନ୍ତି । ଗୋଟେ ପାଖରେ ନୂଆ ଆକାଶୀ ନୀଳ ଗଡ଼ରେଜ୍‌ର ଟେବୁଲ, ଚୌକି ପାଖରେ ନୂଆ ଡିଜାଇନ୍‌ର ସେଲ୍‌ଫ, ସାଇଡ୍‌ରେ ଗୋଟିଏ ଷ୍ଟେଣ୍ଡଲଗା ନୂଆ ଉଷା ଫ୍ୟାନ । ଟେବୁଲ ଉପରେ ନୂଆ କଲମ ଦାନୀ, ନୂଆ ନୂଆ ନାଲି ନେଳି ପେନ୍‌ସିଲ, ଟେବୁଲ ତଳେ ରବର୍‌ର ପେଡ୍‌ ଗୋଡ଼ ରଖିବା ପାଇଁ ।

 

ସବୁଠି ନୂତନତ୍ୱର ସ୍ୱାଦ !

 

ବିଚଳିତ ହେଲା ବନ୍ଦନା । କଅଣ ଦରକାର ଥିଲା ଏତେ ଆଡ଼ମ୍ୱରର ! ଏ ଯେ ବିଳାସୀତା ତା’ ପକ୍ଷରେ । ସାମାନ୍ୟ ଷ୍ଟେନୋ ସେ ! ତାକୁ କଅଣ ଏତେ ବିଳାସୀତା ସାଜେ ! କାହିଁକି ବଡ଼ସାହେବ ଏତେ ଟଙ୍କା ଖର୍ଚ୍ଚ କଲେ ତା ପାଇଁ । ଏ କଅଣ ତା ପାଇଁ ବଡ଼ ସାହେବଙ୍କର ଦୟା, ଅନୁକମ୍ପା ନା ଆଉ କଅଣ ? ବିରକ୍ତି ହେଲା ସେ । ବଡ଼ସାହେବଙ୍କୁ ସେ ଚିହ୍ନେ । ତାଙ୍କ ଆଖିର ସେ ଚାହାଣୀ ତଳେ ଯୋଉ ଆଶା ଆକାଂକ୍ଷା ଲୁଚି ରହିଚି, ସେସବୁ ଆଉ ଗୋପନୀୟ ନାହିଁ ତା ପାଖରେ । ତାକୁ ଦୃଢ଼ ହେବାକୁ ହେବ, କଠିନ ହେବାକୁ ହେବ, ନ ହେଲେ ଏଇ ସର୍ବଗ୍ରାସୀ ନିଆଁ ହୁଳାରେ ସେ ଜଳିପୋଡ଼ି ପାଉଁଶ ହେଇଯିବାକୁ ମୁହୂର୍ତ୍ତେକ ସମୟ ଲାଗିବନି ।

 

‘‘ଦିଦି, ଦେଖନ୍ତୁ ଏଇ ତିନିଟା ଟାଇପ୍‌ରାଇଟର ଆଜି ଆସିଚି । ଗୋଟେ କଡ଼ରେ ବେଞ୍ଚ ଉପରେ ତିନୋଟି ଟାଇପ୍‌ରାଇଟର ଥୁଆ ହେଇଚି ପ୍ଲାଷ୍ଟିକ୍‌ କଭର ଗୁଡ଼ା ହେଇ । ସବୁଗୁଡ଼ିକ ନୂଆ ଚକ୍‌ଚକ୍‌ । କଭର କାଢ଼ି ଗୋଟି ଗୋଟି କରି ପରୀକ୍ଷା କଲା ସେ । ଦୁଇଟି ସାଧାରଣ ମିଡ଼ିଅମ୍‌ ସାଇଜର; କିନ୍ତୁ ଅନ୍ୟ ଗୋଟିକ ଦେଖି ସେ ମୁଗ୍‌ଧ ହେଇଗଲା ।

 

ରେମିଂଟନ୍‌ର ସୁନ୍ଦର ନୂଆ ମେକ୍‌ । କଭର୍‌ କାଢ଼ି, ବୋତାମ୍‌ ଟିପି ପରୀକ୍ଷା କଲା ବନ୍ଦନା, ଉଃ, କି ନରମ୍‌, ଶବ୍ଦ ଟିକିଏ ବି ହେଉନି । ମୁଗ୍‌ଧ ବିସ୍ମୟରେ ସବୁକିଛି ଭୁଲିଗଲା ସେ । ଭୁଲିଗଲା ନିଜକୁ, ନିଜର ପରିସ୍ଥିତି । ଅନ୍ୟମନସ୍କ ଭାବରେ ହାତ ବୁଲାଇଲା ଟାଇପ୍‌ରାଇଟର ଉପରେ ।

 

‘‘ପସନ୍ଦ ହେଇଚି ।’’ ଠିକ୍‌ ପଛରୁ କହିଲେ ମିଃ ରାୟ । ଆରେ, ୟା ଭିତରେ କେତେବେଳେ ସାର୍‌ ଆସିଯାଇଚନ୍ତି ! ଲଜ୍ଜିତ ହେଲା ବନ୍ଦନା । କଅଣ ଭାବିଥିବେ ସାର୍‌, ଲଜ୍ଜିତ ସ୍ୱରରେ କହିଲା-

 

‘‘ଗୁଡ଼୍‌ମର୍ଣ୍ଣିଂ ସାର୍‌ ।’’

 

‘‘ଗୁଡ଼୍‌ମର୍ଣ୍ଣିଂ, କିନ୍ତୁ ମୋ ପ୍ରଶ୍ନର ତ ଉତ୍ତର ଦେଲନି । ତୁମପାଇଁ ଏସବୁ ଫର୍ନିଚର, ଟାଇପରାଇଟର, ଫ୍ୟାନ୍‌ ! ସବୁ ପସନ୍ଦ ହେଇଚି ତ ? ଜାଣିଚ କାଲି ତୁମପାଇଁ ଏସବୁ ଜିନିଷ ଦୋକାନ ଦୋକାନ ବୁଲି ଠିକ୍‌ କରି ଘରକୁ ଫେରିଥିଲି ଖୁବ୍‌ ରାତିରେ ।’’

‘‘ମୋ ପାଇଁ ? ଏ କଅଣ କହୁଛନ୍ତି ଆପଣ ? ମୋ ପାଇଁ ଆପଣ ନିଜେ ଯାଇ ଦୋକାନରୁ ଜିନିଷ କାହିଁକି ଆଣିଲେ କୁହନ୍ତୁ, ଏ ସବୁର ଆଦୌ ଦରକାର ନ ଥିଲା । ଅନ୍ୟ କାହାକୁ ପଠାଇଥିଲେ କଅଣ ସେ କିଣିପାରି ନ ଥାନ୍ତେ ।’’

 

‘‘ଆରେ ଧେତ୍‌, ଅନ୍ୟମାନଙ୍କର ଆଖି ଆଉ ମୋ ଆଖି ତ ସମାନ ନୁହେଁ । ଏଇ ଦେଖ ଫ୍ୟାନ, ଲାଇଟ୍ ଗ୍ରିନ୍‌ କଲର୍‌ର ଏଥିରେ ଗୋଟେ ଅଧିକା ସ୍ୱିଚ୍‌ ଲଗେଇ ଆଣିଚି, ଚୌକିରେ ବସି ତୁମେ ଯେତେବେଳେ ଚାହିଁବ ଫ୍ୟାନ ବୁଲେଇ ପାରିବ, ଏଇ ସୁଇଚ୍‌ଟା ରହିବ ଠିକ୍‌ ତୁମ ହାତ ପାଖରେ, ଫ୍ୟାନ୍‌ ପାଖକୁ ଉଠିକରି ଯିବାକୁ ହେବନି ।

 

ଆଉ ରେମିଂଟନ୍‌ ଟାଇପ୍‌ରାଇଟରଟା ବି ମେଚିଂ କଲରର, ସେଇ ଲାଇଟ୍‌ ଗ୍ରୀନ୍‌ କଲର୍‌ର । ଅନେକ ଗୁଡ଼ିଏ ଅଟୋମେଟିକ୍‌ ଡିଭାଇସ୍‌ ଏଥିରେ ଅଛି । ଆଜି ତା ଦୋକାନରୁ ଲୋକ ଆସି ତୁମକୁ ସବୁ ବୁଝାଇ ଦେବ । ବହୁତ ଟଙ୍କା ଖର୍ଚ୍ଚ କରି ଏଇ ଜିନିଷଟି କିଣିଲି । ଏସବୁ କ’ଣ ମନୋହର ବାବୁ ଯାଇ କିଣିପାରିଥାନ୍ତେ ! ଏଇ ଅର୍ଡ଼ିନାରୀ ଟାଇପ୍‌ରାଇଟର ଦି’ଟା ସେଇ କିଣି ଆଣିଚନ୍ତି । ଆଚ୍ଛା, ଏଥର କୁହତ ପସନ୍ଦ ହେଲା କି ସବୁ ?’’ ଆଗ୍ରହାନ୍ୱିତ ହେଇ ଚାହିଁ ରହିଲେ ସେ-

 

‘‘ଏସବୁ ମୁଁ ଆଦୌ ପସନ୍ଦ କରେନି । ମୋ ବିଷୟରେ ଆପଣ ଅଯଥା ପଇସା ଓ ସମୟ ନଷ୍ଟ କରିଚନ୍ତି । ମୁଁ ତ ଜଣେ ସାଧାରଣ ଷ୍ଟେନୋ, ଆପଣଙ୍କ ଅଫିସ୍‌ର ଏଇ ଜ୍ୟୋତ୍ସ୍ନା, ଧୀରାଙ୍କ ପରି ।’’

 

ହଠାତ୍‌ ଅତି ଉଗ୍ର ସ୍ୱରରେ କଥା କେତେଟା ବାହାରିଗଲା ବନ୍ଦନା ପାଟିରୁ ।

 

ମୂକ ହେଇଗଲେ ମିଃ ରାୟ । ସେଇଠି ଟିକେ ଠିଆ ହେଇ ନିଜ ଚୌକିକୁ ଚାଲିଗଲେ ମିଃ ରାୟ ।

 

ବନ୍ଦନା ନିସ୍ତବ୍‌ଧ ହେଇଗଲା । ଏ କ’ଣ କଲା ସେ, କିପରି ଏତେ ରୁକ୍ଷ ସ୍ୱରରେ ଏ କଥା ସବୁ କହିପାରିଲା ! ମିଃ ରାୟ ବନ୍ଦନା ଅଫିସ୍‌ର ବଡ଼ ସାହେବ ! ଏକଥା ସେ ଭୁଲିଗଲା କିପରି ? ଅନୁତପ୍ତ ହେଇ ତଳକୁ ମୁହଁ ପୋତି ଠିଆହେଇ ରହିଲା ।

 

‘‘ଜ୍ୟୋତ୍ସ୍ନା, ଧୀରା ଯେମିତି ଷ୍ଟେନୋ, ତୁମେ ବି ଠିକ୍‌ ସେଇପରି ଷ୍ଟେନୋ । କିନ୍ତୁ ତଫାତ୍‌ ତାଙ୍କଠୁ ଏତିକି ଯେ, ତୁମକୁ ବସିବାକୁ ହେବ ମୋ’ରି ରୁମ୍‌ରେ । ତେଣୁ ମୋ ସମ୍ମାନ ଜଗି ତୁମକୁ ମୋ’ରି ଜିନିଷକୁ ମେଚ୍‌ କରି ଜିନିଷ ବ୍ୟବହାର କରିବାକୁ ପଡ଼ିବ, ଏତିକି ଅନ୍ତତଃ ତୁମର ଜାଣିବାର କଥା । ଆଚ୍ଛା ଯାଅ, କାମ ଆରମ୍ଭ କର । ଆଜି ମୋର ବହୁତଗୁଡ଼ିଏ ଚିଠି ଟାଇପ୍‌ କରିବାର ଅଛି । ତୁମେ ବସ, ମଦନ ଏଇକ୍ଷଣି ଟାଇପ୍‌ରାଇଟର ତୁମ ଟେବୁଲରେ ରଖିଦେବ ।’’

 

କଲିଂ ବେଲ୍‌ ଟିପିଲେ, ମଦନ ଆସିଲା ଆଉ ଟାଇପ୍‌ରାଇଟର କଭର୍‌ କାଢ଼ି ଟେବୁଲ ଉପରେ ଝାଡ଼ି ରଖିଦେଲା । କାର୍ବନ ପେପର, କାଗଜ, ପେନ୍‌ସିଲ ଓ ପେପରଓ୍ୱେଟ୍‌ ସବୁ ଠିକ୍‌ କରିଦେଇଗଲା ।

 

ଅନୁତପ୍ତ ମନଦେଇ କାମ ଆରମ୍ଭ କଲା ବନ୍ଦନା । ଆଜି ତା’ର ନୂଆ କାମ, ନୂଆ ଜୀବନ ! ପ୍ରଥମରୁଇ ଅଶୁଭ ସଙ୍କେତ ! ମନହେଲା କଇଁ କଇଁ ହେଇ କାନ୍ଦି ଉଠିବାକୁ । କିନ୍ତୁ ଏଟା ଅଫିସ୍‌ । ଏଠି ସେସବୁ ସମ୍ଭବ ନୁହେଁ । ଆଡ଼ଚକ୍ଷୁରେ ଚାହିଁଲା ବଡ଼ ସାହେବଙ୍କୁ । ଅତିଶୟ ଗମ୍ଭୀର ହେଇ କ’ଣସବୁ କାଗଜପତ୍ର ଦେଖି ଯାଉଚନ୍ତି । ଭୟ ପାଇଲା ବନ୍ଦନା, ଗମ୍ଭୀର ହେଲେ କି ଭୟଙ୍କର ଦିଶନ୍ତି ମିଃ ରାୟ । ଡରି ଡରି ପାଖକୁ ଯାଇ ପଚାରିଲା ସେ-

 

‘‘ସାର୍‌, ଚିଠି ଦିଅନ୍ତୁ, ଟାଇପ୍‌ କରିବି ।’’

 

କିଛି ଉତ୍ତର ଦେଲେନି ସେ । ଥରେ ଚାହିଁଲେନି ବି । ପକେଟ୍‌ରୁ କେତେଟା କାଗଜ ବାହାର କରି ବନ୍ଦନା ସାମ୍ନାରେ ରଖିଦେଇ ପୁଣି କାମରେ ମନ ଦେଲେ ।

 

ଆଶ୍ଚର୍ଯ୍ୟ ହେଲା ବନ୍ଦନା, ଏଇ ମଣିଷ ପୁଣି ମୁହୂର୍ତ୍ତକ ଆଗରୁ ତାକୁ ମୁଗ୍‌ଧ ଦୃଷ୍ଟିରେ ଚାହିଁ ରହିଥିଲେ ।

 

ଚିଠି ଟାଇପ୍‌ କରିବାକୁ ଲାଗିଲା । ନୂଆ ଟାଇପ୍‌ରାଇଟର । କାଗଜ, କାର୍ବନପେପର ପୂରେଇ ଟାଇପ୍‌ ଆରମ୍ଭ କଲା ।

 

ଠକ୍‌, ଠକ୍‌, ଠକ୍‌, ଠକ୍‌, ଖୁବ୍‌ କୋମଳ ସ୍ୱର ଝଙ୍କାରି ଉଠିଲା ସେଥିରୁ ।

 

ପର ପର ହେଇ ଭିତରକୁ ଆସିଲେ ସମସ୍ତେ; କଣେଇ କଣେଇ ଲକ୍ଷ୍ୟ କଲେ ତାକୁ, ବନ୍ଦନା ସବୁ ଜାଣି ପାରିଲା । ଆଜି ସେ ସମସ୍ତଙ୍କର ଈର୍ଷାର ପାତ୍ରୀ । କିନ୍ତୁ ତାର ବା ଦୋଷ କଅଣ-? ବଡ଼ ସାହେବ ସମସ୍ତଙ୍କ ସାଙ୍ଗରେ ହସି ହସି କଥାବାର୍ତ୍ତା କଲେ, ବିଭିନ୍ନ ବିଷୟରେ ଆଲୋଚନା କଲେ ।

 

ଆସିଲା ଧୀରା, ହସି ହସି କହିଲେ ବଡ଼ ସାହେବ-

 

‘‘ହେଲୋ ଧୀରା, ତୁମ ଟାଇପ୍‌ରାଇଟର କେମିତି ଚାଲୁଚି ?’’

 

‘‘ଏକେବାରେ ନୂଆ ମେସିନ୍‌ । ମତେ ଖୁବ୍‌ ଭଲ ଲାଗୁଚି ।’’

 

‘‘ଆଉ ଯଦି କିଛି ଡିଫେକ୍‌ଟ ବାହାରେ ତେବେ କହିବ, ମେକାନିକ୍‌କୁ ଡାକି ପଠେଇବି, ସାଙ୍ଗେ ସାଙ୍ଗେ ଆସି ଠିକ୍‌ କରିଦେଇ ଯିବ ।’’

 

‘‘ସାର୍‌, ଆପଣଙ୍କ ଅଫିସ୍‌ରେ କାମ କରି ସୁଖ ଅଛି । ଆପଣଙ୍କର ଅଶେଷ ଦୟା ଆମ ଉପରେ ।’’

 

ହସି ହସି କହିଲେ ମିଃ ରାୟ, ‘‘ଆରେ ନା, ନା ଦୟା ନୁହେଁ, ଏହା ତୁମମାନଙ୍କର ପ୍ରାପ୍ୟ-। ଇସ୍‌, ପକେଟ୍‌ରୁ ପେନ୍‌ସିଲଟା କେତେବେଳେ ପଡ଼ିଯାଇଚି । ଉଠାଇ ଦିଅ ତ ଧୀରା ।’’

 

ମୁହଁ ଟେକି ଚାହିଁଲା ବନ୍ଦନା । ଧୀରା ନଇଁପଡ଼ି ପେନ୍‌ସିଲ ଉଠେଇ ବଡ଼ ସାହେବଙ୍କର ପକେଟରେ ସଯତ୍ନରେ ରଖିଦେଲା, ଆଉ ବଟନ୍‌ ହୋଲରେ ଥିବା ଛୋଟ ଗୋଲାପ ଫୁଲଟିକୁ ସିଧାକରି ସଜାଡ଼ି ଦେଲା ।

 

ମିଃ ରାୟ ହସିଦେଲେ, କହିଲେ ‘‘ଥେଙ୍କ୍‌ ଇଉ’’ । ଧୀରା ଚାଲିଗଲା । ଆଉ ବଡ଼ ସାହେବ ଗମ୍ଭୀର ହେଇ ପୁଣି କାମରେ ଲାଗିଲେ ।

 

ବନ୍ଦନା ଲକ୍ଷ୍ୟ କଲା, ଏତେ ସମୟ ମଧ୍ୟରେ ବଡ଼ ସାହେବ ଥରେ ବି ତାକୁ ଚାହିଁ ନାହାନ୍ତି । ବଡ଼ ସାହେବ ତେବେ କ’ଣ ଚାହାନ୍ତି ? ଏମିତି ଧୀରା ଭଳି ସେ ବି ମାନ, ସମ୍ମାନ, ଲାଜ, ଲଜ୍ଜା ସବୁ ଛାଡ଼ି ତାଙ୍କୁ ଖୁସି କରେଇବ ! କିଛି ସମୟ କାମ ଚାଲିଲା ଚୁପ୍‌ଚାପ୍‌ ।

 

ଚିଠିତକ ଟାଇପ୍‌ କରି ବଡ଼ ସାହେବଙ୍କର ଟେବୁଲ ପାଖକୁ ଆସି କହିଲା ବନ୍ଦନା-

 

‘‘ଚିଠିତକ ଟାଇପ୍‌ କରିଦେଇଚି ସାର୍‌ ।’’

 

‘‘ହଁ, ଦେଖି ।’’ ଚିଠିତକ ହାତରୁ ନେଲେ ମିଃ ରାୟ । ଖଣ୍ଡ ଖଣ୍ଡ କରି ପରୀକ୍ଷା କଲେ ସେ । ବନ୍ଦନା ଠିଆ ହେଇ ରହିଲା । ଚପରାଶୀ ମଦନ ଆସିଲା, ଖଣ୍ଡେ କାର୍ଡ଼ ସାହେବଙ୍କୁ ଦେଲା । ସାହେବ ଦେଖିନେଇ କହିଲେ, ‘‘ଆରେ ଆରେ, ନେଇଆସ, ସେମାନଙ୍କୁ ।’’ ଚିଠିତକ ଡ୍ରୟର୍‌ରେ ରଖିଲେ । ସ୍ୱିଙ୍ଗ୍‌ ଡୋର୍‌ ଖୋଲି ଭିତରକୁ ଆସିଲେ ତିନି ଚାରିଜଣ ଆଧୁନିକ ଭଦ୍ରଲୋକ । ସମସ୍ତେ ମିଃ ରାୟଙ୍କର ସମବୟସ୍କ । ବନ୍ଦନା ସେମାନଙ୍କୁ ଦେଖି ନିଜ ଚୌକିକୁ ଫେରିଗଲା । ଟେବୁଲ ଉପରେ କେତେବେଳେ ମଦନ ମୋଟା ମୋଟା ଖାତା, ଫାଇଲ୍‌ ସବୁ ଥୋଇଦେଇ ଯାଇଚି । ତାକୁଇ ସବୁ ଦେଖି କାମ ଆରମ୍ଭ କଲା ସେ ମୁହଁ ତଳକୁ ପୋତି, ଏକେବାରେ ଗମ୍ଭୀର ହେଇ ।

 

ମିଃ ରାୟ ସେମାନଙ୍କ ସାଙ୍ଗରେ ହସ ଖୁସିରେ ମାତି ରହିଲେ ।

 

‘‘ଆରେ, ସୁଶାନ୍ତ, ତୁଷାର, ବୀରେନ୍‌ ତୁମେସବୁ ଏକାଠି ଆସିଚ, ବାଃ ବେଶ୍‌ ତ !’’

 

‘‘ତୋର ତ’ ଭାଇ ଆଜିକାଲି ଆଉ ଦେଖା ନାହିଁ । ଅଫିସକୁ ନେଇ ଖୁବ୍‌ ବ୍ୟସ୍ତ ନା ! କାଲି ଆମର କଥା ପଡ଼ିଥିଲା । ତୁ କ’ଣ ଅଫିସକୁ ନେଇ ବ୍ୟସ୍ତ ନା, ଅଫିସରେ ଥିବା ଅନ୍ୟ କାହାକୁ ନେଇ ବ୍ୟସ୍ତ ।’’ କହିଲେ ତୁଷାରବାବୁ ।

 

ମୁହଁ ପୋତି କାମ କରୁ କରୁ କଥାଗୁଡ଼ା କାନରେ ଗଲା ବନ୍ଦନାର ।

 

‘‘ତୁମର ସବୁ କଅଣ ମନେ ହେଉଚି କୁହତ ?’’ ବଡ଼ ସାହେବ କହିଲେ ।

 

‘‘ଆରେ ତୋର କ’ଣ ? ତୁ ବଡ଼ଲୋକ, ଟଙ୍କା ବିସ୍ତର ଅଛି । ଅଫିସ୍‌ରେ, ଘରେ, ବାହାରେ ଗୋଟିଏ ଗୋଟିଏ ସଙ୍ଗିନୀ ଯୁଟେଇ ଏଠି ସେଠି ଘୂରି ବୁଲିବା ସେସବୁ ତତେ ସାଜେ ଖୁବ୍‌ ।’’

 

ଫିସ୍‌ ଫିସ୍‌ ହେଇ କହିଲେ ସାହେବ-

 

‘‘ଏଇ, କ’ଣ ହଉଚି, ବାଜେ ଥଟ୍ଟା ସବୁ ରଖ ତ ଏଇକ୍ଷଣି । ଆଜିକାଲି ପ୍ରାଇଭେଟ୍‌ ଷ୍ଟେନୋ ଆପଏଣ୍ଟ କରିଚି, ଏଇ ରୁମ୍‌ରେ ତାର ସିଟ୍‌ । ଆଉ ତମେ ସବୁ ଏଥର କଥାବାର୍ତ୍ତା କଲାବେଳେ ଟିକେ ସାବଧାନ ରହିବ । ମାନେ ଏଥର ଆଉ ମୁଁ ଆଗଭଳି ଫ୍ରି ନୁହେଁ ।’’

 

ସବୁ ଶୁଣିଲା ବନ୍ଦନା । ଜାଣିପାରିଲା, ସମସ୍ତେ ପଛକୁ ଫେରି ଚାହିଁଲେ ତାକୁ । ମୁହଁରେ ଚାପାହସ ଖେଳିଗଲା ସମସ୍ତଙ୍କର ।

 

‘‘ଓଃ, ତେବେ ଏଇ ତୋର ସଙ୍ଗିନୀ । ଅଫିସ ନେଇ ତୁ ତାହେଲେ ଏଇଥିପାଇଁ ଏତେ ବ୍ୟସ୍ତ !’’ ଥଟ୍ଟାକରି କହିଲା ସୁଶାନ୍ତ ।

 

ଚୁପ୍‌ ଚୁପ୍‌ କରି କହିଲେ ବି ସବୁକଥା ଶୁଣିପାରିଲା ବନ୍ଦନା । ମୁହଁ ତା’ର ଲାଲ୍‌ ହେଇଗଲା । ଇସ୍‌ କ’ଣ ସବୁ କହୁଚନ୍ତି ଏମାନେ !

 

ବଡ଼ ସାହେବ ମୁରକି ହସି କହିଲେ-

 

‘‘ମୁଁ ଦେଖୁଚି ମୋ ଷ୍ଟେନୋକୁ ଦେଖି ତୁମେ ସମସ୍ତେ ମୁଗ୍‌ଧ ହେଇଯାଇଚ । ଭେରି ଗୁଡ଼୍‌ । କିନ୍ତୁ ଏସବୁ ଏଥର ବନ୍ଦକର, ସନ୍ଧ୍ୟାବେଳେ କ୍ଲବରେ ସେସବୁ କଥାବାର୍ତ୍ତା କରିବା ।’’

 

‘‘କ’ଣ ଆଜି କ୍ଲବକୁ ସଙ୍ଗିନୀକୁ ନେଇକରି ଯିବୁ ?’’ ମୁରୁକି ହସି ବୀରେନ୍‌ ପଚାରିଲା ।

 

ବନ୍ଦନା ଉଠି ଠିଆ ହେଲା । ଗମ୍ଭୀର ହେଇ ସ୍ୱିଙ୍ଗ୍‌ ଡୋର୍‌ ଖୋଲି ସେ ପାଖକୁ ଚାଲିଗଲା, କେଁ କେଁ ହେଇ ଦୁଆର ବନ୍ଦ ହେଇଗଲା ।

 

ମିଃ ରାୟ କହିଲେ, ‘‘ଦେଖିଲ, ସେ ନିଶ୍ଚୟ ସବୁ ଶୁଣି ପାରିଚି । କଅଣ ସେ ଭାବିଥିବ କୁହ ତ ?’’

 

‘‘କଅଣ ଭାବିବ ? ଗୋଟେ ଷ୍ଟେନୋକୁ ପୁଣି ଏତେ ଭୟ ! ଷ୍ଟେନୋର ପୁଣି ରାଗ ଅଭିମାନ !’’ ହାଃ ହାଃ କରି ହସି ଉଠିଲା ବୀରେନ୍‌ । ‘‘ଗୋଟେ ଟୟଲେଟ୍‌ କେଶ୍‌ ବା ଭଲ ବ୍ଲାଉଜ୍‌ ପିସ୍‌ ଖଣ୍ଡେ ଦେଇ ଦେଲେ ତ ସବୁ ରାଗ ଉଭେଇଯିବ, ତୋର କଅଣ ଏସବୁ ଜାଣିବାକୁ ବାକି ଅଛି-! ତୋର ତ କେତେଜଣ ଲେଡ଼ି ଷ୍ଟେନୋ ଅଛନ୍ତି, ସେମାନଙ୍କୁ କ’ଣ ତୁ ଆଜିପର୍ଯ୍ୟନ୍ତ ଜାଣିପାରିନୁ !’’ ପୁଣି ଉଚ୍ଚ ସ୍ୱରରେ ହସି ଉଠିଲେ ସମସ୍ତେ ।

 

ଅନ୍ୟମନସ୍କ ହେଲେ ମିଃ ରାୟ । ଏ କଅଣ କହିଯାଉଚି ବୀରେନ୍‌ । ଖଣ୍ଡେ ବ୍ଲାଉଜ ପିସ୍‌ ବା ଗୋଟିଏ ଟୟଲେଟ୍‌ ବାକ୍‌ସ ଦେଇ ଭୁଲାଇ ପାରିବେ ସେ ବନ୍ଦନାକୁ । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏତେ ସୁନ୍ଦର ଫର୍ନିଚର୍‌, ଟେବୁଲ୍‌ଫେନ୍‌ କିଣି ବନ୍ଦନାକୁ ଆରାମ୍‌ରେ କାମ କରିବାକୁ ସୁବିଧା ଦେଇ ବି ଯେ ଟିକିଏ ଖୁସି ହେଇ ପାରିନି, ବରଂ କ୍ଷୁବ୍‌ଧ ହେଇଚି, ମିଃ ରାୟଙ୍କୁ ରୀତିମତ ଆଘାତ ଦେଇଚି, ତାକୁ ସେ ଖୁସି କରିପାରିବେ ଏ ସାମାନ୍ୟ କେତେଟା ଜିନିଷରେ ! ମନେ ମନେ ବହୁତ ଭାବି ଦେଖିଲେ ସେ, ଆଜି ପର୍ଯ୍ୟନ୍ତ କୌଣସି ଝିଅ ତାଙ୍କୁ ଏତେ ଟିକିଏ ବି ଅବମାନନା ଦେଖାଇବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି, ସାହସ କରି ପାରିନାହାନ୍ତି । ବନ୍ଦନା ଗୋଟେ ସାମାନ୍ୟ ଝିଅ ହେଇ ମଧ୍ୟ ଅକ୍ଳେଶରେ ତାହା କରିପାରିଲା ! ଅସୀମ ଅହଙ୍କାର ଝିଅଟାର । ନିଜର ମାନ ସମ୍ମାନ ପ୍ରତି ବହୁତ ବେଶୀ ନଜର ! ଏ ଝିଅଟିକୁ ଜୟ କରିବାକୁଇ ହେବ, କିପରି ଗୋଟିଏ ନିଶା ଘାରିଗଲା ମିଃ ରାୟଙ୍କର ମନରେ ।

 

ଧୀରା, ଜ୍ୟୋତ୍ସ୍ନା ଏମାନଙ୍କଠାରୁ ବନ୍ଦନା ଯେ କେତେଦୂର ଭିନ୍ନ, ମନେ ମନେ କଳ୍ପନା କରି ପାରିଥିଲେ ମିଃ ରାୟ । ଏଇ ଧୀରାକୁ ଥରେ ଦୁଇଥର ଗାଡ଼ିରେ ନେଇ ବୁଲି ବାହରିଚନ୍ତି । ଏକରକମ ବାଧ୍ୟ କରି ଧୀରା ଗହଣା ଦୋକାନ ସାମନାରେ ଗାଡ଼ି ଅଟକାଇଚି । ଭିତରକୁ ତାଙ୍କ ସାଙ୍ଗରେ ଯାଇଁ ଜୋର୍‌ କରି ହୀରାର କାନର ଟପ୍‌ ଆଦାୟ କରି ନେଇଚି ତାଙ୍କଠୁ । କାନରେ ପିନ୍ଧି ମିଃ ରାୟଙ୍କର ଅତି ନିକଟକୁ ଚାଲିଆସି ମୁଖ ଭଙ୍ଗିମାରେ ପ୍ରଶଂସା ଆଦାୟ କରି ନେଇଚି । ଆଉମଧ୍ୟ ଗାଡ଼ିରେ ଫେରିବା ବେଳେ ଲକ୍ଷ୍ୟ କରିଚନ୍ତି ସେ, ଧୀରା ନିଜର ଦେହର ଭାରା ପୂରାପୂରି ଲଦି ଦେଇଚି ମିଃ ରାୟଙ୍କ ଉପରେ । ସେ ଉପଭୋଗ କରିଚନ୍ତି । କ୍ଷଣକପାଇଁ ଆନନ୍ଦ ପାଇଚନ୍ତି, କିନ୍ତୁ ରାତିରେ ବିଛଣାରେ ଶୋଇ ଧୀରାକୁ ଘୃଣା କରିଚନ୍ତି । ଇସ୍‌, କି କଦର୍ଯ୍ୟ ଝିଅ ସେ । ଗୋଟିଏ ହୀରାର କାନଫୁଲ ଆଦାୟ କରିବାକୁ ଯାଇ କେତେ ଶୀଘ୍ର କେତେ ତଳକୁ ଧୀରା ଚାଲି ଯାଇପାରେ-! ପରଦିନ ଅଫିସରେ ଧୀରା ଆନ୍ତରିକତା ଦେଖାଇବାକୁ ଯାଇ, କ୍ଷୂର୍ଣ୍ଣ ହେଇଚି । ଅସ୍ୱାଭାବିକ ଭାବରେ ଗମ୍ଭୀର ଦିଶନ୍ତି ମିଃ ରାୟ । ଭୟ ପାଇଚି ଧୀରା, ଆଉ ଆଗେଇବାକୁ ସାହସ କରିନି । ପୁଣି ଦିନ ଚାଲିଚି ଅଫିସ୍‌ରେ କର୍ମବ୍ୟସ୍ତତା ଭିତରେ । ମିଃ ରାୟ ଭାବନ୍ତି, ନାରୀ ହେଇ ଭିକାରୀ ପରି ଖାଲି ଟଙ୍କା ଉପରେ ନଜର । ଆଉ କିଛି ଚାହାନ୍ତିନି ଏମାନେ । ଟଙ୍କା, ଶଢ଼ୀ, ଗହଣା ହେଲା ଏମାନଙ୍କର ପ୍ରଧାନ କାମ୍ୟ ବସ୍ତୁ । ଜ୍ୟୋତ୍ସ୍ନା ବି ଏଇ ଧରଣର । ଦିନେ ଦିନେ ବହୁତ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରେ । ତାକୁ କିନ୍ତୁ ଖୁବ୍‌ ପ୍ରଶୟ ଦିଅନ୍ତି ମିଃ ରାୟ । ଯେତେବେଳେ ଟଙ୍କା ମାଗେ; ତତ୍‌କ୍ଷଣାତ୍‌ ମନିବେଗ୍‌ ତା ଆଡ଼କୁ ପକେଇ ଦିଅନ୍ତି । ଆକୃଷ୍ଟ ହୁଅନ୍ତି ତାର ଭସା ଭସା ଢଳ ଢଳ ଆଖି ଦୁଇଟି ପାଇଁ । ଆଖି ଛଳ ଛଳ କରି ଟଙ୍କା ମାଗେ ଜ୍ୟୋତ୍ସ୍ନା, ଯନ୍ତ୍ରଚାଳିତବତ୍‌ ମିଃ ରାୟ ଟଙ୍କା ଦିଅନ୍ତି ଆଉ ଆଖି ଢଳ ଢଳ କରି ଜ୍ୟୋତ୍ସ୍ନା ମନିବେଗ୍‌ ନେଇ କୋଟର ଭିତର ପକେଟ୍‌ରେ ରଖି ଚାଲିଯାଏ । ପାର୍କ, ସିନେମା ଯୋଉଠିକି ଯାଆନ୍ତି ମିଃ ରାୟ ଜ୍ୟୋତ୍ସ୍ନାକୁ ନେଇ, ସବୁଠି ଖାଲି ଟଙ୍କା ଦରକାର ହୁଏ ତାର ! ଛି ଛି, କି ନୀଚ ମନ, ଟଙ୍କାଇ ତାହାର ସବୁ । ମନଟା ବିଷେଇ ଉଠେ । ରାତିରେ ଶୋଇ ଶୋଇ ଜ୍ୟୋତ୍ସ୍ନା କଥା ଭାବୁ ଭାବୁ ଜ୍ୟୋତ୍ସ୍ନାକୁ ଘୃଣା କରନ୍ତି ମନେ ମନେ ।

 

କିନ୍ତୁ ବନ୍ଦନା ! ତାହା ବିଷୟରେ କିଛି ହେଲେ ଭାବିବାକୁ ସାହସ ବି କରନ୍ତି ନି ସେ । ଝିଅଟିକୁ ଠିକ୍‌ ବୁଝି ପାରନ୍ତି ନି ସେ । କଅଣ ସେ ଚାହେଁ ? ଆଉ କଅଣ ପାଇଲେ ବା ସେ ତୃପ୍ତ ହେବ ? ଟଙ୍କା, ଗହଣା, ଶଢ଼ୀ, ଆଉ କ’ଣ ? ଭାବି ଭାବି ଠିକ୍‌ କରି ପାରନ୍ତି ନି, ଏ ସବୁକୁ ମୁହୂର୍ତ୍ତକରେ ଗୋଡ଼ରେ ଆଡ଼େଇ ଦେବ । ଆଉ ତାକୁ ଖୁସୀ କରାଇ ପାରିବେ ମିଃ ରାୟ ସାମାନ୍ୟ ଟୟଲେଟ୍‌ କେସ୍‌ ଦେଇ ! ଛାର ବ୍ଲାଉଜ୍‌ ପିସ୍‌ ଖଣ୍ଡେ ପ୍ରେଜେଣ୍ଟ କରି । ମୂକ ହୋଇଗଲେ ସେ ।

 

‘‘ଆମେ ଅନେକବେଳୁ ଲକ୍ଷ୍ୟ କରୁଚୁ, ତୁ କ’ଣ ଭାବୁଚୁ, କହ ତ ? କ’ଣ କିଛି ରୋମାଣ୍ଟିକ୍‌ ଏଫେଆର୍‌ । କହନା, ଆମେ ତ ତୋର ବନ୍ଧୁ । କ’ଣ ଏତେ ଲୁଚାଇବାର ଅଛି ରୀତା ଦେବୀ, ଚପଳା ଦାସ୍‌, ଉର୍ବଶୀ ମହାନ୍ତି, କାହା କଥା ଭାବୁଚୁ କହ ତ ?’’

 

ଚମକି ଉଠିଲେ ମିଃ ରାୟ, ସତେ ତ ଏତେ ବେଳଯାଏ କ’ଣ ସବୁ ଭାବୁଥିଲେ ସେ ! ବନ୍ଦନା, ବନ୍ଦନାର କଥା ! ଉଃ, ରାତିସାରା କାଲି ସେ ଶୋଇପାରି ନାହାନ୍ତି, ତା’ରି କଥା ଭାବି ଭାବି-। ଆଜି ବି ନିଦ ହେବନି ବୋଧେ ! ରୀତା, ଚପଳା, ଉର୍ବଶୀ ଏମାନଙ୍କର କଥା ବସି ଭାବିବେ ଜୟନ୍ତ ରାୟ ! ଏମାନେ ହେଲେ କ୍ଷଣିକର ମୋହ ! କ୍ଷଣିକର ଆନନ୍ଦ !

 

‘‘ଧେତ୍‌, କଅଣ ଯେ ସବୁ କହ । ଏଠି ପୁଣି ସେମାନଙ୍କ କଥା କାହିଁକି ? ଆଚ୍ଛା ଅସଲ କଥା କୁହତ, କୁଆଡ଼େ ସବୁ ଆସିଥିଲ ?’’

 

‘‘ହଁ, ହଁ ଠିକ୍‌କଥା, ଆଜି କ୍ଲବରେ ମିସ୍‌ ଲିଲିଆନ୍‌ଙ୍କର ଡାନ୍‌ସ ଅଛି । ପୁଣି ମିଷ୍ଟର ଚୋପ୍ରା ଆଜି ପାର୍ଟି ଦଉଚନ୍ତି, ତାଙ୍କର ପୁଅ ଇଞ୍ଜିନିୟରିଂ କଲେଜ୍‌ରୁ ଫାଷ୍ଟହେଇ ପାସ୍‌ କରିଚି । ତୁ ନିଶ୍ଚୟ ଆସିବୁ । ଏଇ ନେ ତୋର କାର୍ଡ଼ । ମିଃ ଚୋପ୍ରା ତୋ ଘରକୁ ନିଜେ ଯାଇଥିଲେ, ତୁ କିନ୍ତୁ ଅଫିସ୍‌କୁ ଚାଲି ଆସିଥିଲୁ । ସେଥିପାଇଁ ଆମ ହାତରେ କାର୍ଡ଼ ପଠାଇଚନ୍ତି, ଆଉ ତତେ ବି ସେ ଫୋନକରି ନିମନ୍ତ୍ରଣ କରିବେ ୧୨ଟା ଭିତରେ । ତୁ ଯିବୁ କିନ୍ତୁ, ଆଗରୁ ଟିକେ ଆସିଯିବୁ । ଉର୍ବଶୀ, ରୀତା ସମସ୍ତେ ଆସିବେ ।’’

 

‘‘ପାର୍ଟି, ଡ୍ୟାନ୍‌ସ, ମତେ ସବୁବେଳେ ଏସବୁ ଭଲ ଲାଗୁନି । ଆଜି ସନ୍ଧ୍ୟାବେଳେ ଅଫିସରୁ ଫେରି ମୁଁ ଟିକେ ରେଷ୍ଟ ନେବି ଭାବିଚି, ଭାରୀ ଟାୟାର୍ଡ଼ ଲାଗୁଚି ।’’

 

‘‘ତୁ ତ ବଡ଼ ନୀରସ ହେଇଗଲୁଣି ? ପାର୍ଟି, ଡ୍ୟାନ୍‌ସ, ପୁଣି ତୁ ଯିବୁନି ? ତତେ ବାଦ୍‌ ଦେଇ ସବୁ ହେବ କିପରି ? ନା, ନା ତୋର କୌଣସି କଥା ଶୁଣା ଯିବନି । ନିଶ୍ଚୟ ଆସିବୁ । ନ ଆସିଲେ ଆମେ ସମସ୍ତେ ତତେ ଧରିନେଇ ଆସିବୁ ।’’ ସମସ୍ତେ ହସି ଉଠିଲେ ଜୋରରେ । ସାମାନ୍ୟ ହସିଲେ ମିଃ ରାୟ ।

 

ଚପରାଶୀ ଚା’ ଟ୍ରେ ନେଇ ଭିତରକୁ ଆସିଲା । ଚା ତିଆରି କରି ଭଦ୍ରଲୋକମାନଙ୍କୁ ଦେଲା । ଚା ଖାଇସାରି ସେମାନେ ଚାଲିଗଲେ । କରିଡ଼ର୍‌ ପାଖରେ ବନ୍ଦନାକୁ ଦେଖି ନିଜ ଭିତରେ ଚାପା ସ୍ୱରରେ କ’ଣ କଥାବାର୍ତ୍ତା କରି ହସି ହସି ବାହାରି ଚାଲିଗଲେ । ସେଇ ଗତିପଥକୁ ଚାହିଁ ବନ୍ଦନା ଠିଆ ହେଇ ରହିଲା । କ’ଣ ଏମାନେ ମନେ କରନ୍ତି ତାକୁ ! କି କୁତ୍ସିତ ରୁଚି, କି ଅଶ୍ଳୀଳ କଥାବାର୍ତ୍ତା । ଜଣେ ଭଦ୍ରମହିଳାର ଉପସ୍ଥିତିରେ କିପରି ଭାବରେ କଥାବାର୍ତ୍ତା କରିବାକୁ ହୁଏ, ଏତକ ବି ଜାଣି ନାହାନ୍ତି ! ଆଉ ଏମାନେ ନିଜକୁ ଶିକ୍ଷିତ, ମାର୍ଜିତ ବୋଲି ଗର୍ବ କରନ୍ତି !

 

‘‘ଦିଦି, ସାହେବ ଡାକୁଚନ୍ତି’’ ପଛରୁ ଚପରାଶୀ ରଘୁ କହିଲା । ବିଚଳିତ ହେଲା, ବନ୍ଦନା । ଛି, ଛି, ଏ ସବୁ କଥାବାର୍ତ୍ତା ପରେ କିପରି ପୁଣି ବଡ଼ସାହେବଙ୍କ ଆଗରେ ଠିଆ ହେବ ସେ । ତାକୁ ନେଇ ଯାହା ସବୁ କୁତ୍ସିତ ଇଙ୍ଗିତ କରିଥିଲେ ସେମାନେ ମିଃ ରାୟଙ୍କ ସଙ୍ଗେ, ତାପରେ ଏ ବିବର୍ଣ୍ଣ ମୁହଁକୁ ପୁଣି ତୋଳି ଧରିବ କିପରି ବଡ଼ ସାହେବଙ୍କ ଆଗରେ । ଯନ୍ତ୍ରଚାଳିତ ପରି ସ୍ୱିଙ୍ଗ୍‌ ଡୋର୍‌ଟା ଖୋଲି ଭିତରକୁ ପଶିଲା ବନ୍ଦନା । ମିଃ ରାୟ ଝରକା ପାଖରେ ଠିଆ ହେଇଥିଲେ । ବନ୍ଦନାକୁ ଦେଖି କଥା ଆରମ୍ଭ କଲେ ।

 

‘‘ବସ ବନ୍ଦନା, ମୋ ପାଇଁ କପେ ଚା କରିଦେବ ?’’

 

ଟେବୁଲରେ ଥୁଆ ହୋଇଚି ଚା କେଟ୍‌ଲି, ଦୁଧ, ଚିନି, କପ୍‌ ସବୁ । ନାରୀ ସେ, ସଙ୍ଗେ ସଙ୍ଗେ ଅନୁଭବ କଲା ଏ ତ ତା’ର କର୍ତ୍ତବ୍ୟ । ଭୁଲିଗଲା ତା’ର ଅପମାନ, ଅଭିମାନ ସବୁ ।

 

ଅତି ଯତ୍ନର ସହିତ ଚା’ କରି ଚାମୁଚ୍‌ରେ ଚିନି ଘାଣ୍ଟିଦେଇ ମିଃ ରାୟଙ୍କୁ ଦେଲା । ଚା କପ୍‌ ହାତରେ ଧରି କହିଲେ ସେ–

 

‘‘ତୁମେ ବି କପେ ଚା ପିଅ ।’’

 

‘‘ନା ସାର୍‌, ଦରକାର୍‌ ନାହିଁ । ଆପଣ ପିଅନ୍ତୁ ।’’

 

‘‘ତା ହେଲେ ଏଇ ରହିଲା ତୁମର ଚା, ମୋର ମଧ୍ୟ ପିଇବାକୁ ଇଚ୍ଛା ନାହିଁ ।’’

 

ବନ୍ଦନା ଦେଖିଲା, ସିଗାରେଟ୍‌ କେଶ୍‌ ଖୋଲୁଚନ୍ତି ମିଃ ରାୟ ଟିକେ ଗମ୍ଭୀର ହେଇ । କ’ଣ ଟିକେ ଭାବିନେଇ ବାଧ୍ୟ ହେଇ ନିଜ ପାଇଁ ଚା ତିଆରି କଲା, ଆଉ କହିଲା-

 

‘‘ସାର୍‌, ମୁଁ ପିଉଚି । ଆପଣ ଚା ପିଅନ୍ତୁ ।’’

 

ହସ ଖେଳିଗଲା ମିଃ ରାୟଙ୍କ ମୁହଁରେ । ଚା ଖାଉ ଖାଉ କଥା ଆାରମ୍ଭ କଲେ-

‘‘ତୁମେ ଟିକେ ବଡ଼ ବେଶୀ ସେଣ୍ଟିମେଣ୍ଟାଲ୍‌ ହୋଇଯାଉଚ ବନ୍ଦନା, ତୁମକୁ ଟିକେ ବଦଳିବାକୁ ପଡ଼ିବ । ତା ଛଡ଼ା ବନ୍ଧୁ ମହଲରେ ସବୁବେଳେ ଥଟ୍ଟା ପରିହାସ ଏସବୁ ଚାଲେ, ନୁହେଁ କି ? ଅବଶ୍ୟ ଅନ୍ୟ କାହାରି ଉପସ୍ଥିତିରେ ଏସବୁ ଥଟ୍ଟା କରିବା ଅନ୍ୟାୟ, ମୁଁ ବି ଏସବୁ ଅନୁଭବ କରୁଚି । ମୁଁ ସେମାନଙ୍କୁ ମନା କରିଦେବି । କିନ୍ତିୁ ସେଥିପାଇଁ ଦୁଇ ଚାରି ଦିନ ସମୟ ଦାରକାର । ତୁମକୁ ମୋ ରୁମ୍‌ରେ ବସି ରହିବାକୁ ହେବ, ଆଉରି ଅନେକ ପ୍ରକାର ଆଳାପ ଆଲୋଚନା, ବ୍ୟବହାର ତୁମ ଆଖିରେ ପଡ଼ିବ । କିନ୍ତୁ ତୁମକୁ କହି ରଖୁଚି ବନ୍ଦନା, କୌଣସିଥିରେ ବିଚଳିତ ହେବାର ଆବଶ୍ୟକତା ନାହିଁ । ତୁମେ ତୁମର କାମନେଇ ବ୍ୟସ୍ତ ରହିବ । ଆମର କଥାବାର୍ତ୍ତାକୁ କାନଦେବା ଆଦୌ ଉଚିତ୍‌ ନୁହେଁ ।’’

 

ନିଃଶବ୍ଦରେ ବନ୍ଦନା ଚା ଖାଉଥିଲା, ମୁହଁ ତଳକୁ ପୋତି ।

 

‘‘ବୁଝିପାରିଚ ?’’ ପୁଣି ଥରେ ପଚାରିଲେ ମିଃ ରାୟ ।

 

‘‘ହଁ ସାର୍‌ ।’’ ବନ୍ଦନା ଚା କପ୍‌ ଟ୍ରେରେ ରଖିଲା । ମଦନ ଆସି ଟ୍ରେ ନେଇ ଚାଲିଗଲା । ବନ୍ଦନା ଉଠି ଚାଲିଗଲା ନିଜ ସିଟ୍‌କୁ ।

 

ମିଃ ରାୟ ଆସି ବନ୍ଦନା ପାଖରେ ଥିବା ଷ୍ଟେଣ୍ଡଲଗା ଫ୍ୟାନ୍‌ଟା ଖୋଲିଦେଇ ଗଲେ । କହିଲେ-

 

‘‘ସକାଳୁ ଫ୍ୟାନ୍‌ଟା ଏ ପର୍ଯ୍ୟନ୍ତ ଖୋଲିନ ?’’

 

‘‘ସାର୍‌, ଦରକାର ହେଇନି ।’’

 

‘‘ନା, ନା, ତୁମେ ନିଶ୍ଚୟ ସଙ୍କୋଚ କରୁଚ । କିନ୍ତୁ ଜାଣିରଖ ଏଥିରେ ସଙ୍କୋଚ କରିବାରେ କିଛି ନାହିଁ ।’’

 

ବନ୍ଦନା ଚୁପ୍‌ଚାପ୍‌ ଫାଇଲ୍ ଖୋଲି କାମ ଆରମ୍ଭ କଲା । ପାଖରେ ବଡ଼ ସାହେବ, ଚାହିଁ ରହିଲେ ତା’ରି ସରୁ ସରୁ ନରମ ହାତର ଆଙ୍ଗୁଠିଗୁଡ଼ିକୁ । ଏଇ ଆଙ୍ଗୁଠିରେ ଗୋଟିଏ ଷ୍ଟୋନ୍‌ସେଟ୍‌ ମୁଦି କି ସୁନ୍ଦର ମାନିବ !

 

ଭିତରକୁ ଆସିଲା ଜ୍ୟୋତ୍ସ୍ନା । ବନ୍ଦନାର ଅତି ନିକଟରେ ବଡ଼ ସାହେବଙ୍କୁ ଦେଖି ଥକ୍‌କା ମାରି ଠିଆ ହେଇ ରହିଲା ।

 

ମିଃ ରାୟ ବିରକ୍ତମିଶା ସ୍ୱରରେ କହିଲେ-

 

‘‘କ’ଣ ଦରକାର ?’’

 

‘‘ନା, ମାନେ, ଗୋଟେ ଜରୁରୀ ଚିଠି ଆସିଚି ଇଣ୍ଡିଆନ୍‌ ରାଇସ୍‌ ଇନ୍‌ଷ୍ଟିଚିଉଟରୁ । ତାଙ୍କର ଦରକାର ମୁତାବକ ମୁଁ ଗୋଟେ ଚାର୍ଟ କରି ରଖିଚି, ଆପଣ ବର୍ତ୍ତମାନ ଦେଖିବେ ନା ଯଦି କିଛି ବ୍ୟସ୍ତ ଅଛନ୍ତି ତେବେ ପରେ ଆସିବି ।’’ ଏହା କହି ସ୍ୱିଙ୍ଗ୍‌ ଡୋର୍‌ ଆଡ଼େ ଚାଲିଗଲା ସେ ।

 

‘‘ନା, ଏଇକ୍ଷଣି ଆଣ । ଦେଖିନିଏ ।’’

 

ନିଜ ଚୌକିରେ ବସି କାଗଜପତ୍ର ଦେଖି ନାଲି ପେନ୍‌ସିଲ୍‌ରେ ଦାଗ ଦେଲେ ସେ । ଜ୍ୟୋତ୍ସ୍ନା ବନ୍ଦନାକୁ ଚାହିଁ ମୁରୁକି ମୁରୁକି ହସିଲା । ବନ୍ଦନା ଟାଇପ୍‌ କରୁ କରୁ କଣେଇ ଚାହିଁଲା ଜ୍ୟୋତ୍ସ୍ନାକୁ । ଓଠରେ ତା’ର ଅର୍ଥପୂର୍ଣ୍ଣ ହସ । ବୁଝିପାରିଲାନି ସେ କଅଣ ପାଇଁ ଜ୍ୟୋତ୍ସ୍ନା ହସୁଚି । କଅଣ ସବୁ ଭାବୁଚି କେଜାଣେ ?

 

ଜ୍ୟୋତ୍ସ୍ନାକୁ କ’ଣ ସବୁ କହିଲେ ମିଃ ରାୟ । ଫାଇଲ୍‌ ନେଇ ସେ ଚାଲିଗଲା । ଫୋନ୍‌ ବାଜିଉଠିଲା । ମିଃ ରାୟ କହିଲେ-

 

‘‘ବନ୍ଦନା ! ଫୋନ୍‌ ଧର ତ, ପଚାର କ’ଣ ଦରକାର ମୋ ପାଖରେ ?’’

 

‘‘ମୁଁ କଥା କହିବି ?’’ ଆଶ୍ଚର୍ଯ୍ୟ ହେଲା ବନ୍ଦନା ।

 

‘ହଁ, ଫୋନ୍‌ ଆଟେଣ୍ଡ କରିବା ତୁମର ଗୋଟିଏ କାମ ।’’

 

ଫୋନ୍‌ ରିଂ ହେଇ ଚାଲିଚି । ଉଠି ପାଖକୁ ଆସିଲା ସେ । ଆଗରେ କର୍ତ୍ତବ୍ୟ । ଫୋନ୍‌ରେ କିଛି ସମୟ କଥାବାର୍ତ୍ତା କରି କହିଲା-

 

‘‘ସାର୍, ମିଷ୍ଟର ଚୋପ୍ରା ଡାକୁଚନ୍ତି ଆପଣଙ୍କୁ । ଲାୟନ୍‌ସ କ୍ଲବରେ ନିମନ୍ତ୍ରଣ,ପାର୍ଟି, ଡ୍ୟାନ୍‌ସ-’’

 

‘‘ଉଃ, ମଣିଷକୁ ଟିକେ ଶାନ୍ତିରେ ରହିବାକୁ ଦେବେନି ।’’

 

ଫୋନ୍‌ଟା ନିଜେ ଧରି କହିଲେ-

 

‘‘ମିଃ ଚୋପ୍ରା ! ଗୁଡ୍‌ ଆଫ୍‌ଟରନୁନ୍‌,....ଧନ୍ୟବାଦ । ମୁଁ ନିଶ୍ଚୟ ଯିବାକୁ ଚେଷ୍ଟା କରିବି ।’’

 

କିଛି ସମୟ କଥାବାର୍ତ୍ତା କରି ଫୋନ୍‌ ରଖିଦେଲେ ।

 

‘‘ବନ୍ଦନା, ତୁମେ କେବେ ଇଟାଲିଅନ୍ ଡ୍ୟାନ୍‌ସ ଦେଖିଚ ?’’

 

ବନ୍ଦନା କାବା ହେଇଗଲା । ତାକୁ ପୁଣି ଇଏ କି ଧରଣର ପ୍ରଶ୍ନ ! ମୁଣ୍ଡ ହଲାଇ ନାହିଁ କଲା ।

 

‘‘ଆଜି ଲାୟନ୍‌ସ କ୍ଲବରେ ମିସ ଲିଲିଆନ୍‌ଙ୍କର ଇଟାଲିଆନ୍‌ ଡ୍ୟାନ୍‌ସ ଅଛି । ଦେଖିବାକୁ ଯିବ ? ମାନେ ଆଉ କିଛି ନୁହେଁ, ଠିକ୍‌ ଆଠଟାରେ ମୁଁ ତୁମକୁ ତୁମ ହଷ୍ଟେଲ୍‌ରେ ପହଞ୍ଚାଇ ଦେବି ।’’

 

ଏ କ’ଣ କହୁଚନ୍ତି ଆପଣ ? ମୁଁ ଯିବି ଆପଣଙ୍କ ସାଙ୍ଗରେ ଡ୍ୟାନ୍‌ସ ଦେଖିବାକୁ କ୍ଲବକୁ-?

 

‘‘କ’ଣ ହେଲା ? ବହୁତ ଝିଅ ତ ଯାଆନ୍ତି । ଏଇ ଜ୍ୟୋତ୍ସ୍ନା, ଧୀରା ତ କେତେଥର ଯାଇଚନ୍ତି ? ତୁମେ ଏତେ ଆପତ୍ତି କାହିଁକି କର କୁହ ତ ?’’

 

‘‘ଅଫିସ ଭିତରେ ମୁଁ ଆପଣଙ୍କର ଷ୍ଟେନୋ, ଆପଣଙ୍କର କଥା ଣୁଣିବାକୁ ମୁଁ ଏକରକମ ବାଧ୍ୟ । କିନ୍ତୁ ଅଫିସ ବାହାରେ ମୋର ଆପଣଙ୍କ ସାଙ୍ଗରେ ଆଦୌ ସମ୍ପର୍କ ନାହିଁ, ଆପଣଙ୍କ ସାଙ୍ଗରେ ମୁଁ ଯିବି କାହିଁକି କୁହନ୍ତୁ ତ ?’’

 

ଆହତ ହେଲେ ମିଃ ରାୟ । କହିଲେ-‘‘ଆଚ୍ଛା, ଠିକ୍‌ ଅଛି ।’’

ପୁଣି କାମରେ ବ୍ୟସ୍ତ ରହିଲେ ଦି’ଜଣ । କିଛି ସମୟ ପରେ ପୁଣି ଫୋନ୍‌ ବାଜିଲା । ବନ୍ଦନା ଫୋନ୍‌ ଧରି କଥାବାର୍ତ୍ତା କରି କହିଲା-

 

‘‘ସାର୍‌, ଆପଣଙ୍କର ବନ୍ଧୁ ସୁଶାନ୍ତ ବାବୁ ଡାକୁଚନ୍ତି ।’’

 

‘‘ହେଲେ, ସୁଶାନ୍ତ କ’ଣ ଖବର ?’’

 

‘‘ମିଷ୍ଟର ଚୋପ୍ରା ନିମନ୍ତ୍ରଣ କଲେ ତ ?’’

 

‘‘ହଁ, ହଁ ।’’

 

‘‘ତେବେ ଠିକ୍‌ କେତେଟାରେ ତୁ ଆସୁଚୁ କହ ।’’

 

‘‘ମୁଁ ଆଜି ଯିବିନି, ତମକୁ ସବୁ କହିଥିଲି ସକାଳେ ।’’

 

‘‘ଆରେ ସେଟା କ’ଣ ଗୋଟେ କଥା ? ଆମେ ତ ଫନ (fun) ବୋଲି ଭାବିଚୁ ? ତୁ ଆସିବୁନି, କଥା କଅଣ ?’’

 

‘‘ନା, ଆଉ କିଛି ନୁହେଁ, ମତେ ସେ ପାର୍ଟି, ଡ୍ୟାନ୍‌ସ ଭଲ ଲାଗୁନି । ମୁଁ ଆଦୌ ଯିବିନି, ମତେ କ୍ଷମାକର ଭାଇ, ଆଉ ଜୋର୍‌ କରନା, ମତେ ଆଦୌ ସେ ଇଟାଲିୟାନ୍‌ ଡ୍ୟାନ୍‌ସ ଭଲ ଲାଗିବନି । ରହିଲି ।’’

 

ଫୋନ୍‌ ରଖି ସିଗାରେଟ୍ ଧରେଇଲେ ସେ ।

 

ବନ୍ଦନା ପାଖରେ ଠିଆ ହେଇ ପଚାରିଲା-

 

‘‘ସାର୍, ଆପଣ ଯିବେନି କ୍ଲବକୁ ?’’

 

‘‘ନା ।’’

 

‘‘କିନ୍ତୁ ମିସ୍ ଲିଲିଆନ୍‌ଙ୍କର ଇଟାଲିଆନ୍ ଡ୍ୟାନ୍‌ସ, ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ । ତା ଛଡ଼ା ବନ୍ଧୁମାନେ ଏତେକରି କହୁଛନ୍ତି, ଆପଣଙ୍କର ସେଠିକି ଯିବା ଖୁବ୍‌ ଦରକାର ।’’

 

‘‘ଦେଖ ବନ୍ଦନା, ଅଫିସ ବାହାରେ ତୁମେ ସାଙ୍ଗରେ ମୋର କୌଣସି ସମ୍ପର୍କ ନାହିଁ । ଅଫିସ ଛୁଟି ପରେ ମୁଁ କେଉଁଠିକି ଯିବି ନ ଯିବି, ମୁଁ ନିଜେ ଠିକ୍ କରିବି । ତୁମର ଏ ବିଷୟରେ ମତେ ଜୋର କରିବା କିଛି ଦରକାର ଅଛି ?’’

 

ବନ୍ଦନାର କଥା ବନ୍ଦନାକୁ ଫେରାଇ ଦେଲେ ମିଃ ରାୟ । ଆହତ ହେଲା ସେ । ଯେତେ ତ, କି ଦରକାର ମିଃ ରାୟଙ୍କୁ ଜୋର କରିବା ! ଏପରି ସାହାସ ସେ ପାଇଲା କୋଉଠୁ ? ଛାତି ଭିତରେ କଣ୍ଟା ଫୋଡ଼ି ହେଲା ପରି ଯନ୍ତ୍ରଣା ହେଲା । ମିଃ ରାୟ ଆଜି ଲାୟନ୍‌ସ କ୍ଳବ ଯିବେନି । କିନ୍ତୁ କାହିଁକି ? ଏଇ ତ ଅଳ୍ପ ସମୟ ଆଗରୁ, ନିଜେ ପ୍ରସ୍ତାବ ଦେଉଥିଲେ ଡ୍ୟାନ୍‌ସ ଦେଖିବାକୁ ଯିବାକୁ ? ସେ ନ ଯିବାରୁ କ’ଣ ମିଃ ରାୟ ବି ଯିବା ବନ୍ଦ କଲେ ? ଏ କେମିତି କଥା ? କେମିତିବା ସେ ତାଙ୍କୁ ବୁଝାଇବ, ବନ୍ଦନା ସେସବୁ ଜାଗାକୁ ଯାଇ ପାରେନି । ତା ଛଡ଼ା, ବଡ଼ ସାହେବଙ୍କ ସାଙ୍ଗରେ ସେ ଯାଇ ପାରେନା । ମନରେ ତୁହାଇ ତୁହାଇ ଉଠିଲା ସେଇ ଗୋଟିଏ କଥା । ତା’ର ପାଇଁ ଆଜି ସନ୍ଧ୍ୟାଟା ମିଃ ରାୟଙ୍କର ନଷ୍ଟ ହେଇଗଲା !

 

ଅବସନ୍ନ, କ୍ଲାନ୍ତ ମନ ନେଇ ସେ ସ୍ୱିଙ୍ଗ୍‌ଡୋର ଖୋଲି ଚାଲିଗଲା ପାଣି ପିଇବାକୁ ।

 

ଟାଇଗର ହିଲ୍‌ । ଦାର୍ଜିଲିଂରେ ଥିବା ସର୍ବୋଚ୍ଚ ପାହାଡ । ଦୂରରୁ ଦିଶୁଚି ସର୍ବାଙ୍ଗ ବରଫଢ଼ଙ୍କା ମାକାଲୁ, ଲୋଟ୍‌ସେ ପର୍ବତମାଳା । ମେଞ୍ଚା ମେଞ୍ଚା ତୁଳା ଭଳି ଅସଂଖ୍ୟ ମେଘମାଳା ଭଡ଼ି ବୁଲୁଚି । ପର୍ବତମାଳାର ଅଧିକାଂଶ ଅସ୍ପଷ୍ଟ ହେଇ ଉଠିଚି । ଉପରର ଅଳ୍ପ କିଛି ଅଶଂରେ ବରଫ ଉପରେ ଖରା ପଡ଼ି ଚିକ୍‌ ଚିକ୍ କରୁଚି । ବିଶ୍ୱର ଏ ଅତୁଳନୀୟ ଶୋଭା ସମ୍ପଦକୁ ପ୍ରାଣଭରି ଭୋଗ କରି ନଉଥିଲେ ସଞ୍ଜୟ ଓ ସ୍ମିତା ।

 

ମାନସ ବାବୁ, ଜାନକୀ ଦେବୀ, ନରେନ୍ଦ୍ର ବାବୁ ରେଷ୍ଟୁରେଣ୍ଟରେ କଫି ପିଉଥିଲେ ।

 

‘‘ଆଜି ସ୍ମିତା ଦେବୀ, ମତେ ଦେଖି ସେଦିନ ଆପଣ ଏତେ ଭୟ ପାଇଲେ କାହିଁକି କୁହନ୍ତୁ ତ ?’’

 

‘‘ଭୟ ? ହଁ, ମୁଁ କାହାରିକୁ ଭୟ କରେନି ।’’

 

‘‘ଆଉ ତେବେ କଅଣ ଲଜ୍ଜା ?’’

 

‘‘ଲଜ୍ଜା ? କାହିଁକି ଆପଣଙ୍କୁ ଦେଖି ଲଜ୍ଜିତ ହେବାର କଅଣ କାରଣ ଅଛି ?’’

 

‘‘ହଁ, ଲଜ୍ଜାର କାରଣ ନିଶ୍ଚୟ ଅଛି । ମାନେ ମୋ ସହିତ ଆପଣଙ୍କର ବିବାହ ଏକରକମ ଠିକ୍ ହେଇ ରହିଚି ଅନେକ ଦିନରୁ ? ସେଇ କାରଣରୁ ହୁଏତ-’’

 

‘‘ବନ୍ଦ କରନ୍ତୁ ଆପଣଙ୍କର ବକ୍ତୃତା । ବିବାହଟା ଏତେ ଶସ୍ତା ଜିନିଷ ନୁହେଁ ସଞ୍ଜୟବାବୁ । କେଉଁ ବିଗତ ପନ୍ଦରବର୍ଷ ତଳେ ବୋଉ ଠାକୁରଙ୍କ ପାଖରେ କଅଣ ଯେ ସବୁ ପ୍ରତିଜ୍ଞା କରିଥିଲା, ସେ ସବୁକୁ ଆଜି ମୋତେ ମୁଣ୍ତପୋତି ମାନି ନେବାକୁ ହେବ, ଏ ଭ୍ରମ ଧାରଣା ଆପଣଙ୍କର ହେଲା କିପରି ?’’

 

‘‘ନା, ଏହା ଭ୍ରମ ଧାରଣା ନୁହେଁ । ମୋର କେମିତି କେଜାଣି ମନେହେଲା, ଆପଣଙ୍କର ବୋଧେ ମୋତେ ବିବାହ କରିବାକୁ ଆପିତ୍ତି ନ ଥିବ ।’’

 

ଆଶ୍ଚର୍ଯ୍ୟ ହେଲା ସ୍ମିତା । ଲୋକଟା କେଡ଼େ ଅଭଦ୍ର, କେତେ ନଗ୍ନଭାବରେ କଥାଗୁଡ଼ାକ କହିଯାଉଚି !

 

‘‘ଦେଖନ୍ତୁ ସଞ୍ଜୟ ବାବୁ, ଗୋଟିଏ କଥା ଆପଣଙ୍କୁ କହି ରଖିବା ମୁଁ ଉଚିତ ମନେ କରୁଚି-। ମୋର ବିବାହ ଠିକ୍‌ ହେଇସାରିଚି ଅମୃତ୍ ସାଙ୍ଗରେ । ଆପଣ ଚିହ୍ନିଥିବେ ବୋଧହୁଏ, ବର୍ତ୍ତମାନ ସେ ରିସର୍ଚ୍ଚ କରୁଚନ୍ତି ମାନ୍ଦ୍ରାଜରେ ।‘‘

ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ

 

ସଞ୍ଜୟ ନୀରବ ରହିଲା । ଥରେ ବ୍ୟଥାଭରା ନୟନରେ ସ୍ମିତାକୁ ଚାହିଁ ଦୂରରେ ବରଫଢ଼ଙ୍କା ପର୍ବତ ଆଡ଼େ ଚାହିଁ ରହିଲା ।

 

‘‘ଆପଣ ନୀରବ ରହିଲେ ଯେ ।’’

 

‘‘ନା ସ୍ମିତା ଦେବୀ, ମୁଁ ଆଦୌ ଏବିଷୟରେ ଜାଣି ନ ଥିଲି ବୋଲି କଥାଟା ଶୁଣି ଟିକେ ଭାବୁଥିଲି । ହଁ, ଅମୃତ୍‌କୁ ମୁଁ ଜାଣେ, ସେ ମୋର ବନ୍ଧୁ ।’’

 

‘‘ଆପଣଙ୍କର ପରିଚୟ ଅଛି ତାହାହେଲେ, ତେବେ ମୋର ଗୋଟିଏ କାମ କରି ଦେବାକୁ ହେବ, କରିପାରିବେ ?’’

 

‘‘କଣ କୁହନ୍ତୁ ?’’

 

ଟିକେ ଇତସ୍ତତଃ ହୋଇ ସ୍ମିତା କହିଲା-

 

‘‘ଏବେ ପ୍ରାୟ ଏକ ବର୍ଷ ହେଲା ଅମୃତ୍‍ଠୁ ମୁଁ ଚିଠି ପାଇନି, ବୋଧହୁଏ ଥିସିସ୍ ରେଡ଼ି କରିବାରେ ଖୁବ୍‌ ବ୍ୟସ୍ତ ଥିବ । ଆଉ ଛଅମାସ ପରେ ତା’ର ଓଡ଼ିଶା ଫେରି ଆସିବାର କଥା । ସେତିକିବେଳେ ଆମର ବିବାହ ହେବ । ବାପାଙ୍କର ମୁଁ ଖୁବ୍‌ ଆଦରିଣୀ ମୋ କଥାରେ ସେ ଆଦୌ ଆପତ୍ତି କରିବେନି ମୁଁ ଜାଣେ । ଅମୃତ୍‌ର ଖବର ବୁଝି ମତେ ଜଣାଇ ପାରିବେ କି ?’’

 

ଅନ୍ୟ ଆଡ଼େ ମୁହଁ ଫେରାଇ ଆସ୍ତେ ହସିଲା ସଞ୍ଜୟ ।

 

‘‘ଆପଣ ହସିଲେ ଯେ !’’

 

‘‘ନା, ମାନେ ଶେଷକୁ ଆପଣ ମତେ ଠିକ୍‌ କଲେ, ଆପଣଙ୍କର ବିବାହ ଠିକ୍ କରିଦେବାକୁ ? କିନ୍ତୁ ମୁଁ ଯେ ଆପଣଙ୍କର ପ୍ରେମିକର ପ୍ରତିଦ୍ୱନ୍ଦୀ !’’

 

ହଠାତ୍ ମୁଁହ ଟେକି ଚାହିଁଲା ସ୍ମିତା । ଆଖିରେ ସଞ୍ଜୟର ସତେଜ ଚାହାଣି, ଓଠରେ ରହସ୍ୟପୂର୍ଣ୍ଣ ହସ, ମୁହଁରେ ଏତେ ଟିକିଏ ବି ଦୁଃଖର ଆଭାସ ନାହିଁ ! ଏ କଥା ଶୁଣି, ବିଶେଷ କରି ଅମୃତ ବିଷୟରେ ସବୁ ଶୁଣି, ଏତେ ଟିକିଏ ବି ଆଘାତ ପାଇନି ସଞ୍ଜୟ । ଆଶ୍ଚର୍ଯ୍ୟ ।

 

ସ୍ମିତା କହିଲା-

 

‘‘ଛି, ଏ କ’ଣ କହୁଚନ୍ତି ! ନା, ନା ଆପଣଙ୍କୁ ନିଶ୍ଚୟ ଏ କାମ କରିଦେବାକୁ ହେବ ।’’

 

‘‘କିନ୍ତୁ ଗୋଟିଏ ସର୍ତ୍ତରେ । କଲି ଚାରିଟାବେଳେ ଗ୍ଲିନରିଜ୍‌ ହୋଟେଲର ପାଞ୍ଚ ନମ୍ବର ରୁମ୍‌କୁ ମାନେ ମୋ ରୁମ୍‌କୁ ଥରେ ଆସିବାକୁ ହେବ ଆପଣଙ୍କୁ । ମୁଁ ଅମୃତର କେତେଟା ଚିଠି ଦେଖାଇବି ଆପଣଙ୍କୁ ।’’

 

‘‘ଅମୃତ୍‌ର ଚିଠି ? ତାହା ହେଲେ ସେ ଆପଣଙ୍କ ପାଖକୁ ଚିଠି ଲେଖେ ? ମୁଁ ନିଶ୍ଚୟ ଯିବି, ଆପଣ ଅପେକ୍ଷା କରିବେ ।’’

 

ପାଖରେ ସଞ୍ଜୟ, ଆହୁରି ନିକଟକୁ ଆସିଚି । ଅନୁଭବ କଲା ସ୍ମିତା, ସଞ୍ଜୟର ଓଠରେ ଚାପା ହସ, ମୁଗ୍‌ଧ ହେଇ ଚାହିଁ ରହିଚି ସେ ସ୍ମିତାକୁ । ସଞ୍ଜୟର ମୁଗ୍‌ଧ ଦୃଷ୍ଟି ଆଗରେ ସଂକୁଚିତ ହେଲା ସ୍ମିତା ।

 

ଟାଇଗର ହିଲ୍‌ର ଶାନ୍ତ, ଶୀତଳ ପରିବେଶ ଭିତରେ ଭସା ଭସା ଖଣ୍ତ ବଉଦ ଯେତେବେଳେ ନିଜର ବାହକୁ ସ୍ପର୍ଶ କରି ଚାଲିଯାଏ, ମନ ଭିତରଟା ଯେମିତି କେମିତି ଚହଲିଯାଏ-। ସ୍ମିତା ସେଇକଥା ଭାବୁଥିଲା, ଏପରି ପରିବେଶରେ ମନଖୋଜେ ଜଣକୁ ଖୁବ୍‌ ପାଖରେ, ଖୁବ୍‌ ନିକଟରେ, ଅମୃତ୍‌ ଯଦି ଏତେବେଳେ ପାଖରେ ଥାଆନ୍ତା । କଅଣ ଏତେ କାମରେ ବ୍ୟସ୍ତ ସେ, ବର୍ଷେ ହେଲା କିଛି ଖବର ନାହିଁ ? କଣେଇ କଣେଇ ସଞ୍ଜୟକୁ ଲକ୍ଷ୍ୟ କଲା, କ’ଣ ଭାବୁଚି ସେ ? ଉଲେନ୍‌ ପୁଲଓଭ୍‌ର ଉପରେ ଛୋଟ ବ୍ଲାକସ୍କାର୍ପଟା କି ସୁନ୍ଦର ମାନୁଛି । ସଞ୍ଜୟ ବାସ୍ତବିକ୍‌ ସୁନ୍ଦର ସ୍ୱସ୍ଥ୍ୟବାନ୍‌ ପୁରୁଷ । ନିକଟରେ ଜଣେ ସୁନ୍ଦର ପୁରୁଷର ଅବସ୍ଥିତି ଗହନ ମନରେ ଆଣିଦେଲା ତାର ନୂଆ ସ୍ପନ୍ଦନ । ପାଖାପାଖି ଭାସିଉଠିଲା ଦୁଇଟି ମୁହଁ, ସଞ୍ଜୟ ଓ ଅମୃତ୍‌ର । କେଉଁଠି ବେଶୀ ସୁନ୍ଦର, ବେଶୀ ଲୋଭନୀୟ ! ଠିକ୍‌ କରିପାରିଲାନି ସ୍ମିତା !

 

ସେଦିନ ଅଫିସ୍‌ରୁ ଫେରି ଚିଠି ପାଇଲା ବନ୍ଦନା, ସ୍ମିତା ଲେଖିଚି-

 

ସେହ୍ନର ବନ୍ଦନା,

 

ତୋର ଚିଠି ପାଇଥିଲି, ପଢ଼ିଲି ସେଟା କୋଉଠି ଜାଣୁ ? ସେଞ୍ଚାଲ୍‌ ଲେକ୍ କୂଳରେ ପଡ଼ିଥିବା ବେଞ୍ଚ ଉପରେ ବସି । ଏହାକୁ ଲେକ୍ କୁହାଗଲେ ବି ଏହା ପ୍ରକୃତରେ ଓ୍ୟାଟ୍‌ର ରିଜ୍‌ରଭଏର୍‌ । ଏଇଠୁ ବଡ଼ ବଡ଼ ପାଇପ୍‌ରେ ମେସିନ୍‌ ଦ୍ୱାରା ପାଣି ସପ୍ଲାଇ କରାହୁଏ ଦାର୍ଜିଲିଂର ସବୁ ସ୍ଥାନକୁ । ନାନାଦି ସୁନ୍ଦର ସୁନ୍ଦର ଗଛ ଥାଇ ଏ ଜାଗାଟି ଏତେ ସୁନ୍ଦର, ନ ଦେଖିଲେ ଜାଣି ହେବନି । ଏଇଠି ବସି ଚିଠି ପଢ଼ୁ ପଢ଼ୁ ତୋ କଥା ଖୁବ୍‌ ବେଶୀ ମନେ ପଡ଼ିଲା । ହସ ଲାଗିଲା ତୋର ଚିଠିର ଗୋଟିଏ ଧାଡ଼ି ପଢ଼ି । ଲେଖିଚୁ ଏତେ ଶ୍ରୀଘ୍ର ଜଣେ ଅପରିଚିତ ପୁରୁଷକୁ ବନ୍ଧୁ ହିସାବରେ କେମିତି ଗ୍ରହଣ କରିନେଲୁ ? ବନ୍ଧୁ କରିବା ପୂର୍ବରୁ ଥରେ ଭଲକରି ପରଖ କରିନେ, ବନ୍ଧୁଟି ତୋର ପ୍ରକୃତରେ କୋଉ ସ୍ତରରେ ।’’

 

ବନ୍ଦନା, ତୋ ପାଇଁ ଯାହା ଅସମ୍ଭବ ମନେ ହେଉଚି, ମତେ କିନ୍ତୁ ଲାଗୁଚି ଏହା ଅତି ସାଧାରଣ କଥା । ସଞ୍ଜୟକୁ ବନ୍ଧୁ ଭାବରେ ଗ୍ରହଣ କରିବା ପାଇଁ ଏତେ ଭାବିବାକୁ ହୁଏନି । ବହୁତ ବେଶୀ ଭଦ୍ର, ମାର୍ଜିତ । ଏପରି ଜଣେ ପୁରୁଷ ସଙ୍ଗେ ବନ୍ଧୁତ୍ୱ କରିବାର ଥ୍ରିଲ୍‌ ଅଛି । ସେ କିଛି ଆଶା କରିବା ପୂର୍ବରୁ ତାକୁ ମୁଁ ଅମୃତ୍‌ କଥା ସବୁ କହି ରଖିଚି । ଆଶ୍ଚର୍ଯ୍ୟ ହେଲି କିନ୍ତୁ ସେଦିନ ଏସବୁ ଶୁଣି ସେ ଆଦୌ ବିଚଳିତ ହେଲାନି, ଭାଙ୍ଗି ପଡ଼ିଲାନି, ବରଂ ମୁହଁରେ ତାର ଦେଖିଲି ବେପରୁଆ ହସ । ମୁଁ ସେଦିନୁ ଆଦୌ ଭାବିପାରୁନି କଥା କଅଣ ? ହସି ହସି ସେଦିନ କହିଥିଲା ସେ ଅମୃତ୍‌ ତାର ବିଶିଷ୍ଟ ବନ୍ଧୁ । ଶୁଣି ଆଶ୍ଚର୍ଯ୍ୟ ହେଲି । ଚୁଡ଼ାନ୍ତ ଆଘାତ ଦେବାକୁ ଯାଇ ତାକୁ କହିଥିଲି, ଅମୃତ୍‌ ପାଖକୁ ଜରୁରୀ ଚିଠି ଲେଖି ତା ଖବର ମତେ ଦେବାକୁ । ପୁଣି ଦେଖିଲି ମୁହଁରେ ତାର ସେଇ ଅମ୍ଳାନ ହସ ! ଆଶ୍ଚର୍ଯ୍ୟ ହେଲି ପ୍ରକୃତରେ, ପୁରୁଷ ହେଇ, ଟିକିଏ ବି ହଂସା ହେଉନି, ଈର୍ଷା ହେଉନି, କଅଣ ମନ ତା’ର ପଥରରେ ଗଢ଼ା ! ଉତ୍ତରରେ ସେ କହିଛି, ତା’ର ସର୍ତ୍ତମାନି ତା ହୋଟଲ୍‌ରେ ତା ରୁମ୍‌ରେ ଦେଖା କରିବାକୁ । କାହିଁକି ଏପରି ସର୍ତ୍ତ କରାଇଚି କିଛି ବୁଝିପାରୁନି । ଅମୃତ୍‌ଠୁ ବର୍ଷେ ହେବ କିଛି ଚିଠି ନ ପାଇ ମୁଁ ଖୁବ୍ ବ୍ୟସ୍ତ ହେଇଗଲିଣି । ଏଠୁ ଫେରିଲେ ସିଧା ମାଦ୍ରାଜ ଯାଇ ତା ପାଖରେ ପହଞ୍ଚି ବୁଝି ଆସିବି କଅଣ ତାର ଅସୁବିଧା । ତା ପୂର୍ବରୁ କାଲି ଯାଇ ସଞ୍ଜୟ ପାଖରେ ଦେଖି ଆସିବି ତା ଚିଠିତକ । କେବେକାର ଚିଠି କେଜାଣି ? ସଞ୍ଜୟ ଭୁଲ ବି କହୁଥାଇ ପାରେ । ଦେଖାଯାଉ କଅଣ ହେଉଚି ।

 

ହଁ, ମୋ କଥା ଖାଲି ଲେଖି ଯାଉଚି । ତୁ ମିଃ ରାୟଙ୍କର ପ୍ରାଇଭେଟ ଷ୍ଟେନୋ ହେଲୁଣି । କେମିତି କାମ ଚଳଉଚୁ । ମୁଁ ତୁମ ମିଃ ରାୟଙ୍କୁ ଦେଖିଚି, ବହୁତ ବେଶୀ ସୌଖିନ ଭଦ୍ରଲୋକ, ସାହେବୀ ଆବଦ୍‌ କାଇଦାରେ ଚଳନ୍ତି । ତୁ କେମିତି ତାଙ୍କ ରୁମ୍‌ରେ ବସି କାମ କରୁଚୁ ! ଆଶା କରେ ଏଥର ଏଠୁ ଫେରିଲେ ତତେ ଟିକେ ଭିନ୍ନ ରୂପରେ ଦେଖିବାକୁ ପାଇବି । ମାନେ, ଟିକେ ଷ୍ଟାଇଲିଷ୍ଟ ଟିକେ ସୌଖିନ – ଏ ଭଳି ନୁହେଁ କି ?

 

ହଉ ଆଉ ଦିନେ ସବୁ । ଚିଠି ଦବୁ ! ଇତି ।

 

ସ୍ମିତା

 

ଚିଠି ଖଣ୍ତକ ପଢ଼ି ହସି ଦେଲା ବନ୍ଦନା । କ’ଣ ଭାବୁଚି ସ୍ମିତା ମିଃ ରାୟଙ୍କ ସଂସ୍ପର୍ଶରେ ଆସି ବଦଳିଯିବ ସେ ! ଦେଖାଯାଉ, ସମୟର ଗତିରେ ଟାଣି ହୋଇ କେଉଁଠି ପହଞ୍ଚୁଚି ସେ ଶେଷ ପର୍ଯ୍ୟନ୍ତ !

 

 

ଏଲଗିନ ରୋଡ଼ ଦେଇ ଯାଉଁ ଯାଉଁ ଗ୍ଲିନରୀଜ ହୋଟେଲ୍‌ ସାମନାରେ ଅଟକିଲା ସ୍ମିତା । ରାସ୍ତା ଉପରୁ ଦୋତାଲାଟି ପରିଷ୍କାର ଦିଶୁଚି । ଅର୍ଥାତ୍‌ ରାସ୍ତାଟା ବେଶ୍‌ ଉଚ୍ଚରେ ।

 

ଦୋତାଲାର ହଲ ଘରେ ଗୁଡ଼ିଏ ଟେବୁଲ ଚୌକି ଛଡ଼ା ଛଡ଼ା ହୋଇ ପଡ଼ିଚି । ନାନାଦି ବିଦେଶୀୟ ତରୁଣ, ତରୁଣୀ ବସି ଖଇବାରେ, ଗଳ୍ପ କରିବାରେ ବ୍ୟସ୍ତ । ଗୋଟିଏ କଣରେ ଡାୟାସ ଉପରେ ଜଣେ ଏଙ୍ଗ୍ଳୋଇଣ୍ତିଆନ୍‌ ତରୁଣୀ ମାଇକ ଆଗରେ ଠିଆ ହୋଇ ଗୀତ ଗାଉଚି ଇଂଲିସ ଟିଉନ୍‌ରେ । ପାଖରେ ବସିଚନ୍ତି ଅର୍କେଷ୍ଟ୍ରା ପାର୍ଟି । ଅତି ଆଧୁନିକ ଷ୍ଟାଇଲରେ ହଲଟି ସଜା ହୋଇଚି-

 

ଗୀତ ସରିଲା । ଘନ ଘନ କରତାଳି ଶବ୍ଦରେ ସ୍ମିତାର ଧ୍ୟାନ ଭାଙ୍ଗିଲା । ସାମନାରେ ସିଢ଼ି-। ଦ୍ୱିଧାଗ୍ରସ୍ତ ମନରେ ସିଢିରେ ଉଠିଲା । ଏଇଠି ରହୁଚି ସଞ୍ଜୟ ! ଏଡେ ବିରେଟ ହୋଟଲରେ-!

 

ଉପରକୁ ଉଠି ବୟଠୁ ରୁମ୍‌ ନମ୍ବର ବୁଝି ଆଗେଇଲା ସେ । ବେଶୀ ଦୂର ଯିବାକୁ ହେଲାନି, ଆଗରେ ବାରଣ୍ତାରେ ବସି ବହି ପଢ଼ୁଥିଲେ ଜାନକୀ ଦେବୀ ।

 

‘‘ଆରେ ସ୍ମିତା ଯେ, ଆସ ମା । ସଞ୍ଜୟ ତା’ ହେଲେ ଠିକ୍‌ କହୁଥିଲା ।’’

 

‘‘ଏଁ ।’’

 

‘‘ସଞ୍ଜୟ କହିଲା, ଆଜି ସ୍ମିତା ଆସିବ କହିଚି । ମୋର କିନ୍ତୁ ବିଶ୍ୱାସ ହେଲାନି, କିନ୍ତୁ ୟା ଭିତରେ ଯେ କେତେବେଳେ ତୁମର ସବୁ କଥାବାର୍ତ୍ତା ଠିକ୍‌ ହେଇ ଯାଇଚି, ମୁଁ ଆଉ ଜାଣେ ନା ।’’

 

ହସି ଉଠିଲେ ସେ ।

 

ଅପ୍ରସ୍ତୁତ ହେଲା ସ୍ମିତା ।

 

‘‘ନା ମାଉସୀ ! ଏଇବାଟ ଦେଇ ଯାଉଥିଲି ଚୌକି ବଜାର ଆଡ଼େ, ଭାବିଲି ଦେଖିଯାଏଁ ତୁମ ହୋଟେଲଟା ।’’

 

‘‘ଏଥିରେ ଲୁଚାଇବାରେ କଅଣ ଅଛି ମା ! ତୁମେ ଦିହେଁ ଖୁସିରେ ରହିଲେ ତ ବେଶ ସୁଖର କଥା, ମୁଁ ତ ଏଇୟା ଚାହେଁ ।’’

 

ସ୍ମିତା କ’ଣ କହି ଆସୁଥିଲା, ଦେଖିଲା ପର୍ଦ୍ଦା ସେପଟରେ ଠିଆ ହେଇ ସଞ୍ଜୟ ସବୁ ଶୁଣୁଚି । ଲାଜରେ ଲାଲ ହୋଇଗଲା ସେ । ସଞ୍ଜୟବାବୁ କଣ ଭାବିଥିବେ ! ମାଉସୀ କଅଣ ଯେ ସବୁ କହିଯାଆନ୍ତି ।

 

‘‘ଯା ସ୍ମିତା, ସଞ୍ଜୟ ତତେ କ’ଣ ଦେଖେଇବ କହୁଥିଲା । ତୁ ଦେଖୁଥା, ମୁଁ ଟିକେ ଚା ବରାଦ କରିଦେଇ ଆସେ ।’’ ଜାନକୀ ଦେବୀ ଉଠିଗଲେ ।

 

ସ୍ମିତା କମ୍ପିତ ପଦରେ ଘର ଭିତରକୁ ଗଲା । କିନ୍ତୁ ଏ କଅଣ ? ସଞ୍ଜୟ କାହିଁ ? ଘର ଖାଲି । ସେ ପାଖ ଦୁଆର ବାଟେ କେତେବେଳେ ସେ ସେପଟ ଘରକୁ ଚାଲିଯାଇଚି । ବାଃ ବେଶ୍‌ ଲୋକ ତ ? ରୁମ୍‍କୁ ଡାକି ଆଣି ଶେଷକୁ ବାବୁଙ୍କର ଦେଖା ନାହିଁ । ବେଶ୍‌ ବନ୍ଧୁ ।

 

ଚାରିଆଡ଼େ ଆଖି ବୁଲାଇଲା ସ୍ମିତା । ଡ୍ରେସିଂ ଟେବୁଲ ଉପରେ ଧାଡ଼ି ଧାଡ଼ି ହେଇ ଶିଶି, ବାକ୍‌ସ, କେତେ କଅଣ ଟୟଲେଟ ସରଞ୍ଜାମ ରହିଚି । ଲେକ୍‌ମେ’ର ପୁରା ସେଟ୍‌ ! ପାଖ ରକ୍‌ରେ ହେଙ୍ଗରରେ କେତେ ରକମର ସୁଟ୍‌ ଟଙ୍ଗା ହେଇଚି । କାଶ୍ମୀର ଉଲେନ୍‌ ସୁଟ, ଟ୍ରପିକେଲ, ଟେରୀକଟ, ଟେରିଉଲ ଆହୁରି କେତେ କଅଣ ଦାମିକା ସୁଟ୍‌ । ନୀଳ, ଘନନୀଳ, ଗ୍ରେ, ବ୍ରାଉନ, କଳା, କେତେ ରଙ୍ଗର । ଆଶ୍ଚର୍ଯ୍ୟ ହେଲା ସେ, ଜଣେ ଲୋକ ଏତେ ସୌଖିନ ହେଇପାରେ ! ସେଲ୍‌ଫ ଉପରେ ଥୁଆ ହେଇଚି ଟେପ ରେକର୍ଡ଼ର, ଟ୍ରାନ୍‌ଜିଷ୍ଟର, ବାଇନାକୁଲାର, ଫୋଲଡଂ କ୍ୟାମେରା ଆହୁରି କେତେ ଜିନିଷ । ସଞ୍ଜୟର ସୌଖୀନିତା, ବୀଳାସୀତା, ଆଭିଜାତ୍ୟ ସବୁ ଆଗରେ ମୁଣ୍ତ ନଇଁଗଲା ସ୍ମିତାର । ଭାବିଲା, ସଞ୍ଜୟ ଆଗରେ ଅମୃତ୍ କେତେ ନରାଣ୍ୟ ! କେତେ କ୍ଷୁଦ୍ର ! ମୂହର୍ତ୍ତକ ପାଇଁ ଅନ୍ୟମନସ୍କ ହେଇଗଲା ସେ ।

 

ଠେବୁଲ ପାଖକୁ ଚାଲି ଆସିଲା । ଟେବୁଲ ମଝିରେ ଥୁଆ ହେଇଚି ଫଟ ଷ୍ଟେଣ୍ତରେ ସଞ୍ଜୟର ଗୋଟିଏ ବଷ୍ଟ ସାଇଜର ଫଟୋ । ଅନ୍ୟମନସ୍କ ଭାବରେ ଦୁଇହାତରେ ଫଟଟିକୁ ଧରି ମୁହଁ ପାଖକୁ ଆଣି ନିରୀକ୍ଷଣ କଲା । ସୁଟ, ଟାଇ ପିନ୍ଧି କି ସୁନ୍ଦର ଦିଶୁଚି ସଞ୍ଜୟ !

 

ବିସ୍ମୟ ବିସ୍ଫାରିତ ଆଖିରେ ଚାହିଁ ରହିଲା ସେ ସଞ୍ଜୟର ଫଟ ଆଡ଼େ । ଭୁଲିଗଲା ଏଟା ସଞ୍ଜୟର ରୁମ୍‌ । ଯେ କୌଣସି ମୁହୂର୍ତ୍ତରେ ସେ ଏଠିକି ଆସିଯାଇପାରେ ।

 

‘‘ବସନ୍ତୁ ସ୍ମିତା ଦେବୀ ।’’

 

ଚମକି ପଡ଼ି ଫେରି ଚାହିଁଲେ ସ୍ମିତା । ପଛରେ ଖୁବ୍‌ ନିକଟରେ ସଞ୍ଜୟ । ହାତରେ ଥିବା ଫଟଟିକୁ ଲୁଚାଇବାକୁ ଯାଇ ଧରା ପଡ଼ିଗଲା ସଞ୍ଜୟ ଆଗରେ । ଲାଜରେ ମୁହଁଟେକି ପାରିଲାନି । କଥା ଆରମ୍ଭ କଲା ସଞ୍ଜୟ-

 

‘‘ଆପଣଙ୍କୁ ଯଦି ଫଟଟା ଭଲ ଲାଗୁଚି ତେବେ ନେଇ ଯାଆନ୍ତୁ, ସେଇଟା ମୁଁ କାଢ଼ି ଦଉଚି’’ କହି ଷ୍ଟେଣ୍ତ ଆଡ଼କୁ ହାତ ବଢ଼ାଇଲେ ସେ ।

 

‘‘ନା ନା, ମୁଁ କାହିଁକି ଏହା ନେବି । ମୋର ଆଦୌ ଦରକାର ନାହିଁ ।’’ ବାଧା ଦେଲା ସ୍ମିତା ।

 

ଟିକେ ମୁରକି ହସି କହିଲା ସଞ୍ଜୟ-‘‘ଭାବିଥିଲେ, ବୋଉ କଥାରେ ବୋଧେ ରାଗି କରି ଚାଲିଯିବେ । ମାନେ, ସେ ଆପଣଙ୍କୁ ଭିନ୍ନ ଭାବରେ ଦେଖିବାକୁ ଚାହେଁ ନା ।’’

 

ଚମକି ଚାହିଁଲା ସ୍ମିତା, ସଞ୍ଜୟ ଏକ ଲୟରେ ଚାହିଁ ରହିଛି । ଓଠରେ ଲାଗି ରହିଚି ରହସ୍ୟମୟ ହସ, ଆଖିରେ ଭରି ରହିଚି ମୁଗ୍‌ଧ ଚାହାଣୀ । ମନେ ପଡ଼ିଲା, ବର୍ଷକ ତଳେ ଅମୃତ୍‌ ଏମିତି ଥରେଥରେ ଚାହିଁ ରହେ, ସ୍ମିତା ଉପଭୋଗ କରେ । ରୋମାଞ୍ଚ ଅନୁଭବ କରେ, କାରଣ ଅମୃତ୍ ତାକୁ ଭଲ ପାଏ । ସଞ୍ଜୟର ମୁହଁରେ ବି ସେ ଆଜି ସେଇ ଚାହାଣୀ ଲକ୍ଷ୍ୟ କଲା, ସାରା ମୁହଁଟିରେ ଭଲ ପାଇବାର ପୂର୍ବରାଗ । ତେବେ ସଞ୍ଜୟ ବି କଅଣ ତାକୁ ଭଲପାଏ, ଠିକ୍ ଅମୃତ୍ ପରି ? କିନ୍ତୁ ଏ କିପରି ସମ୍ଭବ ? ଅମୃତ୍‌ ଓ ସ୍ମିତାର ସବୁ କଥା ଶୁଣି ସାରି ବି ସଞ୍ଜୟର ଏ ଭାବପ୍ରରଣତା କାହିଁକି ? ରୀତିମତ ରହସ୍ୟମୟ ଜଣାପଡ଼େ

 

ଲକ୍ଷ୍ୟ କଲା ସେ ସଞ୍ଜୟକୁ । ସଞ୍ଜୟ କେତେ ସୁନ୍ଦର ! କପାଳ ଉପରେ ଖେଳୁଚି କୁଞ୍ଚିତ କେଶରୁ କେରାଏ । ଗୋରା ତକ୍‌ ତକ୍ ପରିଚ୍ଛନ୍ନ ମୁହଁଟି ଭିତରେ କଳା କଳା ଆଖି ଯୋଡ଼ିକ ତାହାର ଆଡ଼କୁ ଚାହିଁ ରହିଛନ୍ତି । ପୁଣି ଥରେ ମୁଗ୍‌ଧ ହେଲା, ସେ କ୍ଷଣକ ପାଇଁ ମନରେ ଭାବନା ଖେଳିଗଲା । ଯଦି ଅମୃତ୍‌ ଆସି ନ ଥାନ୍ତା ତା’ ଜୀବନରେ ତେବେ ଏଇ ସଞ୍ଜୟକୁ ନେଇ ସେ ରଚିଥାନ୍ତା ସ୍ୱପ୍ନର ଅଳକାପୁରୀ ।

 

କିନ୍ତୁ ଏ କଅଣ ? ଏସବୁ ବାୟାଣୀଙ୍କ ପରି କଅଣ ବା ସେ ଭାବିଯାଉଚି ।

 

‘‘ଦେଖାନ୍ତୁ ଚିଠିଗୁଡ଼ା, ମୋର ସେସବୁ ବିଶେଷ ଦରକାର ।’’

 

‘‘ହଁ, କିନ୍ତୁ ଆଗ ମୋର ଆଲ୍‌ବମ୍‌ରେ ଏଇ ଫଟଟା ଦେଖି ସାରନ୍ତୁ ।’’

 

ସୋଫାରେ ବସି ରହିଲା ସ୍ମିତା । ଆଲବମ୍‌ ଆଣି ପାଖରେ ବସି ଖୋଲି ଧରିଲା ଗୋଟିଏ ଫଟ ସ୍ମିତା ସାମ୍ନାରେ ସଞ୍ଜୟ । ଫଟ ଦେଖୁ ଦେଖୁ ଆର୍ତ୍ତାନାଦ କରିଉଠିଲା ସ୍ମିତା ।

 

‘‘ଏ କଅଣ ସଞ୍ଜୟ ବାବୁ, ଏ କଅଣ ସତ ?’’

 

ଫଟଟିରେ ଅମୃତ୍‌ ପାଖରେ ତା’ର ବିବାହିତା ପତ୍ନୀ ମାଡ୍ରାସୀ ଝିଅଟିଏ କନ୍ୟା ବେଶରେ ଠିଆ ହେଇଚି ।

 

‘‘ହଁ ସତ । ଆଉ ଦେଖନ୍ତୁ ଏଇ ଚିଠିଟା, ନିମଟରେ ସେ ଆସିବ ବାଲେଶ୍ୱରକୁ ତା ସ୍ତ୍ରୀର ଡେଲିଭରି ପାଇଁ ; ତା’ ମା‘ଙ୍କର ବିଶେଷ ଅନୁରୋଧରେ ।’’

 

ସୋଫା ବାଡ ଉପରେ ହାତରଖି ଫୁଲି ଫୁଲି କାନ୍ଦିଲା ସ୍ମିତା । ଚାରିଆଡ଼େ ଅନ୍ଧାର ଦିଶିଲା ତାକୁ । କଅଣ ସେ କରିବ । ଅମୃତ୍‌ର ମନରେ ତେବେ ଏଇୟା ଥିଲା ? ଅପମାନରେ ମୁହଁ ଜଳିଉଠିଲା । କଇଁ କଇଁ ହେଇ କାନ୍ଦି ଉଠିଲା ସେ । ଭୁଲିଗଲା ପାଖରେ ଏକା ସୋଫାରେ ବସି ରହିଚି ସଞ୍ଜୟ, ଯାହାକୁ ଆଘାତ ଦେବାରୁ ଯାଇ ବାରମ୍ୱାର ସେ ଅମୃତ୍‌ କଥା କହିଆସିଚି ଗର୍ବ କରି-

 

ସଞ୍ଜୟ ବ୍ୟସ୍ତ ହେଇ ଉଠିଲା । ଆଗରେ କ୍ରନ୍ଦନରତା ପ୍ରେମିକା । କ‘ଣ କହି ତାକୁ ପ୍ରବୋଧ ଦେବ ? ଏପରି ପରିସ୍ଥିତିରେ ଯେ ପଡ଼ିବାକୁ ହେବ, ଆଦୌ କଳ୍ପନା କରି ନଥିଲା ।

 

ସ୍ମିତା ପରି ଅହଙ୍କରୀ, ଦାମ୍ଭିକା ଝିଅ କାନ୍ଦି କାନ୍ଦି ତା’ର ସାମ୍ନାରେ ଲୋଟି ଯାଇପାରେ ? କଅଣ ତା’ର ଦୁଃଖ ? ସଞ୍ଜୟ ଆଗରେ ନିଜର ପରାଜୟ ?

 

ବିଚଳିତ ହେଲା ସଞ୍ଜୟ , ଥରେ ଦ୍ୱିଧା କଲା, ତାପରେ ଧୀରେ ଧୀରେ କ୍ରନ୍ଦନରତା ସ୍ମିତାର ପିଠିରେ ହାତ ଥୋଇ ଆଉଁସିବାରେ ଲାଗିଗଲା ।

 

‘‘ଏତେ ଶୀଘ୍ର ଭାଙ୍ଗିପଡ଼ୁଚ ସ୍ମିତା ? ଜୀବନରେ କେତେ ଝଡ଼ଝଞ୍ଜା ଆସିବ, ସବୁ ସହିବାରେ ଶକ୍ତିଥିବା ଦରକାର ।’’

 

‘‘ବନ୍ଦ କର ସଞ୍ଜୟ, ଆଉ ସହିବାର ଶକ୍ତି ମୋର ନାହିଁ, ତୁମ ପୁରୁଷ ଜାତିଟା ଏଡେ ନିର୍ଦ୍ଦୟ, ନିଷ୍ଠୁର, ଆଉ ବିଶ୍ୱାସଘାତକ ! ଛି, ଛି ।’’

 

 

ସଞ୍ଜୟର ମୁହଁରେ ଖେଳିଗଲା ଚାପା ହସ । ଜୋର୍ କରି ଦୁଇ ହାତରେ ସ୍ମିତାକୁ ନିଜ ଆଡ଼କୁ ଟାଣିଆଣି କହିଲା-

 

‘‘ମୋ ମୁହଁକୁ ଚାହିଁ ସତ କୁହ ସ୍ମିତା, ପୁରୁଷମାନେ କଅଣ ସମସ୍ତେ ନିର୍ଦ୍ଦୟ, ସମସ୍ତେ ନିଷ୍ଠୁର ।’’

 

ଘଟଣାର ଆକସ୍ମିକତାରେ ସ୍ମିତା ଚମକିଗଲା । ଇସ୍‌, ସଞ୍ଜୟର ହାତଦି’ଟା କେଡ଼େ ବଳିଷ୍ଠ ? ଲୁହା ଶିକୁଳି ପରି ଆଣ୍ଟି ଯାଇଚି ସ୍ମିତାର କାନ୍ଧ ଉପରେ ! ସଞ୍ଜୟର ମୁହଁକୁ ଚାହିଁ ସଙ୍କୁଚିତ ହେଲା ସ୍ମିତା । ସଞ୍ଜୟର ଓଠରେ କ୍ଷୀଣ ହସର ଲହରୀ । ପରମ ଆଗ୍ରହରେ ଚାହିଁ ରହିଚି ସ୍ମିତାର ଉତ୍ତରକୁ । ବଡ଼ ବଡ଼ ଆଖିରେ ଚାହିଁ ରହିଲା ସେ ସଞ୍ଜୟକୁ, ପରଖିନେଲା ସେଇ ଆଖିରେ ଛଳନା ନାହିଁତ ? ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ସଞ୍ଜୟ, ସ୍ମିତାର ସ୍ଥିର ବିଶ୍ୱାସ ହେଲା, ସଞ୍ଜର ମନ ସ୍ୱଚ୍ଛ, ନିର୍ମ୍ମଳ, ନିର୍ଦ୍ଦୋଷ ।

 

ସଞ୍ଜୟର ବାହୁବେଷ୍ଟନୀରୁ ନିଜକୁ ମୁକୁଳେଇ ଠିଆ ହେଇ ପଡ଼ିଲା ସେ । ସଞ୍ଜୟ କିଛି କହିବା ପୂର୍ବରୁ ଦୁଆର ଆଡ଼େ ଆଗେଇଲା । ସଞ୍ଜୟ ଡାକିଲା-

 

‘‘ସ୍ମିତା ! ଶୁଣ, ମୋ ପ୍ରଶ୍ନର ଉତ୍ତର ଦେଇଯାଅ ।’’

 

କିନ୍ତୁ ଫେରି ଚାହିଁବାକୁ ଆଉ ଉପାୟ ନାହିଁ ସ୍ମିତାର ।

 

ମୁହଁଟା ଲାଜରେ ଲାଲ୍‌ ଟକ୍ ଟକ୍‌ ହେଇ ଯାଇଚି, ସଞ୍ଜୟର ସ୍ପର୍ଶରେ ଦେହଟା ହେଇଯାଇଚି ନିର୍ଜୀବ, ଏପରି ଅବସ୍ଥାରେ ସଞ୍ଜୟ ପାଖରେ ମୁହଁ ଦେଖାଇବ କିପରି ସେ ?

 

ଟପ୍‌ ଟପ୍ କରି ଶିଢିତକ ଓହ୍ଲଇ ନିଜ ହୋଟେଲ ଆଡ଼େ ଆଗେଇଲା ସେ । ହୋଟେଲ୍‌କୁ ଫେରି ଦେଖିଲା, ତଳେ ବଡ଼ହଲ୍‌ ଘରେ ଚେସ୍ ଖେଳରେ ମାତିଚନ୍ତି ନରେନ୍ଦ୍ର ବାବୁ । କୌଣସି ଆଡ଼େ ଖିଆଲ ନାହିଁ । ଆଶ୍ୱସ୍ତ ହେଲା ସ୍ମିତା । ଚୋରଙ୍କ ପରି ଗୋଡ଼ ଟିପି ଟିପି ଉପରକୁ ଉଠିଆସିଲା । ନିଜ ରୁମ୍‌ର ଦୁଆର ଖୋଲି ଭିତର ଖଟ ଉପରେ ପଡ଼ିଗଲା ! ତକିଆରେ ମୁହଁ ଗୁଞ୍ଜି ଅନୁଭବ କଲା, ଆଜି ସେ ଖୁବ୍‌ ବେଶୀ କ୍ଳାନ୍ତ, ଅବସନ୍ନ । ଛାତି ଭିତରଟା ହୁ ହୁ ହେଇ ଜଳୁଚି । ଅମୃତ୍‌ ପ୍ରତି ହିଂସା ହେଲା । ମନ ଜଳିଗଲା । ଏ କଅଣ କଲା ସେ ! ତା’ର ଏତେଦିନର ସ୍ନେହ, ଭଲ ପାଇବା, ସବୁ ବ୍ୟର୍ଥ ହେଇଗଲା ? ମନେ ପଡ଼ିଲା, ଅମୃତ୍ ପ୍ରଥମେ ରିସର୍ଚ୍ଚ କରିବାକୁ ଗଲାବେଳେ ବାପାଙ୍କୁ ଲୁଚେଇ ନିଜେ ସେ ଅମୃତ୍‌କୁ ହଜାରେ ଟଙ୍କା ଦେଇଥିଲା । ତା’ପରେ ପ୍ରାୟ ବର୍ଷେକାଳ ଷ୍ଟେଟ କଲର୍‌ସିପ୍‌ ନପାଇବା ପର୍ଯ୍ୟନ୍ତ ପ୍ରତି ମାସରେ ଟ ୨୦୦୦.୦୦ କରି ପଠାଇ ଆସିଚି । କାହାରିକୁ ଏ ବିଷୟରେ ବିନ୍ଦୁ ବିସର୍ଗ ଜାଣିବାକୁ ଦେଇନି । ନିଜର ହାତଖର୍ଚ୍ଚ ଟଙ୍କାକୁ ସେ ଯନ୍ତ୍ରରେ ସାଇତି ରଖି ପଠାଇ ଦେଇଚି ତା ପାଖକୁ ଗୋପନରେ । ମନେପଡ଼ୁଚି, ପ୍ରାୟ ବର୍ଷେ ପର୍ଯ୍ୟନ୍ତ ପାର୍ଟି, ପିକ୍‌ନିକ୍‌ କୋଉଠି ସେ ଯୋଗଦେଇ ପାରିନି । ଚାରିଟିସୋ, ସିନେମା ଥିଏଟରକୁ ପ୍ରାୟ ଯାଇ ପାରିନି । ସବୁଆଡ଼ୁ ଖର୍ଚ୍ଚ କମାଇ ସେ ଅମୃତ୍‌କୁ ଟଙ୍କା ପଠାଇ ଆସିଚି, ଅମୃତ୍‌ର ଉନ୍ନତି ପଥକୁ ଦୃଢ଼ କରିଚି, ବିନିମୟରେ କଅଣ କଲା ସେ ?

 

ଆଶାର ସୌଧ ଧୂଳିସାତ୍‌ ହେଇଚି । ଅମୃତ୍‌କୁ ଭୁଲିଯିବାକୁ ହେବ । ବିବାହ କରି ସୁଖୀ ହେଇଚି ଅମୃତ୍‌ । କିନ୍ତୁ ଅମୃତ୍‍କୁ ଭୁଲି ପାରିବ କି ସ୍ମିତା ? ଛାତି ଭିତରଟା କୁହୁଳି ଉଠିଲା । ଏ ଦୁନିଆର ସର୍ବଗ୍ରାସୀ, କ୍ଷୟକାରୀ ଶକ୍ତିରେ ଅମୃତ୍‌ର ସତ୍ତା କ୍ଷୟ ହେଇଯାଇଚି । ତା ପଛେ ପଛେ ନବଜନ୍ନ ନେଇଚି ସଞ୍ଜୟ । ସଞ୍ଜୟ କଥା ଭାବି ମନଟା ଘାଣ୍ଟି ହେଇଗଲା ।

 

ଏତେ ତ୍ୟାଗ, ଏତେ ମାୟା, ଏତେ ମମତା ସବୁ ଭୁଲି ଅମୃତ୍‌ ବିବାହ କଲା ଅନ୍ୟକୁ । ଆଉ ସଞ୍ଜୟ ! ତାକୁ ତ ସେ କିଛି ଦେଇ ପାରିନି । ତା ଆଡ଼େ ଫେରି ଚାହିଁନି । ତା’ର ପ୍ରଶ୍ନର ଉତ୍ତାଟିଏ ବି ତାକୁ ଦେଇ ପାରିନି । ସେ କଅଣ ଜୀବନର ସବୁ କ୍ଷେତ୍ରରେ ସବୁ କିଛି ଭୁଲିଯାଇ ସ୍ମିତାକୁ ନିଜର କରିନେବ ?

 

ଠକ୍‌, ଠକ୍, ଠକ୍‌, ଠକ୍‌, ବାହାରେ କିଏ ଦୁଆର ବାଡ଼ଉଚି । ସ୍ମିତା ଉଠି ଦୁଆର ଖୋଲିଲା, ହୋଟଲ୍‌ର ବୟ ଗୋଟିଏ ପ୍ୟାକେଟ୍‌ ଦେଇଗଲା ତା ହାତରେ, କହିଲା-

 

‘‘ଏକ୍‍ ବାବୁ ଦେ ଗୟେ ହୈଁ ’’

 

ବୟକୁ ଚାଲିଯିବାକୁ କହି ଦୁଆର ବନ୍ଦ କରି ପ୍ୟାକେଟ୍ ଖୋଲି ସ୍ଥାଣୁପରି ବସି ରହିଲା । ସଞ୍ଜୟର ସେ ବଷ୍ଟ ସାଇଜ୍ ଫଟଟା, ତେବେ ସଞ୍ଜୟ ଦେଇଯାଇଚି !

 

ଖଟରେ ଶୋଇପଡ଼ି ଫଟଟିକୁ ଭଲକରି ଦେଖୁ ଦେଖୁ ପୁଲକିତ ହେଇ ଉଠିଲା । ମନରେ ଉଠି ଆସୁଥିବା ଝଡ଼ ଶାନ୍ତ ହେଲା । ଛାତିରେ ଚାପିଧରିଲା ଫଟଟିକୁ ପରମ ସ୍ନେହରେ । ଛାତିରେ କୁହୁଳି ଆନୁଥିବା ନିଆଁ ଥଣ୍ଡାପାଣି ପଡ଼ି ଏକେବାରେ ଲିଭିଗଲା । ଆଖି ଆଗରେ ଭାସି ଉଠିଲା, ନୂଆ ଦୁନିଆ । ଏ ଦୂନିଆରେ ସ୍ମିତାର ହାତଧରି ଠିଆ ହେଇଚି ସଞ୍ଜୟ........

 

ଶର୍ମା ଡାଏରୀ ଫାର୍ମର ବିରାଟ ଅଫିସ୍‌ । ଶର୍ମା ସାହେବ ଅତିଶୟ ସୌଖୀନ୍ ଲୋକ । ଅଫିସ୍‌ଟିକୁ ସଜାଇଥାନ୍ତି ଠିକ୍‌ ସୋ-କେଶ୍‌ ପରି । ମୂଲ୍ୟବାନ୍‌ ଗଡରେଜ୍‌ର ଟେବୁଲ୍, ଚୌକି, ସେଲ୍‌ଫ । ଚୌକି ଉପରେ ଡନ୍‌ଲପ୍‌ପିଲୋର ଗଦି । ଝରକା ଦୁଆରରେ ସବୁ ଦାମୀ ନେଟ୍‌ର ପରଦା । ତଳେ ସୁନ୍ଦର ମୋଜାଇକ୍‌ କରା ଚଟାଣ । ବେଶ୍‌ ସୁନ୍ଦର ଆଧୁନିକ ପରିବେଶ ଭିତରେ ଇନ୍ଦୁ ଦିନ ପରେ ଦିନ କାମ କରିଯାଏ ଆରାମ୍‌ରେ । ପଙ୍ଖାତଳେ ବସି କାମ କରୁ କରୁ କେତେବେଳେ ଦିନ ଯାଇ ରାତି ହେଇଯାଏ । ଇନ୍ଦୁର ଚିହ୍ନା ପରିଚୟ କେତେକ ଆସନ୍ତି ତା ସାହାଯ୍ୟରେ ଫାର୍ମରେ କୌଣସି ଚାକିରୀ ପାଇବା ଆଶାରେ । ସେ ବାର୍‌ ବାର୍ ସେମାନଙ୍କୁ ବୁଝାଇଦେଇଚି ଯେ, ଚାକିରୀ ପାଇବା ପାଇଁ ଦରଖାସ୍ତ କରି ଶର୍ମା ସାହେବଙ୍କ ସାଙ୍ଗରେ ଦେଖା କରିବା ଦରକାର, ଇନ୍ଦୁ ସାଙ୍ଗରେ ନୁହେଁ । ତଥାପି ଲୋକମାନେ ଶର୍ମା ସାହେବଙ୍କ ପାଖକୁ ଯିବା ପୂର୍ବରୁ ତା’ର ପାଖକୁଇ ଆସନ୍ତି ।

 

ଦିନ ଦୁଇଟା......ଅଫିସ୍‌ରେ ବସି ଗୋଟିଏ ଜରୁରୀ ହିସାବ ମିଳଉ ମିଳଉ କ୍ଳାନ୍ତ ହେଇ ପଡ଼ୁଥାଏ ଇନ୍ଦୁ । ଚାରିଟା ପୂର୍ବରୁ ହିସାବ ଠିକ୍‌କରି ହେଡ୍‌ କିରାନୀଙ୍କୁ ଦେବାକୁ ହେବ । ମିନିଟିଏ ବି ଫୁରୁସତ୍‌ ନାହିଁ । ଦୁଆର ଖୋଲି ଚପରାଶି ଆସି କାର୍ଡ଼ ଖଣ୍ଡିଏ ଇନ୍ଦୁ ହାତରୁ ବଢ଼ାଇଦେଲା ।

 

‘‘ଆଜ୍ଞା, ଜଣେ ଲୋକ ବାହାରେ ଅପେକ୍ଷା କରିଚନ୍ତି ।’’

 

ନାଁଟା ପଢ଼ିଲା,‘କିଶୋର ଚନ୍ଦ୍ର ମହାନ୍ତି ।’ ନା, ଚିହ୍ନାଜଣା କେହି ନୁହେଁ ।

 

‘‘ଆସିଷ୍ଟେଣ୍ଟ ମ୍ୟାନେଜର୍‌ ସୁକାନ୍ତବାବୁଙ୍କ ପାଖକୁ ନେଇଯାଅ ।’’

 

ଆଦେଶ୍ ଦେଲା ସେ ।

 

‘‘ଆଜ୍ଞା, ଆପଣଙ୍କ ସଙ୍ଗେ ଦେଖା କରିବେ କହିଲେ ।’’

 

‘‘ମୋ ସଙ୍ଗେ ! କିନ୍ତୁ ମୋର ତ ବର୍ତ୍ତମାନ ସମୟ ହେବନି, କହିଦେ ଚାରିଟା ପୂର୍ବରୁ ଦେଖା ହେବନି ।’’

 

‘‘କହିଚି, ସେ କହିଲେ, ଚାରିଟା ପର୍ଯ୍ୟନ୍ତ ଅପେକ୍ଷା କରିବେ ।’’

 

ଆଶ୍ଚର୍ଯ୍ୟ ହେଲା ଇନ୍ଦୁ, କି ଏପରି କାମ ଥାଇପାରେ, ଭଦ୍ରଲୋକଙ୍କର ! ବୋଧହୁଏ ଚାକିରୀ ଆଶାରେ.....

 

ଅନ୍ୟମନସ୍କ ହେଇ ଉତ୍ତର ଦେଲା-

 

‘‘ଆଚ୍ଛା ହଉ ।’’

 

ସାଢ଼େ ତିନିଟା ।

 

ହିସାବ ଗୁଡ଼ିକ ଠିକ୍‌ କରି ଚପରାସି ହାତରେ ହେଡ଼୍‍ କିରାନୀଙ୍କ ପାଖକୁ ପଠାଇ ଦେଇସାରି ଚୌକିରେ ଟିକେ ଆରାମ କରି ବସିଲା ଇନ୍ଦୁ । ଓଃ, ଏତେବେଳେ କାମ ଶେଷ । ଟେବୁଲ ଉପରୁ କାଗଜ ପତ୍ରସବୁ ଉଠାଇବାକୁ ଆରମ୍ଭ କଲା । ଆଖି ପଡ଼ିଲା କାର୍ଡ଼ ଉପରେ ।

 

‘‘କିଶୋର ଚନ୍ଦ୍ର ମହାନ୍ତି ।’’

 

ଆରେ, ଲୋକଟା ତ ଅପେକ୍ଷା କରିଥିବ, କୌତୁହଳବଶତଃ ବେଲ୍‌ ବଜାଇଲା । ଚପରାସି ଆସିବାରୁ, ଭଦ୍ରଲୋକଙ୍କୁ ଡାକି ପଠାଇଲା ଇନ୍ଦୁ ।

 

ଭଦ୍ରଲୋକ ଆସି ନମସ୍କାର କଲେ । ପ୍ରତି ନମସ୍କାର ଜଣାଇ ଚୌକିରେ ବସିବାକୁ ଅନୁରୋଧ କଲା ଇନ୍ଦୁ । ଭଦ୍ରଲୋକଙ୍କୁ ୟା ଭିତରେ ଭଲକରି ଦେଖି ନେଇଚି । ରୋଗା, ସରୁ ସରୁ ହାତଗୋଡ଼, ସତେକି ଦୁଇମାସ ପରେ ଆଜି ରୋଗରୁ ଉଠି ଆସିଚନ୍ତି, ବ୍ରଣରେ ମୁହଁଟା କୁତ୍ସିତ ହେଇଯାଇଚି । ଦେଖିବାକୁ ବେଶ୍‌ କଳା । ଆଖି ଦି’ଟା ଭିତରକୁ ପଶିଯାଇଚି । ଇସ୍‌, ଆଖି ବୁଜି ହେଇଗଲା ତା’ର ।

 

ଭଦ୍ରଲୋକ କଥା ଆରମ୍ଭ କଲେ......

 

ମୁଁ ଆସିଥିଲେ ଆପଣଙ୍କ ପାଖକୁ । ଅନେକବେଳୁ ଅପେକ୍ଷା କରିଚି ।’’

 

‘‘ମୋ ପାଖକୁ ? କିନ୍ତୁ ଚାକିରୀବାକିରୀ ପାଇଁ ମୁଁ ବା କଅଣ କରିପାରେ ? ଆପଣ ଏସିଷ୍ଟେଣ୍ଟ ମ୍ୟାନେଜର୍‌ଙ୍କ ସଙ୍ଗରେ ଦେଖା କଲେନି ? ମୁଁ ତ ଖବର ପଠାଇଥିଲି ।’’

 

ମୂହୂର୍ତ୍ତକରେ ବିବର୍ଣ୍ଣ ହେଇଗଲା ଭଦ୍ରଲୋକଙ୍କର ମୁହଁ, ଲକ୍ଷ୍ୟ କଲା ଇନ୍ଦୁ ।

 

‘‘ନା, ନା ମୁଁ ଚାକିରୀ ସମ୍ପର୍କରେ ଆସିନି । ମୋତେ କଅଣ ଆପଣ ଚିହ୍ନି ପାରୁନାହାନ୍ତି ? ମତେ ଦେଖି ନାହାନ୍ତି କେଉଁଠି ? ସୁବର୍ଣ୍ଣପୁରରେ, ଆପଣଙ୍କର ଘରେ-’’

 

ଚମକିପଡ଼ି ଚାହିଁଲା ଇନ୍ଦୁ । ମନର ପରଦା ଧୀରେ ଧୀରେ ଖୋଲିଗଲା । ମନେପଡ଼ିଲା, ଅନେକ ଦିନ ତଳେ ଦୁରୁ ଦୁରୁ ବକ୍ଷରେ ଅପେକ୍ଷା କରୁଥିଲା ସେ ଭଦ୍ରଲୋକଙ୍କୁ । ଘରେ ଅନ୍ୟମାନେ ଭଦ୍ରଲୋକଙ୍କୁ ଖୁସି କରାଇବାକୁ ରୀତିମତ୍‌ ବ୍ୟସ୍ତ ହେଇପଡ଼ିଥିଲେ ।

 

ପୁଣି ମନେ ପଡ଼ିଲା, ଭଦ୍ରଲୋକଙ୍କ ବାପା ଆଠ ହଜାର ଟଙ୍କା ଯୌତୁକ ମାଗିଥିଲେ । ଯୌତୁକ ନ ଦେଇ ପାରିବାରୁ ବିବାହ ଭାଙ୍ଗି ଯାଇଥିଲା, ଆଉ ଦୁଃଖରେ ଘରେ ସମସ୍ତେ ଭାଙ୍ଗି ପଡ଼ିଥିଲେ ଇନ୍ଦୁର ଭବିଷ୍ୟତ ପାଇଁ । ସବୁ ଗୋଟି ଗୋଟି ହେଇ ମନେ ପଡ଼ିଗଲା, ସଙ୍କୁଚିତ ହେଲା ଇନ୍ଦୁ । ଆଡ଼ ଚକ୍ଷୁରେ ଟିକେ ତାକୁ ଦେଖି ନେଇ କହିଲା-

 

‘‘କେତେ ଦିନ ହେଲା ଆପଣଙ୍କର ଚାକିରୀ ନାହିଁ ?’’

 

ବିବ୍ରତ ହେଇ ରହି ରହି ଉତ୍ତର ଦେଲା ସେ-

 

‘‘ନା, ମାନେ ’ଏଇ ଦୁଇ ମାସ ହେଲା, ତେବେ ଶୀଘ୍ର ମିଳଯିବ ଆଶାକରେ ।’’

 

‘‘ହଁ ମୋ ପାଖରେ କଅଣ ଦରକାର ?’’ ନିର୍ଭୀକ ଗଳାରେ ପ୍ରଶ୍ନ କଲା ଇନ୍ଦୁ ।

 

ଅତିଶୟ ନମ୍ରତାର ସହିତ କହିଲେ ଭଦ୍ରଲୋକ-

 

‘‘ମାନେ, ଇୟେ-ସେତେବେଳେ ବାପାଙ୍କର ଆଦେଶରେ ମତେ ଲେଖିବେକୁ ପଡ଼ିଥିଲା, ଆଠହଜାର ଟଙ୍କାର ଦାବୀ ଜଣାଇବାକୁ । ତାଛଡ଼ା ବନ୍ଧୁମାନେ ବି ଉପଦେଶ ଦେଇଥିଲେ । ମୋର ବିବାହରେ ଇଚ୍ଛା ଥିଲେ ବି ବାଧ୍ୟ ହେଇ ଏପରି ଲେଖିବାକୁ ହେଲା । ବର୍ତ୍ତମାନ ବାପା ନାହାନ୍ତି, ସେଥିପାଇଁ, ମାନେ ମୋର ଆପତ୍ତି ନାହିଁ । ଆପଣଙ୍କର ଯଦି ଆପତ୍ତି ନ ଥାଏ-’’

 

‘‘ଆପତ୍ତି ?’’ ହସି ଉଠିଲା ଇନ୍ଦୁ ମନେ ମନେ । ‘‘ବିବାହର ପ୍ରସ୍ତାବ ଆଣିଚନ୍ତି ତେବେ ! ନାଃ, ମୋର ଆପତ୍ତି ନାହିଁ ।’’

 

ଉଲ୍ଲସିତ ହେଇ ଉଠିଲେ ଭଦ୍ରଲୋକ । ଆବେଗରେ ଇନ୍ଦୁର ହାତ ଉପରେ ହାତ ରଖିଲେ ସେ ।

 

‘‘ମୁଁ ଜାଣେ ଆପଣ ରାଜି ହେବେ । ତେବେ ଆଉ ଡେରି କରିବା ମୋର ଇଚ୍ଛା ନୁହେଁ । ଆପଣ ଅନୁମତି ଦେଲେ ଆରମାସ ଭିତରେ ବିବାହ ହେଇ ଯାଇପାରିବ ।’’

 

ଆସ୍ତେ ହାତଟିକୁ ଖସାଇ ଆଣିଲା ଇନ୍ଦୁ । କଠିନ ଗଳାରେ କହିଲା ସେ-

 

‘‘ହଁ ମୁଁ ଅନୁମତି ଦେଉଚି । ଆପଣ ଯୋଗାଡ଼ କରନ୍ତୁ । ତେବେ ମୋର ଗୋଟିଏ ସର୍ତ୍ତ ଅଛି । ପାଞ୍ଚ ବର୍ଷ ତଳେ ଆପଣ ଯେତେବେଳେ ପାତ୍ର ହିସାବରେ ଆସିଥିଲେ, ସେତେବେଳେ ଆପଣ ଚାକିରୀ କରୁଥିଲେ ଟ୧୫୦.୦୦ରେ । ସମ୍ପତ୍ତି ମଧ୍ୟରେ ଗାଁରେ ଥିଲା ଖଣ୍ଡେ ଭଙ୍ଗା ପୁରୁଣା ଘର ! ଏତେ କମ୍‌ ଟଙ୍କା ଦରମାରେ ବ୍ୟାଙ୍କରେ କିଛି ଜମେଇ ନ ଥିଲେ ନିଶ୍ଚୟ । ବରଂ ଧାର ଉଧାର କେତେ ହେଇ ଯାଇଥିବ । ବର୍ତ୍ତମାନ ଆପଣଙ୍କର ଚାକିରୀ ନାହିଁ । ଧାର ଉଧାର ବେଶ କିଛି କରି ଯିବେଣି ୟା ଭିତରେ । ରୋଗା ଶରୀର, ଭଗ୍ନ ସ୍ୱାସ୍ଥ୍ୟ । ମାନେ, ମତେଇ ପୋଷିବାକୁ ହେବ ଆପଣଙ୍କୁ । ଦରମା ମୁଁ ପାଉଚି ଟ୩୫୦.୦୦ । ବ୍ୟାଙ୍କର ଜମାଥିବା ଦରମା ଆଉ ସ୍କଲର୍‌ସିପ୍‌ ସବୁ ଟଙ୍କା ମିଶି ପ୍ରାୟ ଟ୫୦୦୦.୦୦ । ଜମିବାଡି ମଧ୍ୟ କିଛି ବାପା ମୋ ନାଁରେ କିଣିଛନ୍ତି । ତା ଛଡ଼ା ଗାଁରେ ଖୁବ୍‌ ଭଲ ଘରଟିଏ ବି ଆମର ଅଛି । ଅତଏବ ବର୍ତ୍ତମାନ ଆପଣଙ୍କଠାରୁ ମୋର ଯୋଗ୍ୟତାଇ ହଉଚି ବେଶୀ । ଆପଣ ଯଦି ମୋତେ ବିବାହ କରିବାକୁ ଇଚ୍ଛା କରନ୍ତି, ତେବେ ମୋର ବାପାଙ୍କୁ ନଗଦ ଆଠହଜାର ଟଙ୍କା ଆପଣଙ୍କୁ ଦବାକୁ ପଡ଼ିବ । ଦେଇ ପାରିବେ ଯେବେ ବସନ୍ତୁ କଥାବାର୍ତ୍ତା ପକ୍‌କା କରିବା, ନ ହେଲେ ସିଧାରାସ୍ତା ଦେଖନ୍ତୁ ।’’

 

ନିର୍ବାକ୍‌ ହେଇଗଲେ ଭଦ୍ରଲୋକ । ମୁହଁ ଟେକି ଚାହିଁବାକୁ ବି ସାହସ ହେଲାନି । ପାଞ୍ଜ ମିନିଟ ପରେ ଉଠି ଚାଲିଗଲେ ।

 

ମନେ ମନେ ‘ନିର୍ବୋଧ’ କହି ହସି ହସି ଉଠିପଡ଼ିଲା ଇନ୍ଦୁ । ମିଃ ଶର୍ମାଙ୍କ ଘରେ ଆଜି ଟି ପାର୍ଟି । ଇନ୍ଦୁର ଜନ୍ମଦିନ ଉପଲକ୍ଷେ ହେଉଚି ବିରାଟ ପାର୍ଟି । ତତ୍ପର ହେଲା ଇନ୍ଦୁ । ଇନ୍ଦୁକୁ ନେଇ ଯିବା ପାଇଁ ଗାଡି ପଠେଇଚି ମାଳା ।

 

ସେଦିନ ରବିବାର ଥାଏ । ନିଜ ରୁମ୍‌ରେ ବସି ବନ୍ଦନା, ସୁଜାତା କଥାବାର୍ତ୍ତା ହେଉଥିଲେ-

 

‘‘ଆଜି ଲଣ୍ଡ୍ରି କାମ କରିବାକୁ ହେବ ।’’

 

‘‘ନିଶ୍ଚୟ, ସପ୍ତାହକରେ ଏଇ ଦିନଟା ଟିକେ ଛୁଟି ।’’

 

‘‘ତୁମର ସବୁ ଛୁଟି, ଆମର ଆଉ ଛୁଟି କଅଣ ? ଗଦା ଗଦା ଖାତା ଦେଖିବାକୁ ହେବ-।’’ ସୁଜାତା କହିଲା ।

 

‘‘ହଁ ଖାତା ଦେଖା ଦିନଟେ ବନ୍ଦ କଲେ ହେବନି ? ସବୁ ଦିନ ତ ଦେଖୁଚୁ ।’’

 

‘‘ଇରେ ବାପରେ.....ବାପ, ସେ ଉପାୟ କଅଣ ଅଛି ? ଗୋଟିଏ ଗୋଟିଏ ରବିବାର ଟିକେ ଅଳସୁଆମୀ କଲେ ସାରା ସପ୍ତାହଟା ଖଟି ଖଟି ପ୍ରାଣ ଯିବ !’’

 

‘‘କାହିଁକି ?’’

 

‘‘ଆରେ, ଏଇ ସେଧାରଣ କଥାଟା ବୁଝି ପାରୁନୁ ? ସ୍କୁଲରେ କ୍ଲାସ ସାରି, ଗାଇଡ଼ କ୍ଲାସ, ଖେଳ କ୍ଲାସ ନ ହେଲେ ମିଟିଂ ବା ଫେଆରଓ୍ୱେଲ କିଛି ନା କିଛି ଅଧିକା କାମ ଲାଗି ରହିଚି । ସବୁ ସାରି ହଷ୍ଟେଲକୁ ଫେରି ଆସିଲା ବେଳକୁ ସବୁଦିନ ସାଢେ ଛ,ଟା ବାଜୁଚି । ଜଳଖିଆ ଖାଇ କ୍ଳାନ୍ତ ମନ ନେଇ କେତେ ସମୟ ଆଉ କାମ କରାଯାଇ ପାରେ ! ବଡ଼ ଜୋର ଘଣ୍ଟାଏ । ଏ ଅଧିକା ଖାତା ଜମା ହେଇଥିଲେ ପୁଣି ଦେଖା ସରିବ କେମିତି ? ବାଧ୍ୟ ହେଇ ରାତି ଅଧରୁ ଉଠି ତାକୁ ଦେଖିବାକୁ ହେବ । ଖଟି ଖଟି ମରିବା କଥା ନୁହେଁ ?’’

 

‘‘ଇସ୍‌, କି କଷ୍ଟର କଥା ! ସେଇଥିପାଇଁ ଦିନେ ଦିନେ ରାତି ଅଧରେ ଟେବୁଲ ଲ୍ୟାମ୍ପ ଜଳେଇ ତୁ ଟେବୁଲ ପାଖରେ ବସିଥାଉ ? ମୁଁ ଭାବେ ବୋଧେ ନିଦ ନ ହେଉଥିବାରୁ ବସି ବସି ନଭେଲ ପଢ଼ୁଚୁ ?’’

 

‘‘ହଁ, ଏତେ ସଉକି ଆଉ ମୋର ନାହିଁ । ତୁ ବା ନ ଭାବିବୁ କାହିଁକି ? ତୋର ତ ମଜା, ବସ୍‌ଙ୍କର ପ୍ରାଇଭେଟ ଷ୍ଟେନୋ । ତୋର ସଉକି କରିବା କଥା । ତୁ ବେଶି ଆରାମରେ ଅଛୁ ନା ?’’

 

‘‘ଆରାମ ! ଶରୀରର ଆରାମ କହିଲେ ଯାହା ବୁଝାଏ, ତାଠୁ ଅବଶ୍ୟ ବହୁତ ବେଶୀ ମୁଁ ପାଉଚି । କିନ୍ତୁ ମନରେ ଆରାମ ଆଦୌ ନାହିଁ । ବଡ଼ ସାହେବଙ୍କର ମର୍ଜି ଜଗି ଚଳିବା, ଅନ୍ତତଃ ମତେ ପୋଷାଉନି । କେତେବେଳେ ନରମ ତ କେତେବେଳେ ଗରମ ।’’ ହସି ଉଠିଲା ବନ୍ଦନା ।

 

‘‘ଚାକିରୀ କଲେ, ସେତକ କିଛି ସହିବାକୁ ହେବ । ଆମର ହେଡ଼ ମିଷ୍ଟ୍ରେସ ମାୟାଦି ଭାରି ରାଗୀ । ତାଙ୍କ ମନ ଜଗି ଚଳିବାକୁ ଏକେବାରେ ମୁସ୍କିଲ । ଟିକେ କଥାରେ ରାଗିଯିବେ । ଯାହାକୁ ଯାହା କରିବାକୁ ଥରେ ଅର୍ଡ଼ର ଦେବେ ନା, ମନା କରିବାର ଶକ୍ତି ନାହିଁ, ଯେତେ ପରିଶ୍ରମ ପଡୁ, କରିବାକୁଇ ହେବ । ତୋର ତ ସାହେବ ବେଳେ ବେଳେ ନରମ ବି ହେଉଚନ୍ତି; କିନ୍ତୁ ଆମ ମାୟାଦିଙ୍କୁ କେବେ କେହି ନରମ ହେବାର ଦେଖିନି । ମୁଁ ଖୁବ୍‌ ଭୟ କରେ ତାଙ୍କୁ, ସବୁବେଳେ ଦୂରରେ ରହେ । ସେଦିନ ତୋ’ରି ବିଷୟରେ କମ୍‌ନ ରୁମ୍‌ରେ ଆଲୋଚନା ହେଉଥିଲା ।’’

 

‘‘କଅଣ, ମୋ ବିଷୟରେ ?’’

 

‘‘ହଁ ।’’

 

‘‘ଏଇ ଶୀଲା କହୁଥିଲା, ବନ୍ଦନା କିନ୍ତୁ ଖୁବ୍‌ ଲକ୍‌କି । ତା’ର ବଡ଼ ସାହେବ ହେଉଚନ୍ତି ୟଙ୍ଗ୍‌, ଆଉ ସୌଖୀନ, ସୁନ୍ଦର ସବୁ । ଆଉ ବନ୍ଦନା ପ୍ରାଇଭେଟ୍ ଷ୍ଟେନୋ ହେଇ ନିଶ୍ଚୟ ଭାଗ୍ୟବାନ-। ବଡ଼ ସାହେବଙ୍କ କୃପା ଦୃଷ୍ଟି ନିଶ୍ଚୟ ତା ଉପରେ ପଡ଼ୁଥିବ ।’’

 

‘‘ହଁ, ଶୀଲା ଆଉ କ’ଣ କହିବ ? ତାର ତ ଖାଲି ଏଇସବୁ ଆଡ଼େ ଆଖି । ଏଡ଼େ କଦର୍ଯ୍ୟ ଝିଅଟା ନା, ଆଉ କଅଣ କହିବ ଯେ ।’’ ରାଗରେ ଫୁଲି ଉଠିଲା ବନ୍ଦନା ।

 

‘‘ତୁ ଏମିତି ରାଗି ଉଠୁଚୁ କାହିଁକି ? ତା କଥା କେହି ବିଶ୍ୱାସ କରନ୍ତି ? ଏମିତି ଟିକେ କେତେ ଆଉ ବଡ଼ ସାହେବଙ୍କୁ ନେଇ ଗୋଟାଏ ମଜା କରୁଥିଲେ ସମସ୍ତେ ।’’

 

‘‘ହଁ ଝିଅପଞ୍ଝେ ଏକାଠି ହେଲେ, ଆଗ ଏଇକଥା ସବୁ ପଡ଼ିଯାଏ ।’’

 

‘‘ସୁଜାତା !’’ ବାହାରୁ କେହି ଡାକିଲା ।

 

ସୁଜାତା ଦୁଆର ପାଖରେ ଯାଇ ଚାହିଁଲା ।

 

‘‘କଅଣ କହୁଚୁ ମୀରା ?’’

 

‘‘ଏଇ ନେ ତୋରି ଚିଠି, କୋଉଠୁ ତୋ ପାଖକୁ ଗାଡି ଆସିଚି । ବାବାରେ, କଅଣ ଆଜିକାଲି ବୁଡ଼ି ବୁଡ଼ି ପାଣି ପିଉଚୁ ?’’

 

ସୁଜାତା ତର ତର ହେଇ ଚିଠିଟାରେ ଆଖି ବୁଲାଇ ନେଲା ।

 

ସେହ୍ନର ସୁଜାତା,

 

ତୁମେ ସେଦିନ ଅଭିମାନ କରି ଚାଲିଗଲା । ମୋ ସାଙ୍ଗରେ ଦେଖା ଟିକେ ବି କରି ଗଲାନି ? ତୁମ ସାଙ୍ଗରେ ଟିକେ କଥାବାର୍ତ୍ତା କରିବି ବୋଲି କେତେ ଭାବିଥିଲି, କିନ୍ତୁ ହେଇ ପାରିଲାନି । ଆଜି ତ ରବିବାର, ଗାଡି ପଠାଇଲି, ନିଶ୍ଚୟ ଆମ ଘରକୁ ଆସିବ, ଦି’ପହରେ ତୁମକୁ ପୁଣି ଛାଡ଼ିଦେଇ ଆସିବି । ଅପେକ୍ଷାରେ ରହିଲି ।

 

ଇତି

ରମା ଦେବୀ ।

 

ଚିଠି ପଢ଼ି ଆଶ୍ଚର୍ଯ୍ୟ ହେଇ ସୁଜାତା କହିଲା-

 

‘‘କିଏ ଚିଠି ଲେଖିଚନ୍ତି, ମୁଁ ତ ଆଦୌ ବୁଝି ପାରୁନି । ବଡ଼ ଆଶ୍ଚର୍ଯ୍ୟ, ଗାଡି ବି ପଠେଇଚନ୍ତି, ମୁଁ ତ ଏମିତି ଲୋକ କାହାକୁ ଚିହ୍ନେନି ।’’

 

ଝାରକା ପରଦା ଆଡ଼େଇ ତଳେ ଥୁଆ ହେଇଥିବା ଗାଡିଟାକୁ ଦେଖି ଚମକି ପଡ଼ିଲା ସେ । ଆରେ, ଏ ତ ବିକାଶବାବୁଙ୍କର ଗାଡି ! କିଏ, ମାଉସୀ ନିଜେ ଗାଡି ପଠେଇଛନ୍ତି ! ଅପମାନର କଅଣ ଶେଷ ହେଇନି ସେଦିନ ? ଅନ୍ୟମନସ୍କ ହେଇ ଝରକା ପାଖରେ ଠିଆ ହେଇ ରହିଲା ସେ ।

 

‘‘କଅଣ କହୁଚୁ ସୁଜାତା, ତଳେ ପରା ଡ୍ରାଇଭର ଅପେକ୍ଷା କରିଛି ?’’

 

‘‘ଓହୋ, ତାକୁ ଫେରିଯିବାକୁ କହିଦେ ମୀରା ! କହିଦେ, ମୋର ସମୟ ନାହିଁ ?’’

 

‘‘କାହିଁକି ? ଆଜି ତ ରବିବାର, ଯାଉନୁ ଟିକେ ବୁଲିଆସିବୁ ? ମନ ଖୁସି ହେବ ।’’

 

‘‘ନା, ନା, ମୁଁ ଆଦୌ ଯିବିନି ।’’

 

‘‘ନା, ତତେ ନିଶ୍ଚୟ ଯିବାକୁ ହେବ । କଅଣ ହେଇଚି ତୋର କହ ତ ?’’

 

‘‘ତମେ ସେସବୁ ବୁଝିବନି, ଟିକେ ଦୟାକରି ଡ୍ରାଇଭରକୁ ମନା କରିଦେ ।’’

 

‘‘ହଉ ବାବା, ଯାହା ତୋର ମର୍ଜି ।’’ ମୀରା ଚାଲିଗଲା ।

 

ସୁଜାତା ସ୍ଥାଣୁପରି ବସି ରହିଲା । କାନରେ ବାଜିଲା, ତଳେ ମଟର୍‌ର ହର୍ଣ୍ଣ ଶବ୍ଦ । ଧୀରେ ଧୀରେ ତାହା ଦୂରରେ ମିଳେଇ ଗଲା ।

 

ଚମକି ଉଠିଲା ସେ । ଏ କଅଣ କଲା ସୁଜାତା ? କେତେ ଆଶାକରି ମାଉସୀ ଗାଡି ପଠାଇଥିଲେ, ତାକୁ ଫରାଇ ଦେଲା ? ପିଲାଦିନୁ ମା ନାହିଁ, ମା’ର ମମତା, ମା’ର ସ୍ନେହ, ମା’ର ଆଶା, ଆକାଂକ୍ଷା ଏସବୁ ସହିତ ସପୂର୍ଣ୍ଣ ଅପରିଚିତା ସେ । ତଥାପି ଅନୁଭବ କଲା, କଅଣ ସବୁ ଭୁଲ୍‌ କରି ପକେଇଚି ।

 

ଏ ଭୁଲ୍‌ ସୁଧାରିବାର ପଥ ଆଉ ନାହିଁ । ଗାଡି ଫେରିଯାଇଚି । ଆଉ ବିକାଶର ଘର କେଉଁଠି ସେ ତ ଜାଣେନା ! ସେଦିନ ରାତିରେ ଗାଡିରେ ଏଣେତେଣେ ବୁଲେଇ ବୁଲେଇ ବିକାଶ ଶେଷରେ ଯେ କୋଉ ଜାଗାକୁ ନେଇଗଲା, ଆଦୌ ମନେ କରି ପାରିଲାନି । ତା ଛଡ଼ା, ସେଦିନ ତା’ର କଅଣ ସବୁ ବୁଝିପାରିବା ଭଳି ମନର ଅବସ୍ଥା ଥିଲା ? ବିକାଶର ଘରକୁ ଗଲାବେଳେ, ବିକାଶର ସାନ୍ନିଧ୍ୟରେ ତ ସେ ଜଡ଼ ପାଷାଣ ପାଲଟି ଯାଇଥିଲା ! ଆଉ ସେଠାରୁ ଫେରି ଆସିଲାବେଳେ ଅପମାନର ଗ୍ଳାନିରେ ଦେହ ମନ ତାର ଜଳି ଯାଇଥିଲା । ମନର ଏପରି ଅବସ୍ଥାରେ କେହି କଅଣ କିଛି ଠିକ୍‌ କରି ଅନୁମାନ୍‌ କରି ପାରିବ ! କଅଣ କରିବ ସୁଜାତା ! ଏ ଲକ୍ଷ ଲକ୍ଷ ଜନତା ଭିତରୁ ସେ କିପରି ବିକାଶକୁ ଖୋଜି ବାହାର କରିବ ! କାହାଠୁ ସେ ପାଇବ ବିକାଶର ସନ୍ଧାନ !

 

ଆଖିରେ ଲୁହ ଭରିଗଲା । ସେଇ ଲୁହଭରା ଆଖି ଦି’ଟା ଆଗରେ ନାଚି ଉଠିଲା ରମା ଦେବୀଙ୍କର ସୁନ୍ଦର ହସ ହସ ମୁହଁ । ସେଦିନ ରମାଦେବୀ ସ୍ନେହରେ କୁଣ୍ଢେଇ ଧରିଥିଲେ ସୁଜାତାକୁ, ଆଉ ଆଖିରେ ଭରି ରହିଥିଲା, ସେହ୍ନ, ମମତାର ଉତ୍ସ । କିପରି ଭୁଲିବ ସୁଜାତା ! ଜୀବନରେ ମା’ର ଆଦର ଯତ୍ନ କିଛି ତ ପାଇନି । ଏଇ ରମା ଦେବୀଙ୍କର ପାଖରେ ଅଳ୍ପକ୍ଷଣ ଠିଆ ହୋଇ ସେ ସେଦିନ ଅନ୍ୟମନସ୍କ ହୋଇ ଭାବିଥିଲା,‘‘ଇସ୍‌, ଯେଉଁମାନଙ୍କର ମା’ ଅଛନ୍ତି, କି ସୁଖୀ ସେମାନେ ! ମୋର ମାଆ ଥିଲେ, ଏମିତି ମତେ ସ୍ନେହ କରୁଥାନ୍ତେ ।’’

 

କଇଁ କଇଁ ହେଇ କାନ୍ଦି ଉଠିଲା ସୁଜାତା ।

 

ବନ୍ଦନା ମନ ଦୁଃଖରେ ବସିଚି । ଘରୁ ଚିଠି ଆସିଚି । ବନ୍ଦନା ଲେଖିଚି, ସାନ ଭାଇର ହାତ ଭାଙ୍ଗିଯାଇଚି, ତାକୁ ଶୀଘ୍ର ପାଖ ଡାକ୍ତରଖାନାକୁ ନେଇ ହାତଟା ପ୍ଲାଷ୍ଟର କରାଇବାକୁ ହେବ । ସେଥିପାଇଁ କିଛି ଟଙ୍କା ସହ ସାତ ଦିନ ଛୁଟୀ ନେଇ ଘରକୁ ଯିବାକୁ ହେବ । ମାସର ଶେଷ ସପ୍ତାହ-। ଟଙ୍କା ଆଉ କାହିଁ ! ଏ ହଷ୍ଟେଲରେ ଯିଏ ଯେତେ ସାଙ୍ଗ, ସାଥି ସମସ୍ତଙ୍କର ମାସ ଶେଷକୁ ଟଙ୍କା ନିଅଣ୍ଟ । ସବୁ ତ ଜାଣେ ବନ୍ଦନା । କାହାକୁ ମାଗିବ, କିଏ ଏ ଦୁଃସମୟରେ ସାହାଯ୍ୟ କରିବ !

 

ଚିନ୍ତିତ ମନରେ ଅଫିସରେ ପହଞ୍ଚିଲା ସେ । କରିଡ଼ୋର୍‌ରେ ଧୀରା ସାଙ୍ଗରେ ଦେଖା ।

 

‘‘ଧୀରା, ଧୀରା, ତୋ ସାଙ୍ଗରେ ଗୋଟେ ଜରୁରୀ ଦରକାର ।’’

 

‘‘ବାବା, ଅଫିସରେ ପହଞ୍ଚୁ ପହଞ୍ଚୁ ଦରକାରୀ କଥା !’’

 

‘‘ମାନେ, ମୋର ଦରକାରଟା ଏତେ ବେଶୀ ଯେ, ତୋ ସାଙ୍ଗରେ ଦେଖା ହେବା ମାତ୍ରେ ସେଇ କଥାଟା ଆଗ କହୁଚି ।’’

 

‘‘କଅଣ ବଡ଼ ଚିନ୍ତିତ ମନେ ହେଉଚୁ ! କଥା କଅଣ ? ନିଶ୍ଚୟ ଗୋଟେ ଗୁଢ଼ ସମସ୍ୟା-!’’

 

‘‘ହଁ ଧୀରା, ମତେ କିଛି ଟଙ୍କା ଧାର ଦେଇ ପାରିବୁ ?’’

 

‘‘ଟଙ୍କା ସରକାର ତୋର, ଆଉ ତୁ ମାଗୁଚୁ ମତେ, ବଡ଼ ଆଶ୍ଚର୍ଯ୍ୟ କଥା ତ !’’

 

ସଙ୍କୁଚିତା ହେଲା ବନ୍ଦନା ।

 

‘‘କେବେ ତତେ ମାଗିନି ଧୀରା, ଏଇନେ କିନ୍ତୁ ମୋର ଭାରି ଦରକାର୍‌ । ଏଇ କେତେଟା ଟଙ୍କା ଦେଇ ପାରିଲେ ମୁଁ ଭାରି କୃତଜ୍ଞ ହେବି । ଆଉ ଯଦି ତୁ କିଛି ଖରାପ ଭାବୁଥାଉ, ତା ହେଲେ ଥାଉ ।’’

 

‘‘ନା, ନା, ମୁଁ ସେକଥା କହୁନି, ତୁ ତୋର ଦରକାର ବେଳେ ମାଗୁଚୁ, ମୁଁ ବି ଦିନେ ମୋ ଦରକାର ବେଳେ ମାଗି ନେବି । ଏଥିରେ ଆଉ ଭାବିବାର କଅଣ ଅଛି ? ଦରକାର ନ ପଡ଼ିଲେ, କେହି କାହାଠୁ ଟଙ୍କା ଧାରା କରେ ନା କଅଣ ?

 

‘‘ଆଉ ତେବେ ତୁ କଅଣ ଭାବି ଏମିତି କଥା କହୁଚୁ ?’’

 

ମୁହଁରେ ରୁମାଲ ଦେଇ ହସି ଉଠିଲା ଧୀରା ।

 

‘‘ହସିଲୁ ଯେ ।’’ ଆହତ ହେଲା ବନ୍ଦନା ।

 

‘‘ତୁ ଏକେବାରେ ନିହାତି ବୋକା । ତୋର ଟଙ୍କା ଦରକାର, ତୁ ବଡ଼ ସାହେବଙ୍କୁ ନ କହି କହୁଚୁ ମତେ !’’

 

ଚମକି ଉଠିଲା ବନ୍ଦନା । ଟଙ୍କା ମାଗିବ ସେ ବଡ଼ ସାହେବଙ୍କଠୁ । ଛି, ଛି, ଏ କଅଣ କହୁଛି ଧୀରା !

 

‘‘ତୁ ନ ଦେଲେ ନ ଦେବୁ, କିନ୍ତୁ ଏ ହୀନ ପ୍ରସ୍ତାବ ତୁ କର ନା ଧୀରା ।’’

 

‘‘ହୀନ ପ୍ରସ୍ତାବ ? କାହିଁକି ? ଆମର ତ ଯେତେବେଳେ ଟଙ୍କା ଦରକାର ହେଇଚି, ଆମେ ନିର୍ଭୟରେ ସାହେବଙ୍କଠୁ ମାଗି ନେଇଚୁ । ତୁ ଏତେ ଆଶ୍ଚର୍ଯ୍ୟ ହୋଇଯାଉଚୁ କଅଣ ? ତାଙ୍କୁ ଟଙ୍କା ମାଗିଲେ ସେ ତ କେବେ ନାହିଁ କରିନାହାନ୍ତି ।’’

 

‘‘ଛି, ଛି, ମୁଁ ସେ ସବୁ ପାରିବିନି ।’’

 

‘‘ଦେଖ ବନ୍ଦନା, ଆମର ସେ ହେଲେ ମାଲିକ । ତତେ ଯଦି ତାଙ୍କଠୁ ନେବାକୁ ସଂକୋଚ ଲାଗୁଚି, ତାଙ୍କୁ କହି ଦେଲେ ସେ କେସିଅରଙ୍କୁ କହି ରଖିବେ କଥାଟା । ସେ ଦରମା ଦେଲା ବେଳକୁ ସେଇ ଟଙ୍କାଟା କାଟି ରଖିବେ ତୋ ଦରମାରୁ । ଏଥର ହେଲା ତ ? ଆଉ ମନ ଦୁଃଖ ନ କରି ସାହେବଙ୍କୁ କହ, ତତେ ଏଡଭାନ୍‌ସ ପଚାଶ ଟଙ୍କା ଦେବେ ।’’

 

‘‘ସାହେବଙ୍କୁ ନ କହି କେସିଅରଙ୍କୁ କହିଲେ ହେବନି ?’’

 

‘‘ଶୁଣ୍‍ ଓଲି, ସାହେବଙ୍କର ଅର୍ଡ଼ର ନ ପାଇଲେ ସେ କିଛି କରିବେନି । ତାଛଡ଼ା କଅଣ ଏତେ ଭୟ, ଏତେ ଦିନ ତାଙ୍କରି ପାଖରେ କାମ କରି, ଏକା ରୁମ୍‌ରେ ବସିରହି ବି ତୋର ଭୟ, ସଂକୋଚ କିଛି ଦୂର ହେଇନି !’’

ଦୂରରୁ ଆସୁଚି ଜ୍ୟୋତ୍ସ୍ନା !

‘‘କଅଣ ଆଜି ଏଇ କରିଡୋର୍‌ରେ ଅଫିସ କାମ ହେଉଚି କି ? ଏଠି ଠିଆହେଇ କଅଣ କରୁଚ ?’’

‘‘ଏଇ ଜ୍ୟୋତ୍ସ୍ନା, ଶୁଣ ତ ଗୋଟିଏ କଥା । ବନ୍ଦନାର ପଚାଶ ଟଙ୍କା ଜରୁରୀ ଦରକାର, ଆଉ ସେଇଥିରେ ଚିନ୍ତିତ ହେଇ ବନ୍ଧୁ ବିଚାରୀ ଦିଶହରା ।’’

‘‘କଅଣ, ରାୟ ଏଣ୍ଡ କମ୍ପାନୀରେ କାମ କରି ପୁଣି ଟଙ୍କାର ଅଭାବ ! ତୁ ଜୟନ୍ତବାବୁଙ୍କଠୁ ମାଗି ନଉନୁ ।’’

‘‘ଆରେ ବାପା ! ସେ ହେଲେ ସଙ୍କୁଚିତା ଲଜ୍ଜାବତୀ ଲତା, ସେ ପୁଣି ଟଙ୍କା ମାଗିବେ ସାହେବଙ୍କୁ ।’’

‘‘ବଡ଼ ଆଶ୍ଚର୍ଯ୍ୟ, ସାହେବଙ୍କଠୁ ଟଙ୍କା ତୁ କେବେ ନଉନି ନା କଅଣ ?’’

‘‘ଟଙ୍କା ନେବି ସାହେବଙ୍କଠୁ ? କାହିଁକି ?’’ ଆଶ୍ଚର୍ଯ୍ୟ ହେଇ କହିଲା ବନ୍ଦନା ।

‘‘ଏମିତି !’’ ମୁହଁରେ ଜ୍ୟୋତ୍ସ୍ନାର କୁତ୍ସିତ ଇଙ୍ଗିତ ।

ଆଖି ବୁଜି ହେଇଗଲା ବନ୍ଦନାର । କଅଣ ଏମାନେ କହୁଚନ୍ତି, କଅଣ ଭାବନ୍ତି ସେମାନେ ତାକୁ ?

‘‘କଅଣ ଭାବୁଚୁ ଏମିତି କହ ତ ! ଏଇ ତ କାଲି ମୁଁ ଚାଳିଶ ଟଙ୍କା ମାଗି ଆଣିଲି, ଆଉ କଅଣ ଏ ଟଙ୍କା ମୁଁ ଦେବି ନା କଅଣ ?’’

‘‘ଦବୁନି ?’’

‘‘ଏଇ ଚାଳିଶ୍‌ଟା ଟଙ୍କା କଥା ଶୁଣି ଏମିତି ହେଇ ଯାଉଚୁ, ଦିନ ଥିଲା, ଥରକେ ଶହେ ଶହେ ଟଙ୍କା ବି ଦେଇ ଦେଇଚନ୍ତି ସାହେବ ! କାହିଁକି ଦେବେନି, ତାଙ୍କ ସାଙ୍ଗରେ ସଙ୍ଗିନୀ ହେଇ ଯିବାକୁ ହେବ ପାର୍ଟି, ପିକ୍‌ନିକ୍‌ କିମ୍ୱା କୌଣସି ସୋ’କୁ । କୋଉ ଦିନ ବା ଘୂରି ବୁଲିବାକୁ ହେବ କାର୍‌ରେ ଏଣେତେଣେ । ଏ ସବୁର କ’ଣ ଦାମ ନାହିଁ ?’’

ବନ୍ଦନାକୁ ଟିକେ ଆଡ଼ ଚକ୍ଷୁରେ ଚାହିଁ ପୁଣି କହିଲା ଜ୍ୟୋତ୍ସ୍ନା –

‘‘ଏବେ କିନ୍ତୁ ସବୁ ମନ୍ଦା ପଡ଼ିଯାଇଚି, ମାସେ, ଦୁଇମାସ ହେଲାଣି ଆଉ ଟଙ୍କା ଦଉନାହାନ୍ତି ସାହେବ, ବଡ଼ ଅସୁବିଧା ହେଇଗଲାଣି, କିନ୍ତୁ ମାଗିବାକୁ ଆଉ ସାହସ ବି ହେଉନି, କଅଣ ଯେ କରାଯିବ- ’’

‘‘କାହିଁକି ଟଙ୍କା ଦଉ ନାହାନ୍ତି ସାହେବ ?’’

ବୋକାଙ୍କ ପରି ପ୍ରଶ୍ନକଲା ବନ୍ଦନା ।

‘‘କାହିଁକି ଦେବେ ? ଦୁଇମାସ ହେଲାଣି, ଏଣେତେଣେ ବୁଲାବୁଲି, ପାର୍ଟି, ଡ୍ୟାନ୍‌ସ କୋଉଠିକି ତ ଆଉ ଯାଉ ନାହାନ୍ତି ? କୋଉଠିକି ଡାକୁ ନାହାନ୍ତି ଆମକୁ, ନୁହେଁ ଧୀରା ?’’

‘‘ଏମିତିବି, ଲକ୍ଷ୍ୟ କରିଚୁ ଆମେ, ପାର୍କକୁ ବି ସାହେବ୍‌ ଏକା ଏକା ଯାଉଚନ୍ତି, ଚୁପ୍‌ଚୁପ୍‌ ବସି ରହୁଚନ୍ତି, ପାଖକୁ ଯାଇ ଧମକ୍‌ ଖାଇ ଫେରି ଆସିଚୁ । ଏମିତି ଅବସ୍ଥାରେ କଅଣ ଆଉ ଟଙ୍କା ମାଗି ହୁଏ ? ବହୁ କଷ୍ଟରେ କାଲି ଚାଳିଶ ଟଙ୍କା ମାଗି ଆଣିଲି, ଖୁବ୍‌ ଗମ୍ଭୀର ହେଇ ଟଙ୍କାତକ ଦେଲେ । ଆଉ ମୁଁ କେବେ ମାଗିବିନି, ମୋତେ ଭାରୀ ଭୟ ଲାଗୁଚି ।’’

ତେବେ ମୁଁ କେମିତି ଟଙ୍କା କଥା କହିବି, ମତେ ଭୟ ଲାଗିବନି ?’’

ହସି ଉଠିଲେ ଦି’ଜଣ ।

‘‘ତୁ କାହିଁକି ଭୟ କରିବୁ ? ତୁ କଅଣ ଆଦୌ ବୁଝିପାରୁନୁ ବନ୍ଦନା, ସାହେବଙ୍କର ସବୁ ଅନ୍ୟମନସ୍କତା, ଗାମ୍ଭୀର୍ଯ୍ୟତା କେବଳ ତୋ’ରି ପାଇଁ ! ତୁ ଥରେ ଟଙ୍କା ମାଗି ଦେଖ୍‌ନା, ମନିବ୍ୟାଗ୍‍ଟା ସାହେବ ବଢ଼େଇ ଦଉଚନ୍ତି ନା ନାହିଁ !’’

ମୁହଁଟା ଲାଲ ହେଇଗଲା ବନ୍ଦନାର । କେତେ ଆଉ ଅପମାନ କରିବେ ଏମାନେ ! ସାଧାରଣ ଗୋଟିଏ କଥା ପାଇଁ କେତେ ନୀଚ ମନ୍ତବ୍ୟ ଦେଇପାରନ୍ତି ଏମାନେ ! ସେ ତ ସେମିତି ଝିଅ ନୁହେଁ ଯେ ସାହେବଙ୍କର ମନିବ୍ୟାଗ୍‌ଟା ଥରେ ହାତରେ ପାଇବା ପାଇଁ ଲାଳାୟିତ !

ଧୀରା କହିଲା-

‘‘ଜ୍ୟୋତ୍ସ୍ନା, କାହାକୁ ତୁ କଅଣ ସବୁ କହି ଯାଉଚୁ ? ଏତିକି ତୋର ମନେ ରଖିବା ଉଚିତ୍‌, ସମସ୍ତଙ୍କ ପାଖରେ ସବୁକଥା ସମ୍ଭବ ନୁହେଁ । ଯା ଲୋ ବନ୍ଦନା, ତୁ ସେସବୁ କିଛି ଶୁଣି ମନ ଖରାପ କରନା, ତୁ କେବଳ ଏଡ୍‌ଭାନ୍‌ସ ଟଙ୍କା ମାଗ୍‌ ।’’

ତଳେ ଗାଡି ରହିଲା । ହର୍ଣ୍ଣ ଶବ୍ଦରେ ଚପରାଶିମାନେ ସନ୍ତ୍ରସ୍ତ ହେଇ ଦୌଡ଼ିଗଲେ ।

ଧୀରା କହିଲା-

‘‘ଚାଲ,ଚାଲ ଶୀଘ୍ର, ୟା ଭିତରେ କେତେବେଳ ହେଇ ଗଲାଣି, ବଡ଼ ସାହେବ ଆସି ପହଞ୍ଚି ଗଲେଣି !’’

ତରତର ହୋଇ ଚାଲିଗଲେ ସମସ୍ତେ । ବନ୍ଦନା ତା ଚୌକିରେ ବସି ବଡ଼ କ୍ଳାନ୍ତ ଅନୁଭବ କଲା । ଭାବିଲା, ସକାଳୁ ଆଜି ମନଟା ଭଲ ନାହିଁ । ଅଫିସ୍‌କୁ ଆସୁ ଆସୁ ଗୁଡ଼ାଏ ଏଣୁ ତେଣୁ କଥା ଶୁଣି ମନଟା ଭାରାକ୍ଳାନ୍ତ ହେଇ ରହିଚି, ଆଜି ଦିନଟା କେମିତି ଯିବ କେଜାଣି ? ଅନ୍ୟମନସ୍କ ହେଇ ଗାଲରେ ହାତଦେଇ ଆଖି ବୁଜି କେବଳ ବସି ରହିଲା । ଅପମାନରେ ମୁହଁଟା ହେଇ ଯାଇଥାଏ ଏକବାରେ ଲାଲ୍‌ ।

ବଡ଼ ସାହେବ ଦୁଆର ଖୋଲି ଭିତରକୁ ଆସିଲେ । ବନ୍ଦନା ଜାଣି ପାରିଲାନି, ସେମିତି ବସି ରହିଲା ।

ଜୟନ୍ତ ରାୟ ଆଶ୍ଚର୍ଯ୍ୟ ହେଲେ । ସବୁଥର ଦୁଆର ଖୋଲିବା ମାତ୍ରେ ବନ୍ଦନା ଠିଆ ହୋଇ ଭୟମିଶା ସ୍ୱରରେ କହେ ଗୁଡ୍‌ମର୍ଣ୍ଣିଂ । ଆଜି ତା’ର ବ୍ୟତିକ୍ରମ । ଗୋରା ମୁହଁଟା ବି ଲାଲ ହେଇଯାଇଚି, କପାଳରେ ବିନ୍ଦୁ ବିନ୍ଦୁ ଝାଳ । ମୁହଁରେ କରୁଣତାର ସ୍ପଷ୍ଟ ଆଭାସ । ମିଃ ରାୟ ଆଶ୍ଚର୍ଯ୍ୟ ହେଲେ । ବ୍ୟଥିତ ହେଲେ ।

 

‘‘ବନ୍ଦନା’’

 

‘‘ସାର୍‌’’ ଚମକି ଠିଆ ହେଲା ସେ, ପାଖରେ ଅତି ନିକଟରେ ମିଃ ରାୟ । ଦାମୀ ଟ୍ରପିକାଲ୍‌ କୋର୍ଟରୁ ସ୍ପଷ୍ଟ ଭାବରେ ବାରି ହେଉଚି ମନ ମତାଣିଆ ସେଣ୍ଟର ବାସ୍ନା । କିଜାଣି କି ସେଣ୍ଟ ବ୍ୟବହାର କରନ୍ତି ମିଃ ରାୟ । ନିଶ୍ଚୟ ଖୁବ୍‌ ଦାମୀକା ବିଦେଶୀ ସେଣ୍ଟ । ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ।

 

‘‘ତୁମେ ଆଜି ବଡ଼ ବିଚଳିତ ଜଣା ଯାଉଚ କଅଣ ହେଇଚି ?’’

 

‘‘ନା ସାର୍‌, ଏଇ ମାନେ ଖରାରେ ଆସି ମୁଣ୍ଡ ଝିମ୍‌ ଝିମ୍‌ ହେଇଗଲା ।’’

 

‘‘ଖରାରେ ? ତୁମେ ଗୋଟେ କାମ କର ବନ୍ଦନା, ବାସ୍‌ରେ ଆସିବା ଦ୍ୱାରା ତୁମକୁ ବାସ୍‌ଷ୍ଟେଣ୍ଡରୁ ଅଫିସ ପର୍ଯ୍ୟନ୍ତ ଚାଲି ଚାଲି ଆସିବାକୁ ହେଉଚି, ତା ନକରି ଏଥର ଟାକ୍‌ସିରେ ଯିବା ଆସିବା । ମୁହଁଟା ଲାଲ ହୋଇଗଲା ବନ୍ଦନାର । କେତେ ଆଉ ଅପମାନ କରିବେ ଏମାନେ ! ସାଧାରଣ ଗୋଟିଏ କଥା ପାଇଁ କେତେ ନୀଚ ମନ୍ତବ୍ୟ ଦେଇପାରନ୍ତି ଏମାନେ ! ସେ ତ ସେମିତି ଝିଅ ନୁହେଁ ଯେ ସାହେବଙ୍କର ମନିବ୍ୟାଗ୍‌ଟା ଥରେ ହାତରେ ପାଇବାପାଇଁ ଲାଳାୟିତ !

 

ଧୀରା କହିଲା -

 

‘‘ଜ୍ୟୋତ୍ସ୍ନା, କାହାକୁ ତୁ କଅଣ ସବୁ କହି ଯାଉଚୁ ? ଏତିକି ତୋର ମନେ ରଖିବା ଉଚିତ୍‌, ସମସ୍ତଙ୍କ ପାଖରେ ସବୁକଥା ସମ୍ଭବ ନୁହେଁ । ଯା ଲୋ ବନ୍ଦନା, ତୁ ସେସବୁ କିଛି ଶୁଣି ମନ ଖରାପ କରନା, ତୁ କେବଳ ଏଡ୍‌ଭାନ୍‌ସ ଟଙ୍କା ମାଗ୍‌ ।’’

 

ତଳେ ଗାଡି ରହିଲା । ହର୍ଣ୍ଣ ଶବ୍ଦରେ ଚପରାଶିମାନେ ସନ୍ତ୍ରସ୍ତ ହେଇ ଦୌଡ଼ିଗଲେ ।

 

ଧୀରା କହିଲା -

 

‘‘ଚାଲ, ଚାଲ ଶୀଘ୍ର, ୟା ଭିତରେ କେତେବେଳ ହେଇ ଗଲାଣି, ବଡ଼ ସାହେବ ଆସି ପହଞ୍ଚି ଗଲେଣି !’’

 

ତରତର ହେଇ ଚାଲିଗଲେ ସମସ୍ତେ । ବନ୍ଦନା ତା ଚୌକିରେ ବସି ବଡ଼ କ୍ଳାନ୍ତି ଅନୁଭବ କଲା । ଭାବିଲା, ସକାଳୁ ଆଜି ମନଟା ଭଲ ନାହିଁ । ଅଫିସ୍‌କୁ ଆସୁ ଆସୁ ଗୁଡ଼ାଏ ଏଣୁ ତେଣୁ କଥା ଶୁଣି ମନଟା ଭାରାକ୍ଳାନ୍ତ ହେଇ ରହିଚି, ଆଜି ଦିନଟା କେମିତି ଯିବ କେଜାଣି ? ଅନ୍ୟମନସ୍କ ହେଇ ଗାଲରେ ହାତଦେଇ ଆଖି ବୁଜି କେବଳ ବସି ରହିଲା । ଅପମାନରେ ମୁହଁଟା ହେଇଯାଇଥାଏ ଏକବାରେ ଲାଲ୍‌ ।

 

ବଡ଼ ସାହେବ ଦୁଆର ଖୋଲି ଭିତରକୁ ଆସିଲେ । ବନ୍ଦନା ଜାଣି ପାରିଲାନି, ସେମିତି ବସି ରହିଲା ।

 

ଜୟନ୍ତ ରାୟ ଆଶ୍ଚର୍ଯ୍ୟ ହେଲେ । ସବୁଥର ଦୁଆର ଖୋଲିବା ମାତ୍ରେ ବନ୍ଦନା ଠିଆ ହେଇ ଭୟମିଶା ସ୍ୱରରେ କହେ ଗୁଡ୍‌ମର୍ଣ୍ଣିଂ । ଆଜି ତା’ର ବ୍ୟତିକ୍ରମ । ଗୋରା ମୁହଁଟା ବି ଲାଲ୍‌ ହେଇଯାଇଚି, କପାଳରେ ବିନ୍ଦୁ ବିନ୍ଦୁ ଝାଳ । ମୁହଁରେ କରୁଣତାର ସ୍ପଷ୍ଟ ଆଭାସ । ମିଃ ରାୟ ଆଶ୍ଚର୍ଯ୍ୟ ହେଲେ । ବ୍ୟଥିତ ହେଲେ ।

 

‘‘ବନ୍ଦନା’’

 

‘‘ସାର୍‌’’ ଚମକି ଠିଆ ହେଲା ସେ, ପାଖରେ ଅତି ନିକଟରେ ମିଃ ରାୟ । ଦାମୀ ଟ୍ରପିକାଲ୍‌ କୋର୍ଟରୁ ସ୍ପଷ୍ଟ ଭାବରେ ବାରି ହେଉଚି ମନ ମତାଣିଆ ସେଣ୍ଟର ବାସ୍ନା । କେଜାଣି କି ସେଣ୍ଟ ବ୍ୟବହାର କରନ୍ତି ମିଃ ରାୟ । ନିଶ୍ଚୟ ଖୁବ୍‌ ଦାମୀକା ବିଦେଶୀ ସେଣ୍ଟ । ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ।

 

’’ତୁମେ ଆଜି ବଡ଼ ବିଚଳିତ ଜଣା ଯାଉଚ କଅଣ ହେଇଚି ?’’

 

‘‘ନା ସାର୍‌, ଏଇ ମାନେ ଖରାରେ ଆସି ମୁଣ୍ଡ ଝିମ୍‌ ଝିମ୍‌ ହେଇଗଲା ।’’

 

‘‘ଖରାରେ ? ତୁମେ ଗୋଟେ କାମ କର ବନ୍ଦନା, ବସ୍‌ରେ ଆସିବା ଦ୍ୱାରା ତୁମକୁ ବସ୍‌ଷ୍ଟେଣ୍ଡରୁ ଅଫିସ ପର୍ଯ୍ୟନ୍ତ ଚାଲି ଚାଲି ଆସିବାକୁ ହେଉଚି, ତା ନକରି ଏଥର ଟାକ୍‌ସିରେ ଯିବା ଆସିବା କର, ଆଉ ମାସ ଶେଷକୁ ବିଲ୍‌କରି ଦେଇଯିବ ମୋ ପାଖରେ, ନ ହେଲେ ମୋର ଷ୍ଟେସ୍‌ନ ଓ୍ୟାଗନ୍‌ଟା ସବୁଦିନ ପଠାଇ ଦେବି ତୁମ ବୋର୍ଡ଼ିଂକୁ, ତୁମେ ରେଡ଼ି ହେଇଥିବ ଚାଲି ଆସିବ -’’

 

ହଠାତ୍‌ କଥା ମଝିରେ ଅଟକି ଗଲେ ମିଃ ରାୟ । ବନ୍ଦନାର ଆଖି ଦିଟା ଅତି ବିଭତ୍ସ ଭାବରେ ଜଳୁଥିଲା । ସବୁ ଉତ୍ସାହ ପାଣି ଫୋଟକା ପରି ମିଳାଇ ଗଲା ମିଃ ରାୟଙ୍କର । ଏତେବେଳକରେ ମନେ ପଡ଼ିଲା ସେ ବନ୍ଦନା ଆଗରେ ଠିଆ ହେଇ କଥାବାର୍ତ୍ତା କରୁଥିଲେ । ଏ ଧୀରା, ଜ୍ୟୋତ୍ସ୍ନା ବା ଉର୍ବଶୀ ନୁହେଁ । ଏ ହେଉଚି ତତଲା ଗୋଟିଏ ଲୌହ ପିଣ୍ଡ, ଯାହାର ପାଖ ଆଖିରେ ବି ଠିଆ ହେବାର ଶକ୍ତି କାହାରି ନାହିଁ । ତତଲା ଧାସ ବାଜି ପାଖରେ ଥିବା ବାୟୁମଣ୍ଡଳ ଏକେବାରେ ଉତ୍ତପ୍ତ । ସେଇ ଧାସ ଅନୁଭବ କଲେ ମିଃ ରାୟ ତାଙ୍କରି ଶିରାର ପ୍ରତି ରନ୍ଧ୍ରେ ରନ୍ଧ୍ରେ । ପ୍ରତ୍ୟେକଟି ଲୋମ କୂପରେ ଉଷ୍ଣତାର ସ୍ପର୍ଶ ! ଅନୁତପ୍ତ ହେଲେ ମିଃ ରାୟ ।

 

ବନ୍ଦନାର ହେହ ମନ ସବୁଥିରେ ଭରିଗଲା କଠୋରତାର ଚିହ୍ନ । ସାମାନ୍ୟ ଅବଳା ହୋଇ ବି ସେ ଅନୁଭବ କଲା ନିଜ ଦେହରେ ଅସୀମ ଶକ୍ତି । ଅପମାନରେ ଜର୍ଜ୍ଜରିତା ନାରୀ, ଅପେକ୍ଷା କଲା ପ୍ରତିଅପମାନର ସୁଯୋଗକୁ ।

 

ମିଃ ରାୟ ନରମ କଣ୍ଠରେ କହିଲେ –

 

‘‘କିଛି ମାଇଣ୍ଡ କରିବନି ବନ୍ଦନା, ମୁଁ ଅନ୍ୟ କିଛି ଭାବି ଏସବୁ କଥା କହିନି, ତୁମର ସାମାନ୍ୟ ସୁବିଧା କରିବାକୁ -’’

 

ଝଙ୍କାରି ଉଠିଲା ବନ୍ଦନା -

 

ମୋ ସୁବିଧା ଅସୁବିଧା କଥା ଆପଣ ଟିକେ କମ୍‌ ଭାବିଲେ ଭଲ ହୁଅନ୍ତା ମିଃ ରାୟ । ଏଇ କଥା ଆପଣଙ୍କୁ ମୁଁ ଏଠାରେ ଚାକିରୀରେ ରହିବା ଦିନରୁ କହି ଆସୁଛି । ଆପଣଙ୍କର ଏକଥା ସବୁଦିନେ ମନେ ରହିବ ବୋଲି ମୁଁ ଆଶା କରିଥିଲି -’’

 

ବଡ଼ ବେଶୀ ଉଗ୍ର ଶୁଣାଗଲା ବନ୍ଦନାର କଥା କେଇଟା । ମିଃ ରାୟଙ୍କର ମୁହଁ ଶୁଖି କାଗଜ ଭଳି ହେଇଗଲା ।

 

ଅପମାନର ଏ ତୀବ୍ର ବିଷକୁ ନୀଳକଣ୍ଠଙ୍କ ପରି ଆକଣ୍ଠ ପାନକରି ସହ୍ୟ କରିନେଲେ ସେ । କଥାବାର୍ତ୍ତାକୁ ସହଜ କରିନେବାକୁ ଯାଇ ହସି ହସି କହିଲେ ମିଃ ରାୟ -

 

‘‘ଏତେ ଟିକେ କଥାରେ ଏତେ ରାଗ ତୁମର ? ମୁଁ ତ ତୁମ ସାଙ୍ଗରେ joke କରୁଥିଲି ! ତୁମକୁ ରଗେଇବା ପାଇଁ ଚେଷ୍ଟା କରି ମୁଁ ତାହେଲେ ବ୍ୟର୍ଥ ହେଇନାହିଁ । କ’ଣ କହୁଚ ବନ୍ଦନା । ଅସ୍ୱାଭାବିକ ଭାବରେ ହସି ଉଠିଲେ ସେ । ସ୍ୱିଙ୍ଗ୍‌ ଡୋରଟା କେଁ କେଁ ହେଇ ଖୋଲିଗଲା । ଚପରାଶି ଆସିଲା ସେଦିନର ଡାକ ନେଇ । ମିଃ ରାୟ ପଳେଇ ଯିବାପାଇଁ ବାଟ ପାଇଗଲେ ।

 

ଆଉ ବନ୍ଦନା ସ୍ତବ୍‌ଧ ହେଇ ଚାହିଁ ରହିଲା । ମିଃ ରାୟଙ୍କର କଥାଗୁଡ଼ା ତୁହାଇ ତୁହାଇ କାନରେ ବାଜୁଥିଲା । ଏତେବେଳଯାଏ ଏତେ ଆଗ୍ରହ, ଏତେ ସୋହାଗଭରା କଥା, ସବୁ ତେବେ ସାହେବଙ୍କର ଗୋଟିଏ ଗୋଟିଏ ସାମାନ୍ୟ ପରିହାସ ? ପରିହାସ ନା ବିଦ୍ରୂପ ? ଠିକ୍‌ କରି ପାରିଲାନି ସେ । ବନ୍ଦନାକୁ ପରିହାସ କରନ୍ତି କାହିଁକି ସାହେବ ? ତାଙ୍କ ଅଫିସର ସାମାନ୍ୟ ଜଣେ କିରାନୀ ସେ । ଅଫିସର ମାଲିକକୁ କଅଣ ଶୋଭାପାଏ, ସେଇ ସାମାନ୍ୟ କିରାନୀ ସାଙ୍ଗରେ ବସି ଥଟ୍ଟା ପରିହାସ କରିବାକୁ ?

 

ବୁଝି ବୁଝିହୁଏନା ମିଃ ରାୟଙ୍କୁ । ଏ କେତେଦିନରେ ଲକ୍ଷ୍ୟ କରିଚି ସେ ସେହେବ ବଡ଼ ଖାମଖିଆଲି । ଯେତେବେଳେ ଯାହା ମନ ହେଇଚି, ସେ ସେଇୟା କରି ବସିଚନ୍ତି ଆଗପଛ ନ ବିଚାରି । ଭାବି ଭାବି ମନରେ ଦୟା ଆସିଲା ଏଇ ଆତ୍ମଭୋଳା ଲୋକଟି ପ୍ରତି । ଗୋଟାଏ ମୁହୂର୍ତ୍ତ ପାଇଁ ସେ ଅନୁଭବ କଲା, ଅଙ୍ଗଲତାର ମୃଦୁ କମ୍ପନ....ପ୍ରଥମଥର ପାଇଁ ତାର ହୃଦୟ ଦରଦୀ ହୋଇ ଉଠିଲା.... ମାତ୍ର ପରକ୍ଷଣରେ ସେ ପୁଣି ନିଜକୁ ସଂଯତ କରିନେଲା ।

 

ଲକ୍ଷ୍ୟ କଲା ସେ, ଟେବୁଲ ଉପରେ ଗୋଟିଏ ଲୀଳାୟିତ ଭଙ୍ଗୀରେ ବସି ଗୋଟିକ ପରେ ଗୋଟିଏ ଚିଠି ଦେଖି ଯାଉଚନ୍ତି । ପାରପାରର୍ଶ୍ୱକ ଅବସ୍ଥାକୁ ଆଦୌ ଖିଆଲ ନାହିଁ ।

 

ଏତେବେଳକରେ ଲକ୍ଷ୍ୟ କଲା ବନ୍ଦନା, ସାହେବ ଆଜି ବେଶ୍‌ ଅବସନ୍ନ ଦିଶୁଚନ୍ତି । ଆଜି ମୁଣ୍ଡ କୁଣ୍ଡେଇ ନାହାନ୍ତି ନା କଅଣ । ସବୁଦିନର ସଯତ୍ନରେ ବ୍ୟାକବ୍ରଶ୍‌ କରା ହୋଇଥିବା ବାଳ ଆଜି ଫୁର୍‌ ଫୁର୍‌ ହେଇ ଉଡୁଚି । ପ୍ରତିଦିନ ପକେଟ୍‌ରେ ତିନିକୁଣିଆ ହେଇ ରଖା ହୋଇଥିବା ରୁମାଲର ସତ୍ତା ନାହିଁ । ବଟନ୍‌ ହୋଲରେ ଥିବା ଛୋଟ ଲାଲ ଗୋଲାପଟି ମଧ୍ୟ ଆଜି ସ୍ଥାନଚ୍ୟୁତ !

 

ଆଶ୍ଚର୍ଯ୍ୟ ଲାଗିଲା, ଏ ସୌଖୀନ ଭଦ୍ର ଲୋକଙ୍କର ଆଜି ହେଲା କଅଣ ? ମିଃ ରାୟଙ୍କ ପ୍ରତି ମମତା ଜାଗିଲା ମନରେ ।

 

ବନ୍ଦନାର ମନେ ପଡ଼ିଲା ଘରୁ ଚିଠି ଦେଇଚି ଚନ୍ଦନା, ଟଙ୍କା ମାଗିବା ଦରକାର । ନ ହେଲେ କାଲି ଘରକୁ ଯିବ ବା କିପରି ? ଧୀରେ ଧୀରେ ଆଗେଇଲା ବନ୍ଦନା ।

 

‘‘ସାର୍‌’’

 

‘‘ଉଁ’’ ବୁଲିପଡ଼ି ଚାହିଁଲେ ସାହେବ୍‌ ।

 

‘‘ସାର୍‌, ମୁଁ ସାତଦିନ ଛୁଟି ଚାହେଁ ।’’

 

’’ଛୁଟି ? ତୁମେ ଛୁଟି ନେବ ?’’ ବ୍ୟଥିତ ବ୍ୟଗ୍ର କଣ୍ଠରେ କହିଲେ ମିଃ ରାୟ ।

 

‘‘ହଁ ସାର୍‌ ମୋର ଭାଇ ଭୀଷଣ ବେମାର, ମୋର କାଲି ସକାଳେ ଜରୁରୀ ଘରକୁ ଯିବା ଦରକାର ।’’ ମୁହଁ ଶୁଖାଇ କହିଲା ସେ ।

 

‘‘ତୁମେ କଅଣ ମୋ ଉପରେ ରାଗି ଛୁଟି ଚାହୁଁଚ ? ମୋର ବ୍ୟବହାର ପାଇଁ ମୁଁ ଦୁଃଖିତ ବନ୍ଦନା ।’’

 

‘‘ନାଁ ସାର୍‌, ମୋ ଭାଇ ଅସୁସ୍ଥ । ସେଥିପାଇଁ ମୁଁ ଛୁଟି ଚାହୁଁଚି ଏକଥା ସତ ।’’

 

ବନ୍ଦନାକୁ କିଛି ସମୟ ଯାଏ ଚାହିଁ ରହିଲେ ମିଃ ରାୟ, ବୋଧହୁଏ ପରଖି ନେଲେ ତାର କଥା ସତ କି ମିଛ । ବନ୍ଦନାର ଶୁଖିଲା ମୁହଁ, ଭିଜା ଆଖିପତା, ଥର ଥର ଓଠ ସବୁ ପ୍ରମାଣ କରାଇଦେଲା । ଏ କଥା ମିଛ ହେଇ ପାରେନା । ସତ, ନିରାଟ ସତ । ତେବେ ଉପାୟ କଅଣ ? କେତେଦିନ ପାଇଁ ଛୁଟି ନବ ବନ୍ଦନା, ବନ୍ଦନାକୁ ନ ଦେଖି ସେ ବଞ୍ଚିବେ କିପରି ? କି ମୋହିନୀ ଶକ୍ତି ଅଛି ଝିଅଟା ପାଖରେ କେଜାଣି ।

 

ଏତେ ଜର ହୋଇଥିବା ସତ୍ତ୍ୱେ କେବଳ ଥରେ ବନ୍ଦନାକୁ ଦେଖିବା ପାଇଁ, ଟିକିଏ ସାନ୍ନିଧ୍ୟ, କେଇପଦ କଥାବାର୍ତ୍ତା ହେବାପାଇଁ ଅଫିସ୍ ଆସିଛନ୍ତି । ଯଦିଓ ଏ କେତେଦିନର ଘନିଷ୍ଠତାରେ ସେ ବୁଝିଲେଣି ଯେ ବନ୍ଦନାକୁ ନିଜର କରିବା ତାଙ୍କ ପକ୍ଷରେ ଗୋଟିଏ ସୁନେଲି କଳ୍ପନା ଛଡ଼ା ଆଉ କିଛି ନୁହେଁ, ତଥାପି ପାଗଳ ପରି ଥରକୁ ଥର ସେଇ କଳ୍ପନାକୁ ବାସ୍ତବତାର ରୂପ ଦେବାପାଇଁ ଚେଷ୍ଟା କରି ଆସିଚନ୍ତି । କାହିଁକି ? କଅଣ ପାଇଁ ? ଏ କାହିଁକିର ଉତ୍ତର ସେ ଜାଣନ୍ତିନି । ବନ୍ଦନା ଆଜି ଗୋଟିଏ ମୃଗତୃଷ୍ଣା, ଯେ କି ତାଙ୍କ ପଛରେ ଗୋଡ଼ାଏ ନା । କିନ୍ତୁ ତା ପଛରେ ଗୋଡ଼ାଇବାକୁ ମିଃ ରାୟଙ୍କୁ ଭଲଲାଗେ । ମିଳନର ଶୁଭ ଲଗ୍ନ ଆସେନା । ମୃଗତୃଷ୍ଣା ଦୂରକୁ ଘୁଞ୍ଚିଯାଏ ।

 

‘‘କଅଣ ଏତେ ଭାବୁଚନ୍ତି ସାର୍‌ ? ଛୁଟି ଦେବେନି ?’’

 

‘‘ନା, ନା, ଛୁଟି ତୁମର ଦରକାର, ତୁମେ ଯାଅ, ଭାଇ ତୁମର ଭଲ ହେଇଯାଉ, ଏଇ ଆଶୀର୍ବାଦ ମୁଁ କରୁଚି; ମତେ ଏତେ ନିଷ୍ଠୁର ଭାବନା ବନ୍ଦନା, ତୁମର ଦରଖାସ୍ତ ଆଣ, ମୁଁ ଗ୍ରାଣ୍ଡ କରି ଦେଉଚି ।’’

 

ଶେଷକୁ ସ୍ୱର ଥରି ଉଠିଲା ତାଙ୍କର, ଚୌକିରେ ବସି, କଲମର କେପ୍‌ ଖୋଲିଲେ ମିଃ ରାୟ ।

 

ସବୁକିଛି ଲକ୍ଷ୍ୟ କଲା ବନ୍ଦନା । କଅଣ ହେଲା ସାହେବଙ୍କର । କାହିଁକି ତାଙ୍କର ଏ ଭାବାନ୍ତର ! ସାହେବଙ୍କର ସ୍ୱରରେ କରୁଣତାର ସ୍ଫଷ୍ଟ ଆଭାସ, ମୁହଁରେ ବିଷାଦର କାଳିମା, ଆଖିରେ, ବ୍ୟଥିତ ଚାହାଣୀ । ମନଟା ଘାଣ୍ଟି ହେଇଗଲା ତାର । ନିଜେ ବି ଦୁଃଖିତ ହେଲା ସେ ସାହେବଙ୍କର ଅବସ୍ଥା ଦେଖି । କିନ୍ତୁ ଛୁଟି ଯେ ତାର ଦରକାର, ତାକୁ ଯେ ଯେମିତି ହେଲେ କାଲି ଯିବାକୁ ହେବ !

 

ଏପ୍ଳିକେସନ୍‌ଟା ଭେନିଟିବ୍ୟାଗରୁ କାଢ଼ି ସାହେବଙ୍କୁ ଦେଇଦେଲା । ସାହେବ ଟିକେ ପଢ଼ିନେଇ ତଳେ ସାଇନ୍‌ କରି ଟେବୁଲ୍‌ରେ ପେପରଓ୍ୱେଟ୍‌ ଚପେଇ ରଖିଲେ । ବନ୍ଦନା ପାଖରେ ଠିଆ ହେଇ ରହିଲା । ମିଃ ରାୟ କଲମ୍‌ରେ ବ୍ଲଟିଂ ପେପର ଉପରେ ଏଣୁତେଣୁ ଗାର କାଟୁଥିଲେ । ଘରଭିତରଟା ଥମ୍‌ ଥମ୍‌ କରୁଚି । ମିଃ ରାୟ ଓ ବନ୍ଦା ଦୁହେଁ ଅନ୍ୟମନସ୍କ, ମ୍ରିୟମାଣ ମୁକ । କାହାରି ପାଟିରେ କଥା ନାହିଁ ।

 

ମିଃ ରାୟ ଆରମ୍ଭ କଲେ -

 

‘‘ତୁମେ ଠିକ୍‌ ସାତଦିନ ପରେ ଫେରି ଆସିବ ତ ?

 

‘‘ହଁ ସାର୍‌, ନିଶ୍ଚୟ ଆସିବି ।’’

 

‘‘ଭାଇର କଅଣ ହେଇଚି ?’’

 

‘‘ଚନ୍ଦନା ଲେଖିଚି, ତାକୁ ଗାଁରୁ ନେଇ ପାଖ ଗଭର୍ଣ୍ଣମେଣ୍ଟ ହସ୍‌ପିଟାଲରୁ ପ୍ଳାଷ୍ଟର କରେଇ ଆଣିବାକୁ ହେବ । ତା ଛଡ଼ା ଘରର ନାନାଦି ଛୋଟ ଛୋଟ ଅଭାବ ଅସୁବିଧା ସବୁ ମତେ ଦେଖି ଆସିବାକୁ ହେବ, ମୁଁ ସମସ୍ତଙ୍କଠୁଁ ବଡ଼, ବାପା ନ ଥିବାରୁ ସବୁ ଭାର ମୋ ଉପରେ ।’’

 

‘‘ତା ହେଲେ ତୁମର ଟଙ୍କା ଦରକାର ହେଇପାରେ । ପହିଲା ତ ହେଇନି, ଏ ମାସର ଦରମା ତ ପାଇ ନ ଥିବ ।’’ କହି କୋଟ୍‌ର ଭିତର ପକେଟରୁ ମନିବ୍ୟାଗ୍‌ ବାହାର କଲେ । ଚମକି ଉଠିଲା ବନ୍ଦନା । ମୁହୂର୍ତ୍ତକରେ ନରମି ଆସିଥିବା ମନଟା କଠିଣ ହେଇ ଉଠିଲା ମନିବ୍ୟାଗ୍‌ଟା ଦେଖି । କିଛି ସମୟ ତଳେ ଧୀରା, ଜ୍ୟୋତ୍ସ୍ନାଙ୍କ ସାଙ୍ଗରେ ଏଇ ମନିବ୍ୟାଗ୍‌ ନେଇ କଥା କଟାକଟି ସବୁ ମନେ ପଡ଼ିଗଲା । ମନିବ୍ୟାଗ୍‌ର ଜିପ୍‌ ଖୋଲି ମିଃ ରାୟ ଟଙ୍କା ବାହାର କଲେ ।

 

‘‘କେତେ ଟଙ୍କା ତୁମର ଦରକାର ହେବ କୁହ ତ ?’’

 

‘‘ନା ସାର୍‌, ଆପଣଙ୍କଠୁ ମୋର କୌଣସି ଟଙ୍କା ଦରକାର ନାହିଁ । ଆପଣଙ୍କ ମନିବ୍ୟାଗରୁ ଟଙ୍କା ନବାର ଲୋକ ଅଭାବ ନାହାନ୍ତି ଏ ଦୁନିଆରେ । ଆପଣ ଦାନୀ, ମହତ୍‌ ଆପଣଙ୍କର ହୃଦୟ, କିନ୍ତୁ ଅପାତ୍ରରେ ଦାନ କଲେ କୌଣସି ପୁଣ୍ୟ ହୁଏ ନାହିଁ, ମୁଁ କେବଳ ପଚାଶ ଟଙ୍କା ଏଡ୍‌ଭାନ୍‌ସ ଚାହୁଁଚି, ଆପଣ କେସିଅରଙ୍କୁ କହି ସେତକ ବନ୍ଦୋବସ୍ତ କରାଇ ଦେଲେ ଖୁବ୍‌ ଉପକୃତ ହୁଅନ୍ତି ।’’

 

ଉତ୍ତେଜନାରେ ଥରି ଉଠିଲା ବନ୍ଦନା । ହରିଣୀ ତାର ସବୁ ଶକ୍ତି ଦେଇ ବାଘକୁ ଆକ୍ରମଣ କରିବ ଯେପରି ।

 

‘‘ଅନ୍ୟକୁ ଆଘାତ ଦେଲେ, ତୁମେ ଖୁବ୍‌ ଆନନ୍ଦିତ ପାଅ, ନା ? ତୁମେ ଅବଶ୍ୟ ସତ କହିଚ ବନ୍ଦନା, ଦିନଥିଲା, ଯେତେବେଳେ ମୁଁ ଅଜସ୍ର ଟଙ୍କା ଦାନ କରିଚି, ଅର୍ଥଲୋଭୀ ଉତ୍ସୃଙ୍ଖଳ ସ୍ତ୍ରୀଲୋକମାନଙ୍କୁ । କିନ୍ତୁ ବିଶ୍ୱାସ କର ଆଜି ଆଉ ସେଦିନ ନାହିଁ, ଏକାକୀ ନିର୍ଜ୍ଜନରେ ରହି ରହି ଦିନକୁ ଦିନ ଜୀବନ ମୋର ଦୁର୍ବିସହ ହେଇ ଉଠିଚି, ତଥାପି ଆଜି ତୁମେ ମତେ ଆଘାତ କଲ ବନ୍ଦନା ? ଉଃ, ତୁମ ମନରେ କଅଣ ଟିକେ ବୋଲି ମନୁଷତ୍ୱ ନାହିଁ, ମନ କଅଣ ତୁମର ପଥରରେ ଗଢ଼ା ?’’

 

ଏ ପ୍ରତିଆକ୍ରମଣରେ ଆହତ ହେଲା ବନ୍ଦନା । ଜୟନ୍ତି ରାୟ ଆଜି କହି ଯାଉଚନ୍ତି କଅଣ-? କି ରୁଢ଼, ରୁକ୍ଷ ଆଘାତ ! ଗୋଡ଼ହାତ ଝିମ୍‌ ଝିମ୍‌ ହେଇ ଆସିଲା । ମୁହଁ ତଳକୁ ପୋତି ଠିଆହେଇ ରହିଲା ବନ୍ଦନା ।

 

ସାମାନ୍ୟ ଅଗ୍ରସର ହେଇ ବନ୍ଦନାର ଆହୁରି ପାଖରେ ଠିଆ ହେଲେ ମିଃ ଜୟନ୍ତ ରାୟ । ଉତ୍ତେଜନାରେ ସେ ବି ସତେକି ନିଜର ଜ୍ଞାନ ହରେଇ ବସିଚନ୍ତି । ପୁଣି ରୁଷ ସ୍ୱରରେ କଥା ଆରମ୍ଭ କଲେ ସେ-

 

‘‘ତୁମର ବଡ଼ ଗର୍ବ ଯେ, ପୁରୁଷ ଜାତିକୁ ତୁମେ ପାଦରେ ଦଳିଦେଇ ଚାଲିଯାଇପାର । ନିର୍ବ୍ଦୟ, ନିଷ୍ଠୁର କଥା କହି ଅନ୍ୟକୁ ତୁମେ ତିଳ ତିଳ କରି ଜାଳିଦେଇ ପାର, କିନ୍ତୁ ତୁମେ ଶପଥ କରି କହିପାରିବ କି, ଯେଉଁ ପୁରୁଷ ଜାତି ତୁମ ପକ୍ଷରେ ଏତେ ଘୃଣ୍ୟ, ତାକୁ ତୁମେ କେବେହେଲେ କେଉଁ ନିରୋଳା ମୁହୂର୍ତ୍ତରେ ଥରେ ବି ହୃଦୟରେ ସ୍ଥାନ ଦେଇନ ? ଜୋର୍‌ଦେଇ କହିପାରିବ ବନ୍ଦନା, ମୋ କଥା ତୁମେ କେବେହେଲେ ମନେ ପକାଅନି ? କହି ପାରିବ ମତେ ତୁମେ ଭଲ ପାଅନି ?’’

 

ପଛ ଆଡ଼କୁ ସ୍ୱରଟା ଗାଢ଼ ହେଇ ଆସିଲା ତାଙ୍କର ।

 

ବନ୍ଦନାର ଗୋଡ଼ ଦିଟା ଟଣ୍‌ ଟଣ୍‌ ହୋଇ ଉଠିଲା, ମନେ ହେଲା, ଗୋଡ଼ତଳେ ଜମିଟା ଶୂନ୍ୟ, ମହାଶୂନ୍ୟରେ ପରିଣତ ହେଇଗଲାଣି । ଏଇ ନିଷ୍ଠୁର ସତ୍ୟ ଆଗରେ ଠିଆ ହେଇ ରହିବା ଏକେବାରେ ଅସମ୍ଭବ । ପାଖରେ ଥିବା ଚୌକିରେ ବସିପଡ଼ି ଟେବୁଲରେ ମୁଣ୍ଡ ରଖି ହାତରେ ମୁହଁ ଘୋଡ଼େଇ ଅସ୍ପଷ୍ଟ କଣ୍ଠରେ କହିଲା ବନ୍ଦନା -

 

‘‘ବନ୍ଦ କରନ୍ତୁ ସାର୍‌, ଆପଣ ଏସବୁ କଅଣ କହିଯାଉଚନ୍ତି ?’’

 

ମିଃ ରାୟ ଲକ୍ଷ୍ୟ କଲେ, ବନ୍ଦନାର ଦେହ ବରଡା ପତ୍ର ପରି ଥରୁଚି । କ୍ଷଣିକ ଉତ୍ତେଜନାରେ ଏ କଅଣ ସବୁ କହିଗଲେ ସେ ! ତାଙ୍କର ହୃଦୟଟା ଜୀବନର ଗତି ଚକ୍ରରେ ପଡ଼ି ଇସ୍ପାତ୍‌ ପରି ଟାଣ ହେଇ ଯାଇଚି । ଶତ ଅପମାନ, ତିରସ୍କାର ସହିନେବାର ଶକ୍ତି ତାଙ୍କର ଅଛି, କିନ୍ତୁ ବନ୍ଦନାର କଅଁଳ ମନ କଅଣ ଏ ଆଘାତ ସହିପାରିବ ? ବନ୍ଦନାକୁ ଜୟ କରିବାକୁ ଏଇ କଅଣ ପନ୍ଥା ! ନିଜକୁ ଧିକ୍‌କାର ଦେଲେ, ଅନୁଭବ କଲେ, ଜ୍ୱର ଯୋଗୁଁ ଦୁର୍ବଳ ଦେହ, ମନ ତାଙ୍କର ଆଜି ନିଜର ନୀତି ବିରୁଦ୍ଧରେ ଯୁଦ୍ଧ କରିଚନ୍ତି । ମନ ଉପରେ ଆଜି ତାଙ୍କର ଆଦୌ ଜୋର ନ ଥିଲା ।

 

ବର୍ତ୍ତମାନ କଅଣ କରିବେ ସେ ! କି ଉପାୟ ଅବଲମ୍ୱନ କରିବେ ! ଆଗରେ କ୍ରନ୍ଦନରତା ବନ୍ଦନା, ତାଙ୍କର ଅତି ଆଦରିଣୀ ବନ୍ଦନା ! କଅଣ କହି ତାକୁ ସାନ୍ତ୍ୱନା ଦେବେ ! ଧୀରେ ଧୀରେ ତା’ର ମୁଣ୍ଡରେ ହାତ ଥୋଇଲେ ମିଃ ରାୟ, ମୁଣ୍ଡ ବାଳକୁ ହାତରେ ସାଉଁଳଉ ସାଉଁଳଉ କହିଲେ ଗାଢ଼ ସ୍ୱରରେ-

 

‘‘ମୁଁ ଦୁଃଖିତ ବନ୍ଦନା, ମୋର ସବୁକଥା ମୁଁ ଫେରେଇ ନଉଚି । ଜାଣ ବନ୍ଦନା, କାଲି ସନ୍ଧ୍ୟାବେଳଠୁ ମତେ ଜର । ଏବେ ବି ତାତି ରହିଚି । ଜ୍ୱରରେ ଦୁର୍ବଳ ଶରୀର ଓ ମନ କେହି ମୋର ଅକ୍ତିଆର୍‌ରେ ନାହାନ୍ତି । ମତେ ତୁମେ କ୍ଷମାକର । ଉଠ ବନ୍ଦନା ।’’

 

ସେ ଡାକରେ ନ ଉଠିବାର ଶକ୍ତି ବନ୍ଦନାର ନ ଥିଲା । ମିଃ ରାୟ, କେତେ ବଡ଼ଲୋକ ସେ, କେତେ ସମ୍ଭ୍ରାନ୍ତ ଘରର ଲୋକଙ୍କ ଘରକୁ ତାଙ୍କର ଯିବା ଆସିବା, ପୁଣି ସହରର ପ୍ରତ୍ୟେକ ଉତ୍ସବରେ ଯିଏ ଅତିଥି, ପୁଣି ବନ୍ଦନାର ଅଫିସ୍‌ର ବଡ଼ ସାହେବ, ଯିଏ ପ୍ରତ୍ୟେକ ଦିନ ନୂଆ ଦାମୀ ଦାମୀ ସୁଟ୍‌ ପିନ୍ଧି, ସୁବାସିତ ସେଣ୍ଟ ମାଖି ଅଫିସକୁ ଆସନ୍ତି, ଯାହାକୁ କେନ୍ଦ୍ର କରି ଅଫିସ୍‌ରେ ଚାଞ୍ଚଲ୍ୟ ଖେଳିଯାଏ, ସେଇ ବଡ଼ ସାହେବ୍‌ ଆଜି ବନ୍ଦନା ପରି ସାମାନ୍ୟ କିରାନୀ ପାଖରେ କ୍ଷମା ମାଗୁଚନ୍ତି ନ୍ୟୁନ ହେଇ ! ନିଜର ମୁଣ୍ଡ, କପାଳ, ପିଠିରେ ବଡ଼ ସାହେବ୍‌ଙ୍କର ହାତରେ ଉଷ୍ଣ ସ୍ପର୍ଶ, ଆଖିବୁଜି ଅନୁଭବ କଲା ସେ । ମାୟା ହେଲା ସାହେବଙ୍କ ଉପରେ । ଜ୍ୱରରେ ଅବସନ୍ନ ଶରୀର ମିଃ ରାୟଙ୍କର । ଏପରି ଅବସ୍ଥାରେ ଆଉ ଆଘାତ ଦେବା ଠିକ୍‌ ହେବନି ।

 

ନିଜକୁ ସଂଯତ କରି ଠିଆ ହେଲା । ମିଃ ରାୟ ବନ୍ଦନାର ଲାଲ୍‌ ମୁହଁଟାକୁ ଚାହିଁ ରହିଲେ-। ସେ ଦୃଷ୍ଟି ଆଗରେ ମୁଣ୍ଡ ନୁଆଁଇଲା ବନ୍ଦନା, ପ୍ରତିବାଦ କରିବାକୁ ସାହସ ହେଲାନି । ଆଖିର ଲୁହ ପୋଛିଦେଲା ଲୁଗା କାନିରେ । ତୀରବିଦ୍ଧା ହରିଣୀ ସେ ! କଅଣ ବା ତା’ର ଆଉ ବଳ-!

 

‘‘ଜର ବର୍ତ୍ତମାନ କେତେ ଅଛି ସାର୍‌ ?’’

 

‘‘ଆଜି ସକାଳୁ ଆଉ ଦେଖିନି, ଗଲା ତିନିଦିନ ସନ୍ଧ୍ୟାବେଳୁ ରାତିସାରା ଖୁବ୍‌ ଜର ହେଉଥିଲା, ଇନ୍‌ଫ୍ଳୁଏଞ୍ଜା, ଆଜି ଛାଡ଼ିଯିବ ମନେ ହଉଚି ।’’

 

ହଠାତ୍‌ ମିଃ ରାୟଙ୍କର କପାଳରେ ହାତଦେଇ ପରୀକ୍ଷା କଲା ବନ୍ଦନା । ଜୟନ୍ତ ରାୟ ନିକଟରେ ପୃଥିବୀର ସମସ୍ତ ଔଷଧ ଅପେକ୍ଷା ଏଇ କ୍ଷୀଣ ସ୍ପର୍ଶର ମାଦକତା ଥିଲା ବେଶୀ, କହିଲେ ସେ -

 

‘‘ଇସ୍‌ କି ନରମ ତୁମ ହାତ, ବନ୍ଦନା ।’’

 

‘‘ଘଟଣାର ଆକସ୍ମିକତାରେ ବିଚଳିତ ହେଲା ବନ୍ଦନା ।

 

‘‘ଯାଅ ବନ୍ଦନା, କିନ୍ତୁ ମୋ ଉପରେ ଅଭିମାନ କରି ଯାଅନି, ତାହେଲେ ମୁଁ ବଡ଼ କଷ୍ଟ ପାଇବି । ମୁଁ ତୁମକୁ ଭଲପାଏ ବନ୍ଦନା । ମିଃ ରାୟ ଶହେ ଟଙ୍କା ବାହାର କଲେ, ଟେବୁଲରେ ଥିବା ବନ୍ଦନାର ଭେନିଟି ବ୍ୟାଗ୍‌ରେ ରଖିଦେଲେ ।’’

 

ଏଇ ସାମାନ୍ୟ ଟଙ୍କା କେଇଟା ପାଇଁ ମତେ ଆଉ ଆଘାତ ଦିଅନି, ଯାଅ, ତୁମର କର୍ତ୍ତବ୍ୟ ସାରି ଠିକ୍‌ ସମୟରେ ଫେରି ଆସିବ । ମନେ ରଖିବ ବନ୍ଦନା, ଏ ଟଙ୍କା କୌଣସି ଗରୀବ ଲୋକଙ୍କୁ ଦେଉଥିବା ଦାନ ନୁହେଁ, ଏଇ ଟଙ୍କା କେଇଟାରେ ଭରି ରହିଚି ମୋର ମାୟା, ମମତା, ସ୍ନେହ, ସବୁକିଛି । ତୁମେ ସରଳ ମନରେ ଗ୍ରହଣ କର ।’’

 

ଅବଶ ହେଇ ଆସିଲା ଦେହ ମନ ବନ୍ଦନାର । ଏତେଗୁଡ଼ିଏ କଥା କହିଗଲେ ମିଃ ରାୟ, କୌଣସି କଥାର ପଦେ ପ୍ରତିବାଦ କରିପାରିଲାନି ସେ ! କିନ୍ତୁ ଏତେ ଶୀଘ୍ର ସେ କଅଣ ଜୟନ୍ତ ରାୟଙ୍କ ଜୀବନ ସଙ୍ଗେ ଛନ୍ଦି ହେଇଯିବ ! ନିଜକୁ ଭସେଇ ଦେବା ପୂର୍ବରୁ ଜାଣି ରଖିବନି, ପାଣିର ସୁଅର ଗତି କେଉଁ ଦିଗକୁ !

 

ବନ୍ଦନା କହିଲା କଠୋର କଣ୍ଠରେ -

 

‘‘ଆପଣଙ୍କର ଟଙ୍କା ରଖନ୍ତୁ ମିଃ ରାୟ, ଏଟଙ୍କା ମୁଁ ନେଇ ପାରେନା । ଟଙ୍କା ନେଇ ଅନ୍ୟ ପାଖରେ ଋଣୀ ହେବାକୁ ମୁଁ ଚାହେଁନା । ଅର୍ଥର ମୋହ, ସବୁଠାରୁ ବଡ଼ ମୋହ । ମୁଁ ସେଇ ମୋହକୁ ବଢ଼େଇବାକୁ ଚାହେଁନି । ମତେ ଆପଣ କ୍ଷମା କରିବେ । ଆପଣ ମତେ ଭୁଲ ବୁଝି ଅନେକ କଥା କହିଗଲେ, ସେ ସବୁ କହିବା ଆପଣଙ୍କର ଅନ୍ୟାୟ ।’’

 

ଟଙ୍କାତକ ବାହାରକରି ଟେବୁଲ ଉପରେ ପେପର୍‌ଓ୍ୱ୍ୟେଟ୍‌ ଚପାଇ ଦେଲା, କହିଲା, -

 

‘‘ସାର୍‌ ମୁଁ ଯାଉଚି, ଆଉ ସାତଦିନ ପରେ ଫେରି ଆସିବି, ଡେରି ହେଇ ଗଲାଣି, ମୋର ପୁଣି କେତେ କାମ ଅଛି ବଜାରରେ । ନମସ୍କାର ।’’

 

ବେଗ୍‌ ନେଇ ଚାଲିଗଲା ବନ୍ଦନା । ମୂକ ହେଇ ବସି ରହିଲେ ମିଃ ରାୟ, ଇସ୍‌ ଜଣେ ସାମାନ୍ୟ ନାରୀ ପାଖରେ ସେ ହାରିଗଲେ ! ନିଜର ହୃଦୟଟାକୁ ଏକେବାରେ ଖୋଲିଦେଇ ଥିଲେ ସେ ଆଜି ବନ୍ଦନା ଆଗରେ । ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେଇ ଅତି ଦୀନହୀନ ଭାବରେ । ନ୍ୟୁନ ହେଇ ଭଲପାଇବା ଭିକ୍ଷା କରିଥିଲେ ସେ ବନ୍ଦନା ପାଖରେ । ବନ୍ଦନା ପାଇଁ ସେ ନିଜକୁ କେତେ ତଳକୁ ଖସେଇ ଦେଇଚନ୍ତି । ତଥାପି ବନ୍ଦନା, ସେଇ ଉତ୍ତପ୍ତ ଲୌହ ପିଣ୍ଡଟା, ଟିକିଏ ବି ଶୀତଳ ହେଇ ପାରିଲାନି ! ବନ୍ଦନା ତାଙ୍କୁ ପ୍ରତ୍ୟାଖ୍ୟାନ କଲା !

 

ସିଗାରେଟ୍‌ ଧରାଇଲେ ମିଃ ରାୟ । ପ୍ରାୟ ବର୍ଷେ ହେଲାଣି ସେ କ୍ଳବର ନାନାଦି ଫଙ୍କସନ୍‌ରେ ଯୋଗଦେଇ ନାହାନ୍ତି । କେବେ କେମିତି ଚେସ୍‌ ଖେଳିବାକୁ ଯିବା ଛଡ଼ା ଅନ୍ୟ କୌଣସି କାମପାଇଁ ସେ କ୍ଳବକୁ ଯାଇ ନାହାନ୍ତି । ମନେପଡ଼େ ଆଜି ବି ତାଙ୍କପାଇଁ ଅପେକ୍ଷା କରିଚନ୍ତି, ଉର୍ବଶୀ, ରୀତା; ଅଲିଭା ଇତ୍ୟାଦି । ଆଜି ବି କ୍ଳବର ବାର୍‌ ସେକ୍‌ସନ୍‌ର ମ୍ୟାନେଜର ମିଃ ରାୟଙ୍କୁ ସମ୍ମାନରେ ବାର୍‌କୁ ଆସିବାକୁ ଅନୁରୋଧ କରେ । ଆଉ ଅଫିସ୍‌ରେ ଧୀରା, ଜ୍ୟୋତ୍ସ୍ନା ଏମାନେ ବି ସବୁଦିନ ମିଃ ରାୟଙ୍କର ସାମାନ୍ୟ ଆଖିର ଇଙ୍ଗିତକୁ ଅଧୀର ଭାବରେ ଅପେକ୍ଷା କରଚନ୍ତି । ତୁଷାର, ବୀରେନ୍‌, ରବୀନ୍‌ ଆଜି ବି ସମସ୍ତେ ପାର୍ଟି, ପିକ୍‌ନିକ, ଡ୍ୟାନ୍‌ସ ସବୁଥିରେ ତାଙ୍କୁ ଅଧୀର ଆଗ୍ରହରେ ଅପେକ୍ଷା କରିଚନ୍ତି ।

 

ଚାରିଆଡ଼େ ଆନନ୍ଦ ଉତ୍ସ ! ଆଉ ମିଃ ରାୟ ତେବେ କାହିଁକି ତାଙ୍କ ମନ ଆକାଶକୁ ଦୁଃଖର ବଉଦରେ ଢାଙ୍କି ରଖିଥିବେ । ସେ କଅଣ ମଣିଷ ନୁହନ୍ତି ? ଜଣେ ସାମାନ୍ୟ ନାରୀ ପାଇଁ, ତାଙ୍କର ସୁଖ ଶାନ୍ତି, ଆନନ୍ଦ ସବୁକୁ ଏକାବେଳେ ପୋଛି ପକାଇ କାହିଁକି ସେ ଦିନ ପରେ ଦିନ ନିର୍ଜ୍ଜନତା, ଶୁଷ୍କତା ଭିତରେ କଟେଇ ଦେବେ ? ମନଟା ଭାରୀ ହେଇ ଉଠିଲା । ବନ୍ଦନା ଉପରେ ମନର ପ୍ରତିହିଂସାର ଅନଳ ଜଳିଗଲା ।

 

ଜ୍ୱରରେ ଦୁର୍ବଳ ଶରୀର, ଅବଶ ଦେହ, ମନ ଆଜି ଭାରୀ କ୍ଳାନ୍ତ । ମନେ ମନେ ଠିକ୍‌ କଲେ ମିଃ ରାୟ, ଆଜି ସନ୍ଧ୍ୟାରେ ଟିକେ ହ୍ୱିସ୍କି ଖାଇବାକୁ ହେବ । ଦେହଟାକୁ ତାଜା କରିବାକୁ ହେବ । ଭଙ୍ଗା ମନଟାକୁ ପୁଣି ସଜାଡ଼ିବାକୁ ହେବ । ବନ୍ଦନାକୁ ଭୁଲିଯିବାକୁ ହେବ ।

 

ଗୋଟିଏ ତୃତୀୟ ଶ୍ରେଣୀ ଲେଡ଼ିଜ୍‍ କମ୍ପାଟ୍‍ମେଣ୍ଟରେ ବସି ବନ୍ଦନା ନିଃଶବ୍ଦରେ ବାହାରକୁ ଚାହିଁ ରହିଚି । ରେଳଗାଡ଼ିଟା ବେଶ୍‍ ଜୋର୍‌ରେ ଚାଲୁଚି । ଦେହଟା ରୀତିମତ ଦୋହଲି ଯାଉଚି । ଆଉ ମନଟା ମଧ୍ୟ ସମାନ ତାଳରଖି ଯାଉଚି ।

 

ବନ୍ଦନା ଅନୁଭବ କଲା, ଅତୀତଟା ଆଉ ଫେରି ଆସିବନି । ଯାହା ଯାଉଚି, ତାହା ଚିରଦିନ ପାଇଁ ଚାଲିଯାଉଚି । ବନ୍ଦନାର ଜୀବନ ଗୋଟେ ବଡ଼ ଜଟିଳ ପରିସ୍ଥିତି ଭିତରେ ଗତି କରୁଚି । ତା’ର ଜୀବନ ଆକାଶରେ ଧୁମକେତୁ ପରି ଦେଖା ଦେଉଚନ୍ତି ମିଃ ଜୟନ୍ତ ରାୟ ।

 

ବନ୍ଦନା କଥାଗୁଡ଼ିକ ଖେଳେଇ ଖେଳେଇ ଭାବୁଥିଲା । ଆଜି ଜୟନ୍ତ ବାବୁଙ୍କର ଦେଇଥିବା ଟଙ୍କାତକ ଫେରେଇ ଦେଇ କଅଣ ଭଲ କରିଚି ବନ୍ଦନା ? ମନରେ ଝଡ଼ ଉଠିଲା କାହିଁକି, ଜୟନ୍ତ ରାୟ ତାକୁ ଟଙ୍କା ଦେଲେ ? କହିଥିଲେ ଅବଶ୍ୟ, ସେଇ ଟଙ୍କା ଭିତରେ ଭରି ରହିଚି ତାଙ୍କର ସ୍ନେହ, ମାୟାମମତା ସବୁକିଛି ? କିନ୍ତୁ ତାଠୁ ଅଧିକ ଆଉ କିଛି ନୁହେଁ ତ ? ବନ୍ଦନାକୁ ଭୁଲାଇ ଦେବାକୁ, ଛନ୍ଦି ଦେବାକୁ ଏ ଗୋଟେ କୌଶଳ ନୁହେଁ ତ ? ଇସ୍‌, ଖୁବ୍‍ ବଞ୍ଚି ଯାଇଚି ଆଜି, ଭଲ ପାଇବାର ଆବରଣ ତଳେ ଅସଲ ରୂପଟାକୁ ବନ୍ଦନା ନିଶ୍ଚୟ ସେତେବେଳେ ନିରୀକ୍ଷଣ କରି ପାରିଥିଲା । ସେଥିପାଇଁ ଟଙ୍କାତକ ଫେରେଇ ଚାଲି ଆସିପାରିଲା । ବୋର୍ଡିଂରେ ପହଞ୍ଚି ଶେଷ ପର୍ଯ୍ୟନ୍ତ ବାସନ୍ତୀ ଦି’ଙ୍କଠୁ ପଚାଶ ଟଙ୍କା ଧାର୍‌କରି ଗାଁକୁ ବାହାରିଲା ।

 

ଦୂରରେ ରହିଗଲେ ଜୟନ୍ତ ରାୟ ! ରେଳଗାଡିର ଇଞ୍ଜିନ୍‌ ଉପରୁ ଉଠୁଥିବା କଳା କଳା ଧୁଆଁର ମୋଟା ପରଦା ସେପାଖରେ ଅଦୃଶ୍ୟ ହେଲା ଜୟନ୍ତ ରାୟଙ୍କର ଆଭିଜାତ୍ୟ, ତାଙ୍କର ଗାଡି, ତାଙ୍କର ଲକ୍ଷ ଲକ୍ଷ ଟଙ୍କା, ତାଙ୍କର ନାରୀବନ୍ଧୁ ସମସ୍ତେ-

 

ସକାଳ ନ’ଟା ମାହାମାୟା ବୋର୍ଡ଼ି ସାମ୍ନାରେ ଅଟକିଗଲା ଗୋଟିଏ ପୋଲିସ୍‌ ଭ୍ୟାନ୍‌ । ସଶସ୍ତ୍ର ପୁଲିସ୍‌ କନ୍‌ଷ୍ଟେବଲ୍‌, ଚାରି ପାଞ୍ଚ ଜଣ ଧଡ୍‌ପଡ୍‌ କରି ଓହ୍ଳେଇ ପଡ଼ି ସାମ୍ନା ଦୁଆର ପାଖେ ଜଗି ରହିଲେ । ପଛରୁ ଆସିଲା ଗୋଟିଏ ପୁଲିସ୍‌ ଜିପ୍‌ । ସାମନାରେ ଲାଗିଥିବା ଓ୍ୟାର୍‌ଲେଶ୍‌ର ପୋଷ୍ଟଟା ଖରାରେ ରୂପାଭଳି ଚକ୍‌ ଚକ୍‌ କରୁଥାଏ । ତିନିଜଣ ପୋଲିସ୍‌ ଅଫିସର ବାହାରି ଆସିଲେ ସେଥିରୁ । ସେମାନଙ୍କ ଜୋତାର ମଚ୍‌ ମଚ୍‌ ଶବ୍ଦରେ ମୁଖରିତ ହେଇ ଉଠିଲା ହଷ୍ଟେଲ ସାମ୍ନା ରାସ୍ତାଟା । ଚପରାଶୀ ଦୁଇଜଣ ଭୟ ବ୍ୟାକୁଳ ଦୃଷ୍ଟିରେ ଧାଇଁ ଆସିଲେ ସାମ୍ନା ଦରଜା ଫିଟାଇ ଦେବାକୁ ।

 

‘‘ସୁପରିନ୍‌ଟେଣ୍ଡଣ୍ଟ ବାସନ୍ତୀ ଦେବୀ ଅଛନ୍ତି ?’’ ଗୁରୁଗମ୍ଭୀର ସ୍ୱରରେ କହିଲେ ଡି. ଏସ୍‌. ପି. ବିଜ୍‌ନ ବାବୁ ।

 

‘‘ଅଛନ୍ତି ଆଜ୍ଞା, ଆପଣମାନେ ଅଫିସ୍‌ ରୁମ୍‌ରେ ବସନ୍ତୁ, ମୁଁ ଡାକି ଦେଉଚି ।’’

 

ଅଫିସ୍‌ ରୁମରେ ଅପେକ୍ଷା କଲେ ପୁଲିସ୍‌ ଅଫିସରମାନେ ।

 

ଆଉ ବିସ୍ମୟରେ ଅବାକ ହେଇ ଭୟଭୀତ ଆଖିରେ ଝରକାର ପରଦା ଆଡ଼େଇ ତଳକୁ ଚାହିଁ ରହିଥିଲେ ବାସନ୍ତୀ ଦେବୀ ତାଙ୍କ ରୁମ୍‌ରୁ । ତାଙ୍କର ହଷ୍ଟେଲ ସାମ୍ନାରେ ପୁଣି ପୋଲିସ୍‌ ! ନିଜର ଆଖିକୁ ବିଶ୍ୱାସ କରିପାରୁ ନଥିଲେ । ଲକ୍ଷ୍ୟ କଲେ, ୟା ଭିତରେ ହଷ୍ଟେଲ୍‌ର ଚାରିପାଖ ଘେରଉ କରି ଗଲେଣି ବନ୍ଧୁକଧାରୀ ପୁଲିସ୍‌ମାନେ । ଭୟରେ ଗୋଡହାତ ଥରିଗଲା । କଅଣ ପାଇଁ ଏମାନଙ୍କର ଆଗମନ । ଏ ହଷ୍ଟେଲ୍‌ରେ ଏମାନଙ୍କର କି କାମ ! ଭାବି ଭାବି କିଛି ଠିକ୍‌ କରି ପାରିଲେନି ସେ । କେତୋଟି ଅଳ୍ପବୟସ୍କା କିଶୋରୀଙ୍କୁ ନେଇ ଏ ହଷ୍ଟେଲ୍‌ । ଏମାନଙ୍କ ଭିତରୁ କେହି କଅଣ ତେବେ ଆଇନ୍‌ ଚକ୍ଷୁରେ ଅପରାଧିନୀ ! ଅସମ୍ଭବ, ହଷ୍ଟେଲ୍‌ ଝିଅଙ୍କୁ ସେ ଚିହ୍ନନ୍ତି ବେଶ୍‌, ସମସ୍ତେ ସରଳ, ସମସ୍ତେ କୋମଳ । କେବଳ ଶୀଲା ଯାହା ଟିକେ ବେଶୀ ଷ୍ଟାଇଲ୍‌ରେ, ଫେସନ୍‌ରେ ଥାଏ । କିନ୍ତୁ ହୃଦୟଟା ତାର ବେଶ୍ ସରଳ । ହେଇତ ସେଦିନ ଶୀଲା ରାତି ଏଗାରଟାରେ ଫେରିବାରୁ ଖୁବ୍‌ ରାଗି ଗାଳି ଦେଇଥିଲେ ସେ ନିଜେ । ଆଉ ସାଙ୍ଗେ ସାଙ୍ଗେ କାନ୍ଦି କାନ୍ଦି ତାଙ୍କର ଗୋଡ଼ଧରି କହିଥିଲା ଶୀଲା, ଆଉ ଏମିତି ଡେରି କେବେ ହେବନି, ଭାଇ ଟ୍ରେନ୍‌ରେ କଲିକତାରୁ ମାଡ୍ରାସ ଯାଉଥିଲେ, ତାଙ୍କରି ସାଙ୍ଗରେ ଦେଖା କରିବାକୁ ଯାଇଥଲା ଶୀଲା ଷ୍ଟେସନ୍‌କୁ, ଟ୍ରେନ୍‌ ତିନିଘଣ୍ଟା ଲେଟ୍‌ ଥିବାରୁ, ବାଧ୍ୟ ହେଇ ଅପେକ୍ଷା କରିଥିଲା, ସେଥିପାଇଁ ଏତେ ଡେରି ।

 

ବାସନ୍ତୀ ଦେବୀ ଅନୁତପ୍ତ ହେଇଥିଲେ, ନିଜର ସରଳ ମନ ନେଇ ସେଇଦିନୁ ଶୀଲାକୁ ସେ ସ୍ନେହ ଚକ୍ଷୁରେ ଦେଖି ଆସିଚନ୍ତି । ଆଉ ମୀରା, ସୁଜାତା, ସୁରେଖା, ଇନ୍ଦୁ, ଶାନ୍ତି, ଚିତ୍ରା ସମସ୍ତେ ହେଲେ ନମ୍ର, ଶାନ୍ତ, ଶିଷ୍ଟ । ଏଇମାନଙ୍କୁ ନେଇ ତାଙ୍କର ଏଇ ପ୍ରାଇଭେଟ୍‌ ହଷ୍ଟେଲ୍‌ । ଏଠିକି ପୁଣି ପୁଲିସ୍‌ ଆସିବାର କାରଣ କଅଣ ।

 

‘‘ଦିଦି’’

 

ଚମକି ପଡ଼ି ଫେରି ଚାହିଁଲେ ସେ । ଦୁଆର ପାଖରେ ଚପରାଶି ଡାକୁଚି ।

 

‘‘ତଳେ ପୁଲିସ୍‌ ବାବୁମାନେ ଡାକୁଚନ୍ତି, ଆସନ୍ତୁ ଆଜ୍ଞା !’’

 

‘‘ସେମାନେ କାହିଁକି ଆସିଚନ୍ତି କିଛି କହିପାରିବ ଗୋପାଳ ?’’

 

‘‘ନା ଦିଦି, ମତେ ତ ଭାରୀ ଭୟ ଲାଗୁଚି, ସେମାନେ କେବଳ ଆପଣଙ୍କୁ ଡାକୁଚନ୍ତି ।’’

 

‘‘ଆଚ୍ଛା, ଚାଲ୍‌ ।’’

 

ଚଟି ଦିଟା ପିନ୍ଧି ସନ୍ଦିଗ୍‌ଧ ମନରେ ତଳେ ଅଫିସ୍‌ ରୁମ୍‌ରେ ପହଞ୍ଚିଲେ । ନମସ୍କାର, ପ୍ରତି ନମସ୍କାର ପରେ ସମସ୍ତେ ଗୋଟିଏ ଗୋଟିଏ ଆସନ ଦଖଲ କରି ବସି ରହିଲେ ।

 

‘‘ଆପଣମାନେ କାହିଁକି ଏ ହଷ୍ଟେଲ୍‌କୁ ଆସିଚନ୍ତି, ମୁଁ ଜାଣିପାରେକି ?’’ ଭୟବିହ୍ୱଳ ଗଳାରେ କହିଲେ ବାସନ୍ତୀ ଦେବୀ ।

 

‘‘ନିଶ୍ଚୟ, ନିଶ୍ଚୟ, ଦେଖନ୍ତୁ ବାସନ୍ତୀ ଦେବୀ, ବ୍ୟାପାର୍‌ଟା ବେଶ୍‌ ଟିକେ ଗୁରୁତର । ଅବଶ୍ୟ ଆପଣଙ୍କର ଭୟ ପାଇବାର କିଛି ନାହିଁ । ଆଚ୍ଛା, ଏଠାରେ ଅନୁରାଧା ଦେବୀ କେହି ଅଛନ୍ତି-?’’

 

‘‘ଅନୁରାଧା ? ଏଠି ଯେତୋଟି ଝିଅ ଅଛନ୍ତି, ସେମାନଙ୍କ ମଧ୍ୟରୁ କାହାରି ନା ଅନୁରାଧା ନୁହେଁ ।’’

 

‘‘ଆପଣ କଅଣ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ? କିନ୍ତୁ ଦେଖନ୍ତୁ ୟାର ପରିଣାମ କିଛି ଭଲ ହେବନି ।’’

 

‘‘କଅଣ ଆପଣ କହିବାକୁ ଚାହାନ୍ତି ? ସ୍ପଷ୍ଟକରି ସବୁକଥା ଖୋଲି କୁହନ୍ତୁ କଅଣ ଆପଣମାନେ ଜାଣିବାକୁ ଆସିଚନ୍ତି ।’’

 

ଗମ୍ଭୀର ଉଦ୍‌ବିଗ୍ନ ଗଳାରେ କହିଲେ ବାସନ୍ତୀ ଦେବୀ ।

 

ଅନ୍ୟଜଣେ ଅଫିସର କହିଲେ -

 

‘‘ଅବଶ୍ୟ ତାଙ୍କର ଅନ୍ୟ ଗୋଟିଏ ନାମ ବି ଅଛି । ଆଚ୍ଛା କୁହନ୍ତୁ ତ, ତାଙ୍କୁ ସେଇ ନାମରେ ଆପଣ ଚିହ୍ନନ୍ତି କି ନା । ତାଙ୍କର ସେ ନାମ ହେଲା ଶୀଲା ଦେବୀ ।’’

 

‘‘ଶୀଲା ।’’ ବିସ୍ମୟରେ ବିମୂଢ଼ ହେଇଗଲେ ସେ ।

 

‘‘ଚିହ୍ନନ୍ତି ତେବେ ? କୁହନ୍ତୁ, ସେ କ’ଣ ଏଇଠି ରହନ୍ତି ?’’

 

‘‘ହଁ, କୁହନ୍ତୁ ଶୀଲା ବିରୁଦ୍ଧରେ ଆପଣଙ୍କର କି ଅଭିଯୋଗ ଅଛି ?’’

 

‘‘ଚୋରା ଅଫିମର କାରବାର ଆଉ ଗୋଲ୍‌ଡ ସ୍ମଗ୍‌ଲିଂ ।’’

 

‘‘ଏଁ !’’ ବିସ୍ଫାରିତ ଆଖିରେ ଚାହିଁ ରହିଲେ ବାସନ୍ତୀ ଦେବୀ । ସେ ଦିନର ସେଇ ଝିଅଟି ଯେ କି କଥା ପଦକରେ କାନ୍ଦି କାନ୍ଦି ଗୋଡ଼ତଳେ ଲୋଟି ଯାଇଥିଲା, ସେ ତେବେ ଏତେଦୂର ସାଘାଂତିକ । ଶିହରି ଉଠିଲେ ସେ । ତାଙ୍କର ହଷ୍ଟେଲ୍‌ ଭିତରେ ରହି ଶୀଲା ଏସବୁ କାରବାର କରୁଥିଲା କିପରି ? ବଡ଼ ଆଶ୍ଚର୍ଯ୍ୟ ତ !

 

‘‘ଆପଣ ତାକୁ ଏ ବିଷୟରେ ସାହାଯ୍ୟ କରିଚନ୍ତି, ଏକଥା ଆପଣ କଅଣ ଅସ୍ୱୀକାର କରିବେ ?’’

 

‘‘ନା, ନା, ଏ ଆପଣ କଅଣ କହୁଚନ୍ତି, ମୁଁ ଶୀଲାକୁ ଏଥିରେ ସାହାଯ୍ୟ କରିଚି ? ଛି, ଛି, ମୁଁ ଏସବୁ ଆଦୌ ଜାଣିନି, ଆପଣଙ୍କୁ ସତ କହୁଚି ।’’

 

’’କଅଣ ? ପ୍ରତ୍ୟେକ ଦିନ ଶୀଲା ଦେବୀ ରାତି ୧୧/୧୨ ଟାରେ ଫେରନ୍ତି, ଆପଣ ଏକଥା ଜାଣନ୍ତିନି କୁହନ୍ତୁ ?’’

 

’’ପ୍ରତ୍ୟେକ ଦିନ ? ନା, ନା, ଏବେ ପ୍ରାୟ ପନ୍ଦରଦିନ ତଳେ ଥରେ ରାତି ଏଗାରଟାରେ ଫେରିଥିଲା, ଭାଇ ସାଙ୍ଗରେ ଦେଖା କରିବାକୁ ଯାଇଥିଲା ଷ୍ଟେସନ୍‌କୁ । ସେଇଠି ଡେରି ହେଇଗଲା କହୁଥିଲା, ଆଉ ତ କେବେ ସେ ଡେରିରେ ଫେରିନି ?’’

 

‘‘ଶୀଲା ଦେବୀ ଏବେ କେବେ ରାତିରେ ବାହାରେ ରହିଥିବାର ଆପଣ ଜାଣନ୍ତି ?’’

 

ଟିକେ ମନେ ପକାଇ କହିଲେ ବାସନ୍ତୀ ଦେବୀ-

 

‘‘ହଁ, ତିନିଦିନ ସେ ରାତିରେ ଫେରିନି । ସକାଳ ଆଠଟାରେ ଆସିଚି ।’’

 

‘‘ଆପଣ ତାକୁ ରାତିରେ ବେହାରେ ରହିବାକୁ ଅନୁମତି ଦେଇଥିଲେ ?’’

 

‘‘ହଁ ତା’ର ସମ୍ପର୍କୀୟ ଭାଉଜ ଜଣେ ଡାକ୍ତରଖାନାରେ କଠିନ ବେମାର୍‌ ଥିବାରୁ ସେ ରାତିସାରା ତାଙ୍କ ପାଖରେ ରହିବ ବୋଲି ମୋଠୁ ଅନୁମତି ମାଗିଥିଲା । ତା’ର ସେ ଭାଉଜଙ୍କର ସାନ ଭଉଣୀ ବି ଆସି କାନ୍ଦି ମୋଠୁ ଅନୁମତି ଆଦାୟ କରାଇ ନେଇଥିଲା ।’’

 

’’ହଁ ।’’ ଗମ୍ଭୀର ହେଇ ବସି ରହିଲେ ଡି.ଏସ୍‌. ପି. ।

 

‘‘ଏ କଥା କଅଣ ଆପଣ ବିଶ୍ୱାସ କରୁ ନାହାନ୍ତି ?’’

 

‘‘ନା, ନା, ଆପଣଙ୍କ କଥା ବିଶ୍ୱାସ କରୁଚି, କିନ୍ତୁ ଶୀଲାଦେବୀଙ୍କର ଏ ସବୁ ଥିଲା ଛଳନା, ତାଙ୍କର ପ୍ରତ୍ୟେକଟି କଥା ମୁଁ ଅବିଶ୍ୱାସ କରୁଚି ।’’

 

‘‘ଶୀଲା ତେବେ ମତେ କଅଣ ମିଛ କହିଚି ? ଭାଇଙ୍କ ସାଙ୍ଗରେ ଦେଖା କରିବା କଥା, ଡାକ୍ତରଖାନାରେ ଭାଉଜ ବେମାର ପଡ଼ିବା କଥା, ଏସବୁ ତେବେ କଅଣ ମିଛ ?’’

 

‘‘ଏକେବାରେ ମିଛ, ଆପଣ ଧୀରେ ଧୀରେ ସବୁ ଜାଣି ପାରିବେ । ଆଚ୍ଛା ଶୀଲା ଦେବୀ ବର୍ତ୍ତମାନ ଅଛନ୍ତି ତାଙ୍କୁ ଟିକେ ଡାକନ୍ତୁ ତ ?’’

 

ଚପରାଶୀ ଗଲା ଶୀଲା ଦେବୀଙ୍କୁ ଡାକିବାକୁ । କିଛି ସମୟ ନୀରବତା । ବାସନ୍ତୀ ଦେବୀ ବିସ୍ମୟରେ ମୂକ ।

 

ଫେରି ଆସିଲା ଚପରାଶୀ ।

 

‘‘ଶୀଲା ଦେବୀ, କୋଉ ରୁମ୍‌ରେ ନାହାନ୍ତି ଦିଦି ।’’

 

‘‘ଏତେ ସକାଳୁ ଶୀଲା ଗଲା କୁଆଡ଼େ ।’’ ବ୍ୟସ୍ତ ହେଇ ଉଠିଲେ ବାସନ୍ତୀ ଦେବୀ ଦୁଆର ବାହାରେ ମଚ୍‌ ମଚ୍‌ ଶବ୍ଦ ଶୁଣାଗଲା । ଚାରିଜଶ ବନ୍ଧୁକଧାରୀ ପୋଲିସ୍‌ ଆଗ ପଛ ହେଇ ଆସୁଚନ୍ତି, ସାମ୍ନାରେ ଶୀଲା । ବାସନ୍ତୀ ଦେବୀ ବିସ୍ମୟରେ ଠିଆହେଇ ପଡ଼ିଲେ । ଦୁଆର ମୁହଁକୁ ଆସି ଜଣେ ପୁଲିସ୍‌ କହିଲା -

 

‘‘ସାହେବ୍‌, ଏ ଝିଅ ଜଣକ ହଷ୍ଟେଲ ପଛ ପାଖରେ ଥିବା ଦୁଆର ଖୋଲି ତର୍‌ତର ହେଇ ଚାଲି ଯାଉଥିବା ସମୟରେ ଆମେ ତାଙ୍କୁ ଧରି ଆଣୁଚୁ । ଆଉ ଦୁଆର ଚାବି ଖୋଲି ଦେଇଥିବା ଏଇ ଲୋକଟିକୁ ବି ଆମେ ଧରି ଆଣିଚୁ ।’’

 

‘‘ଶୀଲା, ତୁମେ ଏତେ ସାଘାଂତିକ । ତୁମ ପାପର ଶାସ୍ତି ଗ୍ରହଣ କର । ଆରେ, ପଛରେ କିଏ ? ରମେଶ ? ତତେ ପୁଣି ପୁଲିସ୍‌ ଧରିଲେ କାହିଁକି ?’’ ବାସନ୍ତୀ ଦେବୀ କହିଲେ ।

 

‘‘ମୁଁ କିଛି କରିନି ମା, ମତେ ଛାଡ଼ି ଦେବାକୁ କୁହନ୍ତୁ ।’’ କାନ୍ଦି କାନ୍ଦି କହିଲା ରମେଶ ।

 

‘‘ତୁମ ନାଁ ତେବେ ରମେଶ ? କେତେଦିନ ହେଲା ଏଠି ଚାକିରୀ କରୁଚ ?’’

 

ଡି. ଏସ୍. ପି. କହିଲେ ।

 

‘‘ବର୍ଷେ ହେବ ଆଜ୍ଞା ।’’

 

‘‘କେତେଦିନ ହେବ ଶୀଲା ଦେବୀଙ୍କୁ ସାହାଯ୍ୟ କରି ଆସୁଚ ?’’

 

ପୁଣି କାନ୍ଦି କାନ୍ଦି ଫାଟି ପଡ଼ିଲା ରମେଶ ।

 

‘‘ମୁଁ କିଛି ଜାଣିନି ଆଜ୍ଞା, ମତେ ଆପଣ ସେମିତି କୁହନ୍ତୁନି ?’’

 

‘‘ମିଛ କହୁଛୁ ?’’ ଡି. ଏସ୍‌. ପି ଙ୍କର ବଜ୍ର ଗମ୍ଭୀର ସ୍ୱରରେ ବାସନ୍ତୀ ଦେବୀ ବି ଭୟ ପାଇଗଲେ ।

 

‘‘ଏଇ ଦେଖଚୁ, ଏଇ ଜିନିଷଟା ?’’ ପକେଟ୍‌ରୁ କାଢ଼ି ହାତକଡ଼ି ଦୁଇଟା ଟେବୁଲ ଉପରେ ଥୋଇଲେ ସେ ।’’

 

କାନ୍ଦି କାନ୍ଦି ଡି. ଏସ୍‌. ପି. ଙ୍କର ପାଦ ଧରି ତଳେ ଲୋଟିଗଲା ।

 

‘‘ମତେ ରକ୍ଷା କରନ୍ତୁ ବାବୁ, ମୁଁ ସବୁ ସତ କହିବି ।’’

 

‘‘ତେବେ ମୋ ପ୍ରଶ୍ନର ଜବାବ ଦେ । କେତେ ଦିନଠୁ ଶୀଲା ଦେବୀଙ୍କୁ ସାହାଯ୍ୟ କରୁଚୁ-?’’

 

‘‘ମୁଁ ଅନ୍ୟ କିଛି ଜାଣେନି ଆଜ୍ଞା । ୭/୮ ମାସ ତଳେ ଶୀଲା ଦେବୀ ମତେ ଥରେ କହିଥିଲେ, ତାଙ୍କର ଆସିବାକୁ ଡେରି ହେବ । ବାହାର ଦୁଆରର ଡୁପ୍ଳିକେଟ୍‌ ଚାବିଟିଏ ଦେଇଥିଲେ, କହିଥିଲେ, ସେ ଆସିବାକ୍ଷଣି ଯେମିତି ଦୁଆର ଫିଟାଇ ଦିଏ ।’’

 

‘‘ଏମିତି କେତେଥର ତତେ ଦୁଆର ଫିଟାଇବାକୁ ହେଇଚି ।’’

 

‘‘ମିଛ କାହିଁକି କହିବି ଆଜ୍ଞା, ପ୍ରାୟ ଦୁଇ ତିନି ଦିନରେ ଥରେ ଲେଖଏଁ ସେ ବହୁତ ରାତି ପରେ ଆସନ୍ତି । ଆଉ ଦିଦିଙ୍କୁ ରାତି ଦଶଟାରେ ଯାଇ ମିଛ କହିବାକୁ ପଡ଼େ ସମସ୍ତେ ଆସି ଯାଇଚନ୍ତି, ଦିଦି ଲାଇଟ୍‌ ଲିଭେଇ ଶୋଇ ପଡ଼ନ୍ତି ।’’

 

‘‘ଆଉ କଅଣ କାମ କରିବାକୁ ପଡ଼େ ।’’

 

‘‘ପୋଷ୍ଟ ପିଅନ୍‌ ଆସିବା ଟାଇମ୍‌ରେ ଜଗି ରହିବାକୁ ପଡ଼େ । ଶୀଲା ଦିଦିଙ୍କର ଚିଠିତକ ବାଛିନେଇ ତାଙ୍କୁ ଦେଇଦିଏ ଓ ଅନ୍ୟ ଚିଠିତକ ସବୁ ବଡ଼ ଦିଦିଙ୍କୁ ଦିଏ ।’’

 

‘‘ଏଥିପାଇଁ ଶୀଲା ଦେବୀ ତୁମକୁ ମାସକୁ କେତେଟଙ୍କା ଦିଅନ୍ତି ?’’

 

‘‘ଆଜ୍ଞା, ମାସକୁ ଚାଳିଶ, ପଚାଶ ଟଙ୍କା ଦିଅନ୍ତି ।’’

 

ଏତେବେଳଯାଏ ଶୀଲା ତଳକୁ ମୁହଁ ପୋତି ଠିଆହେଇ ରହିଥିଲା ।

 

ବାସନ୍ତୀ ଦେବୀ ତୀକ୍ଷ୍‌ଣ ଚକ୍ଷୁରେ ଶୀଲାକୁ ନିରୀକ୍ଷଣ କରୁଥିଲେ ।

 

‘‘ତୁମର ତ ବଡ଼ ସାହାସ ଶୀଲା, ମୋ’ରି ହଷ୍ଟେଲ୍‌ରେ ରହି ତମେ, ଏତେ ସବୁ କାଣ୍ଡ କରି ଯାଇଚ । ମୁଁ ଆଦୌ କଳ୍ପନା ବି କରି ନଥିଲି, ମୋ ଉପରେ ଏତେବଡ଼ ବିପତ୍ତି ପଡ଼ିବ ବୋଲି । ଏଇ ଜଘନ୍ୟ ପଥରେ ଅଗ୍ରସର ହେଲାବେଳେ ତମେ ଭାବି ପାରିଲନି, ତମେ ହେଉଚ ନାରୀ, କୌଣସି ନାରୀ ପାଇଁ ଏ ପଥ ଆଦୌ ସୁବିଧାଜନକ ନୁହେଁ ବୋଲି ! ଛି ଛି !’’ ବାସନ୍ତୀ ଦେବୀ ଘୃଣାରେ ମୁହଁ ଫେରାଇଲେ ।

 

‘‘ଆମେ କିନ୍ତୁ ଖୁବ୍‌ ଖୁସି ଯେ ଶୀଲା ଦେବୀଙ୍କୁ ଧରି ପାରିଚୁ । ୟାଙ୍କରି ପଛରେ ଅଛନ୍ତି ଗୋଟିଏ ବଡ଼ ଗ୍ୟାଙ୍ଗ୍‌ । ୟାଙ୍କୁଇ ସୁତ୍ରରୂପେ ଧରି ଆମେ ସେ ବିରାଟ ଦଳର ପ୍ରତ୍ୟେକଙ୍କୁ ଧରି ପାରିବୁ ନିଶ୍ଚୟ । ଶୀଲା ଦେବୀଙ୍କ ନାଁରେ ଓ୍ୟାରେଣ୍ଟ ଅଛି, ଆମେ ତାଙ୍କୁ ଆରେଷ୍ଟ କରୁଚୁ ।’’

 

ଶୀଲା ନିରୁତ୍ତର । ଅପମାନରେ, ଅବସାଦରେ ମୁଁହ ତାର ଶୁଖିଲା ଫୁଲ ପରି ମଉଳି ଯାଇଚି । ସାରା ମୁହଁରେ ସତେକି କେହି କାଳି ଲେପି ଦେଇଚି ।

 

‘‘ଚାଲନ୍ତୁ ଶୀଲା ଦେବୀ, ବାହାରେ ଗାଡି ଅପେକ୍ଷା କରିଚି । ବାସନ୍ତୀ ଦେବୀ, ଆପଣ ଏଥର ଟିକେ ପିଲାଙ୍କ ପ୍ରତି କଡ଼ା ନଜର ଦିଅନ୍ତୁ ।’’

 

ଶୀଲା ଅବସନ୍ନ ଆଖିରେ ଥରେ ଚାହିଁଲା ବାସନ୍ତୀ ଦେବୀଙ୍କୁ । ବାସନ୍ତୀ ଦିଦିଙ୍କର ଜ୍ୱଳନ୍ତ ଆଖି ଦିଟା ଦେଖି ଭୟରେ ଆଖି ନୁଆଁଇ ଦୁଆର ଆଡ଼କୁ ଆଗେଇଲା ଶୀଲା, ପଛେ ପଛେ ପୁଲିସ୍‌ ଅଫିସରମାନେ ବି ଚାଲିଲେ, ଜୀପ୍‌ରେ ବସିଲେ ସମସ୍ତେ, ଗାଡି ଛୁଟିଲା । ପଛ ଟ୍ରକରେ ଅନ୍ୟ ପୁଲିସ୍‌ମାନେ ରମେଶକୁ ନେଇ ଚାଲିଗଲେ ।

 

ହଷ୍ଟେଲ୍‌ ସାମ୍ନା ବାରଣ୍ଡାରେ ବିସ୍ମୟବିମୂଢ଼ା ବାସନ୍ତୀ ଦେବୀ ଚାହିଁ ରହିଲେ ସେଇ ଆଡ଼କୁ । ଆଉ ଚାହିଁଲେ, ହଷ୍ଟେଲ୍‌ର ଅନ୍ୟ ଚାକର ବାକର ଓ ଅନ୍ୟାନ୍ୟ ପିଲାମାନେ ।

 

କିଛି ସମୟ ପରେ ଚିତ୍ରା କହିଲା ଚୁପ୍‌ ଚୁପ୍‌ କରି -

 

‘‘ବିଚାରୀ ଶୀଲାର ଏ କଅଣ ହେଲା ମୀରା ଅପା !’’

 

‘‘କଅଣ ଆଉ ହେବ, ଲୋଭେ ପାପ, ପାପେ ମୃତ୍ୟୁ । ଯିଏ ଲୋଭକୁ ସମ୍ୱରଣ କରି ପାରେନି, ସେ ଶେଷକୁ ଏଇରକମ୍‌ ଶାସ୍ତି ଭୋଗ କରେ ।’’

 

ସୁଜାତାର ସ୍କୁଲରେ ଆଜି ଉତ୍ସବ । ସ୍କୁଲରେ ଥିବା ଗାଇଡ୍‌ ପିଲାମାନେ ଆଜି ଉତ୍ସବର ଆୟୋଜନ କରିଚନ୍ତି କାରଣ ଆଜି ଗାଇଡ୍‌ ଦିବସ । ମ୍ୟୁନିସିପାଲିଟି ଚେୟାର୍‌ମ୍ୟାନେ ଓ ସହରର ବିଶିଷ୍ଟ ଧନୀ ମିଃ ପଟ୍ଟନାୟକଙ୍କୁ ଡକାଯାଇଚି ପ୍ରଧାନ ଅତିଥିରୂପେ । ସୁଜତା ଆଜି ଖୁବ୍‌ ବ୍ୟସ୍ତ । ସକାଳୁ ଆସି ପିଲାମାନଙ୍କ ପଛରେ ଲାଗିଚି । ଆଜିର ସଫଳତା ଉପରେ ସବୁକିଛି ନିର୍ଭର କରୁଚି ନିଜର ଭବିଷ୍ୟତ, ସ୍କୁଲର ଉନ୍ନତି ଏସବୁ । କାରଣ ଚେୟାରମ୍ୟାନ ଯଦି ସନ୍ତୁଷ୍ଟ ହେଇପାରନ୍ତି ତେବେ ସେ ନିଶ୍ଚୟ ସ୍କୁଲର ଅର୍ଥାଭାବ, ହଷ୍ଟେଲ୍‌ ପିଲାଙ୍କ ଅଭାବ, ଅସୁବିଧା ଇତ୍ୟାଦି ସବୁ ଦୂର କରିବାକୁ ଚେଷ୍ଟା କରିବେ । ହେଡ୍‌ମିଷ୍ଟ୍ରେସ୍‌ ମାୟାଦି ବାର୍‌ ବାର୍‍ ତାଗିଦ୍‌ କରୁଚନ୍ତି ସୁଜାତାକୁ କୌଣସି ତ୍ରୁଟି ନ ରହେ ସୋ’ରେ ।

 

କଅଣ କରିବେ ସୁଜତା ! ପିଲାମାନଙ୍କା ଡ୍ରିଲ, ଫାଷ୍ଟେଡ୍‌ କାମ, ଗାଇଡ୍‌ର ନାନା ରକମ ଗୋପନୀୟ ସୂତ୍ର ଏସବୁ ଶେଷଥର ପାଇଁ ଦେଖୁ ଦେଖୁ ବ୍ୟସ୍ତ ହେଇ ଉଠୁଥିଲା ସେ । ଦିନ ଦୁଇଟା-। ଉଃ, ଆଉ ଦୁଇଘଣ୍ଟା ମୋଟେ ବାକି । ଭୟରେ ଗୋଡ଼ ହାତରେ କମ୍ପନ ଖେଳିଗଲା । ଏସବୁ ତା ପକ୍ଷରେ ଆଜି ନୁଆ । ସବୁ ପିଲାଙ୍କର ଦାୟିତ୍ୱ ନେଇ ପୁଣି ଜଣେ ଭଦ୍ରଲୋକଙ୍କ ଆଗରେ ନିଜର ବାହାଦୁରୀ ଦେଖାଇବା ଏକେବାରେ ନୂତନ । କଳ୍ପନା କରି ପାରୁନି ସେ, କିପରି ଅତିଥି ମହୋଦୟଙ୍କୁ, ସେ ଖୁସି କରାଇ ପାରିବ ! ରହି ରହି ହେଡ୍‌ ମିଷ୍ଟ୍ରେସ୍‌ଙ୍କର କର୍କଶ ସ୍ୱରଟା କାନରେ ବାଜୁଚି ।

 

‘‘ଏ କଅଣ ସୁଜାତା ? ତୁମେ ବେଶ୍‌ ନର୍ଭସ୍‌ ହେଇ ଯାଇଚ ଜଣା ଯାଉଚି । ମୁଁ ଏସବୁ ପିଲାଳିଆ ଢଙ୍ଗ ଆଦୌ ପସନ୍ଦ କରେନି । ମନେରଖ, ମିଃ ପଟ୍ଟନାୟକ ଯେପରି ସୋ’ର ପ୍ରତ୍ୟେକଟି ବିଷୟକୁ ପ୍ରଶଂସା କରନ୍ତି ।’’

 

ମୁହୁର୍ତ୍ତକରେ ଭୟ ଭାଙ୍ଗିଯାଏ । ଦୁର୍ବଳ ମନକୁ ଟାଣ କରେ, ମନରେ ଭାବନା ଖେଳିଯାଏ, ତିନି ଚାରି ଘଣ୍ଟାର ବ୍ୟାପାର । ସୁଜାତା କଅଣ ମନପ୍ରାଣ ଦେଇ ଏତକ ଦାୟିତ୍ୱ ତୁଲାଇ ପାରିବନି । ଏତେଗୁଡ଼ାଏ ପିଲା ସମସ୍ତେ ତା’ର ହ୍ୱିସଲ୍‌ ଶବ୍ଦକୁ ଅନେଇ ରହିଥିବେ । ଆଉ ତାକୁ କଅଣ ସାଜେ, ଭୟ ପାଇବାକୁ ! ତା ଛଡ଼ା ଗାଇଡ୍‌ମାନଙ୍କର ଅଗ୍ରଣୀ ସେ ! ଶୃଙ୍ଖଳିତ ଗୋଟିଏ ସାହସୀକ ଦଳର ସେ ହେଉଚି ଦଳପତି ! ଏଇ କଅଣ ତା’ର ସାହାସ ! ଜଣେ ପୁରୁଷ ଲୋକ ପ୍ରଧାନ ଅତିଥି ହେଇ ଆସିବେ ଣୁଣି ଛାତି ଭିତରଟା ଥରି ଯାଉଚି, କପାଳରୁ ଝାଳ ନିଗାଡ଼ି ଆସୁଚି ? ଛି, ଛି, ଏସବୁ ଆଜିପରି ଦିନରେ ଶୋଭାପାଏନି ।

 

ଦିନ ଚାରିଟା । ଦେହରେ, ମନରେ ଅପୂର୍ବ ବଳ ନେଇ ଗେଟ୍‌ ପାଖରେ ଠିଆ ହେଇ ରହିଲା, ଅତିଥିଙ୍କୁ ଅପେକ୍ଷା କଲା । ତା’ରି ସାମ୍ନାରେ ଗେଟ୍‌ର ଅପର ପାର୍ଶ୍ୱରେ ହେଡ୍‌ ମିଷ୍ଟ୍ରେସ୍‌ ମାୟାଦିଙ୍କର ଆଖି ଦିଟା ଧପ୍‌ ଧପ୍‌ ହେଇ ସତେକି ଗଳୁଚି ଆଉ ଚେତେଇ ଦେଉଚି, ଆଜିର କର୍ତ୍ତବ୍ୟ ।

 

ଗେଟ୍‌ଟା ଫୁଲ, ପତ୍ର, ଡାଳ ଦେଇ ଖୁବ୍‌ ସୁନ୍ଦର କରି ସଜାଇଚନ୍ତି ପିଲାମାନେ । ଗେଟ୍‌ରୁ ଷ୍ଟେଜ୍‍ ପର୍ଯ୍ୟନ୍ତ ରାସ୍ତା ଦି’ ପାଖରେ ନାଲି ନେଳି ପତାକାର ମାଳ । ଷ୍ଟେଜ୍‌ଟିରେ ନୀଳ ପରଦା, ସାମନାରେ ଧାଡ଼ି ଧାଡ଼ି ଚୌକି । ସବୁଠାରେ ପରିଷ୍କାର ପରିଚ୍ଛନ୍ନତାର ଛାପ । ସ୍କୁଲ ପିଲାମାନେ ଶୃଙ୍ଖଳିତ ଭାବରେ ଷ୍ଟେଜ୍‌ ସାମ୍‌ନାରେ କାର୍ପେଟ୍ ଉପରେ ବସିଚନ୍ତି । ଗେଟ୍ ପାଖରେ ଦୁଇ ଧାଡ଼ିହେଇ ଗାଇଡ୍‌-ପିଲାମାନେ ନୀଳ ପୋଷାକ ପିନ୍ଧି ଠିଆ ହେଇଚନ୍ତି, ଗାର୍ଡ ଅଫ୍‌ ଅନର୍‌ ଦେବାପାଇଁ । ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାମାନେ ଅନେକ ଆସି ଗଲେଣି, ଆହୁରି କେତେକ ବି ଆସୁଚନ୍ତି ।

 

ଶେଷଥର ପାଇଁ ସବୁଆଡ଼େ ଆଖି ବୁଲାଇ ଆଣିଲା ସୁଜତା, ନାଃ, କୌଣସିଠାରେ କିଛି ତ୍ରୁଟି ନାହିଁ । କାହାନ୍ତି ପ୍ରଧାନ ଅତିଥି ? କେତେବେଳେକୁ ଆଉ ଆସିବେ ?

 

ବାହାରେ ମଟର ହର୍ଣ୍ଣ ଶୁଭିଲା । ବ୍ରେକ୍‌ କଷି ମଟର୍‌ର୍ଟା ରହିଗଲା ଠିକ୍‌ ଫାଟକ ସାମ୍ନାରେ । ନୀଳବର୍ଣ୍ଣର ବିରାଟ ଡଜ୍‌ ଗାଡ଼ିଟା ଦେଖି ଚମକି ପଡ଼ିଲା ସୁଜାତା । ଦୁଆର ଖୋଲି ବାହାରକୁ ବାହାରି ଆସିଲେ ବିକାଶ ପଟ୍ଟନାୟକ । ହେଡ୍‌ ମିଷ୍ଟ୍ରେସ୍‌ ହସ ହସ ମୁଖରେ ଆଗେଇ ଗଲେ ପାଛୋଟି ଆଣିବାକୁ ।

 

ଜଡ଼ ପାଲଟିଗଲା ସୁଜାତା । ଏଇ ମିଃ ପଟ୍ଟନାୟକ ? ବିକାଶ ବାବୁ ତେବେ ଆଜିକାର ପ୍ରଧାନ ଅତିଥି । ବ୍ୟସ୍ତ ହେଇ ଉଠିଲା ସେ, ଏ କି ପରୀକ୍ଷା ଭଗବାନଙ୍କର ! ଏତେବେଳର ସଞ୍ଚିତ ସବୁ ସାହାସ, ସବୁ ମନ ବଳ କ୍ଷଣକରେ କ୍ଷୟ ହେଇଗଲା । କିପରି ସେ ବିକାଶ ବାବୁଙ୍କ ଆଗରେ ମୁହଁ ଟେକି ଠିଆହେବ । ସେ ରାତିର ସେ ଘଟଣା ପରେ, ପୁଣି ଡେଜିଠାରୁ ପ୍ରକୃତ ଘଟଣା ସବୁ ଜାଣି ସାରିବା ପରେ । ଏତକ ପ୍ରମାଣ ସେ ପାଇଛି ଯେ, ବିକାଶ ବାବୁ ତାକୁ ଭଲ ପାଆନ୍ତି । କିନ୍ତୁ ତାଙ୍କଠାରୁ ତାକୁ ଦୁରେଇ ରହିବାକୁ ହେବ, କାରଣ ବିକାଶ ବାବୁଙ୍କ ପାଇଁ ସେ ଉପଯୁକ୍ତ ନୁହେଁ । ଦୁରେଇ ରହିବାକୁ ଯାଇ କେତେ କଷ୍ଟ ସେ ନ ପାଇଛି ! ହୃଦୟର ଶତ ଆବେଗ ସତ୍ତ୍ୱେ, ସେ ବିକାଶ ସାଙ୍ଗରେ ଆଉ ଦେଖା କରିନି । ପୁଣି ତାଙ୍କ ମା’ ଗାଡ଼ି ପଠେଇ ଥିବା ସତ୍ତ୍ୱେ ସେ ନିଜର ସବୁ ଇଚ୍ଛାକୁ ଦମନ କରି ଅତି ରୂଢ଼ ଭାବରେ ଗାଡ଼ି ଫେରାଇ ଦେଇଚି । ତଥାପି ଭଗବାନ୍‌ ତାକୁ ଆହୁରି ପରୀକ୍ଷା କରୁଚନ୍ତି ! କେତେ ବା ଧୈର୍ଯ୍ୟ ତାର ! ବିକାଶର ସାନ୍ନିଧ୍ୟ ତାକୁ କଅଣ ବିଚଳିତ କରି ଦେବନି ! ବିକାଶର ମୁଗ୍‌ଧ ଦୃଷ୍ଟି ଆଗରେ ଆଖି ତା’ର ତଳକୁ ହେଇଯିବନି, ହୃଦୟରେ କମ୍ପନ ଅନୁଭବ କରିବିନି ! କଅଣ କରିବ ସୁଜାତା !

 

‘‘ମିସ୍‌ ଦାସ୍‌,’’ ହେଡ୍‌ ମିଷ୍ଟ୍ରେସ୍‌ଙ୍କର ଅତି କଡ଼ା ସ୍ୱରରେ ଚମକି ଉଠିଲା ସୁଜାତା । ତାଙ୍କର ଆଖି ଦି’ଟାରୁ ସତେକି ଅଗ୍ନି ସ୍ଫୁଲିଙ୍ଗ ବାହାରୁଚି । ସୁଜାତା ଭୟ ପାଇଲା । ନିଜର ସବୁ ଶକ୍ତି ଦେଇ ମନକୁ ଶକ୍ତ କଲା । ଆଗରେ କର୍ତ୍ତବ୍ୟ ।

 

ସୁଜାତା ଆଗେଇ ଯାଇ ନମସ୍କାର କଲା ।

 

ହେଡ୍‌ମିଷ୍ଟ୍ରସ୍‌ ପରିଚୟ କରାଇଦେଲେ-

 

‘‘ଇଏ ହେଲେ ସୁଜାତା ଦାସ, ଆମ ସ୍କୁଲର ଗାଇଡ଼୍‍ ଟିଚର । ସେ ଆଜିର ସୋ’କୁ ସଫଳ କରିବାକୁ ଖୁବ୍‌ ପରିଶ୍ରମ କରିଚନ୍ତି ।’’

 

‘‘ସତେ ? ଶୁଣି ଖୁବ୍‌ ଖୁସି ହେଲି ।’’

 

ବିକାଶର ପାଖେ ପାଖେ ଆଗେଇ ଚାଲିଲା ସୁଜାତା, ଖୁସି ହେଲା ସେ, ଯା ହେଉ ବିକାଶ ତାକୁ ଚିହ୍ନିଥିବା କଥା ଉଠାଇନି, ତାହେଲେ ମାୟାଦି ଭାବିଥାନ୍ତେ କଅଣ ? ରାଗରେ ତାଙ୍କ ମୁହଁଟା ନିଶ୍ଚୟ ଖୁବ୍‌ ବିଭତ୍ସ ହେଇଯାଇ ଥାଆନ୍ତା । ଆଉ ସେ ବିଭତ୍ସ ମୁହଁ ଆଗରେ ଠିଆ ହେବାର ଶକ୍ତି କଅଣ ସୁଜାତାର ଅଛି ?

 

ଗାର୍ଡ଼ ଅଫ୍‌ ଅନର୍‌ ଗ୍ରହଣ କରିସାରି ସେମାନେ ଷ୍ଟେଜ୍‌ ଆଡ଼କୁ ଗଲେ । ବିକାଶ ବାବୁ ଆସନ ଗ୍ରହଣ କଲେ । ଗୋଟିଏ ପାଖରେ ମାୟାଦି ଓ ଅନ୍ୟ ପାଖରେ ସୁଜାତା ବସି ରହିଲେ । ସୁଜାତା ଅନୁଭବ କଲା ବିକାଶ ବାବୁ ରହି ରହି ତା ଆଡ଼କୁ ଚାହୁଁଚନ୍ତି । ସୁଜାତା ନିଃଶବ୍ଦରେ ବସି ରହିଲା । ମାୟାଦି ତାଙ୍କ ସାଙ୍ଗରେ କଥାବାର୍ତ୍ତା ବ୍ୟସ୍ତ ରହିଲେ । ଦୁଇଟି ଗାଇଡ଼୍ ପିଲା ଦୁଇଟା ଫୁଲମାଳ ଆଣି, ବିକାଶକୁ ଓ ମାୟାଦିଙ୍କୁ ପିନ୍ଧାଇ ଦେଇଗଲେ ବିକାଶବାବୁ ଟିକିଏ ରହି, ଫୁଲମାଳଟିକୁ କାଢ଼ି ଚଉକି ହାତ ଉପରେ ରଖିଲେ, ଠିକ୍‌ ସୁଜାତା ପାଖରେ । ଫୁଲମାଳଟା ସୁଜାତାର ହାତରେ ଗୁଡ଼େଇ ହେଇଗଲା । ସୁଜାତା ଚଞ୍ଚଳ ହେଲା, ମନେହେଲା ଯେପରି ନାଗ ସାପଟିଏ ତାର ହାତକୁ ଶକ୍ତିକରି ବାନ୍ଧି ଧରିଚି । ଏ କଥା ଲକ୍ଷ୍ୟ କଲା ବିକାଶ । ସୁଜାତାର ସୁଡୌଲ ହାତର ଚାରିପାଖରେ ରଜନୀଗନ୍ଧାର ମୋଟା ମାଳଟା ହାତର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଥିଲା ।

 

ସୁଜାତା ମାଳଟା କାଢ଼ିଦେଲା ହାତ ଉପରୁ । ବିକାଶ ବାବୁ ହସି ଉଠିଲେ । ଏ ହସର ଅର୍ଥ ବୁଝିଲା ସୁଜାତା, ସଙ୍କୁଚିତା ହେଲା ସେ ।

 

ହେଡ୍‌ ମିଷ୍ଟ୍ରେସ୍‌ କହିଲେ-

 

‘‘ଏଥର ପ୍ରୋଗ୍ରାମ୍‌ ଆରମ୍ଭ କର ସୁଜାତା, ଆଉ ଡେରି କାହିଁକି ?’’

 

‘‘ହଁ ସୁଜାତା ଦେବୀ, ଏଥର ଆପଣଙ୍କର ପ୍ରୋଗ୍ରାମ ଦେଖିବା ।’’ ବିକାଶ କହିଲା ।

 

ରକ୍ଷା ପାଇଗଲା ସୁଜାତା । ବିକାଶର ସାନ୍ନିଧ୍ୟ, ତା’ର ଚାପ । ହସ, ପଦେ ପଦେ କଥା, ଏ ସବୁରେ ତା’ର ଦେହ, ମନ ଅବଶ ହେଇ ଆସୁଥିଲା । ସେ ଗୋଟିଏ ପାଖରେ ବୁଲିଯାଇ ଷ୍ଟେଜ୍‌ ଭିତରକୁ ଗଲା । ହ୍ୱିସିଲ୍‌ ଶବ୍ଦରେ ପରଦା ଉଠିଲା । ପ୍ରାରମ୍ଭିକ ସଙ୍ଗୀତ ପରେ ରିପୋର୍ଟ ପାଠକଲା ସୁଜାତା । ସାମ୍ନାରେ ବିକାଶର ମୁଗ୍‌ଧ ଦୁଇଟା ଆଖି, ଓଠରେ ସରୁ ହସର ରେଖା, ମୁହଁ ଫେରେଇ ନିଏ ସୁଜାତା । ତାପରେ ସବୁ ପ୍ରୋଗ୍ରାମ୍‌ ଗୋଟିଏ ପରେ ଗୋଟିଏ ନିର୍ବିଘ୍ନରେ ଶେଷ ହେଲା ।

 

ସୁଜାତା ଶାନ୍ତିରେ ନିଶ୍ୱାସ ମାରିଲା, ହେଡ୍‌ମିଷ୍ଟ୍ରସ୍‌ ମାୟାଦି ଖୁସି ହେଲା । ଏଥର ବିକାଶ ବାବୁଙ୍କୁ ଅନୁରୋଧ କଲେ ମାୟାଦି ତାଙ୍କର ଭାଷଣ ଦେବାପାଇଁ ।

 

ବିକାଶ ଷ୍ଟେଜ୍‌ ଉପରକୁ ଉଠିଲେ । ଗୋଟିଏ ପାଖରେ ପର୍ଦା ଆଢ଼ୁଆଳରେ ଠିଆ ହେଇଥାଏ ସୁଜାତା ।

 

ବିକାଶ ବାବୁ ଭାଷଣ ଦେବାକୁ ଯାଇ ସୁଜାତାକୁ ବହୁତ ପ୍ରଶଂସା କରି ଯାଉଥାନ୍ତି । ପର୍ଦା ସେ ପାଖରେ ଥାଇ ସୁଜାତା ଲାଜରେ ଲାଲ୍‌ ହେଇ ଯାଉଥାଏ । କାନ ଦି’ଟା ଗରମ ହେଇ ଯାଉଥାଏ । ଇସ୍‌, କଅଣସବୁ କହି ଯାଉଜନ୍ତି ବିକାଶ ବାବୁ ! ସ୍କୁଲରେ ଭାଷଣ ଦେବାକୁ ଆସି, ସୁଜାତାର ପ୍ରଶଂସା କରିବା କଅଣ ଦରକାର । ମାୟାଦି ଯଦି କିଛି ଜାଣି ପାରନ୍ତି ନା, ତେବେ ଆଉ ରକ୍ଷା ନାହିଁ ।

 

ଶେଷରେ ବିକାଶ ବାବୁ ସ୍କୁଲକୁ ଦୁଇ ହଜାର ଟଙ୍କା ଦାନ ଦେବା କଥା ଘୋଷଣା କରି, ଭାଷଣ ଶେଷ କଲେ । ସୁଜାତା ଆଶ୍ଚର୍ଯ୍ୟ ହେଲା, ବିକାଶ ବାବୁ ଏତେ ଟଙ୍କା ଦେଲେ ! ଏ କଅଣ କେବଳ ସ୍କୁଲର ଉତ୍ସବରେ ଖୁସିହେଇ, ନାଁ ସୁଜାତା ଉପରେ ଖୁସିହେଇ ! ପଛ କଥାଟା ମନେପଡ଼ି ଆହୁରି ଲାଜେଇ ଗଲା ସେ । ଚାରିଆଡ଼ୁ ଭାସି ଆସୁଚି ତାଳିର ଶବ୍ଦ । କାନଟା ଝାଇଁ ଝାଇଁ କରୁଚି । ଯାହାର ସବୁଠୁ ବେଶୀ ତାଳି ମାରିବା କଥା, ସେ କିନ୍ତୁ ତଳକୁ ମୁହଁ ପୋତି ଅନ୍ୟମନସ୍କ ଭାବରେ କଅଣ ଭାବୁଚି କେଜାଣି । ଅନ୍ୟ ଶିକ୍ଷୟିତ୍ରୀମାନେ ସମସ୍ତେ । ଲକ୍ଷ୍ୟ କଲେ ଏକଥା, ଆଶ୍ଚର୍ଯ୍ୟ ହେଲେ ସୁଜାତାର ବ୍ୟବହାରରେ । ହେଡ଼୍‌ ମିଷ୍ଟ୍ରେସ ଦୌଡ଼ିକରି ଭିତରକୁ ଆସିଲେ, ସୁଜାତାକୁ ଖୋଜିଲେ । ଦେଖିଲେ, ଉଇଙ୍ଗସ୍‌ର ପଛରେ ଅନ୍ଧାରରେ ଗୋଟିଏ ଟେବୁଲ୍‌ ପାଖରେ ଚୁପ୍‌ଚାପ୍‌ ଠିଆ ହେଇଚି ସୁଜାତା । ମାୟାଦି ତା କାନ୍ଧରେ ହାତ ରଖି କହିଲେ-

 

‘‘ସୁଜାତା, ମୁଁ ଆଦୌ ଭାବିପାରି ନଥିଲି, ଆଜିର ସୋ’ଟା ଏତେ ସଫଳ ହେବ ବୋଲି । ଶୁଣିଲ ତ, ବିକାଶବାବୁ ଦୁଇ ହଜାର ଟଙ୍କା ଦେଇଚନ୍ତି ! ମୁଁ ଆଶା କରିଥିଲି, ଅତିବେଶୀରେ ହଜାରେ ଟଙ୍କା ଦେଇ ପାରନ୍ତି, କିନ୍ତୁ ଭଦ୍ରଲୋକ ଖୁବ୍‌ ଖୁସି ହେଇଚନ୍ତି ଗାଇଡ଼୍‌ ପିଲାଙ୍କର କାମସବୁ ଦେଖି । ସକାଳୁ ତମେ ଯେମିତି ନର୍ଭସ ହେଉଥିଲ ନା, ମୁଁ ଖୁବ୍‌ ଭୟ ପାଇ ଯାଇଥିଲି । ଆଜିର ଏ ସଫଳତା ପାଇଁ ତମରି ପରିଶ୍ରମ ଦାୟୀ । ବିକାଶ ବାବୁଙ୍କୁ ମୁଁ ଆମ ସ୍କୁଲର ଏକ୍‌ଜିକିଉଟିଭ୍‌ କମିଟିରେ ରହିବାକୁ ଅନୁରୋଧ କରୁ କରୁ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ । ଆଶାକରେ ଏଥର ସେ ସ୍କୁଲର ସବୁ ସୁବିଧା ଅସୁବିଧା ଉପରେ ନଜର ଦେବେ । ଏତେ ଅଳ୍ପ ବୟସ ତାଙ୍କର, କିନ୍ତୁ ୟାରି ଭିତରେ ସେ ମ୍ୟୁନିସିପାଲଟି ଚେୟାରମ୍ୟାନ୍‌ ହେଇ ଅନେକ ଭଲକାମ କରି ଗଲେଣି । ସବୁ ନଜର ଦକ୍ଷତା ଉପରେ ନିର୍ଭର କରେ । ଆଉ ବିକାଶ ବାବୁ ତୁମର ଖୁବ୍‌ ପ୍ରଶଂସା କରୁଚନ୍ତି । ଚାଲ, ସେ ବର୍ତ୍ତମାନ ଯିବେ, ତାଙ୍କ ପାଖକୁ ଯିବା ଚାଲ । ଏଠି ଏମିତି ଅନ୍ଧାରରେ ଠିଆ ହେଇଚ କାହିଁକି-?’’

 

‘‘ଆପଣ ଯାଆନ୍ତୁ ମାୟାଦି, ମୋର ଯିବାର କଅଣ ଦରକାର ?’’

 

‘‘କି ଆଶ୍ଚର୍ଯ୍ୟ, ତୁମେ ହେଲ ଆଜିର ସବୁ, ଭଦ୍ରଲୋକ ଯେ ତୁମ ସାଙ୍ଗରେ ଦେଖାକରି ଯିବେ ବୋଲି ଅପେକ୍ଷା କରି ବସିଚନ୍ତି । ଚାଲ, ଚାଲ, ତୁମର ଲାଜ ଜିନିଷଟା ଆଉ ଗଲାନି । ଆସ-।’’

 

ଆଶ୍ଚର୍ଯ୍ୟ ଲାଗିଲା ସୁଜାତାକୁ, ମାୟାଦିଙ୍କର କଥାରେ ଆଜି ସ୍ନେହର ଆଭାସ ! ମାୟାଦି ସୁଜାତାର ହାତଧରି ବାହାରକୁ ଆସିଲେ । ଦୂରରୁ ଦେଖିଲା ସେ ବିକାଶ କେତେଜଣ ଭଦ୍ରଲୋକଙ୍କର ସାଙ୍ଗରେ କଥାବାର୍ତ୍ତା କରୁଚନ୍ତି । ମାୟାଦି ଆଉ ସୁଜାତା ପାଖରେ ଠିଆହେଲେ । ବିକାଶ ସେମାନଙ୍କୁ ଦେଖି ବୁଲିପଡ଼ି ଠିଆହେଲା ।

 

‘‘କଙ୍ଗ୍ରାଚୁଲେସନ୍‌ ସୁଜାତା ଦେବୀ, ଆପଣଙ୍କର ସୋ ଖୁବ୍‌ ଚମତ୍କାର ହେଇଚି, ମୁଁ ଏଭଳି ଧରଣର ସୋ’ କେବେ ଦେଖିନି ।’’

 

ହାତ ବଢ଼ାଇ ଦେଲା ବିକାଶ ହେଣ୍ଡସେକ୍‌ କରିବା ପାଇଁ । ବାଧ୍ୟ ହେଇ ସୁଜାତା ବିକାଶ ହାତରେ ହାତ ରଖିଲା । ଉଃ, କି ଗରମ୍‌ ସେ ହାତ ! ବେଶ୍‌ ଜୋରରେ ଝାଙ୍କିଦେଲା ବିକାଶ ସୁଜାତାର ହାତକୁ । ଚମକି ପଡ଼ି ଚାହିଁଲା ସେ ବିକାଶକୁ । ମୁହଁରେ ସେଇ ମୁଗ୍‌ଧ ଦୃଷ୍ଟି, ଚାପାହସ, ସୁଜାତାର ରାଗ ହେଲା ଆଜି ତାକୁ ନିରୁପାୟ ଦେଖି ବିକାଶ ବେଶ୍‌ ଜବ୍ଦ କରୁଚନ୍ତି । ବଳିଷ୍ଠ ହାତଟାରେ ଏତେ ଜୋର୍‌ରେ ସୁଜାତାର ହାତକୁ ଚିପି ଧରିଲେ, କାଟିବନି ତାକୁ ?

 

ନୀରବରେ ମୁହଁ ତଳକୁ କଲା, ହସ ଲିଭିଗଲା ମନରୁ । ସମସ୍ତେ ଗଲେ ଗେଟ୍‌ ପାଖକୁ-

 

ମାୟାଦି ହଠାତ୍‌ କହି ଉଠିଲେ-

 

‘‘ଆରେ ଫୁଲମାଳଟା ଚେୟାରରେ ଛାଡ଼ି ଆସିଲେ, ସୁଜାତା, ଯାଅତ ନେଇ ଆସିବ ।’’

 

ସୁଜାତା ଦୌଡ଼ିଯାଇ ମାଳଟା ନେଇ ଗେଟ୍‌ ପାଖକୁ ଗଲା ।

 

ହେଡ୍‌ମିଷ୍ଟ୍ରେସ୍‌ ଠାରି ଦେଲେ ବିକାଶକୁ ଦେଇ ଦେବାକୁ । ବାଧ୍ୟ ହେଇ ଗାଡ଼ି ପାଖକୁ ଯାଇ ଧୀରେ କହିଲା-

 

‘‘ଆପଣଙ୍କର ମାଳଟା ଛାଡ଼ି ଆସିଥିଲେ ନିଅନ୍ତୁ ।’’

 

ବିକାଶ ଦେଖିଲା, ପାଖରେ କେହି ନାହିଁ, ଟିକେ ଚପଳତା କରିବାର ଲୋଭ ସମ୍ବରଣ କରି ପାରିଲାନି । ଫୁସ୍‌ ଫୁସ୍‌ କରି କହିଲା-

 

‘‘ସୁଜାତା, ଫୁଲମାଳଟା ତୁମକୁଇ ସୁନ୍ଦର ମାନିବ । ତୁମେ ରଖିଥାଅ ଯେତେବେଳେ ସୁବିଧା ଆଉ ସୁଯୋଗ ଆସିବ, ମୁଁ ତୁମଠୁ ମାଳଟିଏ ଆଦାୟ କରିନେବି । ବ୍ୟସ୍ତ କାହିଁକି ?’’

 

ହସି ହସି ଗାଡ଼ି ଷ୍ଟାର୍ଟ କଲା ବିକାଶ । ଗାଡ଼ି ଚାଲିଗଲା । ସୁଜାତା ଠିଆହେଇ ରହିଥିଲା-। ଇସ୍‌, ବିକାଶ କି ନଗ୍ନ ଭାବରେ କଥାଟା କହି ଦେଇଗଲେ ! ରଜନୀଗନ୍ଧାର ସୁନ୍ଦର ମଧୁର ଗନ୍ଧ, ଦେହରେ ମନରେ ଖେଳେଇ ଦେଇଗଲା ଅପୂର୍ବ ଏକ ଶିହରଣ ।

 

ସାତଦିନ ଗାଁରେ ରହି ଫେରି ଆସିଲା ବନ୍ଦନା । ଏ କେତେଟା ଦିନ ସବୁବେଳେ ମନେ ପଡ଼ିଚି ଜୟନ୍ତ ରାୟଙ୍କ କଥା । ଭାବିପାରେନା ସେ, ଯାହାଠୁ ଦୂରେଇ ରହିବାକୁ ସବୁବେଳେ ଚେଷ୍ଟା କରେ, ତା’ରି କଥା ଏତେ ବେଶୀ ମନେପଡ଼େ କାହିଁକି ? ତେବେ ଜୟନ୍ତ ରାୟଙ୍କ କଥା କଅଣ ଠିକ୍‌ ? ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଦେଖିଲା ମୀରା ତା ରୁମ୍‌ରୁ ବାହାରି ତା’ରି ଆଡ଼କୁ ଆସୁଚି-

 

‘‘ବନ୍ଦନା, କାଲି କେତେ ରାତିରେ ତୁ ଆସିଲୁ, ଦେଖ୍‌, ଗୋଟେ ଜରୁରୀ କଥା ତତେ କହି ପାରିନଥିଲି । ମୁଁ ବଡ଼ ବିପଦରେ ପଡ଼ିଚି କଅଣ କରିବି କହିଲୁ ?’’ ମୀରା କହିଲା ।

 

‘‘କାହିଁକି ? କଅଣ ହେଲା ?’’

 

‘‘ତତେ କହିଲେ, ତୁ ଏଇଲେ ଚିଡ଼େଇବୁ । କିନ୍ତୁ କଅଣ ଆଉ କରାଯିବ ?’’

 

‘‘କଅଣ କହିବାକୁ ଚାହୁଁ ତୁ, ତୋର ସେଇ ଅଭିନେତ୍ରୀ ବନ୍ଧୁ ଆରତି କଥା ନୁହେଁ ତ ?’’ ହସି ଉଠିଲା ବନ୍ଦନା ।

 

‘‘ହେଇ ଦେଖ୍‌, ପ୍ରଥମରୁ ଥଟ୍ଟା କରିବାକୁ ଆରମ୍ଭ କଲୁଣି । କଅଣ ତତେ କହିବି କହିଲୁ-। ପ୍ରକୃତରେ ତା’ରି କଥା କହିବାକୁ ଯାଉଚି ?’’

 

‘‘ସତେ ନା କ’ଣ, କଅଣ ହେଲା ତାର ?’’

 

‘‘କଅଣ ଆଉ ହେବ, ସେଦିନ କହିଥିଲି ନା, ଅଭିନେତ୍ରୀର ପୁଣି ବିବାହ ! ଯାହା ହେବାର କଥା, ଠିକ୍‌ ସେଇୟା ହେଇଚି ।’’

 

‘‘କଅଣ ଆରତି ଦେବୀ ବିବାହ ବିଚ୍ଛେଦରେ ମନ ବଳେଇଚନ୍ତି ।’’

 

‘‘ହଁ ଲୋ ବନ୍ଦନା, କୋଉ ମନ ନେଇ ସେ ବିବାହ କରୁଥିଲା, ପୁଣି କୋଉ ମନନେଇ ବାହାଘର ବର୍ଷ ନ ପୁରୁଣୁ, ବିବାହ ବିଚ୍ଛେଦ ପାଇଁ ବ୍ୟସ୍ତ ହେଇ ଉଠୁଚି କେଜାଣି ? ଏବେ ତିନି ଚାରି ଦିନ ତଳେ ମୋ ସାଙ୍ଗରେ ଦେଖା କରିଥିଲା, କେତେକଥା କହିଯାଇଥିଲା ସେ, ଯାହା ବୁଝିଲି, ବିବାହିତ ଜୀବନ ତା’ର ସୁଖର ହେଇନି ।’’

 

‘‘କିନ୍ତୁ ସେ ତ ନିଜେ ଭଲପାଇ ବିବାହ କରିଚି ।’’

 

‘‘ଭଲପାଇ ବିବାହ କଲେ ସମସ୍ତେ ସୁଖୀ ହୁଅନ୍ତିନି ଲୋ, ବିଚାରୀଟି ଭାରୀ ଦୁଃଖୀ । ବିବାହ ପରେ ଜାଣି ପାରିଲା ସେ, ମଣିମୟବାବୁ ବିସ୍ତର୍‌ ମଦ ଖାଆନ୍ତି, ମଦ ଖାଇ ଖାଇ ବାମପାଖ ଫୁସ୍‌ଫୁସ୍‌ଟା ଏକେବାରେ ଝାଝରା ହେଇ ଯାଇଚି । ପ୍ରାୟ ଦେଖାଯାଏ, ଗୁଡ଼େ ଗୁଡ଼େ ଟଙ୍କା ନେଇ କଲିକତାର ବିରାଟ ହୋଟଲରେ ରହି ଲଜ୍ଜାହୀନା ନର୍ତ୍ତକୀଙ୍କର ନାଚ ଉପଭୋଗ କରୁଚନ୍ତି, ଆଉ ନାନାଦି ରକମ୍‌ର ବିଲାତି ମଦ ଖାଇ ମାତାଲ୍‌ ହେଇ ପଡ଼ି ରହୁଚନ୍ତି । ଏସବୁ କେଉଁ ସ୍ତ୍ରୀ ବା ସହ୍ୟ କରିବ ? ଏବେ ପୁଣି ଆରତିର ଟଙ୍କା ଉପରେ ଆଖି ପଡ଼ିଚି । ଏତେଦିନ କାଳ ଅଭିନୟ କରି ସଞ୍ଚିଥିବା ଟଙ୍କାସବୁ ଏମିତି ଭାବରେ ଖର୍ଚ୍ଚ କରି ଦବାକୁ ତାଙ୍କର ଇଚ୍ଛା । ଏଥିପାଇଁ ଆରତିକୁ ମାର୍‌ଧର୍‌ କରିବାକୁ ବି ପଛଉ ନାହାନ୍ତି ସେ । ବିଚାରୀ ଆରତି ଏଇ କେତେଟା ଦିନରେ ଝାଉଁଳି ପଡ଼ିଲାଣି ।’’

 

‘‘ଆରତି ଦେବୀ କଅଣ ଆଉ ଅଭିନୟ କରୁ ନାହାନ୍ତି ?’’

 

‘‘ବାହାଘର ପରେ ଦୁଇମାସ ସେ ଅଭିନୟ ବନ୍ଦ କରିଥିଲା । କିନ୍ତୁ ମଣିମୟବାବୁ ବାଧ୍ୟକଲେ ଅଭିନୟ କରିବାକୁ । ତାଙ୍କର ଯେ ବିସ୍ତର୍‌ ଟଙ୍କା ଦରକାର ।’’

 

‘‘କିନ୍ତୁ ଆରତିର ଟଙ୍କା ଉପରେ ମଣିମୟ ବାବୁଙ୍କର କଅଣ ଅଧିକାର ତା’ର କଣ୍ଟ୍ରାକ୍‌ଟ ଟଙ୍କା ତ ଏକାବେଳକେ ତା’ର ନିଜସ୍ୱ । ସେ ଏଥିରେ ହାତ ଦେବାକୁ ମଣିମୟ ବାବୁଙ୍କୁ ପ୍ରଶ୍ରୟ ଦିଏ କାହିଁକି ?’’

 

‘‘ହଁ, ଠିକ୍‌ ଏଇକଥା ମୁଁ ପଚାରିଥିଲି ତାକୁ । ସେ କହିଲା, ମଣିମୟ ଯେଉଁ ଫିଲ୍ମରେ ଡାଇରେକ୍‌ସନ ଦିଏ, ତାକୁ କେବଳ ସେଇ ଫିଲ୍ମରେ ଅଭିନୟ କରିବାକୁ ଅନୁମତି ମିଳେ । ଆଉ ଜଏଣ୍ଟ କଣ୍ଟ୍ରାକ୍‌ଟ ଭାବରେ ମଣିମୟ ବାବୁଙ୍କ ନାଁରେ ଟଙ୍କାଟା କ୍ୟାଶ୍‌ ହୁଏ । ସେଥିପାଇଁ ଏ ଟଙ୍କା ଉପରେ ତା’ର କିଛି ଅଧିକାର ନାହିଁ । ମାଗିଲେ ତିନି ଚାରି ଶହ ଟଙ୍କା ସେ ଦେଇ ଦିଅନ୍ତି ତାକୁ, ଆଉ ବାକିତକ ନେଇ ବାହାରେ ଫୂର୍ତ୍ତି କରନ୍ତି ମଣିମୟ ବାବୁ । ଏସବୁ ଗଣ୍ଡଗୋଳ ଯୋଗୁଁ ସେ ଅଲଗା ଫିଲ୍ମରେ ଅଭିନୟ କରିବ ବୋଲି ଜଣାଇଦେଲା । ଆଉ ସେଇଦିନଠୁ ଅକଥନୀୟ ଅତ୍ୟାଚାର ଆରମ୍ଭ କରି ଦେଇଚନ୍ତି ମଣିମୟ ବାବୁ । ଟଙ୍କା ପାଇଁ ସେ ଆରତିକୁ ବିବାହ କରିଚନ୍ତି ଆଉ ଅନ୍ୟ କିଛି ପାଇଁ ନୁହେଁ । ଏଥିରେ କଅଣ କରିବ ଆରତି କହିଲୁ ?’’

 

‘‘ହୁଁ, ବିରାଟ ସମସ୍ୟା; ଯଦି ଏସବୁ ସତ ହେଇଥାଏ, ତେବେ ତାଙ୍କୁ ଛାଡ଼ପତ୍ର ଦେବା ଉଚିତ । ପୁରୁଷମାନେ ଭାବି ନିଅନ୍ତି ସ୍ତ୍ରୀମାନେ ହେଲେ ଖେଳଣା କୁଣ୍ଢେଇ । ଆଉ ଥରେ ବିବାହ କରିସାରିଲେ ସେଇ କୁଣ୍ଢେଇର ଚାବିଟା ତାଙ୍କ ହାତରେ ମିଳିଯାଏ । ଯେତିକି ବେଳଯାଏ ଚାବି ମୋଡ଼ି ଦମ୍‌ଦେବେ, ସେତିକି ବେଳଯାଏ କୁଣ୍ଢେଇ ହାତଗୋଡ଼ ହଲେଇ ଘୂରି ବୁଲିବ । ଦମ୍‌ ସରିଲେ ସବୁ ବନ୍ଦ । କିନ୍ତୁ ଏତିକି ଜାଣି ରଖିବା ଦରକାର, କୌଣସି ନାରୀ କେବେ ଖେଳଣା କୁଣ୍ଢେଇ ହେଇ ପାରେନା, ଚାବି ନ ଦେଲେ ବି ଇଚ୍ଛା ମୁତାବକ ଘୂରି ବୁଲିବାର ଶକ୍ତି ଆଉ ସାହସ ତା’ର ଅଛି । କଅଣ ମନେ ହେଉଚି ଜାଣୁ, ଗୁଳିକରି ମଣିମୟ ବାବୁଙ୍କୁ ମାରି ଦେବାକୁ ।’’ ରାଗରେ ମୁହଁଟା ଲାଲ୍‌ ହେଇ ଯାଉଥାଏ ବନ୍ଦନାର । ଅବାକ୍‌ ହେଇ ଚାହିଁଲା ମୀରା, ବନ୍ଦନାର କଅଣ ହେଲା-?

 

‘‘କଅଣ କରିବ ତେବେ ଆରତି ?’’ କହିଲା ବନ୍ଦନା ।

 

‘‘ଆଜି ମୋ ପାଖକୁ ଖବର ଦେଇଚି, ବିବାହ ବିଚ୍ଛେଦ ପାଇଁ ଓକିଲ ପରାମର୍ଶ ନେଇଚି-। ଆଇନ୍‌ ମତରେ ବିବାହ କରିବା ପୂର୍ବରୁ ବର୍ଷେକାଳ ନିଜ ସ୍ୱାମୀଠାରୁ ଅଲଗା ରହିବାକୁ ପଡ଼ିବ, ତା’ପରେ କେସ୍‌ ହେଇ ଯାହା ଜଜ୍‌ ରାୟ ଦେବେ, ସେଇୟା ହେବ । ଆଉ ଏଇ ବର୍ଷକର ସେପରେସନ୍‌ ପାଇଁ ସେ ସାକ୍ଷୀ ସ୍ୱରୂପ କେତେକଙ୍କୁ କହିଚି, ଆଉ ମତେ ବି ବିଶେଷ ଅନୁରୋଧ କରୁଚି, କଅଣ କରିବି କହିଲୁ ? ମତେ ଖୁବ୍‌ ଭୟ ଲାଗୁଚି ।’’

 

‘‘ଭୟ କଅଣ ? ତୁ ତ ଆଇନ୍‌ ବିପକ୍ଷରେ କିଛି କାମ କରୁନୁ ? କିନ୍ତୁ ତୋର ଅଭିନେତ୍ରୀ ବନ୍ଧୁ ପୁଣି ଏସବୁ ଅଭିନୟ କରୁନି ତ ?’’

 

‘‘ନା, ନା, ଏଥର ମତେ ସେ ଠକଉନି, ଯାହା ଜଣେଇଚି, ସବୁ ସତ । ମୋର ଜଣେ ଓକିଲଙ୍କ ସାଙ୍ଗରେ ଚିହ୍ନା ପରିଚୟ ଅଛି । ଭାବୁଚି ଆଜି ସନ୍ଧ୍ୟାବେଳେ ତାଙ୍କ ଘରକୁ ଯାଇ ଏ ବିଷୟରେ ସବୁ ବୁଝି ଆସିବି । ତୁ ଟିକେ ମୋ ସାଙ୍ଗେ ଯାଇ ପାରିବୁ ?’’

 

‘‘ଆଜି ? ସାତଦିନ ହେଲାଣି ଅଫିସ୍‌ ଯାଇନି, ଆଜି ବୋଧେ ଅଫିସ୍‌ରୁ ଫେରୁ ଫେରୁ ଡେରି ହେବ । କାଲି ସନ୍ଧ୍ୟାବେଳକୁ ଗଲେ ଯାଇପାରେ ।’’

 

‘‘ଆଚ୍ଛା ଠିକ୍‌ ଅଛି, ମନେଥାଏ ଯେମିତି, କାଲି ନିଶ୍ଚୟ ମୋ ସାଙ୍ଗରେ ଯିବୁ ।’’

 

‘‘ହଁ ବାବା, ଯିବି, ଯିବି, ଯିବି ।’’

 

ସେଦିନ ଅଫିସ୍‌ରେ ପହଞ୍ଚି ବନ୍ଦନା ଦେଖିଲା, ଖୁବ୍‌ ଆଗରୁ ଆସିଯାଇଚି ସେ । କେହି ଆସି ନାହାନ୍ତି, ଚପରାଶୀ ରଘୁ ଘର ସଫା କରୁଚି । ବନ୍ଦନା ପଚାରିଲା-

 

‘‘ରଘୁ, ସାହେବଙ୍କର ଦେହ ଭଲ ହେଇ ଯାଇଚି ?’’

 

‘‘ଦେହ କଅଣ ଖରାପ ଥିଲା କି ଆଜ୍ଞା ?’’

 

‘‘ଏଇ, ମାନେ, ଟିକେ ଜର ହେଇଥିଲା, ମୁଁ ଗାଁକୁ ଗଲାବେଳେ ।’’

 

‘‘ଓହୋ, ସେ ସର୍ଦ୍ଦିଜର, ସେ ଭଲ ହେଇ ଯାଇଚି ।’’

 

‘‘ପ୍ରତ୍ୟେକଦିନ ସାହେବ ଆସୁଚନ୍ତି ତ ଅଫିସ୍‌କୁ ?’’

 

‘‘ନାଇଁ ପ୍ରତ୍ୟେକଦିନ ଆଉ କୋଉଠି ଆସୁଚନ୍ତି ? ତାଙ୍କର ଟାଇମ୍‌ କାଇଁ ?’’

 

‘‘ଏଁ ଟାଇମ୍‌ ନାହିଁ ? କାହିଁକି ?’’

 

‘‘ଦି’ ଦିନ ଗଲେ ଲୁସୀ ଦିଦିଙ୍କ ସାଙ୍ଗରେ କଲିକତା । ସେଠୁ ଫେରି ତୁଷାରବାବୁ, ରବୀନ୍‌ବାବୁ, ଉର୍ବଶୀ ଦିଦି, ରୀତା ଦିଦି ହେରିକାଙ୍କ ସାଙ୍ଗରେ ଗଲେ ଶିକାରକୁ । ଆଜି ଏଠିକି, କାଲି ସେଠିକି, ଏମିତି କରି ସମୟ କଟାଉଚନ୍ତି । ଆଉ ଅଫିସ୍‌ କାମରେ ମନ ନାଇଁ ମଁ ମା । ଏତେ ଟିକିଏ ହେଇଥିଲେ, ବାପା, ମା ମରିଗଲେ । ସେଇଦିନଠୁ ମୋରି ହାତରେ ସେ ମଣିଷ । ବଡ଼ ହେଇ ପଇସା ହାତରେ ପାଇ ଦିନାକେତେ ଏମିତି ଇଆଡ଼େ ସିଆଡ଼େ ଯାଇ ଆସି, ବାଜେ ଲୋକଙ୍କର ପାଲରେ ପଡ଼ି ଏକବାରେ ନଷ୍ଟ ହୋଇଗଲେ । ପୁଣି ମଝିରେ ଏଇ ବର୍ଷେ ହେବ ଟିକେ ଭଲ ଆଡ଼କୁ ଆସିଥିଲେ । ସେ ଲଫଙ୍ଗା ଟୋକି, ଛତରୀ ଟୋକି ଗୁଡ଼ାଙ୍କର ପାଖ ମାଡ଼ୁ ନଥିଲେ । ପୁଣି କଅଣ ଯେ ହେଲା ମା , କିଏ ତାଙ୍କ ମୁଣ୍ଡରେ ଖରାପ ବୃଦ୍ଧି ଦେଲା ପୁଣି ସେଇ ବୁଦ୍ଧି ଧରିଲେଣି । ଭାବି ଭାବି ମୋ ମୁଣ୍ଡ ଖରାପ ହେଇ ଗଲାଣି । ଆଖି ଆଗରେ ଏସବୁ ଆଉ ଦେଖି ହଉନି ।’’ ଝାଡ଼ନରେ ମୁହଁ ପୋଛିଲା ରଘୁ ।

 

ବନ୍ଦନାର ମନଟା ଚହଲି ଗଲା । ବଡ଼ ସାହେବ ତେବେ ଏତେ ତଳକୁ ଚାଲି ଗଲେଣି ! ଏଇ କେଇଟା ଦିନରେ, ତାଙ୍କର ଏତେ ଅଧଃପତନ ! ରସାତଳକୁ ଚାଲିଯିବାକୁ ଆଉ ଖୁବ୍‌ ଅଳ୍ପ ସମୟ ଲାଗିବ ତେବେ । ମୁଣ୍ଡଟା ଝାଇଁ ଝାଇଁ କରି ଉଠିଲା ।

 

ବେଲ୍‌ ବାଜିଲା, ଅଫିସ୍‌ ଆରମ୍ଭ ହେଲା । ବନ୍ଦନାକୁ ଫାଇଲ୍‌, ଖାତା ସବୁ ଆଣି ଦେଇଗଲା ରଘୁ । ବନ୍ଦନା କାମ ଆରମ୍ଭ କଲା । ବଡ଼ ସାହେବଙ୍କ ଚେୟାରଟା ଖାଲି ! ଭଲ ଲାଗିଲାନି ତାକୁ । କାହିଁକି ଆସି ନାହାନ୍ତି ସାହେବ ? ଆଜି ବି କଅଣ ଲୁସୀ, ରୀତା ଇତ୍ୟାଦି ଅଟକାଇ ରଖିଚନ୍ତି ? ଫୋନ୍‌କରି ବୁଝିବ କି ଟିକେ ? ସେ ଆସି କାମରେ ଜଏନ୍‌ କରିଚି ଛୁଟି ପରେ ଏଇଟା ଅନ୍ତତଃ ଜଣାଇବା ଦରକାର । କଅଣ ଭାବି ମନକୁ ଦମନ କଲା । କାମ ଆରମ୍ଭ କଲା, କିନ୍ତୁ କୋଉଥିରେ ମନ ଲାଗେଇ ପାରିଲାନି ।

 

ଦିନ ଦୁଇଟା ବାଜିଲା । ବାହାରେ ଜୋତା ମଚ୍‌ ମଚ୍‌ ଶବ୍ଦ ଶୁଣାଗଲା । ବନ୍ଦନା ଅଧୀର ଆଗ୍ରହରେ ଚାହିଁ ରହିଲା ଠିଆ ହେଇ ନିଜ ଟେବୁଲ ପାଖରେ । ଭିତରକୁ ଆସିଲେ ମିଃ ରାୟ, ପଛରେ ଜଣେ ତରୁଣୀ । ମିଃ ରାୟ ହାତଧରି ନେଇ ଆସିଲେ ତାଙ୍କୁ ଭିତରକୁ । ଭିତରକୁ ଆସି ବନ୍ଦନାକୁ ଦେଖି କହିଲେ –

 

‘‘ସିଟ୍‌ ଡାଉନ୍‌ ।’’

 

ଆଉ ତରୁଣୀଙ୍କୁ କହିଲେ-

 

‘‘ବସ ରୀତା, ମୁଁ ଆଗ ଫ୍ୟାନ୍‌ଟା ଖୋଲିଦିଏଁ, । ଉଃ, ମାର୍କେଟରେ ଯୋଉ ଗରମ୍‌ ।’’

 

‘‘କିନ୍ତୁ ଜୟନ୍ତ, ଅଫିସ୍‌କୁ ଆସିଲ କାହିଁକି କୁହ ତ ? ତୁମେ କଣ ଏଇକ୍ଷଣି କାମ କରିବ-।’’

 

‘‘ଦୂର, ପାଗଳ ହେଲ, ବସନା ଟିକେ କଥାବାର୍ତ୍ତା ହେବା, ତୁମେ କିନ୍ତୁ ଯୋଉ ବ୍ରୋକେଡ଼୍‌ର ସୁନେଲୀ କାମକରା ଶଢ଼ୀଟା ଆଜି କିଣିଲ ନା, ସତରେ ଚମତ୍କାର ହେଇଚି ।’’

 

‘‘ଶୁଣ କଥା , ମୁଁ କିଣିଲି ? ନିଜେ ତୁମେ ଟ୨୫୦-୦୦ ଦେଇ କିଣି ମତେ ପ୍ରେଜେଣ୍ଟ କଲ, ଆଉ କହୁଚ ମୁଁ କିଣିଲି ?’’

 

‘‘କଥାଟା ଏକ୍‌ । ମାନେ ମୁଁ କହୁଥିଲି ପସନ୍ଦଟା ତ ତୁମର !’’

 

‘‘କିନ୍ତୁ କାଲି ଉର୍ବଶୀର ବାର୍ଥଡ଼େ’ରେ ତମେ ଯୋଉ ହୀରାର ନେକ୍‌ଲେସ୍‌ ଦେଲ ନା, ସେଇଟାଇ ହଉଚି ପ୍ରକୃତରେ ବିଉଟିଫୁଲ୍‌ !’’

 

‘‘ତୁମେ ମନଦୁଃଖ କରୁଚ ନା କଅଣ ? ଆଚ୍ଛା, ଆଚ୍ଛା ତମ ବାର୍ଥଡ଼େ’ରେ ମୁଁ ପୁରା ହୀରାର ସେଟ୍‌ଟେ ଦେଇଦେବି, ଏଥର ମନଖୁସି ତ !’’

 

‘‘ରିଏଲି?’’

 

‘‘ରିଏଲି । ଏଥିରେ ସନ୍ଦେହ କରିବାର କଅଣ ଅଛି ?’’

 

ତା ପରେ ପରେ କୋଲଡ଼୍‌ଡ଼୍ରିଙ୍କ୍‌ ଆସିଲା, ସୁବାସିତ ପାନ ଆସିଲା , ହସ ଖୁସିରେ ମାତି ରହିଲେ ଦିହେଁ ।

 

ବନ୍ଦନାର ଆଖି ଦି’ଟା ଲାଲ ହୋଇଗଲା ରାଗରେ । ଦେହ ଗରମ ହେଇ ଆସିଲା । ଆଖି ଆଗରେ ଏଇ ଯେଁଉ ନାରୀ, ତା’ ଜୀବନ ସହିତ ସଂପୂର୍ଣ୍ଣ ଅପରିଚିତା ସେ । ଏ ନାରୀ ଜାଣେ ଛଳନା କରି ସୁଖୀ ହେବାପାଇଁ, ଏ ନାରୀ ରହସ୍ୟମୟୀ । କାହିଁକି ଜୟନ୍ତ ରାୟ ୟାର ଫାନ୍ଦରେ ଛନ୍ଦି ହେବାକୁ ଗଲେ । କିନ୍ତୁ ଏକାତ ଏ ନୁହେଁ, ଉର୍ବଶୀ, ଲୁସୀ, ଅଲିଭା କେତେ କିଏ ! ବନ୍ଦନାର ମନେହେଲା ଗୋଟିଏ ବୃତ୍ତର କେନ୍ଦ୍ର ବିନ୍ଦୁରେ ମିଃ ରାୟ ଆଉ ପରିଧିରେ ଏଇସବୁ ନାରୀ ବୃତ୍ତାକାରରେ ଘୂରି ବୁଲୁଚନ୍ତି । କେନ୍ଦ୍ର ବିନ୍ଦୁର ସତ୍ତା ଲୋପ ହେବାଯାଏ ଚାଲିବ ଏ ଘୂର୍ଣ୍ଣନା । ମୁଣ୍ଡଟା ଘୂରିଗଲା ବନ୍ଦନାର ।

 

କଅଣ କରିବି ? କଅଣ କହିବି ? କିଛି କହିବାକୁ ମୁହଁ ଅଛି କି ବନ୍ଦନାର ? ତେବେ ଏ ସର୍ବନାଶର ପଥରୁ ଜୟନ୍ତ ରାୟଙ୍କୁ ଫେରେଇ ଆଣିବ କିପରି ? ରଘୁର ମୁହଁରେ ହସ ଫୁଟେଇବ ! ସେ ବି ନାରୀ, ନାରୀ ହେଇ ସେ ବି ଅନୁଭବ କଲା, ଜୟନ୍ତ ରାୟଙ୍କ ପ୍ରତି ଆକର୍ଷଣ ।

 

ଢଂ, ଢଂ, ଢଂ, ଢଂ । ସାଢ଼େ ଚାରିଟାବେଳେ ଅଫିସ୍‌ ଛୁଟି ହେବାର ଘଣ୍ଟା ବାଜିଲା । ରୀତା ଦେବୀ ଚାଲି ଗଲେଣି । ଜୟନ୍ତବାବୁ ଗୋଟେ ଆଲ୍‌ବମ୍‌ କାଢ଼ି ଫଟ ଦେଖୁଚନ୍ତି । ବନ୍ଦନା ଆଡ଼େ ଆଦୌ ଲକ୍ଷ୍ୟ ନାହିଁ । ବନ୍ଦନା ସ୍ୱିଙ୍ଗ୍‌ଡ଼ୋର୍‌ ଖୋଲି ଅଫିସ୍‌ ଭିତରକୁ ଆସିଲା । ଅଫିସ୍‌ ଖାଲି-। ସମସ୍ତେ ଚାଲି ଗଲେଣି । ଧୀରେ ଧୀରେ ଜ୍ୟୋତ୍ସ୍ନା ସିଟ୍‌ରେ ବସି ଅପେକ୍ଷା କଲା, ମନରେ ଧୈର୍ଯ୍ୟ ଆଣିବାକୁ । ପାଞ୍ଚଟା ବାଜିଲା । ବଡ଼ସାହେବ ତ କାହିଁକି ଗଲେନି ? କଅଣ କରୁଚନ୍ତି ସାର୍‌ ତା ଭିତରେ । ବନ୍ଦନା ଆଗେଇ ଗଲା । ସ୍ୱିଙ୍ଗ୍‌ ଡ଼ୋର୍‌ଟା ଫିଟେଇ ଆଶ୍ଚର୍ଯ୍ୟ ହେଇଗଲା । ଜୟନ୍ତ ରାୟଙ୍କର ସାମ୍‌ନା ଟେବୁଲ୍‌ର ଟ୍ରେରେ ମଦ ବୋତଲ୍‌, ପେଗ୍‍ ଗ୍ଳାସ୍‌, ସୋଢ଼ା । ଗ୍ଳାସ୍‌ରେ ମଦ ଢାଳି ସୋଢ଼ା ମିଶେଇ ଟିକେ ଟିକେ ପିଉଚନ୍ତି ସେ ।

 

‘‘ଆପଣ ଏ କଅଣ କରୁଚନ୍ତି ସାର୍ ?’’

‘‘ଆରେ, ବନ୍ଦନା, ତୁମେ ଏତେବେଳ ଯାଏ ଯାଇନ ?’’

 

‘‘ନା ସାର୍, ଆପଣ ଅଫିସ୍ ଛୁଟି ପରେ ତ ସବୁଦିନ ଘରକୁ ଯାଆନ୍ତି, ଆଜି ଯାଇନାହାନ୍ତି କାହିଁକି କୁହନ୍ତୁ ତ ?’’

 

‘‘ଅଫିସ୍ ଆଉ ଘର, ମୋ ପକ୍ଷରେ ସବୁ ସମାନ । ଯୋଉଠି ଗୋଟେ ବସିଗଲେ ଇ ହେଲା ।’’

 

‘‘ଆପଣ ଏଠି ବସି ବସି ମଦ ପିଉଛନ୍ତି ? ଛି, ଛି, କାହିଁକି ଆପଣ ମଦ ପିଉଛନ୍ତି ସାର୍-?’’

 

‘‘ପ୍ରାୟ ବର୍ଷେହେବ ମଦ ଛାଡ଼ିଥିଲି ବନ୍ଦନା, ଭାବିଥିଲି ଆଉ ଏ ଜୀବନରେ ମଦ ଛୁଇଁବି ନି; କିନ୍ତୁ ଏ କେତଦିନ ହେଲା କିଛି ଭଲ ଲାଗୁନି, ପୁଣି ମଦ ଆରମ୍ଭ କଲି, ବେଶ୍ ଆରାମ୍ ଲାଗୁଚି ଦେହଟା । ତୁମେ ଏତେକଥା କାହିଁକି ପଚାରୁଚ କୁହ ତ ?’’

 

ମୁହଁ ତଳକୁ ପୋତିଲା ବନ୍ଦନା । ଆଖି ଦି’ଟାରେ ଲୁହ ଜକେଇ ଆସିଲା ।

 

‘‘ଆଚ୍ଛା ତୁମେ ଏଥର ଯାଅ ବନ୍ଦନା, ମତେ ଡିଷ୍ଟର୍ବ କରନି । ଏଇକ୍ଷଣି ଅଲିଭା ଆସିବ, ତା’ର ଟାଇମ୍ ହେଇଗଲାଣି, ମୁଁ ତାକୁ ଅପେକ୍ଷା କରୁଚି, ଆଜି ତା’ର ଡାନ୍‌ସ ଅଛି କ୍ଲବରେ । ଏଠୁ ତାକୁ ନେଇ ମୋ ଘରକୁ ଯିବି, ଘରକୁ ମେକ୍- ଅପ୍ ସ୍ପେସିଆଲିଷ୍ଟ ଆସିଥିବେ, ସେଇଠି ସେ ପେଣ୍ଟିଂ ଡ଼୍ରେସିଂ ଶେଷ କରି ପୁଣି ମୋ ସାଙ୍ଗରେ କ୍ଲବକୁ ଯିବ । ଆଜି ବିରାଟ ପ୍ରୋଗ୍ରାମ । ସେରି, ହ୍ୱୁସ୍କି, ବିଅର୍, ସେମ୍ପେନ୍ କିଛି ଆଜି ବାଦ୍ ପଡ଼ିବନି । ତୁମେ ଦୟାକରି ଶୀଘ୍ର ଚାଲିଯାଅ ତ ବନ୍ଦନା, ନ ହେଲେ ତୁମକୁ ମୋ ରୁମ୍‌ରେ ଏପରି ସମୟରେ ଦେଖିଲେ, ଅଲିଭା ପୁଣି ରାଗିଯାଇପାରେ ।’’

 

ସ୍ୱିଙ୍ଗ୍ଡ଼ୋର୍‌ ଖୋଲି ବାହାରକୁ ଆସିଲା ବନ୍ଦନା । ଆଖିରୁ ଝରି ପଡ଼ିଲା ବୁନ୍ଦା ବୁନ୍ଦା ଲୁହ, ଛାତିରୁ ଉଠି ଆସିଲା କୋହ । ବଡ଼ ସାହେବ୍‌ ଆଜି ତାକୁ ପାଖରୁ ଠେଲିଦେଇ ଅଲିଭାକୁ ପାଖରେ ପାଇବାକୁ ପାଗଳ ! ମନଭିତରେ କିପରି ଏକ କ୍ଷୋଭ ଜାତ ହେଲା । ସାଗର ନିଜର ସମସ୍ତ ଲବଣତା ବିସର୍ଜନ କରି ଚଳାଏ ମଧୁର ଜଳରେ ଯଦି ତୃଷାର୍ତ୍ତର ତୃଷା ମେଣ୍ଟାଇ ପାରିଥାନ୍ତା... ସୃଷ୍ଟିର କଅଣ ବା ହାନୀ ହେଇ ଯାଇଥାନ୍ତା ...

 

ସୁଜାତାର ମନରେ ଝଡ଼ ଉଠିଚି । ସେ ଆଜିର ଉତ୍ସବ ପରେ ରାତିସାରା ବିଛଣାରେ ପଡ଼ି ପଡ଼ି ଖାଲି ଭାବିଚି । ଚାରିଆଡ଼ ନୀରବ, ନିସ୍ତବ୍‌ଧ । ଝରକା ବାଟଦେଇ ଦଶମୀ ଚନ୍ଦ୍ରର ଉଜ୍ୱଳ ଆଲୋକ ଘରଭିତରକୁ ପଡ଼ିଚି । ରହି ରହି ଦମ୍‌କାଏ ଥଣ୍ଡା ପବନ ପଶି ଆସୁଚି, ଆଉ ବାହାରୁ ବହି ଆଣୁଚି ହେନା ଫୁଲର ମନମତାଣିଆ ଗନ୍ଧ । ସୃଷ୍ଟିର ଏ ଶୋଭା ସଉରଭ କିନ୍ତୁ ଅନୁଭବ କରିପାରୁ ନ ଥିଲା ସୁଜାତା । ମନଟା ବିଷେଇ ଉଠୁଥିଲା । ତୁହାଇ ତୁହାଇ ମନରେ ପ୍ରଶ୍ନ ଉଠିଲା, ବିକାଶ କାହିଁକି ଦୁଇହଜାର ଟଙ୍କା ସ୍କୁଲକୁ ଦେଲା ! ଭାବି ଭାବି ଠିକ୍ କରି ପାରିଲାନି, କେବଳ ମନେହେଲା ଯେପରି ତାକୁଇ ଖୁସି କରିବାକୁ ବିକାଶର ଏ ଦାନ । ହେଡ଼୍‌ମିଷ୍ଟ୍ରେସ୍‌ ବା ଅନ୍ୟ କାହାରିକୁ ଖୁସି କରିବାକୁ ନୁହେଁ ।

 

କଅଣ ଭାବୁଚି ବିକାଶ ? ସୁଜାତା କଅଣ ଭିକାରୁଣୀ ? ଟଙ୍କା ଦେଖାଇ ତା’କୁ ଭୁଲେଇ ଦେବ । ଟଙ୍କାପାଇଁ ସୁଜାତା କଅଣ ପାଗଳ ? କଅଣ ହେବ ଟଙ୍କା ସୁଜାତାର ? ଅଭିମାନରେ ଆଖିରୁ ଝରିଆସିଥିଲା ଲୁହ । ବହୁତ ବଡ଼ଲୋକ ବିକାଶବାବୁ । ବିରାଟ ତାଙ୍କର ଘର ! ଭଉଣୀ ତାଙ୍କର ଅତ୍ୟାଧୁନିକା ! ମା ମହୀୟସୀ । ଏ ସବୁ ଭିତରେ ସୁଜାତା ଅତି ନଗଣ୍ୟ ହେଇପାରେ, ତେବେ ଭିକାରୁଣୀ ନିଶ୍ଚୟ ନୁହେଁ ! ଠିକ୍‌ ଏଇ ପ୍ରଶ୍ନଟାଏ କରିବ ସେ ବିକାଶକୁ ।

 

ସାତଦିନ ବିତିଯାଇଚି । ଏ ସାତ ଦିନରେ ସୁଜାତା ପ୍ରାୟ ପାଗଳ ଭଳି ହେଇଯାଇଚି । କୌଶଳ କରି ହେଡ଼୍‌ମିଷ୍ଟ୍ରେସ୍‌ଙ୍କଠୁ ବିକାଶର ଠିକଣା ଆଣିଚି । ସେଦିନ ସ୍କୁଲରୁ ଫେରି ଶୀଘ୍ର ଶୀଘ୍ର ପ୍ରସ୍ତୁତ ହେଲା ସୁଜାତା । ବିକାଶର ଘରକୁ ଯିବାକୁ ହେବ ।

 

ରିକ୍‌ସାଟା ଛକ ପାଖରେ ଛାଡ଼ିଦେଇ ଠିକଣା ଅନୁଯାୟୀ ଘର ମିଳାଇ ମିଳାଇ ଯାଇ ଠିଆହେଲା ଗୋଟିଏ ବିରାଟ ଅଟ୍ଟାଳିକା ଆଗରେ । ଆଗରେ ସାଇନବୋର୍ଡ଼ରେ ବିକାଶର ନାଁ ଲେଖା ହେଇଚି । ଫାଟକ ବାହାରେ କିଛି ସମୟ ଠିଆ ହେଇ ଲକ୍ଷ୍ୟ କଲା । ନା, କେହି ବାହାରେ ନାହାନ୍ତି କାହାକୁ ଡାକିବ ! ଏ ଘରଟା କିନ୍ତୁ ତାପକ୍ଷରେ ନୂଆ ନୁହେଁ । ଏଇତ, ପାହାଚରେ ଉଠି ଡାହାଣ ଆଡ଼କୁ ଗଲେ, ଡ୍ରଇଂରୁମ୍‌, ସାମ୍ନାରେ ବଡ଼ ହଲ୍‍ଘର ।

 

ଭିତରକୁ ଯାଇ ବାରଣ୍ଡାରେ ଠିଆ ହେଇ ରହିଲା, ଏତେ ବଡ଼ ଘରଟାରେ କେହି ନାହାନ୍ତି ନା କଅଣ ? କଅଣ କରିବ ? କାହାକୁ ଡାକିବ ?

 

‘‘କାହାକୁ ଖୋଜୁଚନ୍ତି ?’’ ପଛରୁ ଜଣେ କେହି ଡାକୁଚି, ବୋଧେ ଚପରାଶୀ ।

 

‘‘ବିକାଶବାବୁ ଅଛନ୍ତି ?’’

 

ଟିକେ ଚମକିଲା ପରି ଚପରାଶୀଟି ସୁଜାତାକୁ ନିରୀକ୍ଷଣ କରି ମନ ଦୁଃଖରେ କହିଲା –

 

‘‘କାହିଁକି କୁହନ୍ତୁ ତ ?’’

 

‘‘ମୋର ଟିକେ କଥାବାର୍ତ୍ତା କରିବାର ଅଛି ।’’

 

‘‘କିନ୍ତୁ ସେ ବର୍ତ୍ତମାନ ଦେଖା କରି ପାରିବେନି । ’’

 

‘‘କାହିଁକି ?’’

 

‘‘ସେ ଭୀଷଣ ବେମାର୍‌ ।’’

 

ଚମକି ପଡ଼ିଲା ସୁଜାତା ।

 

‘‘ବେମାର୍‌ ? କଅଣ ହେଇଚି ?’’

 

‘‘କଅଣ ବେମାର କହି ପାରିବିନି, ଦିନରାତି ଡାକ୍ତର ଜଗି ବସିଚନ୍ତି, କେତେବେଳେ ଟିକେ ଟିକେ ହୋସ୍‌ ଆସୁଚି ତ ପୁଣି ଦୁଇ ଚାରି ଘଣ୍ଟା ବେହୋସ୍‌ ହେଇ ପଡ଼ି ରହୁଚନ୍ତି । ଡାକ୍ତର କହୁଚନ୍ତି, କଅଣ ହାର୍ଟ ବେମାରୀ । ମା ମୀନାଦିଦି ତ ଖିଆପିଆ ଛାଡ଼ି ସବୁବେଳେ କାନ୍ଦୁଚନ୍ତି ।’’

 

ସୁଜାତାର କାନରେ କଥାଗୁଡ଼ା ବିଷାକ୍ତ ବାଷ୍ପପରି ଗଳି ଯାଉଥିଲା । ବିକାଶ ଏତେ ବେମାର୍‌ ? କଅଣ କରିବ ସୁଜାତା ?

 

‘‘ଆପଣ ତେବେ ସାତ ଆଠ ଦିନ ଛାଡ଼ି ଆସନ୍ତୁ, ଭଲ ହେଇ ଯାଇଥିଲେ କଥାବାର୍ତ୍ତା କରିବେ ।’’

 

‘‘ନା, ନା, ତମେ ଟିକେ ମୀନାକୁ ଡାକି ଦିଅ ତ

 

‘‘ଆଚ୍ଛା ଆପଣ ବସନ୍ତୁ ଡ୍ରଇଂ ରୁମ୍‌ରେ, ମୁଁ ଡାକି ଦଉଚି ।’’

 

ସୁଜାତା ସେମିତି ବାହାରେ ଠିଆ ହେଇ ରହିଲା । ମନରେ ଆଉ ଏତେ ଟିକିଏ ବି ସାହାସ କି ଦମ୍ଭ କିଛି ନାହିଁ । ଆଖି ଆଗରେ ଭାସି ଉଠିଲା ବିକାଶର କ୍ଲାନ୍ତ, ଶୁଷ୍କ ମୁହଁଟି । ପଛରେ ପଦଶବ୍ଦ ଶୁଣି ଫେରି ଚାହିଁଲା ସେ । ଆଗରେ ମୀନା-କିନ୍ତୁ ଏଇ ମୀନା, ଆଉ ସେ ଦିନର ମୀନା ଭିତରେ ଏତେ ତଫାତ୍‌ ? ହାସ୍ୟ ମୁଖରା, ଚଞ୍ଚଳା, ସୁସଜ୍ଜିତା ମୀନା ଆଜି କାହିଁ । ଦେହରେ କୌଣସି ଅଂଶରେ ସାଜସଜ୍ଜାର ଚିହ୍ନ ନାହିଁ । ଦିନଯାକ ଆଜି ଗାଧୁଆ ପାଧୁଆ ହେଇନି ବୋଧେ । ମୁଣ୍ଡର ବାଳଗୁଡ଼ା ନୁଖୁରା ହେଇ ଚାରିଆଡ଼େ ଉଡୁଚି, ସେ ଆଡ଼କୁ ତା’ର ଖିଆଲ ନାହିଁ । ଆଖି ଦି’ଟା ଚକ୍‌ ଚକ୍ କରୁଚି, ବୋଧେ କାନ୍ଦୁଥିଲା । ବିକାଶର ଆଦରଣୀୟା, ଏକମାତ୍ର ଭଉଣୀ ମୀନାର ଚେହେରା ଦେଖି, ସୁଜାତା ମନ ବ୍ୟଥାରେ ଭରି ଉଠିଲା । କଅଣ କହି ସେ ମୀନାକୁ ସାନ୍ତ୍ୱନା ଦେବ ଜାଣି ପାରିଲାନି । ଦୋଷୀ ପରି ସେମିତି ଠିଆ ହେଇ ରହିଲା ।

 

ମୀନା କହିଲା ବ୍ୟଥାଭରା ଗଳାରେ-

 

‘‘ସୁଜାତା ଦେବୀ, ଭିତରକୁ ଆସନ୍ତୁ ।

 

ମୀନା, ସୁଜାତା ଡ୍ରଇଂ ରୁମ୍‌ରେ ଯାଇ ବସିଲେ ।

 

‘‘ଆପଣ କଅଣ କାମରେ ଆସିଥିଲେ ଭାଇଙ୍କ ପାଖକୁ, ଗୋପୀ କହୁଥିଲା, କଥାଟା କଅଣ ଖୁବ୍‌ ଜରୁରୀ ?’’

 

‘‘ନା ମାନେ, ଏମିତି କିଛି ନୁହେଁ, ପରେ କେବେ କହିଲେ ଚଳିବ । ମୁଁ ତ ତାଙ୍କର ବେମାର କଥା ଆଦୌ ଜାଣି ନଥିଲି ।’’

 

‘‘ଆପଣ କିପରି ଜାଣିବେ କୁହନ୍ତୁ ! ସେଦିନଠୁ ଯେ ରାଗିକରି ରହିଲେ ଆଉ ତ ଥରେ ବି ଆସିଲେନି । ମଝିରେ ଥରେ ଗାଡି ପଠେଇଥିଲୁ, ସେଥରେ ବି ଆସିଲେନି । ଭାଇ କହିଲେ, ଆପଣ ଯଦି ନିଜେ ନ ଆସିବେ, ତେବେ ଆପଣଙ୍କୁ କେହି ଯେପରି ଜୋର୍‌ ନକରେ ଆସିବା ପାଇଁ-। ଆଉ ସେ ଦିନଠୁ ଆଜି ପର୍ଯ୍ୟନ୍ତ ପ୍ରାୟ ବର୍ଷେ ହେଲା ଆମ ଘରେ ଟିକିଏ ବି ଶାନ୍ତି ନାହିଁ । ଭାଇ ମନ ଖରାପ କରି ଗମ୍ଭୀର ହେଇ ରହିଲେ, ଆଉ ମା ବେମାର ପଡ଼ିଲେ । ଏସବୁ ଦେଖି ଦେଖି ମୁଁ ବି ସାଙ୍ଗସାଥୀ ଛାଡ଼ି ଘରେ ବସି ରହିଲି ।’’

 

କାହାରିକୁ ଆଉ ଭଲ ଲାଗିଲା ନି । ଆପଣଙ୍କ ପାଖକୁ ଯିବାକୁ ଯେତେଥର ବାହାରିଚି, ଭାଇ ସବୁଥର ମନା କରିଚନ୍ତି । ବାଧ୍ୟହେଇ ମା ଖୁବ୍‌ ବେମାର ପଡ଼ିବାକୁ ଆପଣଙ୍କ ପାଖକୁ ମା’ଙ୍କ ନାଁରେ ଚିଠି ଲେଖି ପଠେଇଥିଲି ମୁଁ ନିଜେ; କିନ୍ତୁ ତଥାପି ଆପଣ ଆସିଲେ ନି । ଏବେ ପ୍ରାୟ ଛଅଦିନ ହେଲାଣି କଅଣ ହେଇ ଯାଉଚନ୍ତି । ଏବେ ଦୁଇଦିନ, ଦୁଇରାତି ଅବସ୍ଥା ବେଶୀ ଖରାପ ହେଇଚି । ଦିନରାତି ସବୁବେଳେ ଜଗି ବସିବାକୁ ହଉଚି । ଡାକ୍ତର କହୁଚନ୍ତି, ମନରେ କୌଣସି ବିଷୟ ନେଇ ଅତ୍ୟଧିକ ଚିନ୍ତା କରିବାଦ୍ୱାରା ଏପରି ହେଉଚି । କୋଉ ବିଷୟ ନେଇ ଭାଇ ଏତେ ଚିନ୍ତା କରନ୍ତି, ମୁଁ ଜାଣେ ସୁଜାତା ଦେବୀ । ଆପଣ ଯେ ଭାଇଙ୍କୁ ଭୁଲ୍‌ ବୁଝିକରି ରହିଲେ, ଏଇଟା ଭାଇଙ୍କର ବଡ଼ ଦୁଃଖ । ଆପଣ ବଡ଼ ନିର୍ଦ୍ଦୟ, ନିଷ୍ଠୁର ଆପଣ, ଆପଣଙ୍କ ମନରେ ଏତେ ଟିକିଏ ବି କୋମଳତା ନାହିଁ, ଟିକିଏ ବି ଦୟାନାହିଁ । ଅନ୍ୟ ଜଣକର ଜୀବନ ନେଇ ଆପଣ ଖେଳ ଖଳୁଛନ୍ତି ! କଇଁ କଇଁ ହେଇ କାନ୍ଦି ଉଠିଲା ମୀନା, ଆଉ ସୁଜାତାର ଆଖିରୁ ବି ଝରି ପଡ଼ିଲା ଟୋପା ଟୋପା ଲୁହ । ବିକାଶ ସାଙ୍ଗରେ ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ସବୁ ଘଟଣା, ପର ପର ମନରେ ସଜେଇ ହେଇଗଲା । ସେଇ ଅଳକା ଲୁଗା ଦୋକାନର ଭିଡ଼ ଭିତରେ ପାଖାପାଖି ହେଇ ବିକାଶ ଓ ସେ, ପୁଣି ସେଦିନ ଗାଡି ଭିତରେ ବିକାଶର ହାତ ମୁଠାରେ ତା’ର ହାତ, ପୁଣି ଗାଇଡ୍‌ ଦିବସ ଦିନ ଫୁଲମାଳଟା ନେଇ ଯୋଉ କାଣ୍ଡ ହେଇଗଲା, ସବୁକିଛି ମନ ପଡ଼ିଗଲା । ସେଇ ସ୍ମୃତି-ମଧୁର ଅତୀତକୁ ଭାବି ପ୍ରତି ଲୋମକୂପରେ ଅନୁଭବ କଲା ଅପୂର୍ବ ରୋମାଞ୍ଚ, ଅଚଖା ମାଦକତା ।

 

ମୀନା କାନ୍ଦି କାନ୍ଦି କହିଲା–

 

‘‘ଜାଣନ୍ତି ସୁଜାତା ଦେବୀ, ମୋର ମନେ ହେଉଚି, ଆଉ ବୋଧେ ମା ଭାଇଙ୍କୁ ଧରି ରଖି ପାରିବି ନି ଆଉ ବୋଧେ ସେ ଭଲ ହେବେ ନି । ହୋସ୍ ଆସିଲାମାତ୍ରେ ସେ କାହାକୁ ଯେପରି ଚାରିଆଡ଼ ଖୋଜୁଛନ୍ତି, କିଛି ସମୟ ପରେ ନିରାଶ ହେଇ ଆଖି ବୁଜୁଚନ୍ତି । ମୁଁ ସବୁ ଜାଣେ ସୁଜାତା ଦେବୀ, ସତ କହୁଚି, ଭାଇ ଆପଣଙ୍କୁ ନିବିଡ଼ ଭାବରେ ଭଲ ପାଆନ୍ତି । ନାରୀ ହେଇ ଆପଣ କଅଣ ଏଇକଥା ବୁଝିପାରି ନାହାନ୍ତି ? ଆପଣ ସବୁବେଳେ ତାଙ୍କୁ ଆଘାତ ଦେବାକୁ ଚାହିଁଚନ୍ତି । ତାଙ୍କର ହୃଦୟଟାକୁ କେବେ ଦେଖି ନାହାନ୍ତି । ମୋର ତ ସେଇ ଗୋଟିଏ ବୋଲି ଭାଇ, ବାପା ମରିଯିବା ପରେ ସେଇ ମୋର ସବୁ । ତାଙ୍କୁ ଯଦି ଧରି ରଖି ନ ପାରିବି, ତେବେ ମୁଁ ବି ଆଉ ବଞ୍ଚିବିନି ।’’ ପୁଣି ଜୋରରେ କାନ୍ଦିଉଠିଲା ମୀନା ।

 

ବିଚଳିତ ହେଲା ସୁଜାତା । ତା’ର ପାଇଁ ଦୁଇଟା ଜୀବନ ଶେଷ ହେବାକୁ ବସିଚନ୍ତି ? ଛି, ଛି, କି ଲଜ୍ଜା ! ମନରେ ସଂବେଦନ ଫୁଟିଲା ବିକାଶ ପ୍ରତି । ବିକାଶ ବଡ଼ ଲୋକ ହେଇପାରେ, ତେବେ ସେ ବି ତ ମଣିଷ । ତାଙ୍କ ଜୀବନରେ ଯଦି ସୁଜାତା ଏତେ ଦରକାରୀ, ତେବେ ସୁଜାତା କଅଣ ତାଙ୍କୁ ଭୁଲ୍ ବୁଝି ଦୂରେଇ ରହିବ, ଅଭିମାନ ଭିତରେ ସାରା ଜୀବନ ବୁଡ଼ି ରହିଥିବ ? ଆଉ ସମ୍ଭାଳି ପାରିଲା ନି ସୁଜାତା । ଉଠି ଆସିଲା ମୀନା ପାଖକୁ । ତାକୁ କୁଣ୍ଢେଇ ଧରି ଅଶ୍ରୃସିକ୍ତ କଣ୍ଠରେ କହିଲା-

 

‘‘ଛି, ଛି, ଏକିତି କହନି ମୀନା, ମୁଁ ତୁମ ଭାଇଙ୍କ ପାଖେ ପାଖେ ରହିବ, ତାଙ୍କୁ ଭଲ କରିଦେବି । ମତେ ଏତେଦୂର ନିଷ୍ଠୁର ଭାବନି, ଚାଲ ଦିହେଁ ପ୍ରାଣପଣେ ଚେଷ୍ଟା କରିବା, ତାଣିକି ଭଗବାନଙ୍କର ଇଚ୍ଛା ।’’

 

‘‘ତୁମେ ଏଇଠି ରହିବ ? ଆମଘରେ ?’’

 

‘‘ହଁ, କାହିଁକି, ତୁମର ଆପତ୍ତି ଅଛି ?’’

 

‘‘ନା, ନା, ମୋର ବିଶ୍ୱାସ ହେଉନି, ତୁମ ମତରେ ଆମେ ତ ଖୁବ୍‌ ବଡ଼ଲୋକ, ଆମ ସାଙ୍ଗରେ ତୁମର ସମ୍ପର୍କ ରଖିବାର ନୁହେଁ, ପୁଣି କାନ୍ଦିକାନ୍ଦି ଚାଲିଯିବନି ତ ?’’

 

‘‘ଚାଲିଯିବା ପାଇଁ ମୁଁ ରହୁନି ମୀନା, ଆଉ, ଆଉକଥା ବଢ଼ାଅନି । ଚାଲ, ବିକାଶ ବାବୁଙ୍କର ଔଷଧ ଖାଇବାର ବେଳ ହେବଣି । ଏଇକ୍ଷଣି ବାସନ୍ତୀଦିଙ୍କ ପାଖକୁ ଖଣ୍ଡେ ଚିଠି ଲେଖି ଜଣେଇ ଦେବାକୁ ହେବ, କିଛିଦିନ ମୁଁ ଏଠି ରହିବି । ମାନେ ବିକାଶ ବାବୁଙ୍କର ଦେହ ଭଲ ହେବା ପର୍ଯ୍ୟନ୍ତ ।’’

ଆଉ ତା’ପରେ ?’’

‘‘ତା ପରେ ଦେଖାଯିବ ।’’

‘‘ହଁ, ଆମେ ଆଉ ତୁମକୁ ଛାଡ଼ିଦବୁ ନା କଅଣ ?’’

‘‘ଚୁପ୍, ଦୁଷ୍ଟ–’’

‘‘କଅଣ କହି ତୁମକୁ ଧନ୍ୟବାଦ ଦେବି ।’’

‘‘ଧନ୍ୟବାଦ ଦେବା ବେଳେ ଏ ନୁହେଁ ମୀନା, ଚାଲ-’’

ଦୁହେଁ ହାତ ଧରାଧରି ହେଇ ଭିତରକୁ ଗଲେ ।

ପ୍ରତିଦିନ ନିୟମିତ ଅଫିସ୍‌ ଆସୁଚି ବନ୍ଦନା । ପ୍ରାୟ ଲାଗ୍‌ ଲାଗ୍‌ ସାତନିନ ହେଲାଣି, ମିଃ ରାୟ ଆସୁ ନାହାନ୍ତି । ରଘୁର ବି ଦେଖା ନାହିଁ । କଅଣ ଦେହ ଖରାପ ହେଇଥିବାରୁ ଘରେ ଅଛି ।

ବନ୍ଦନା ଦୁଇଥର ଫୋନ୍‌ କରି ତାଙ୍କ ଘରୁ ଦର୍‌ଓ୍ୟାନ୍‌ ଠାରୁ ବୁଝିଲାଣି, ଦିନେ ଉର୍ବଶୀ ସାଙ୍ଗରେ କୋଉଠିକି ଯାଇଥିଲେ ସାହେବ, ପୁଣି ଦିନେ ଜଣେ ଆମେରିକାନ ଝିଅ ସାଙ୍ଗ କୋଉ ଡାକ୍‌ବଙ୍ଗ୍ଳୋକୁ ଯାଇଥିଲେ । ବନ୍ଦନାର ମନରେ ହିଂସା, ଈର୍ଷାର ଅନଳ ଜଳି ଉଟିଚି । ଛି, ଛି, ଜୟନ୍ତ ବାବୁ ଥିଲେ କଅଣ, ବର୍ତ୍ତମାନ ହେଇଚନ୍ତି କଅଣ ।

ସେଦିନ ଅଫିସ୍‌ରୁ ଫେରି ପାର୍କରେ ଏକା ଏକା ବସି ବସି ପ୍ରାୟ ରାତି ସାତଟା ବେଳକୁ ବୋର୍ଡ଼ିଂକୁ ଫେରିବା ବେଳେ ମନରେ ଭାବିଲା, ଯିବ କି ଥରେ ମିଃ ରାୟଙ୍କ ଘରକୁ ? ଦେଖି ଆସିବ କଅଣ କରୁଚନ୍ତି ସାହେବ । ଏ କେତେ ଦିନର ଅଦର୍ଶନରେ ରୀତିମତ ଅସ୍ଥିର ହେଇ ଉଠିଲାଣି ସେ ।

ରିକ୍‌ସାରେ ଆସି ଫାଟକ ପାଖରେ ଓହ୍ଲାଇଲା ବନ୍ଦନା । ବାହାରେ ନେମ୍‌ ପ୍ଲେଟରେ ନାଁଟା ପଢ଼ି ନିଶ୍ଚିନ୍ତ ହେଲା, ଠିକ୍ ଠିକଣାରେ ସେ ଆସି ପହଞ୍ଚିଚି । ବାବା, କି ସୁନ୍ଦର ଘର । ଆଗରେ ଲନ୍‌, ଚାରିପାଖ ଯାକ ସୁନ୍ଦର ଫୁଲ ବଗିଚା, ଆଧୁନିକ ଡିଜାଇନ୍‌ର ବିରାଟ ଘର । ଭୟ ଲାଗିଲା ତାକୁ ।

ଶିଖ୍ ଦର୍‌ଓ୍ୟାନ୍‌ ପଚାରିଲା, ‘‘କାହା ପାଖକୁ ଆସିଚନ୍ତି ?’’

ଭୟ ଭୟ କଣ୍ଠରେ କହିଲା ବନ୍ଦନା, ‘‘ରଘୁ ଅଛି କି ?’’

ଦର୍‌ଓ୍ୟାନ୍ ପଛେ ପଛେ ଯାଇ ବନ୍ଦନା ପହଞ୍ଚିଲା ବଗିଚା ପାଖର ଗୋଟିଏ ରୁମ୍‌ରେ । ରଘୁ ଘୋଡ଼ିହେଇ ଶୋଇଚି ।

‘‘କଅଣ ହେଇଚି ରଘୁ ?’’

‘‘ଏଇ ଟିକେ ଜର ହେଇଚି । କିଏ ? ଆରେ ଆମ ମା ଆସିଚ ?’’

‘‘ହଁ ରଘୁ, ସାହେବ୍‌ କଅଣ ଘରେ ଅଛନ୍ତି ? କଅଣ କରୁଚନ୍ତି ?’’

‘‘ଯାଅ ମା, ଭିତରକୁ ଯାଅ, ଦେଖିବ, କି ତାମ୍‌ସା ଲାଗିଚି । ମୁଁ ନ ମରି ଯାହା ଏଇ ଗୁଡ଼ାକ ଦେଖୁଚି ।’’

ଦର୍‌ଓ୍ୟାନ୍‌କୁ କହିଦେଲା ରଘୁ ବନ୍ଦନାକୁ ଭିତରକୁ ନେଇଯିବାକୁ ।

ଭିତରକୁ ଚାଲିଲା ବନ୍ଦନା, ଭୀରୁ ପଦକ୍ଷେପରେ । ସିଢିରେ ଦୋତାଲାକୁ ଯାଇ ଦର୍‌ଓ୍ୟାନ୍‌ ସେ ପାଖର ଘରଟା ଦେଖାଇ ଦେଇ ଚାଲିଗଲା ।

ବନ୍ଦନା ପାଦେ ପାଦେ ଆଗେଇ ପର୍ଦା ଆଢ଼ୁଆଳରେ ଉଙ୍କି ମାରିଲା । ଭିତରେ କୁଶନ୍‌ ଲଗା ସୁନ୍ଦର ସୁନ୍ଦର ଚେୟାର୍‌ କେତେଟା ପଡ଼ିଛି । ଗୋଟିକରେ ମିଃ ରାୟ ବସିଚନ୍ତି । ତାଙ୍କୁ ଘେରି ଚାରି ଛଅ ଜଣ ତରୁଣୀ ବସିଚନ୍ତି । ସମସ୍ତଙ୍କ ଓଠରେ ଅସଂଯତ ହସର ଲହରୀ । ଜୟନ୍ତ ରାୟଙ୍କ ସାମ୍ନାରେ ଛୋଟ ଗୋଟିଏ ଟିପୟ୍‌ । ଟିପୟ୍‌ରେ ମଦ ବୋତଲ, ମଦ ଗ୍ଲାସ ସବୁ ଇତଃସ୍ତତ ହେଇ ଥୁଆ ହେଇଚି ।

 

ଜୟନ୍ତରାୟଙ୍କୁ ଲକ୍ଷ୍ୟ କଲା ବନ୍ଦନା, ମଦ ଖାଇ ଖାଇ ଏକେବାରେ ମାତାଲ୍‌ ଅବସ୍ଥା । ଆଖି ଦିଟା ଲାଲ୍‌ ଟକ୍‌ ଟକ୍‌, କଥାବାର୍ତ୍ତା ଅସଂଲଗ୍ନ, ସାର୍ଟରେ ଲାଗିଥିବା ଟାଇଟା ଢିଲା ହେଇ ଗୋଟେ ପାଖକୁ ଝୁଲି ପଡ଼ିଚି । ଛାତି ବୋତାମ ଦୁଇଟା ଖୋଲି ଯାଇଚି ।

 

ପାଖରେ ବସିଥିବା ତରୁଣୀମାନଙ୍କୁ ଲକ୍ଷ୍ୟ କଲା ବନ୍ଦନା । ସମସ୍ତେ ଉଗ୍ର ଆଧୁନିକା । ଚୋଲିପିସ୍‌, ବ୍ଲାଉଜ୍‌, ନାଇଲନ୍‌ ଶଢ଼ୀ ପିନ୍ଧିଚନ୍ତି ସମସ୍ତେ, ବେଶ ବିନ୍ୟାଶରେ ସମସ୍ତ ସଂଯମକୁ ହତ୍ୟାକରା ଯାଇଚି । ଛି, ଛି, ଏମାନେ ପୁଣି ନାରୀ ! ଆଖି ଟେକି ଚାହିଁବି ପାରିଲାନି ବନ୍ଦନା । ଏଇ ବେଶରେ ଏମାନେ ପୁରୁଷ ଆଗରେ ଠିଆ ହୁଅନ୍ତି !

 

ଭିତରୁ କଥା ଶୁଭିଲା ।

 

ମିଃ ରାୟ କଥା ଜଡ଼େଇ ଜଡ଼େଇ କହୁଚନ୍ତି-

 

‘‘ଏଥର ଥାଉ ସେଲି, ବହୁତ ପିଇଲିଣି, ଏଥର ଟିକେ ରେଷ୍ଟ ଦରକାର ।’’

 

‘‘ଛି, ଛି, ଏତିକିରେ ଫିନିସ୍‌ ହେଇଗଲେ ! ଆଉ ଦୁଇ ତିନି ପେଗ୍‌ ଚଳୁନା ?’’

 

ଗୋଟେ ନୂଆ ମଦ ବୋତଲର କର୍କ ଠିପିଟା ଖୋଲି ଗ୍ଲାସଟାରେ ମଦ ଢାଳିଲା ସେଲି-। ବନ୍ଦନା ଦେଖିଲା, ପାଖରେ ଖାଲି ମଦ ବୋତଲ ଗୋଟେ, ଇସ୍‌ ଏତେ ବଡ଼ ବୋତଲଟା ପୁରା ପିଇସାରି ପୁଣି ଆହୁରି ପିଇବେ ମିଃ ରାୟ !

 

‘‘ନା, ନା, ସେଲି ଆଉ ମୁଁ ପାରିବିନି ।’’

 

ହାଃ ହାଃ ହେଇ ହସି ଉଠିଲେ ତରୁଣୀମାନେ ।

 

‘‘For my sake, only one peg Mr. Ray.”

 

‘‘ଆଚ୍ଛା ଦିଅ, ଦିଅ, ତୁମରି କଥା ହଉ, ତୁମପାଇଁ ମୁଁ ସବୁ କିଛି କରି ପାରିବି ସେଲି, ଦିଅ-।’’ ଢକ୍‌ ଢକ୍‌ କରି ମଦ ଗ୍ଲାସର ସବୁତକ ମଦ ପାଟିରେ ଢାଳି ଆଗକୁ ଢଳି ପଡ଼ିଲେ ମିଃ ରାୟ-। ହାତ ତାଳି ମାରି ହସି ଉଠିଲେ ଅନ୍ୟମାନେ । ବନ୍ଦନା ଲକ୍ଷ୍ୟ କଲା, ଅନ୍ୟମାନେ ରୀତିମତ ଉପଭୋଗ କରୁଚନ୍ତି ।

 

ପୁଣି ରୀତା କହିଲା-

 

‘‘ଏଇଟା ଲାଷ୍ଟ ଗ୍ଲାସ ମିଃ ରାୟ, ମୋ ହାତରୁ ତୁମକୁ ଏଇ ଗ୍ଲାସଟା ଖାଇବାକୁ ହେବ । ମୋର ଅନୁରୋଧ ।’’

 

ମିଃ ରାୟ ହାତଠାରି ନାହିଁ କଲେ । ଆଉ ଗିଳିବାକୁ ତାଙ୍କର ଶକ୍ତି ନାହିଁ । ଏ ପଟରୁ ସେ ପଟକୁ ଢଳି ପଡ଼ୁଚନ୍ତି ସେ ! ବନ୍ଦନା ଶିହରି ଉଠିଲା, ଆଖି ତଳେ ଜମି ଆସିଲା ଲୁହ ମିଃ ରାୟଙ୍କର ଏ ଅବସ୍ଥା ଦେଖି । ରୀତା ପାଖକୁ ଉଠିଆସିଲା । ମିଃ ରାୟଙ୍କ ମୁହଁଟାକୁ ସିଧାକରି ବାଁ ହାତରେ ଧରି ଡାହଣ ହାତରେ ମଦ ଗ୍ଲାସଟା ପାଟି ପାଖରେ ଧରି ରଖିଲା-

 

‘‘ପିଅ ଜୟନ୍ତ, ତୁମକୁ କଷ୍ଟ କରିବାକୁ ହେବନି, ମୁଁ ନିଜେ ପିଏଇ ଦଉଚି ।’’

 

ମିଃ ରାୟଙ୍କର ଜୀବନରେ ଏ ଭଗ୍ନାଂଶ ପରିଣତିକୁ ସହ୍ୟ କରିପାରୁ ନଥିଲା ବନ୍ଦନା । ଜୀବନ ବ୍ୟାପୀ ସେ ତାଙ୍କୁ ଘୃଣା କରି ଆସିଚି । ଅସମତଳ ଯାତ୍ରା ପଥରେ ମିଃ ରାୟଙ୍କର ସେ ଯେଉଁ ପରିଚୟ ପାଇଚି, ସେଥିରୁ ତାଙ୍କୁ ସୁଦୃଷ୍ଟିରେ କେବେହେଲେ ଦେଖି ପାରିନି । ପାଖାପାଖି ଅନେକ ଦିନ କାମକରି ନିଜର ଅଜାଣତରେ ସେ ମିଃ ରାୟଙ୍କର ଅତି ଘନିଷ୍ଠ ହେଇ ଉଠିଚି । ମିଃ ରାୟଙ୍କର ଛାତିରେ ସ୍ପନ୍ଦନ ଥରେ ଥରେ ସେ ଅନୁଭବ କରିଚି ତା’ର ନରମ ବୁକୁ ତଳେ । ତଥାପି ସେ ଦୃଢ଼ ହେଇ ଉଠିଚି । ତାଙ୍କୁ କେବେ ପ୍ରଶ୍ରୟ ଦେଇନି । ନିଜର ସାମୟିକ ଦୁର୍ବଳତାକୁ ଢାଙ୍କି ରଖିବାକୁ ହେଇଚି କଠୋର ଆବରଣ ଦେଇ । ସେ ଆବରଣଟା କିନ୍ତୁ ଥରି ଉଠୁଚି ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ । ହୁଏତ କେଉଁ ଏକ ଅଶାନ୍ତ ଝଡ଼ ବତାସରେ ଖଣ୍ଡ ଖଣ୍ଡ ହେଇ ଆବରଣର ସତ୍ତା ଲୋପ ପାଇ ଯିବ ।

 

ଅଭ୍ୟନ୍ତରର ସେଇ ନରକ ଭିତରେ ବେଦନାସିକ୍ତ ଦୃଷ୍ଟିର କ୍ଷୀଣ ତରଙ୍ଗଟିଏ ଖେଳାଇ ଦେଇ ବନ୍ଦନା ଚମକି ଉଠିଲା ।

 

ମିଃ ରାୟଙ୍କର ଜୀବନରେ ମଧ୍ୟାହ୍ନରେ ତିଳତିଳ ମୃତ୍ୟୁ ବରଣ କରିଚି ବ୍ୟକ୍ତିତ୍ୱର ଏକ ପ୍ରକାଣ୍ଡ ସୂର୍ଯ୍ୟ । ରୀତା ଗ୍ଲାସରେ ପୁଣି ମଦ ଢାଳିବାରେ ଲାଗିଚି । ଏକ ଫେନାୟିତ ପାତ୍ର ମଧ୍ୟରୁ ନାଚି ନାଚି ଓହ୍ଲେଇ ଆସୁଚି ଏକ ନିଃସହାୟ ମରଣର ଶଙ୍ଖଧ୍ୱନି । ବନ୍ଦନା ଦେଖୁଥିଲା, ଗୋଟିଏ ଶୀତଳ ଉପତ୍ୟକାରେ ସୂର୍ଯ୍ୟଟାର ଦୀପ୍ତି ସ୍ତିମିତ ହେଇ ଯାଉଚି । ନିରନ୍ଧ୍ର ହେଇ ଯାଉଚି ତାର ଉତ୍ତାପ ବିକୀରଣକାରୀ ପରିଧି । ସମସ୍ତ ତେଜକୁ ନିଜ ଭିତରେ ଅବରୁଦ୍ଧ କରିବାକୁ ଯାଇ ନିଜେ ନିଜକୁ ଜାଳି ଦେଉଚି ସୂର୍ଯ୍ୟଟା । ବନ୍ଦନା ସହ୍ୟ କରି ପାରୁନଥିଲା । ଦୁଃଖ ବି କରି ପାରୁ ନଥିଲା । ଜ୍ୟାମିତିକି ସତ୍ୟ ଅନୁଯାୟୀ ଏକ ନିଦ୍ଦିଷ୍ଟ ଉପପାଦ୍ୟର ପ୍ରମାଣ ଯେଉଁ ସିଦ୍ଧାନ୍ତରେ ପହଞ୍ଚିବାର କଥା, ମିଃ ରାୟ ଆଜି ସେଇଠାରେହିଁ ପହଞ୍ଚିଚନ୍ତି ।

 

ମିଃ ରାୟଙ୍କର ଅତୀତ ସହିତ ବର୍ତ୍ତମାନକୁ ମିଶାଇ ଭବିଷ୍ୟତର ପରିଣତିରେ ସେ ଶିହରୀ ଉଠିଲା । ମନରେ ତୁହାଇ ତୁହାଇ ଉଠିଲା ଗୋଟିଏ କଥା-ମିଃ ରାୟ କଅଣ ସାରା ଜୀବନ ଏଇ ନର୍କରେ ପଡ଼ି ରହିବେ ? ରଘୁର କଥାଗୁଡ଼ା କାନରେ ସ୍ପଷ୍ଟକରି ବାଜିଉଠିଲା, ଏଇ ବର୍ଷେ ହେଲା ମିଃ ରାୟଙ୍କର ପରିବର୍ତ୍ତନ ଆସିଥିଲା । ହିସାବ କରି ଦେଖିଲା କଥାଟା, ଅର୍ଥାତ୍‌ ତା’ର ସଂସ୍ପର୍ଶରେ ଆସି ମିଃ ରାୟ ତାଙ୍କର ଜୀବନର ମୋଡ଼ ବୁଲାଇ ଦେଇଥିଲେ । କଥାଟା ମନରେ ଆସିବା ମାତ୍ରେ ପୁଲକିତ ହେଇ ଉଠିଲା ଦେହ, ମନ । ବିଜୟିନୀର ହସ ଖେଳିଗଲା ଓଠରେ ଦୁଇ କଡ଼ରେ । ତା’ରିଠୁ ପ୍ରତ୍ୟାଖ୍ୟାତ ହେବା ଦିନରୁ ମିଃ ରାୟଙ୍କର ଏଇ ପରିଣତି । ତାକୁଇ ଭୁଲିବାକୁ ଯାଇ ସେ ଆଜି ତିଳ ତିଳ କରି ନିଜକୁ ନଷ୍ଟ କରି ଦେଉଚନ୍ତି । ବନ୍ଦନା କଅଣ ତାଙ୍କର ଏ ଅସଂଯମକୁ ଗ୍ରହଣ କରି ପାରି ନଥାନ୍ତା...? ବନ୍ଦନା କଅଣ ଆତ୍ମବିଭୋର ହେଇ ନଥାନ୍ତା । ଯଦି ମିଃ ରାୟଙ୍କର ଜୀବନର ସମସ୍ତ ବସନ୍ତ ଆସି ପୁଞ୍ଜିଭୂତ ହେଇଥାନ୍ତେ କେବଳ ମାତ୍ର ତା’ରି ଦେହର ଉଦ୍ୟାନରେ.....

 

ବନ୍ଦନାର ମନ-ଆକାଶର ରଙ୍ଗ ବଦଳିଗଲା । କଳା କଳା ବଉଦରେ ଢଙ୍କା ହେଇଥିବା ଆକାଶଟା ମୁହୂର୍ତ୍ତକରେ ପରିବର୍ତ୍ତନ ହେଇଗଲା ଅଲକ୍ତ ଦିଗନ୍ତରେ । ମିଃ ରାୟଙ୍କର ବ୍ୟକ୍ତତ୍ୱ ଆଜି ନୂତନ ସୂର୍ଯ୍ୟରୂପେ ତା’ ମନ ଦିଗ୍‌ବଳୟରେ ଦେଖା ଦେଲେ ।

 

ବନ୍ଦନାର ଭାବନାକୁ ବ୍ୟାହତ କରି ଏତିକିବେଳେ କକ୍ଷ ମଧ୍ୟରୁ ଭାସି ଆସିଲା କେତୋଟି ଉତ୍ସୃଙ୍ଖଳ ହସର ଐକ୍ୟତାନ । ଫେରି ଚାହିଁଲା ସେ । ନରକର ତୀବ୍ରତା ଘନୀଭୂତ ହେଇଚି । ମିଃ ରାୟ ହୁଏତ ଆଉ ଚେତନା ମଧ୍ୟରେ ନାହାନ୍ତି । ତରୁଣୀମାନେ ଢଳି ଢଳି ଅଶ୍ଳୀଳ ଇଙ୍ଗିତ କରୁଚନ୍ତି-। ଆଉ ସେଲି ଖୋଲୁଚି ପୁଣି ଗୋଟିଏ ମଦ ବୋତଲର ଠିପି ।

 

ଅସମ୍ଭବ...ନା, ନା ତା ହେଇ ପାରେନା । ମିଃ ରାୟଙ୍କୁ ସେ ନିଶ୍ଚୟ ରକ୍ଷା କରିବ । ନିଶ୍ଚୟ ଉଦ୍ଧାର କରିବ ତାଙ୍କୁ ଏ ନରକ ମଧ୍ୟରୁ । ଦୁମ୍‌ ଦୁମ୍‌ କରି ଘର ଭିତରକୁ ପଶି ଆସିଲା ବନ୍ଦନା । ସେଲି ହାତରୁ ମଦ ବୋତଲାଟା ଦୂରକୁ ଫିଙ୍ଗି ଦେଲା, ସାମ୍ନା ଟିପୟରୁ ମଦ ଟ୍ରେ ସହିତ ଗ୍ଲାସ, ବୋତଲ ସବୁ ଫୋପାଡ଼ିଦେଲା ।

ବିଷଧର ନାଗୁଣୀ ପରି ଫଣା ଟେକି ଉଠିଲା ।

‘‘ଚାଲି ଯାଆନ୍ତୁ ଆପଣମାନେ, ଜଣକର ଜୀବନ ନେଇ ଖେଳିବାକୁ ଲଜ୍ଜା ହୁଏନି ? ଛି, ଛି, ନାରୀ ହେଇ ଆପଣମାନେ କରୁଚନ୍ତି କଅଣ ? ଧ୍ୱଂସ ମୁଖରୁ ପୁରୁଷକୁ ରକ୍ଷା କରିବା ନାରୀର କର୍ତ୍ତବ୍ୟ, କିନ୍ତୁ ଆପଣମାନେ ହେଲେ ନର୍କର କୀଟ । ନର୍କ-କୀଟର ପୁଣି କର୍ତ୍ତବ୍ୟ ଜ୍ଞାନ ! ଚାଲିଯାନ୍ତୁ ଏଠୁ କହୁଚି ନ ହେଲେ-’’

‘‘ନ ହେଲେ କଅଣ କରିବେ ଆପଣ ?’’

‘‘ଦର୍‌ଓ୍ୟାନ ଲଗେଇ ବାହାର କରେଇବି ।’’

‘‘ଓଃ ଦର୍‌ଓ୍ୟାନ୍‌ ଲଗେଇବେ ! ଏ ସାହସ ତ କିଛି କମ୍‌ ନୁହେଁ । ତମେ ବୋଧେ ସେଇ ଯୋଉ ଷ୍ଟେନୋଟା, ନୁହେଁ କି ?’’

‘‘ନା, ନା, ମୁଁ ଷ୍ଟେନୋ ନୁହେଁ, ମୁଁ ନାରୀ, ତୁମମାନଙ୍କଠାରୁ ମିଃ ରାୟଙ୍କୁ ରକ୍ଷା କରିବାକୁ ମୋର ଜନ୍ମ, ମୁଁ ଆଉ କିଛି ଶୁଣିବାକୁ ଚାହେଁନା, ବାହାରିଯାଅ ଏଠୁ ।’’

‘‘ଭାରୀ ସାହସ ତମର । ସେଲି, ରୀତା ଆସ ୟାକୁ ଆମ ଜୋତାରେ ପିଟି ପିଟି ବାହାର କରିଦେଇ ଆସିବା । ଭୁଲି ଯାଉଚି ସେ, କାହା କାହା ସାମ୍ନାରେ ଠିଆହେଇ କଥାବାର୍ତ୍ତା କରୁଚି ।’’

ସାଙ୍ଗେ ସାଙ୍ଗେ ଜୋତା ବାହାର କଲେ ସମସ୍ତେ, ଏକା ସାଙ୍ଗରେ ଆକ୍ରମଣ କଲେ ବନ୍ଦନାକୁ । ସହି ପାରିଲା ନି ସେ । ତଳେ ପଡ଼ିଗଲା, ଚାରିପଟୁ ଚଟିଜୋତାର ତୀବ୍ର ଗର୍ଜନ । ପିଠିରେ ଭୀଷଣ କଷ୍ଟ ।

‘‘ବନ୍ଦକର, ନ ହେଲେ ଗୋଟି ଗୋଟି କରି ମୁଁ ଗୁଳି କରିବି ସମସ୍ତଙ୍କୁ ।’’ ପଛକୁ ଫେରି ଚାହିଁଲେ ସମସ୍ତେ । ୟା ଭିତରେ ମିଃ ରାୟ ଟେବୁଲ୍‌ ଡ୍ରୟରରୁ ଲୋଡ଼େଡ଼ ରିଭଲ୍‌ଭର୍‌ କାଢ଼ି ହାତରେ ଧରି ଠିଆ ହେଇଚନ୍ତି । ଆଖି ଲାଲ୍‌, ଗୋଡ଼ ଟଳୁଚି, ତଥାପି ହାତରେ ରିଭଲ୍‌ଭର୍‌ଟି ଦୃଢ଼ମୁଷ୍ଟିରେ ଧରି ରହିଚନ୍ତି । ଘରଟା ନିସ୍ତବ୍‌ଧ ହେଇଗଲା ମୁହୂର୍ତ୍ତକରେ । ବନ୍ଦନା ତଳେ ପଡ଼ି କାନ୍ଦୁଚି ।

ମିଃ ରାୟ କହିଲେ, ‘‘ଆସ ବନ୍ଦନା, ମୋ ପାଖକୁ ଆସ ।’’

ବନ୍ଦନା ଛୁଟି ଆସିଲା ମିଃ ରାୟଙ୍କ ପାଖକୁ । ଅନ୍ୟାନ୍ୟ ତରୁଣୀମାନଙ୍କୁ ରୀତିମତ ଭୟ ପାଇଯାଇଥିଲା ସେ । ବନ୍ଦନାକୁ ଦୁଇ ହାତରେ ଚାପି ଧରିଲେ ମିଃ ରାୟ । ବନ୍ଦନା ତାଙ୍କରି ଛାତିରେ ମୁହଁ ରଖି କଇଁ କଇଁ ହେଇ କାନ୍ଦି ଉଠିଲା ।

‘‘ତୁମେ ସବୁ ଯାଅ, ସେଲି, ରୀତା...ଅନ୍ୟମାନେ । ସମସ୍ତେ ଏଠୁ ଚାଲିଯାଅ । ଭୁଲରେ ଯେପରି ତୁମମାନଙ୍କର ଏଠି ପାଦ ନ ପଡ଼େ । ଖବର୍‌ଦାର୍‌, ମନେଥାଏ ଯେପରି ।’’

କୋଠରୀ ଭିତରେ ରହିଗଲେ ବନ୍ଦନା ଓ ମିଃ ରାୟ । ବନ୍ଦନା ୟା ଭିତରେ ଦୂରକୁ ଘୁଞ୍ଚିଯାଇଚି । ନାରୀ ସୁଲଭ ଲଜ୍ଜା ଓ ସଙ୍କୋଚ ତାକୁ କିମିତି ମାଡ଼ି ମାଡ଼ି ଦେଉଚି । ଗୋଟିଏ ନାଟକୀୟ ଦୃଶ୍ୟର ସମାପ୍ତି ପରେ ଉଭୟେ ଯେପରି ନିଜ ନିଜ ସ୍ଥାନକୁ ଫେରି ଯାଇଚନ୍ତି ।

କଠିନ ନୀରବତାକୁ ଭଙ୍ଗକରି ମିଃ ରାୟ କହି ଉଠିଲେ-

‘‘ତୁମେ ମତେ ଆଉ ଛାଡ଼ି ଯାଅନି ବନ୍ଦନା, ମୁଁ ଆଜି ନିହାତି ଏକୁଟିଆ, ତୁମକୁ ଛାଡ଼ି ରହିଲେ ମୋର ଖୁବ୍‌ କଷ୍ଟ ହୁଏ ।’’

ଜୟନ୍ତ ରାୟଙ୍କ ଉପସ୍ଥିତି ଆଜି ବନ୍ଦନା ହୃଦୟରେ ଗମ୍ଭୀରତା ସୃଷ୍ଟି କରି ପାରୁନି । ମିଃ ରାୟଙ୍କର ଅନୁରୋଧ ପ୍ରଥମ ଥର ପାଇଁ ଜୀବନ-ନଦୀରେ କଳ କଲ୍ଲୋଳ ସୃଷ୍ଟି କରୁଚି । ଅପ୍ରତ୍ୟାଶିତ ଉତ୍ତେଜନାରେ ଓଠ କଣରେ ଏକ ସରୁ ହସର ରେଖା ଫୁଟି ଉଠିଚି । ମିଃ ରାୟଙ୍କ ଦୃଷ୍ଟିକୁ ସେ ହସ ଏଡ଼ାଇ ପାରିନି । ମିଃ ରାୟ ଆଶ୍ଚର୍ଯ୍ୟ ହେଇ ମୁଗ୍‌ଧ ନେତ୍ରରେ ଚାହିଁଛନ୍ତି । ବନ୍ଦନା ଅସହାୟ ଭାବେ ହସୁଚି । ଅତୀତର ସମସ୍ତ ଗମ୍ଭୀରତା ଆଜି ଭାଙ୍ଗି ପଡ଼ିଚି ଯେପରି ।

ମିଃ ରାୟ ସାହସର ସହିତ ପାଖକୁ ଆସିଲେ...ଆହୁରି ପାଖକୁ । ବନ୍ଦନା ଘୁଞ୍ଚି ପାରିଲାନି, ଗୋଡ଼ ଯେପରି ସ୍ଥାଣୁ ପାଲଟି ଯାଇଚି ।

ଏ କି ଦୁର୍ବଳତା !

ସାମାନ୍ୟ ସ୍ନେହର ପୁଞ୍ଜିରେ ଏତେବଡ଼ ଭଲ ପାଇବାର ବ୍ୟବସାୟ କରି ପାରିବତ ? ହୃଦୟରେ ଦ୍ୱନ୍ଦ୍ୱ ଓ ଉତ୍ତେଜନାର ଭିଡ଼......

ମନେପଡ଼ିଲା ତାର...ଉଦାସୀନ ହୃଦୟରେ ସେ ମିଃ ରାୟଙ୍କୁ ଦିନକ ପାଇଁବି ଛାୟାଦାନ କରି ନଥିଲା । ଆଜି କିପରି ଅସ୍ୱାଭାବିକ ଭାବରେ ଉଚ୍ଛ୍ୱଳ ହେଇ ଜୀବନ-ନଦୀ ତାର ଗତି ପରିବର୍ତ୍ତନ କରିଚି । ସାଗର ସହିତ ମିଶି ଶାନ୍ତ ନୀଳ ହେବାର ସ୍ୱପ୍ନରେ ବିଭୋର ହେଇ ଉଠିଚି ସେ ନିଜର ଅଜଣାରେ । ନିର୍ଜୀବ ହେଇ ଅପେକ୍ଷା କରୁଚି ସେଇ ପରମ ମୁହୂର୍ତ୍ତଟିକୁ ।

ଜୟନ୍ତ ରାୟଙ୍କର ଦୁଇଟି ବାହୁ ବନ୍ଦନାର ଅଙ୍ଗ ବଲ୍ଲରୀକୁ କ୍ଷଣକ ମଧ୍ୟରେ ଜଡ଼ାଇ ଦେଲା ।

ବନ୍ଦନା ଶରୀରରେ ଲକ୍ଷ ରୋମାଞ୍ଚ, ଅଙ୍ଗ ଲତିକାରେ ତାର ନୂତନ ପୁଷ୍ପର ରଙ୍ଗ... ଅପୂର୍ବ ବର୍ଣ୍ଣ ବୈଭବରେ ସେ ଆଜି ଶୋଭିତ । ଚାଲିଗଲା କେତୋଟି ନୀରବ ମୁହୂର୍ତ୍ତ, ମାତ୍ର ଅକୁହା କଥାର କଲ୍ଲୋଳରେ ମୁଖର ।

ଅନୁଭବ କରୁଥିଲେ ମିଃ ରାୟ-ସତେ ଯେପରି ତାଙ୍କ ଜୀବନର ସମସ୍ତ ବସନ୍ତକୁ ବନ୍ଦନା ଦେହର ଉପବନରେ ସୀମିତ କରି ଦେଇଚନ୍ତି ଏକ ଦୃଢ଼ ବାହୁ ବେଷ୍ଟନୀରେ ।

ଆଉ ବନ୍ଦନାର ମନ ଗହନରେ ଲକ୍ଷ ଫୁଲର ସୁରଭି । ଅଙ୍ଗରେ ତା’ର ଲକ୍ଷ ରଙ୍ଗର ଜୁଆର ।

Image